Unknown

 

 

 

 

 

 

 

 

 

 

ପାଷାଣପୁରୀର ଯକ୍ଷ

(ଭୌତିକ ଉପନ୍ୟାସ)

ଆଶୁତୋଷ ରାୟ

 

* ଉପହାର *

 

ଶ୍ରୀ / ଶ୍ରୀମତୀ________________________ଙ୍କ

କର କମଳରେ ଭକ୍ତି/ ସ୍ନେହର ନିଦର୍ଶନ ସ୍ଵରୂପ ଅର୍ପଣ କଲି ।

 

ସ୍ୱାକ୍ଷର___________________

ତାରିଖ______________

 

–ଏକ–

 

ବିଶାଳ ପୁରୁଣା ଘରଟାର ଭୟଙ୍କର ନିସ୍ତବ୍ଦତା ପ୍ରଥମ ଦର୍ଶନରୁ ଧୀରାଜକୁ ସମ୍ମୋହିତ କରିଥିଲା । ପଥରର ଦୁଇ ମହଲା କୋଠା । ପ୍ରଧାନ ପ୍ରବେଶ ଦ୍ୱାରର ଦୁଇପଟେ ପଥରର ଦୁଇଟି ପ୍ରକାଣ୍ଡ ସିଂହ ଆଁ କରି ଥାବା ଉଞ୍ଚାଇ ବସିଛନ୍ତି । ପ୍ରବେଶ ଦ୍ୱାରଟି ଏତେ ବଡ଼ ଯେ ଦୁଇଖଣ୍ଡି ଶଗଡ଼ ଗାଡ଼ି ପାଖପାଖ ହୋଇ ଅନାୟାସରେ ପ୍ରବେଶ କରି ପାରିବ । ଜେଲଖାନା କବାଟପରି ଦୁଇଟି ଭୀମକାୟ ଜାଉଁଳି କବାଟଦ୍ୱାର ପ୍ରବେଶ ପଥଟି ଆବୃତ । ପ୍ରବେଶ ତୋରଣ ପରେ ଗୋଟିଏ ଅତି ବଡ଼ ଅଗଣା । ପଥର ବିଛା ଅଗଣାର ଚାରିପଟେ ଦୀର୍ଘ ବାରନ୍ଦା ଓ ଖଣ୍ଡିଏ ଖଣ୍ଡିଏ କୋଠରୀ । ଏହିପରି ଚାଳିଶ ଖଣ୍ଡ କୋଠରୀ ଅଗଣାର ଚାରିପଟ ଘେରିରହିଛି । ପୂର୍ବେ ଏହି କୋଠରୀଗୁଡ଼ିକ ଭିତରେ ପାଇକ ବରକନ୍ଦାଜମାନେ ପୁରିରହିଥିଲେ । ସେମାନଙ୍କର ଅସ୍ତ୍ର ଝନ୍‍ଝାନରେ ଓ ବାହୁ ସ୍ପୋଟନରେ ବିଶାଳ ପାଷାଣ ପୁରୀ କମ୍ପି ଉଠୁଥିଲା । ଅଗଣାର ଗୋଟିଏ କଣକୁ ଏକ ପଥରର ମହାବୀର ମୂର୍ତ୍ତି ଏ ପର୍ଯ୍ୟନ୍ତ ଅଛି । ବହୁକାଳରେ ଶିଉଳିରେ ତାହା ବର୍ତ୍ତମାନ ବିବର୍ଣ୍ଣ ହୋଇ ଯାଇଥିଲେ ମଧ୍ୟ, ଭଲକରି ଲକ୍ଷ୍ୟ କଲେ ସେ ପଥର ମୂର୍ତ୍ତି ମୁଣ୍ଡରେ ଏ ପର୍ଯ୍ୟନ୍ତ ସିନ୍ଦୁର ଚିହ୍ନ ମିଳିବ-। ମଲ୍ଲବୀରମାନଙ୍କର ଉପାସ୍ୟ ଦେବତା ଏହିମହାବୀର ଦିନେ ଅତି ଯତ୍ନରେ ପୂଜା ପାଉଥିଲେ । ଆଜି କିନ୍ତୁ ସବୁ ନିଶ୍ଚିହ୍ନ ପ୍ରାୟ । ସବୁ କୋଳାହଳ ନୀରବ । ଉତ୍ସବ ପରେ ବିବାହ-ବେଦୀ ପରି ମ୍ରିୟମାଣ ଓ କରୁଣ ।

 

ଚାରି ପଟରେ ଧାଡ଼ି ଧାଡ଼ି ହୋଇ ଶୂନ୍ୟ କୋଠରୀଗୁଡ଼ିକ ଅତୀତକାଳର କେଉଁ ଗୁପ୍ତକଥା ଯେପରି କହିବାକୁ ଚେଷ୍ଟା କରନ୍ତି, କିନ୍ତୁ ସେ ଭାଷାହୀନ ମୁଖରତା କେହି ବୁଝି ପାରନ୍ତି ନାହିଁ ।

 

ତା ପରେ ଭିତର ମହଲ । ବିଶାଳ ଦୁଇମହଲା ପ୍ରାସାଦ । ତଳେ ଓ ଉପରେ ଅଗଣିତ କୋଠରୀ । କେତେ ମୁଲ୍ୟବାନ ଆସବାବ ଏ ପର୍ଯ୍ୟନ୍ତ ଧୂଳି ମଳିନ ହୋଇ ପଡ଼ିରହିଛି । ସମୁଦ୍ରର ଲୁଣା ପବନ ଓ କାଳର କଟାକ୍ଷକୁ ଭ୍ରୂକ୍ଷେପ ନ କରି ଏହି ବିରାଟ ଅଟ୍ଟାଳିକା ବିଗତ ଦୁଇ ଶତାବ୍ଦି ହେଲା ସଗର୍ବେ ମୁଣ୍ଡଟେକି ଛିଡ଼ା ହୋଇଛି ।

 

ଜମିଦାର ଚୌଧୁରୀ ବଂଶର ବିଶେଷତ୍ଵ ହେଉଛି ଯେ ସେ ବଂଶର ପ୍ରତି ମାଲିକର ଗୋଟିଏ ମାତ୍ର ସନ୍ତାନ ଜନ୍ମଲାଭ କରେ । ଏ ବଂଶର ଶେଷ ପ୍ରଦୀପ ସୂର୍ଯ୍ୟନାରାୟଣ ଚୌଧୁରୀଙ୍କର ମଧ୍ୟ ଗୋଟିଏ ମାତ୍ର ପୁତ୍ର ସନ୍ତାନ ଥିଲା । ସେତେବେଳେ ଏ ବଂଶର ପତନ ଆରମ୍ଭ ହେଲାଣି । ବହୁ ଯୁଗାନ୍ତ ପ୍ରବାହିତ ହୋଇ ଏ ବଂଶର ବୀର ରକ୍ତର ସ୍ରୋତ କ୍ରମେ ଶିଥିଳ ଓ ନିର୍ଜୀବ ହୋଇ ଆସିଲାଣି । ସେ ରକ୍ତରେ ଜ୍ୟୋତି ଅଛି କିନ୍ତୁ ଜ୍ଵାଳା ନାହିଁ । ନିର୍ଯ୍ୟାତିତ ଜନତାର ଅଶ୍ରୁରେ ସେ ରକ୍ତ ପ୍ରବାହରେ ଜମିଦାରୋଚିତ ଆନନ୍ଦ ଜାଗେ ନାହିଁ । ଜାଗେ ସମବେଦନା, ସେହି ଜନତାର ପଙ୍କିଳ ଓ ଉଦ୍ଦାମ ରକ୍ତସ୍ରୋତ ଭିତରେ ନିଜର କ୍ଷୀଣ ଓ ବିଶୋଧିତ ରକ୍ତ ଧାରାକୁ ମିଶାଇ ଦେବାକୁ ଗୋଟାଏ ଅଦମ୍ୟ ଅଭିଳାଷ ହୁଏ । ବଡ଼ ସାନର ଭେଦଭାବ ନାହିଁ ।

 

ଯେଉଁ ବର୍ଷ ପ୍ରବଳ ପ୍ରତାପୀ ଜମିଦାର ସୂର୍ଯ୍ୟ ନାରାୟଣ ଚୌଧୁରୀ ବ୍ରିଟିଶ ସରକାରଙ୍କ ନିକଟରୁ “ଦେୱାନ୍ ବାହାଦୁର” ଉପାଧି ପାଇଲେ—ଠିକ୍ ସେଇବର୍ଷ ତାଙ୍କର ଏକ ମାତ୍ର ପୁତ୍ର ରବିନାରାୟଣଙ୍କୁ ମେଦିନୀପୁରରେ ପୁଲିସ ଗିରଫକଲା । ବିଧାତାଙ୍କର କି ଉଦ୍ଦେଶ୍ୟରେ ଯେ ଅନ୍ୟ କୌଣସି ତିଥିରେ ନ ହୋଇ ଠିକ୍ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୁଏ, ତାହା ହୁଏତ ଜ୍ୟୋତିଷ ଶାସ୍ତ୍ରରେ କେଉଁଠାରେ ଲେଖାଅଛି; କିନ୍ତୁ ଚୌଧୁରୀ ବଂଶ ଉପରେ ବିଧାତାଙ୍କର ଏଇ ଯେଉଁ ବିଚିତ୍ର ଇଙ୍ଗିତ, ତାର କୌଣସି ଉଦ୍ଦେଶ୍ୟ ସୂର୍ଯ୍ୟନାରାୟଣ ବୁଝି ପାରିଲେ ନାହିଁ ।

 

ଅଭିଯୋଗ ସାଧାରଣ ନୁହେଁ । ଯେଉଁ ବିପ୍ଲବୀ ଦଳ ମେଦିନୀପୁରରେ ବ୍ରିଟିଶ ଅଫିସର ଡଗଲାସ ସାହେବଙ୍କୁ ହତ୍ୟା କଲେ ରବିନାରାୟଣ ଥିଲା ସେଇ ଦଳର ନେତା । ବହୁ ଚେଷ୍ଟା ହେଲା । କେତେ ବଡ଼ ବଡ଼ ଓକିଲ ବାରୀଷ୍ଟର ଲାଗିଲେ । ଚୌଧୁରୀ ବଂଶର ଗନ୍ତାଘର ଉନ୍ମୁକ୍ତ କରି ଅର୍ଥର ସ୍ରୋତ ବୋହିଲା, କିନ୍ତୁ ଏ କ୍ଷେତ୍ରରେ ଯାହା ଆବଶ୍ୟମ୍ଭାବୀ, ଯାହା ନିୟତିର ନିର୍ଦ୍ଦେଶ ତାହାହିଁ ହେଲା । ବହୁ ଯୁଗର ନିଜ ରକ୍ତର କ୍ଷୀଣ ଓ କ୍ଳାନ୍ତଧାରୀ ଫାଶୀ ଖୁଣ୍ଟରେ ଲୁପ୍ତ ଦେଲା ।

 

ଚୌଧୁରୀ ବଂଶର ପରବର୍ତ୍ତୀ କେତେକ ବର୍ଷର ଇତିହାସ ବଡ଼ କରୁଣ ଓ ବେଦନାଦାୟକ । ଖଣ୍ଡ ଖଣ୍ଡ ହୋଇ ପ୍ରାୟ ସବୁ ଜମିଦାରୀ ଗଲା । ଧନ ସମ୍ପତ୍ତି ଗଲା । ପ୍ରକାଣ୍ଡ ମହିରୁହର ଶାଖା ପ୍ରଶାଖା ଯୋଡ଼ି ଯେଉଁ ଅଗଣିତ ଆତ୍ମୀୟ ଓ ପୋଷ୍ୟ ବ୍ୟକ୍ତିମାନେ ବହୁ ଯୁଗଧରି ନୀଡ଼ ବାନ୍ଧିରହିଥିଲେ ସେମାନେ ମଧ୍ୟ ଧୀରେ ଧୀରେ ବିଦାୟ ନେଲେ । ବୃଦ୍ଧ ସୂର୍ଯ୍ୟନାରାୟଣ ଏତେବଡ଼ ବିଶାଳ ଅଟ୍ଟାଳିକାରେ କେବଳ ଏକା ବଞ୍ଚିରହିଲେ । ଏଇ ପାଷାଣପୁରୀ ପରି ଏ ବଂଶର ସମସ୍ତେ ଥିଲେ ଅତି ଦୀର୍ଘାୟୁ ।

 

ଯେତେବେଳେ ଜୀବନର ବୋଝ ମଣିଷ ଅସହ୍ୟ ହୁଏ, ସେତିକିବେଳେ ଯେପରି ଆୟୁ ଆହୁରି ବେଶି ଦୀର୍ଘ ହୁଏ । ଅବଶେଷରେ ଯାହା ସଚରାଚରରେ ଘଟିଥାଏ ତାହାହିଁ ଘଟିଲା । ଗଭୀର ରାତିରେ ହଠାତ ଉପର ମହଲାରେ ବନ୍ଧୁକ ଗର୍ଜ୍ଜନ କରି ଉଠିଲା । ଥରେ, ଦୁଇଥର, ତିନିଥର ।

 

ଚାକର ବାକରମାନେ ଚମକି ଉଠି ଦୌଡ଼ିଲେ ।ରକ୍ତାକ୍ତ ଦେହରେ ସୂର୍ଯ୍ୟନାରାୟଣଙ୍କର ଦୁଇଟି ପ୍ରିୟ ଆଲସେସିଅନ କୁକୁର ଓ ସେ ନିଜେ ପଡ଼ିଛନ୍ତି । ଡାକ୍ତର ଆସିଲେ । କିନ୍ତୁ ତାର କୌଣସି ପ୍ରୟୋଜନ ନଥିଲା । ଦୁଇ ଶତାବ୍ଦିର କ୍ଳାନ୍ତ ଓ କ୍ଷୀଣ ନୀଳରକ୍ତର ଧାରା ଅବଲୁପ୍ତ ହେଲା । ଚୌଧୁରୀ ବଂଶର ଶେଷ ଦୀପଶିଖା ନିଭିଗଲା ।

 

ସବୁ ସମ୍ପତ୍ତି ଯାଇ ମଧ୍ୟ ଚୌଧୁରୀ ବଂଶର ଯାହା ଥିଲା, ତାହା ଅତି କମ୍ ନୁହେଁ । ମୃତ୍ୟୁ ପୁର୍ବରୁ ଉଇଲ୍ କରି ସୂର୍ଯ୍ୟନାରାୟଣ ଏହି ପାଷାଣପୁରୀ ଓ ଆଉ କେତେକ ଭୂସମ୍ପତ୍ତି ଏ ବଂଶର ଦୂର ସମ୍ପର୍କୀୟ ଉତ୍ତରାଧିକାରୀ ଧୀରାଜ ସାମନ୍ତକୁ ଦେଇ ଯାଇଥିଲେ । ଓକିଲଙ୍କଠାରୁ ଚିଠି ପାଇ ଯାଯାବର ଧୀରାଜ ନିଜର ଅନିଚ୍ଛା ସତ୍ୱେ ଥରେ ବାଜିତପୁରର ବହୁ କଥିତ ଏଇ ଚୌଧୁରୀ ଉଆସକୁ ଦେଖି ଯିବ ବୋଲି ଆସିଥିଲା । କିନ୍ତୁ କେଉଁ ଅଦୃଶ୍ୟ ଶକ୍ତି ଯେପରି ତାକୁ ଏଠାରେ ବାନ୍ଧିରଖିଲା ।

 

ଧୀରାଜ ସାମନ୍ତ ତିରିଶ ବର୍ଷର ଯୁବକ । ଅତିଶୟ ବଳବାନ ଓ ଦୁଃସାହସୀ । ପିଲାଦିନରୁ ପିତୃ ମାତୃହୀନ ହୋଇ ସେ ଆଲିଗଡ଼ରେ ଅଧ୍ୟୟନ କରୁଥିଲା । ଆଜିକି ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସେ ଏମ୍. ଏ. ପାସ୍‍କରି ନିଜର ଜନ୍ମଭୂମି ଏଇ ଭାରତବର୍ଷକୁ ଭଲକରି ଦେଖିବା ପାଇଁ ସେ ଦେଶସାରା କେବଳ ଘୂରି ବୁଲିଛି । ଏହି ଉଦ୍ଦେଶ୍ୟ ହୀନ ଯାଯାବର ଜୀବନ ଭିତରେ ସେ କେତେ ଦୁଃସାହସିକ କାର୍ଯ୍ୟ କରିଛି । ହିମାଳୟର ଦୁର୍ଗମ ଜଙ୍ଗଲ ଭିତରେ କେତେ ଥର କେତେ ବିପଦରେ ପଡ଼ିଛି । ଆସାମର ନାଗା ପାହାଡ଼ ଉପରେ ନରହନ୍ତା ଦସ୍ୟୁ କବଳରେ ପଡ଼ିଛି । କିନ୍ତୁ କୌଣସି ବାଧା ତାହାର ଆଗେଇ ଯିବା ବାଟ ବନ୍ଦ କରି ପାରି ନାହିଁ ।

 

ସେ ଅତିଶୟ ଧନୀ ନ ହେଲେ ମଧ୍ୟ ଅଭାବ ତାହାର ନଥିଲା । ପିତା ପୃଥ୍ଵୀରାଜ ସାମନ୍ତ ଉତ୍ତର ପ୍ରଦେଶରେ କାଠ ବ୍ୟବସାୟ କରି ବହୁ ଧନ ଗଚ୍ଛିତ କରି ଯାଇଥିଲେ । ବନାରସରେ ଖଣ୍ଡିଏ କୋଠାଘର ଓ ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ପାଇ ଧୀରାଜ ନିର୍ବିରୋଧରେ ଦେଶଭ୍ରମଣ କରୁଥିଲା ।

ସୂର୍ଯ୍ୟନାରାୟଣଙ୍କ ମୃତ୍ୟୁ ପରେ କେତେକ ବର୍ଷ ଗତ ହୋଇ ଯାଇଥିଲେ ମଧ୍ୟ ତାଙ୍କର ଓକିଲ ଗଙ୍ଗାଧର ବାବୁ ସୂର୍ଯ୍ୟନାରାୟଣଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ଧୀରାଜର ସନ୍ଧାନ ପାଉନଥିଲେ, ଅବଶେଷରେ ଧୀରାଜ ଦିଲ୍ଲୀରେ ଥିବାର ସମ୍ବାଦ ପାଇ ଗଙ୍ଗାଧରବାବୁ ତାକୁ ଓଡ଼ିଶାକୁ ଫେରି ଆସିବା ପାଇଁ ଖଣ୍ଡିଏ ଦୀର୍ଘ ଟେଲିଗ୍ରାମ କଲେ ଓ ଖଣ୍ଡିଏ ପତ୍ର ମଧ୍ୟ ଲେଖିଲେ । ଚୌଧୁରୀ ବଂଶର ସମ୍ପଦ ଓ ଆଭିଜାତ୍ୟର ଇତିହାସ ଧୀରାଜ ପିଲାଦିନେ ବହୁ ଭାବରେ ଶୁଣିଥିଲା-। ଧନ ସମ୍ପତ୍ତିରେ ନିର୍ଲୋଭ ଥିଲେ ମଧ୍ୟ, ବହୁ କଥିତ ଚୌଧୁରୀ ଉଆସ ଯାହାକି ଘଟଣା କ୍ରମେ ତାର ବର୍ତ୍ତମାନ ନିଜର ସମ୍ପତ୍ତି ସେହିଠାରେ କେତେଟା ଦିନ ବାସ କରିବାକୁ ତାହାର ଅଦମ୍ୟ ଇଚ୍ଛା ହେଲା ।

ଯଥା ସମୟରେ ବାଲେଶ୍ଵରରେ ପହଞ୍ଚି ଧୀରାଜ ଓକିଲଙ୍କ ସହିତ ସାକ୍ଷାତ କଲା । ଧୀରାଜର ସୁଦୃଢ଼ ଦେହ ଓ ମଧୁର ବ୍ୟବହାରରେ ବୃଦ୍ଧ ଗଙ୍ଗାଧର ବାବୁ ମୁଗ୍ଧ ହେଲେ । ତା’ପରେ ତାକୁ ସୂର୍ଯ୍ୟନାରାୟଣଙ୍କର ଉଇଲ ଦେଇ ସମ୍ପତ୍ତି ବିଷୟରେ ଯଥୋଚିତ ଉପଦେଶ ଦେଲେ ।

—ଏବେ ମଧ୍ୟ ଯାହା ଅଛି ତାହା ଯେ କୌଣସି ଧନୀ ଲୋକର ମଧ୍ୟ ଈର୍ଷାର କାରଣ ଧୀରାଜବାବୁ । ଯଦି ଜଗିରଖି ଚଳ ତେବେ ଏଇ ମୂଳ ଦେହରୁ କାଣ୍ଡ ବାହାରି ପୁଣି ଦିନେ ବିଶାଳ ମହୀରୁହ ହୋଇ ଉଠିବ ।

ଧୀରାଜ ମୁରିକି ହସି ବୃଦ୍ଧ ଗଙ୍ଗାଧର ବାବୁଙ୍କୁ ପ୍ରଣାମ କରି ବାଜିତପୁର ଉଦ୍ଦେଶ୍ୟରେ ବିଦାୟ ନେଲା । ଗଙ୍ଗାଧର ବାବୁ ତାର କରି ଧୀରାଜର ଆଗମନ ସମ୍ବାଦ ବାଜିତପୁର ଉଆସରେ ଥିବା ବୃଦ୍ଧ ଦେୱାନଙ୍କୁ ଜଣାଇ ଦେଲେ ।

 

ବସ୍‍ରୁ ଓହ୍ଲାଇଲା ମାତ୍ରେ ବୃଦ୍ଧ ଦେୱାନ ଗଦାଧର ଜେନା ପ୍ରଣାମ କରି ନିଜର ପରିଚୟ ଦେଲେ । ସେଠାରୁ ଆହୁରି ଦଶମାଇଲି ଦୂରରେ ସମୁଦ୍ର ବାଲିରେ ଗଲେ ବାଜିତପୁର ହେବ । ସବାରୀ ଓ ବେହେରାମାନେ ପ୍ରସ୍ତୁତ ଥିଲେ । ମଧ୍ୟାହ୍ନର କିଛି ସମୟ ପରେ ଧୀରାଜ ବାଜିତପୁର ଉଆସରେ ପହଞ୍ଚିଲା ।

 

ଦେୱାନଙ୍କ ନିର୍ଦ୍ଦେଶରେ ଉପର ମହଲାର ଦୁଇଖଣ୍ଡି ବଡ଼ ଘର ସଫାସୁତୁରା କରିରଖା ହୋଇଥିଲା । ଏତେବଡ଼ ବିରାଟ ଘରଟାର ମୌନ ସ୍ତବ୍‍ଧତା ଦେଖି ଧୀରାଜ ଯେପରି ସମ୍ମୋହିତ ହୋଇଗଲା । ଚାରିଆଡ଼େ ବୁଲି ବୁଲି ଦେଖିବାକୁ ଲାଗିଲା । ଅଦୂରରେ ସମୁଦ୍ର । ଘରର ଚାରିପଟେ ଅତି ବିଶାଳ ଓ ପ୍ରାଚୀନ ଆମ୍ବପଣସର ଜଙ୍ଗଲ । ଉପର ମହଲାର କର୍ଣ୍ଣିସ୍ ଉପରେ ବହୁ ସ୍ଥାନରେ ପାରା ଓ ଚେମେଣି ବସା ବାନ୍ଧିଛନ୍ତି । ବିଶାଳ ଘରଟାଏ ଏପରି କରୁଣ ଅବସ୍ଥା ଦେଖି ଧୀରାଜର ମାୟା ହେଲା । ସେ ମନେ ମନେ ଠିକ୍ କଲା ଯେ ଦେୱାନଙ୍କୁ କହି ଲୋକ ଲଗାଇ ଘରଟାକୁ ପରିଷ୍କାର ପରିଚ୍ଛନ୍ନ କରାଇ ନେବ । ବୃଦ୍ଧ ଦେୱାନ ବାହାର ମହଲାରେ ପିଲା କୁଟୁମ୍ୱ ନେଇ ବାସ କରନ୍ତି । ତଳ ମହଲାର କେତେକ ଘରେ ଏ ପର୍ଯ୍ୟନ୍ତ କେତେକ ସ୍ତ୍ରୀ ଓ ପୁରୁଷ ବାସ କରୁଛନ୍ତି । ସେମାନେ ଏହି ବିରାଟ ବଂଶ ତରୁର ଛିନ୍ନ ଓ ଶୁଷ୍କ ଶାଖାର ଅବଶିଷ୍ଟାଂଶ । ତା ଛଡ଼ା ଅଛନ୍ତି ଦୁଇ ତିନିଟା ଚାକର । ତଥାପି ଘରଟା ସମ୍ପୂର୍ଣ୍ଣ ନିର୍ଜନ ବୋଲି ମନେ ହୁଏ ।

 

ଉପର ମହଲାର ଲମ୍ବା ବାରନ୍ଦା ଉପରେ ବୁଲି ବୁଲି ଘରଗୁଡ଼ିକ ଦେଖିଲା । ପ୍ରତିଘର ଖାଲି । କେବଳ ଧୀରାଜ୍ ପାଇଁ ଯେଉଁ ଦୁଇଟି ବଡ଼ ଘରରଖା ଯାଇଥିଲା, ସେହି ଦୁଇଟିରେ କେତେଗୁଡ଼ିଏ ମୂଲ୍ୟବାନ ଓ ପ୍ରାଚୀନ ଆସବାସ ସଜା ହୋଇରଖା ହୋଇଛି ।

 

ପ୍ରଥମ ଦିନ ଦେୱାନାଙ୍କ ଘରେ ଧୀରାଜର ମଧ୍ୟାହ୍ନ ଭୋଜନର ନିମନ୍ତ୍ରଣ ଥିଲା । ଚବ୍ୟ–ଚୋଷ୍ୟ–ଲେହ୍ୟ ବହୁ ସାମଗ୍ରୀ ଦେୱାନ ଏହି ନୂତନ ମାଲିକଙ୍କ ପାଇଁ ବନ୍ଦୋବସ୍ତ କରିଥିଲେ । ପଥ ଶ୍ରମରେ ଧୀରାଜ କ୍ଳାନ୍ତ ହୋଇଥିଲା । ଖାଇସାରି ନିଜର ଶୟନ କକ୍ଷକୁ ଆସି ପ୍ରସ୍ତର ଖଟର ସୁକୋମଳ ଶଯ୍ୟାରେ ବିଶ୍ରାମ ନେଲା । ଅଳ୍ପକ୍ଷଣ ପରେ ଗଭୀର ନିଦ୍ରାରେ ନିମଗ୍ନ ହେଲା ।

 

–ଦୁଇ–

 

ଦୀର୍ଘ ଦିବାନିଦ୍ରା ପରେ ଧୀରାଜ ଶଯ୍ୟାରୁ ଉଠି ଦୋମହଲାର ବାରନ୍ଦା ଉପରେ ଆସି ଠିଆ ହେଲା । ସାମନାରେ ବଙ୍ଗୋପସାଗରର ବେଳାଭୂମି । ଅସ୍ତରବିର ସୁନା ଆଲୁଅରେ ଚାରିଆଡ଼େ ଉଦ୍ଭାସିତ । ଧୀରାଜ ମୁଗ୍ଧ ନୟନରେ ଚାହିଁରହିଲା । ତା’ପରେ ହଠାତ୍ ତଳକୁ ଓହ୍ଲାଇ ସମୁଦ୍ରକୂଳ ଆଡ଼େ ଚାଲିଲା ।

 

ନିର୍ଜନ ବେଳାଭୂମିରେ ବହୁକ୍ଷଣ ଧୀରାଜ ମନ୍ତ୍ରମୁଗ୍ଧପରି ଛିଡ଼ା ହୋଇରହିଲା । ହଠାତ୍ ନିକଟରେ କାହାର ଉପସ୍ଥିତ ଅନୁଭବ କରି ସେ ଚାହିଁ ଦେଖିଲା—ଗୋଟିଏ ଶୀର୍ଣ୍ଣ ଦେହୀ ବୃଦ୍ଧ ମୁସଲମାନ ଫକୀର ତା’ର ଅତି ନିକଟରେ ଛିଡ଼ା ହୋଇ ତାକୁ ଏକ ଧ୍ୟାନରେ ଚାହିଁ ରହିଛି । ବୃଦ୍ଧର ମୁହଁରେ ସାମାନ୍ୟ ହସ । ପାଉଁଶିଆ ଓ ନିଷ୍ପୃଭ ଆଖିରେ ଧୀରାଜର ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ବାରମ୍ବାର ଦେଖି ହଠାତ୍ ତାର ହାତର କବ୍‍ଜିକୁ ଧରି କ’ଣ ପରୀକ୍ଷା କଲା । ତା’ପରେ ତା’ର ବାହୁ ଓ ଛାତିର ପେଶୀଗୁଡ଼ିକ ଚିପି ଦେଖିଲା । ତା’ପରେ ଖୁସି ହୋଇ କହିଲା—ସଲାମ ହଜୁର । ମୋର ନାମ ମୋବାରକ । ମୁଁ ଏଇ ଉଆସର ଗୋଲାମ । ପନ୍‍ଝା ମିଲାଇଏ ହଜୁର ।

 

ଏହା କହି ଆଲଖାଲା ଭିତରୁ ତା’ର ଅସ୍ଥିସାର ଦୀର୍ଘ ହାତଟି ବଢ଼ାଇ ଦେଲା ।

 

ଏଇ ଶୀର୍ଣ୍ଣ ଦେହୀ ଅସ୍ଥିସାର ବୃଦ୍ଧର ଧୀରାଜର ଶକ୍ତି ପରୀକ୍ଷା କରିବାର ଇଚ୍ଛା ଦେଖି ଧୀରାଜ ମନେ ମନେ ହସିଲା । ତା’ପରେ ନିଜର ଦୃଢ଼ ହସ୍ତରେ ବୁଢ଼ା ସହିତ ପନ୍‍ଝା କଷିଲା କିନ୍ତୁ ଅବିଳମ୍ବେ ଧୀରାଜ ବୁଝି ପାରିଲା ଯେ ବୁଢ଼ାର ହାତଗୁଡ଼ିକ ଇସ୍ପାତ ଠାରୁ ମଧ୍ୟ ଶକ୍ତି । ଫକୀରର ଶକ୍ତି ଦେଖି ଧୀରାଜ ସତର୍କ ହେଲା । ବହୁକ୍ଷଣ ପର୍ଯ୍ୟନ୍ତ କେହି କାହାରି ହାତ ନୁଆଁଇ ପାରିଲେ ନାହିଁ । ବୁଢ଼ାର ପାଉଁଶିଆ ଆଖିରୁ ଯେପରି ନିଆଁ ବାହାରିବାକୁ ଲାଗିଲା । ଧୀରାଜ ମୁହଁରେ ବିନ୍ଦୁ ବିନ୍ଦୁ ସ୍ୱେଦ ବାରି ଜମି ଉଠିଲା । ତା’ପରେ ଧୀରେ ଧୀରେ ବୁଢ଼ାର ହାତ ନଇଁ ପଡ଼ିଲା । ଧୀରାଜ ଜିତିଲା । ଖୁସି ହୋଇ ଫକୀର କହିଲା—ସାବାସ୍‍ ହଜୁର । ହଜୁର ଶେର୍‍ ହ୍ୟାୟ ।

 

ଧୀରାଜ ବୁଢ଼ାଆଡ଼େ ଚାହିଁ ପଚାରିଲା ତମେ କିଏ ? ତମର କ’ଣ ଘର ଏଇ ଗାଁରେ ?

 

ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ବୁଢ଼ା କହିଲା—ମୋର ଘର ଏଇ ଚୌଧୁରୀ ଉଆସରେ ଥିଲା । ବଡ଼ ମାଲିକଙ୍କର ମୁଁ ଥିଲି ଖାସ୍ ଖାନ୍‍ସାମା । ବଡ଼ ମାଲିକ ସ୍ଵର୍ଗକୁ ଗଲେ, ଆଉ ମୁଁ ଏ ଘର ଛାଡ଼ି ଚାଲିଗଲି । ମୁଁ ବର୍ତ୍ତମାନ ଫକୀର ହଜୁର । ସାରା ଦୁନିଆ ମୋର ଘର । ଏଇ ଝୋଲା ଧରି ସାରା ଦୁନିଆ ମୁଁ ବୁଲୁଛି । ମୁସଲମାନର ପରମ ତୀର୍ଥ ମକ୍‍କା ଯାଇ ହଜ୍ କରି ଆସିଲି । କିନ୍ତୁ କେଜାଣି କାହିଁକି, ମୋର ଅଜଣାରେ ଥରକୁ ଥର ବୁଲି ବୁଲି ଆସି ମୁଁ ଏଇଠାରେ ପହଞ୍ଚି ଯାଏ । ଏଇ ପଥର ଘରେ କ’ଣ ଯାଦୁ ଅଛି ଖୋଦା ଜାଣନ୍ତି ।

 

ଏହାକହି ବୃଦ୍ଧ ପୁଣି ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲା ।

 

ଧୀରାଜ ପଚାରିଲା—ସୂର୍ଯ୍ୟନାରାୟଣ ବାବୁ ତୁମକୁ ନିଶ୍ଚୟ ଖୁବ୍ ଭଲ ପାଉଥିଲେ ।

 

—ମୋ ଛଡ଼ା ବଡ଼ ହଜୁରଙ୍କର କିଏ ବା ନିଜର ଥିଲା ? ରାଣୀ ମା ଚାଲିଗଲେ । ସାରା ଦେଶ ଲୁହ ଗଡ଼ାଇଲା । ହେଲେ ମାଲିକ ମୋର ପାହାଡ଼ ପରି ସ୍ଥିର ହୋଇରହିଲେ । ମୋ ଆଖିରେ ପାଣି ଦେଖି ମାଲିକ ଚିଡ଼ିଲେ । କହିଲେ—ମୋବାରକ, ତୁ ମରଦ । ପାହାଡ଼ ଆଉ ମରଦ—ଝଡ଼ ତୋଫାନରେ ଭାଙ୍ଗି ପଡ଼େ ନାହିଁ । ସେ ଦିନ ତାଜୁବ୍ ହୋଇ ତାଙ୍କୁ ଚାହିଁ ରହିଥିଲି । ତା’ପରେ ଆଉ ଦିନେ....

 

ଏଥର ବୁଢ଼ାର ପାଉଁଶିଆ ଆଖି ଲୁହ ଛଳଛଳ ହୋଇ ଉଠିଲା । ଧୀରେ ଧୀରେ କହିଲା–ଏଇ ଛାତିରେ ପକାଇ ହଜୁର ମୁଁ ସେ ଉଝଟ ପିଲାକୁ ମଣିଷ କରିଥିଲି । ମୋର ଏ ବୁଢ଼ା ଛାତିରେ ଆଜିଯାଏ ନିଶ୍ଵାସ ଚାଲିଛି । ହେଲେ ସେ ପିଲା ଚାଲିଗଲା ।

 

ବଣୁଆଁ ଘୋଡ଼ା ପରି ସାନ ମାଲିକ ଥିଲେ ତେଜୀୟାନ୍ ଆଉ ଚଞ୍ଚଳ । ବଞ୍ଚିଥିଲେ ଆଜି ଠିକ୍ ତମରି ପରି ଜବରଦସ୍ତ ମରଦ ହୋଇଥାନ୍ତା । ତାକୁ ଫାଶୀ ଦେଇ ମାରି ପକାଇଲେ । ତେବେବି ବଡ଼ ମାଲିକ ସ୍ଥିର ହୋଇ ରହିଲେ । ସେ କ’ଣ କେବେ ହେଲେ ନିଜକୁ ନିଜେ ଗୁଳିକରି ମରି ପାରନ୍ତି ? ଏ ସବୁ ପୁରା ମିଛ କଥା । ମୁଁ କେବେ ଏ କଥା ବିଶ୍ୱାସ କରିବି ନାହିଁ ।

 

ବୃଦ୍ଧର କଥା ଶୁଣି ଧୀରାଜ ପଚାରିଲେ—ତୁମେ କ’ଣ ବିଶ୍ୱାସ କର ଯେ ସୂର୍ଯ୍ୟନାରାୟଣ ବାବୁ ଆତ୍ମହତ୍ୟା କରି ନାହାନ୍ତି ।

 

—କଭି ନେହି ହଜୁର, ସେ ଆତ୍ମହତ୍ୟା କାହିଁକି କରିବେ ? ଦୃଢ଼ଭାବରେ ଫକୀର ଉତ୍ତର ଦେଲା ।

 

—କିନ୍ତୁ ଆତ୍ମହତ୍ୟା କରିଥିବାର ଯେ ସବୁ ପ୍ରମାଣ ରହିଛି । ତାଙ୍କର ଏକମାତ୍ର ପୁଅର ଫାଶୀ ହେଲା । ଧନସମ୍ପତ୍ତି, ଜମିଦାରୀ ସବୁ ଗଲା । ଏହିପରି ଅବସ୍ଥାରେ ତ ଲୋକ ଆତ୍ମହତ୍ୟା କରନ୍ତି ।

 

ଫକୀର ସାମାନ୍ୟ ହସିଲା । ତା’ପରେ କହିଲା–ହଜୁର ମୁଁ ମୂର୍ଖ ଲୋକ । ମୁଁ ତମ ସଙ୍ଗେ ତର୍କ କରି ପାରିବି ନାହିଁ । ଧନସମ୍ପତ୍ତି ଅନେକ ଗଲା ସତ । ହେଲେ ଆହୁରି ବି ବହୁତ ସମ୍ପତ୍ତି ଥିଲା-। ଦିନେ ସଞ୍ଜବେଳେ ମୋତେ କହିଲେ—ମୋବାରକ, ଧାନକିଆରୀରୁ ବାୟାଚଢ଼େଇ ଖାଇଗଲେ ଧାନ ଶେଷ ହୋଇ ଯାଏନାହିଁ । ସମସ୍ତେ ଭାବୁଛନ୍ତି ସୂର୍ଯ୍ୟନାରାୟଣ ଚୌଧୁରୀ ନିଃସମ୍ବଳ ହେବାକୁ ବସିଛି । କିନ୍ତୁ ଚୌଧୁରୀ ବଂଶର ଉଭା ଯେତେ, ପୋତା ତା’ଠାରୁ ବେଶୀ, ଏକଥା କେହି ଜାଣନ୍ତି ନାହିଁ । ମୋତେ ହଜୁର ସବୁ ଫିଟାଇ କହୁଥିଲେ । ଆଉ ତାଙ୍କର ଯଦି ଆତ୍ମହତ୍ୟା କରିବାର ଇଚ୍ଛାଥାନ୍ତା ସେ କ’ଣ ମୋତେ ସେ କଥା କହି ଥାନ୍ତେ ?

 

ମନସ୍ତତ୍ତ୍ଵରେ ଧୀରାଜ ଏମ୍.ଏ.ପାଶ କରିଛି । ବୁଢ଼ା ଫକୀରର ଏପରି ବିଚିତ୍ର ମନସ୍ତାତ୍ତ୍ୱିକ ବିଶ୍ଲେଷଣ ଶୁଣି ଧୀରାଜ ସାମାନ୍ୟ ହସିଲା । ତା’ପରେ କହିଲା ତୁମେ ଠିକ୍ କହୁଛ ହାଜୀ ସାହେବ । ତାଙ୍କର ଯଦି ଆତ୍ମହତ୍ୟାର ଅଭିପ୍ରାୟ ଥାଆନ୍ତା, ତେବେ ସେ ନିଶ୍ଚୟ ତୁମକୁ ପଚାରି ତୁମର ମତାମତ ଲୋଡ଼ିଥାନ୍ତେ । ତେବେ ତୁମେ କ’ଣ ମନେ କର ଯେ ତାଙ୍କୁ କେହି ହତ୍ୟା କରିଛି ?

 

—ଜରୁର । ମୋର ସେଇ ବିଶ୍ୱାସ ହଜୁର । ତେବେ କିଏ ହତ୍ୟା କଲା, କାହିଁକି ହତ୍ୟା କଲା । ସେ ସବୁ କିଛି ମୁଁ ଜାଣେ ନାହିଁ । —କିନ୍ତୁ ତୁମେ ତ ତାଙ୍କର ଅତି ପାଖେ ପାଖେ ରହୁଥିଲ । କିଛି ଜାଣି ପାରିଲି ନାହିଁ କିପରି ?

 

ଗୋଟିଏ ବଡ଼ ଦୀର୍ଘ ନିଶ୍ଵାସ ପକାଇ ବୃଦ୍ଧ କହିଲା, ସେ ମୋ ତକ୍‍ଦୀର ହଜୁର । ମୁଁ ଯଦି ସେଦିନ ଉଆସରେ ଥାଆନ୍ତି, ତେବେ ଏପରି ଏ ଦୁନିଆରେ ବାପର ପୁଅ କିଏ ଅଛି ଯେ ମୋ ମାଲିକକୁ ମାରି ଦେଇ ଥାଆନ୍ତା ? ଠିକ ସେଇଦିନ ରାତିରେ ମୁଁ ପାଖ ଗାଆଁକୁ ଜଣେ ବଡ଼ ଫକୀରଙ୍କର ଦର୍ଶନ କରିବା ପାଇଁ ଚାଲି ଯାଇଥିଲି । ସକାଳୁ ଫେରି ଶୁଣିଲି ଯେ ସବୁ ଶେଷ ।

 

ଫକୀର ସଙ୍ଗେ କଥାବାର୍ତ୍ତା ହେଉହେଉ ସଞ୍ଜ ଗଡ଼ି ଯାଇଥିଲା । ଆକାଶରେ ଉଜ୍ଜ୍ୱଳ ଜହ୍ନ ଉଠିଲାଣି । ବଙ୍ଗୋପସାଗରର ନିର୍ଜନ ବେଳାଭୂମି ନୀଲାଭ ଜହ୍ନ ଆଲୁଅରେ ମାୟାମୟ ମନେ ହେଉଛି । ଧୀରାଜ ଘରକୁ ଫେରିଲା । ସୂର୍ଯ୍ୟନାରାୟଣ ଚୌଧୁରୀ ଆତ୍ମହତ୍ୟା କରିଥାନ୍ତୁ ବା ତାଙ୍କୁ କେହି ହତ୍ୟା କରିଥାଉ, ସେ ଆଜିକି ଦଶବର୍ଷର ପୁରୁଣା ଘଟଣା । କିନ୍ତୁ ତଥାପି କଥାଟାକୁ ଧୀରାଜ ସମ୍ପୂର୍ଣ୍ଣ ଉଡ଼ାଇ ଦେଇ ପାରିଲା ନାହିଁ । ବୃଦ୍ଧ ମୋବାରକର କଥାରେ କୌଣସି ସଙ୍ଗତ ଯୁକ୍ତି ନ ଥିଲା ମଧ୍ୟ ଗୋଟିଏ ଅତି ଦୃଢ଼ ଆତ୍ମପ୍ରତ୍ୟୟ ଥିଲା । କେତେ କଥା ଭାବୁ ଭାବୁ ଧୀରଜ ଘରକୁ ଫେରିଲା-

 

ସେତେବେଳକୁ ବତୀ ଜଳି ସାରିଥିଲା । ଚୌଧୁରୀ ଉଆସର ଉପରେ ମହଲାରେ ଦୀର୍ଘ ଦଶବର୍ଷ ପରେ ଆଜି ବୋଧହୁଏ ପ୍ରଥମ ହୋଇ ବତୀ ଜଳିଲା । ଅନ୍ୟମନସ୍କ ଭାବରେ ନିଜର ଶୋଇଲା ଘରକୁ ପଶିଆସି ହଠାତ୍ ଥମ ହୋଇ ଛିଡ଼ା ହେଲା । ଘର ଭିତରେ ଗୋଟିଏ ବହୁମୁଖୀ ଝାଡ଼ ଲଣ୍ଠନ ଟଙ୍ଗା ହୋଇଛି । ତା’ଛଡ଼ା ଗୋଟିଏ କଣକୁ ଗୋଟିଏ ଉଜ୍ଜ୍ୱଳ ପେଟ୍ରୋମାକ୍‍ସ ଲଣ୍ଠନ ଜଳା ହୋଇଛି । ସେଇ ଉଜ୍ଜ୍ୱଳ ଆଲୁଅରେ ଧୀରାଜ ଦେଖିଲା, ଗୋଟିଏ ଅତି ସୁନ୍ଦରୀ ତରୁଣୀ ଖଣ୍ଡିଏ ଚୌକି ଉପରେ ବସିଛି ।

 

ଉଭୟେ ଉଭୟଙ୍କୁ ଚାହିଁ ଦେଖିଲେ । ତରୁଣୀର ରୂପ ଓ ସ୍ଵାସ୍ଥ୍ୟ ଦେଖି ଧୀରଜ ମୁଗ୍ଧ ହେଲା । କେଉଁ ଅଦୃଶ୍ୟ ମହାଶକ୍ତିର କ’ଣ ଉଦ୍ଦେଶ୍ୟ ଥିଲା କେଜାଣି, ଧୀରଜକୁ ଘର ଭିତରେ ହଠାତ୍ ଦେଖି ତରୁଣୀଟିର ସୁନ୍ଦର ମୁହଁରେ ସରମ ବୋଳା ହସ ଖେଳିଗଲା, ଯାହା ନାରୀ ଜୀବନରେ ଥରେ ମାତ୍ର ଦେଖା ଯାଏ, ଯୌବନର ପ୍ରଥମ ସୂର୍ଯ୍ୟ ସାନରେ, ପ୍ରଥମ ଶୁଭ ଦୃଷ୍ଟିର ପରମ ମୁହୂର୍ତ୍ତରେ ।

 

ତରୁଣୀ ଚୌକି ଉପରୁ ଉଠି ଧୀରଜକୁ ନମସ୍କାର କରି କହିଲା, ମୋ ନା’ ଲଳିତା । ଖୁଡ଼ୀ କହିଲେ ଯେ ମୁଁ ଦୂରସମ୍ପର୍କରେ ଆପଣଙ୍କ ଭଉଣୀ ହେବି । ଆପଣଙ୍କ ପାଇଁ ଜଳଖିଆ ଧରି ମୁଁ କେତେବେଳୁ ବସିଛି ।

 

ଧୀରଜ କହିଲା—ଆପଣ ଏଠାରେ ରହନ୍ତି କେଉଁଠି ?

 

ମୋତେ “ଆପଣ” ବୋଲି କହିବେ ନାହିଁ । ମୁଁ ଏଇ ତଳ ମହଲାରେ ଖୁଡ଼ୀଙ୍କ ସଙ୍ଗେ ରହେ । ଆପଣଙ୍କର ଖାଇବାର ବ୍ୟବସ୍ଥା ଆମରି ସଙ୍ଗେ ହୋଇଛି । ଯାହା ଖାଇବାକୁ ଇଚ୍ଛା ହେବ ମୋତେ ଆଉ ଖୁଡ଼ୀଙ୍କୁ ସବୁ କହିବେ । ଲାଜ କରିବେ ନାହିଁ । ଅତି ସୁପ୍ରତିଭ ଭାବରେ ଲଳିତା କହିଲା ।

 

ଲଳିତାକୁ ନିକଟରେ ବସାଇ ଅତି ତୃପ୍ତିର ସହିତ ଧୀରାଜ ଚା’ ଓ ଜଳଖିଆ ଖାଇଲା । ଲଳିତା ପୁଣି ମଧୁର ହସ ହସି ବିଦାୟ ନେଲା । ଧିରାଜ ଏକା ଘର ଭିତରେ ଗୋଟାଏ ପ୍ରକାଣ୍ଡ ଆରାମ ଚଉକି ଉପରେ ବସି ଗଭୀର ଧ୍ୟାନରେ ମଗ୍ନ ହେଲା ।

 

ଚାରିଆଡ଼େ ନିର୍ଜ୍ଜନ, ନୀରବ । କେବଳ ସମୁଦ୍ରର ନିରବଚ୍ଛିନ୍ନ ସ୍ୱର ପବନରେ ଭାସି ଆସୁଛି । ଧୀରାଜର ଠିକ୍ ଆଖି ସାମନାରେ କାନ୍ଥ ଉପରେ ଏହି ବଂଶର ପୂର୍ବତନ ମହାରଥୀମାନଙ୍କର ବିଶାଳ ତୈଳଚିତ୍ରମାନ ଝୁଲୁଛି । ନିପୁଣ କଳାକାରର ତୁଳିକା ସ୍ପର୍ଶରେ ଚିତ୍ରଗୁଡ଼ିକ ଯେପରି ଜୀବନ୍ତ । ଧୀରାଜ ନିକଟକୁ ଯାଇ ଚିତ୍ରଗୁଡ଼ିକୁ ନିରୀକ୍ଷଣ କରିବାକୁ ଲାଗିଲା । ସେ ମନସ୍ତତ୍ତ୍ୱ ବିଶେଷଜ୍ଞ । ଚିତ୍ରପଟରୁ ସେ ମଣିଷଗୁଡ଼ିକର ଚରିତ୍ର ବିଶ୍ଳେଷଣ କରିବାର ଚେଷ୍ଟାକଲା ।

 

ପ୍ରଥମେ ସୂର୍ଯ୍ୟ ନାରାୟଣଙ୍କର ଚିତ୍ର । ଅପରାହ୍ନର ଦୀର୍ଘ ଛାଇ ସେ ରୂପରେ ପଡ଼ିଛି । ଆଖିର ଦୃଷ୍ଟି ଉଦାସ ଓ କ୍ଷମାଶୀଳ ।

 

ତା’ପରେ ଆଦିତ୍ୟ ନାରାୟଣଙ୍କ ଚିତ୍ର । ଶାଳତରୁ ପରି ଦୀର୍ଘ ଓ ବଳିଷ୍ଠ ଦେହ । ଆଖିରେ ଦୁନିଆ ପ୍ରତି ଗୋଟାଏ ବେପରୁୱାଭାବ । ଆଖିର ଚାହାଣୀରେ ଯେପରି ଜଗତର ସବୁ ଗୁପ୍ତ କଥା ପ୍ରତିଫଳିତ ହେଉଛି । ଗଭୀର ଓ ଅନ୍ତର୍ଭେଦୀ ଚାହାଣୀ ।

 

ତା’ପରେ ଭାସ୍କର ନାରାୟଣଙ୍କର ଦୀର୍ଘ ମୂର୍ତ୍ତି । ଅନାଚାର, କ୍ରୋଧ ଓ ହିଂସାର ଯେପରି ପ୍ରତିମୂର୍ତ୍ତି । ସୁରା ଓ ବ୍ୟଭିଚାରର ସ୍ପଷ୍ଟ ଛାପ ସେ ରୂପରେ ରହିଛି ।

 

କିଛି ଦୂରରେ ଆଉ ଗୋଟିଏ ତୈଳଚିତ୍ର । ଏ ବଂଶର ଶେଷ ପ୍ରଦୀପ ରବିନାରାୟଣ ଚୌଧୁରୀର । ଧୀରାଜ ବହୁକ୍ଷଣ ପର୍ଯ୍ୟନ୍ତ ଏହି ଚିତ୍ରପଟଟିକୁ ଚାହିଁରହିଲା । ବୃଦ୍ଧ ମୋବାରକ୍ ଠିକ୍ କହିଥିଲା । ବଣୁଆ ଘୋଡ଼ାପରି ତେଜସ୍ଵୀ ଓ ଅସ୍ଥିର । ସବୁ ସୁଖ ଓ ସମ୍ପଦ ଛାଡ଼ି ଦେଶର ମୁକ୍ତିପାଇଁ ଗୋଟାଏ ଭୟାବହ ଶପଥ ସେ ତେଜସ୍ଵୀ ରୂପରେ ଯେପରି ସ୍ପଷ୍ଟ ଅଙ୍କିତ । ଅତି ସୁନ୍ଦର ଓ ବଳବାନ ଯୁବକ ।

 

ଧୀରାଜ ଆସି ଚୌକିରେ ବସିଲା । କ୍ରମେ ରାତି ବଢ଼ିଲା । ଧୀରାଜ ରାତ୍ରୀ ଭୋଜନ ଶେଷ କରି ବିଛଣାରେ ଶୋଇଲା । କେତେ ବିଚିତ୍ର ଭାବନା ତା ମନ ଉପରେ ଚଳଚ୍ଚିତ୍ର ପରି ଖେଳି ଯିବାକୁ ଲାଗିଲା । ଏଇ ରହସ୍ୟମୟ ଚୌଧୁରୀ ଉଆସ । ପ୍ରାଚୀନ ଗଜଦନ୍ତର ମୂର୍ତ୍ତିପରି ବୃଦ୍ଧ ଦେୱାନ ଗଦାଧର ଜେନାଙ୍କର କଠିନ ଓ ଭାବଲେଶ ହୀନ ରୂପ । ବୃଦ୍ଧ ମୋବାରକ ଓ ତାର ବିଚିତ୍ର କଥା । ସର୍ବୋପରି ସୁନ୍ଦରୀ ଲଳିତାର ମୋହିନୀ ଶକ୍ତି । ଏହିପରି କେତେ ଦୃଶ୍ୟ ଧୀରାଜର ମାନସ ପଟରେ ଖେଳି ଯିବାକୁ ଲାଗିଲା । ତା’ପରେ ଧୀରେ ଧୀରେ ସେ ଗଭୀର ନିଦରେ ବୁଡ଼ିଗଲା ।

 

ସେତେବେଳେ କେତେରାତି କେଜାଣି କ’ଣ ଗୋଟିଏ ଅଦ୍ଭୁତ ଶବ୍ଦରେ ଧୀରାଜର ନିଦ ଭାଙ୍ଗିଗଲା । ଘର ଭିତରେ ସେହିପରି ଉଜ୍ଜ୍ୱଳ ଆଲୁଅ ଜଳୁଛି । ବାହାର ବାରନ୍ଦାରେ ଧୀରାଜ ଗୋଟାଏ ବଡ଼ ଜାତି କୁକୁରର କ୍ରୁଦ୍ଧ ଗର୍ଜ୍ଜନ ପରିଷ୍କାର ଶୁଣି ପାରିଲା । ତା’ପରେ ଗୋଟାଏ ଭୀଷଣ-। ଧସ୍ତା ଧସ୍ତିର ଶବ୍ଦ । ପୁଣି କୁକୁରର କ୍ରୁଦ୍ଧ ଗର୍ଜ୍ଜନ ।

 

ତକିଆ ତଳୁ ଗୁଳିଭରା ରିଭଲଭର ଓ ଟର୍ଚ୍ଚଲାଇଟ ନେଇ ଧୀରାଜ ଉଠି ଛିଡ଼ା ହେଲା । ସେହିପରି ଧସ୍ତାଧାସ୍ତିର ଶବ୍ଦ ଓ କୁକୁରର କ୍ରୁଦ୍ଧ ଗର୍ଜ୍ଜନ ବାହାର ବାରନ୍ଦାରେ ଚାଲିଛି । ଅସୀମ ସାହାସୀ ଧୀରାଜ ଉଦ୍ୟତ ରିଭଲଭର ହାତରେ ଦୁଆର ଖୋଲି ବାହାରକୁ ବାହାରି ଆସିଲା । କିନ୍ତୁ ଆଶ୍ଚର୍ଯ୍ୟ ବାହାରେ କିଛିନାହିଁ । କୌଣସି ଶବ୍ଦ ମଧ୍ୟ ନାହିଁ । ମଧ୍ୟ ରାତ୍ରିର ଦୀର୍ଘଶ୍ଵାସ ପରି ସମୁଦ୍ର ପବନ ସୁ ସୁ ହୋଇ ବୋହୁଛି । ନୀଳାଭ ଜହ୍ନ ଆଲୁଅରେ ଚାରିଆଡ଼ ସ୍ୱପ୍ନପୁରୀ ପରି ମନେ ହେଉଛି-

 

ଧୀରାଜ କିଛି ବୁଝି ପାରିଲା ନାହିଁ । ତା’ର ଶୁଣିବାରେ ମଧ୍ୟ କୌଣସି ଭୁଲ ହୋଇନାହିଁ-। ତେବେ ଇଏ କ’ଣ ?

 

ଘର ଭିତରକୁ ଆସି ପୁଣି ସେ ପ୍ରକାଣ୍ତ ଇଜି ଚେୟାରଟାରେ ବସିରହିଲା । ନାନା କଥା ଭାବୁ ଭାବୁ ହଠାତ୍ ତା’ର ସୂର୍ଯ୍ୟନାରାୟଣଙ୍କର ତୈଳ ଚିତ୍ର ଉପରେ ଦୃଷ୍ଟି ପଡ଼ିଲା ।

 

ସେ ଯାହା ଦେଖିଲା ତାହା ଯେପରି ଭୟାବହ ସେହିପରି ପରମାଶ୍ଚର୍ଯ୍ୟ । ଘର ଭିତରେ ଉଜ୍ଜ୍ଵଳ ଆଲୁଅ ଜଳୁଛି । ଏପରି ଲୋମହର୍ଷଣକାରୀ ଅପାର୍ଥିବ ଘଟଣାରେ ଧୀରାଜର ପେଶୀ ବହୁଳ ସୁଦୃଢ଼ ଦେହ ମଧ୍ୟ ଭୟରେ କଣ୍ଟକିତ ହୋଇ ଉଠିଲା ।

 

ସେ ପରିଷ୍କାର ଦେଖିଲା ଯେ ହଠାତ୍ ସୂର୍ଯ୍ୟନାରାୟଣଙ୍କର ନିର୍ଜୀବ ଚିତ୍ରପଟଟି ସଜୀବ ହୋଇ ଉଠୁଛି । ଆଖିର ଡୋଳା ଦୁଇଟି ଗତିଶୀଳ ହୋଇଛି । କ୍ରୋଧରେ ଦୁଇ ଆଖିରୁ ନିଆଁ ବାହାରୁଛି । ଧୀରାଜ ଯେପରି ସମ୍ମୋହିତ ହୋଇ ଏ ପରମାଶ୍ଚର୍ଯ୍ୟ ଘଟଣାକୁ ଚାହିଁରହିଲା । ତା’ପରେ ଧୀରେ ଧୀରେ ସୂର୍ଯ୍ୟନାରାୟଣଙ୍କର ରୂପ ବଦଳି ଗଲା । ଧୀରେ ଧୀରେ ସେହି ପ୍ରଚ୍ଛଦ ପଟରେ ଜାଗି ଉଠିଲା ଆଉ ଗୋଟିଏ ମୂର୍ତ୍ତି । ନିର୍ଭୁଲ ଓ ପରିଷ୍କାର । ପ୍ରାଚୀନ ଗଜଦନ୍ତ ନିର୍ମିତ ମୂର୍ତ୍ତିପରି ଶକ୍ତ ଓ ନିରସ । ଦେୱାନ ଗଦାଧର ଜେନାର ଅବିକଳ ପ୍ରତିମୂର୍ତ୍ତି । ସାପପରି ଦୁଇଟି ସ୍ଥିର ଓ ନିଷ୍ଫଲକ ଆଖିରେ ଧୀରାଜକୁ ଏକ ଧ୍ୟାନରେ ଚାହିଁରହିଛି ।

 

ଭୟରେ ଧୀରାଜ ଚିତ୍କାର କରିବାକୁ ଚେଷ୍ଟାକଲା । କିନ୍ତୁ କଣ୍ଠରୁ ଶବ୍ଦ ବାହାରିଲା ନାହିଁ ।

 

–ତିନି–

 

ତଳ ମହଲରୁ କେତେଗୁଡ଼ିଏ ଲୋକ ତରତର ହୋଇ ଉପରକୁ ଉଠିଆସିବା ପରି ମନେ ହେଲା । ଧୀରେ ଧୀରେ ଧୀରାଜର ବାହ୍ୟଜ୍ଞାନ ଫେରି ଆସିଲା । ଲଳିତା, ଝୁଡ଼ୀ, ଓ ଦୁଇଜଣ ଚାକର ଲଣ୍ଠନ ନେଇ ଘର ଭିତରେ ପ୍ରବେଶ କଲେ । ଧୀରାଜ ସେହିପରି ଚୌକିରେ ବସିଛି, ତା ହାତରେ ରିଭଲ୍‍ଭର୍ ।

 

ଉତ୍କଣ୍ଠ ହୋଇ ଲଳିତା ଧୀରାଜ ଦେହରେ ହାତଦେଇ ତାକୁ ହଲାଇ ଦେଲା ।–ଧୀରାଜ ଭାଇ କଣ ହେଲା ? ଆମେମାନେ ବନ୍ଧୁକ ଶବ୍ଦ ଶୁଣି ଚମକି ପଡ଼ିଲୁ ।

 

—ବନ୍ଧୁକ ଶବ୍ଦ !! ଧୀରାଜ ଆଶ୍ଚାର୍ଯ୍ୟ ହୋଇ ପଚାରିଲା ।

 

—ହଁ ଧୀରାଜ ଭାଇ, ଥରେ ନୁହେଁ–ତିନିଥର ।

 

ଧୀରାଜ ନିଜର ରିଭଲଭରଟି ପରୀକ୍ଷା କଲା । ପ୍ରକୃତରେ ତିନୋଟି କାର୍ତ୍ତୁଜ୍‍ର ଫାୟାର ହୋଇଯାଇଛି । ଅଥଚ ଧୀରାଜ ନିଜେ ଜାଣି ପାରି ନାହିଁ କିମ୍ବା ଶବ୍ଦ ମଧ୍ୟ ଶୁଣି ନାହିଁ । ମନେ ମନେ ସେ ଅତ୍ୟନ୍ତ ଲଜ୍ଜିତ ହେଲା । ସେ ଯାହା ଦେଖିଛି ତାହା ଯେ ଉତ୍କଟ ଗୋଟାଏ ଦୁଃସ୍ଵପ୍ନ ଏଥିରେ ତାର ସନ୍ଦେହ ରହିଲା ନାହିଁ । ସୂର୍ଯ୍ୟନାରାୟଣଙ୍କର ଚିତ୍ରପଟଟିକୁ ପୁଣି ଥରେ ଚାହିଁ ଦେଖିଲା । ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ନିର୍ଜୀବ ଚିତ୍ରପଟଟି ଆଗପରି ଝୁଲୁଛି ।

 

କିଛିକ୍ଷଣ ପରେ ପୂର୍ବ ଦିଗନ୍ତରେ ସିନ୍ଦୂରା ଫାଟିଲା । ନାନା ଜାତିର ପକ୍ଷୀ କଳରବ କରି ଉଠିଲେ । ଉତ୍ତପ୍ତ ମସ୍ତିଷ୍କକୁ ଶୀତଳ କରିବା ପାଇଁ ଧୀରାଜ ସମୁଦ୍ର କୂଳ ଆଡ଼େ ବୁଲି ବାହାରିଲା ।

 

ସେତେବେଳେ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ହୋଇନାହିଁ । ଅସ୍ପଷ୍ଟ ଉଷାଲୋକରେ ଧୀରାଜ ଦେଖିଲା––ଫକୀର ମୋବାରକ ଅଲି ପଶ୍ଚିମ ଦିଗକୁ ମୁହକରି ନମାଜ ପଢ଼ୁଛି । ଧୀରାଜ ଯାଇ ବାଲି ଉପରେ ବସି ବୃଦ୍ଧର ଉପାସନା ଦେଖିବାକୁ ଲାଗିଲା । ମଝିରେ ମଝିରେ ବିଡ଼୍‍ ବିଡ଼୍‍ କରି ପବିତ୍ର କୋରାନ୍‍ରୁ ମନ୍ତ୍ର ଆବୃତ୍ତି କରି ବୁଢ଼ା ଉପାସନା କରୁଛି । ସହସ୍ର ଯୋଜନ ଦୂରରେ ଆରବ ଦେଶର ଦୁର୍ଗମ ମରୁଭୂମି ପାର ହୋଇ ପବିତ୍ର “କାବା” ନିକଟରେ ବୁଢ଼ାର ଉପାସନା ପହଞ୍ଚୁଛି କି ନାହିଁ ସେ କଥା କେହି ଜାଣନ୍ତି ନାହିଁ । କିନ୍ତୁ ତାର ଦୃଢ଼ ଆତ୍ମବିଶ୍ଵାସ ଏହା ପରମ ସତ୍ୟ ବୋଲି ଗ୍ରହଣ କରି ନେଇଛି ।

 

ବୁଢ଼ାର ଉପାସନା ଶେଷ ହେଲା । ଧୀରାଜକୁ ନିକଟରେ ଦେଖି ଖୁସି ହୋଇ କହିଲା–ସଲାମ ହଜୁର, ତମ ପାଇଁ କିନ୍ତୁ ମୋର ନମାଜ ପଢ଼ା ଭଲ ହେଲା ନାହିଁ । ଏହା କହି ବୁଢ଼ା ସାମାନ୍ୟ ହସିଲା ।

 

ଧୀରାଜ ଲଜ୍ଜିତ ହୋଇ କହିଲା––ମୁଁ କଣ ତୁମର ଉପାସନାରେ କୌଣସି ବାଧା ସୃଷ୍ଟି କଲି ମୋବାରକ୍ ? ତା ଯଦି ହୋଇ ଥାଏ ତେବେ ମୁଁ ଦୁଃଖିତ ।

 

ମୋବାରକ କିଛିକ୍ଷଣ ନୀରବ ରହି ଧୀରେ ଧୀରେ କହିଲା । ––ନାଇଁ ବାବୁ ତୁମେ କୌଣସି ବାଧା ଦେଇ ନାହିଁ । ତୁମେ ବାଧା କାହିଁକି ଦେଲ ନାହଁ––ତାହାହିଁ ମୋର ଦୁଃଖ ।

 

ବୁଢ଼ାର ବିଚିତ୍ର ଉକ୍ତି ବୁଝି ନ ପାରି ଧୀରାଜ ଚାହିଁ ରହିଲା । ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ବୁଢ଼ା କହିଲା—ଜୀବନ ସାରା ମୁଁ ଉପାସନା କରି ପାରିନାହିଁ ହଜୁର । ନମାଜ ପଢ଼ିବାକୁ ବସିବା ମାତ୍ରେ “ଛୋଟା ମାଲିକ” ଦୌଡ଼ି ଆସି ମୋ ଉପରେ ଚଢ଼ି ବସିବେ । ସମୟ ସମୟେରେ ମୁଁ ବିରକ୍ତ ହୁଏ । ରବି ବାବୁ ହସି ହସି କହନ୍ତି––ତୋର ତ କେହି ନାହିଁ, ତୁ କାହିଁକି ଭଗବାନଙ୍କୁ ଡାକି ସମୟ ନଷ୍ଟ କରୁଛୁ ? ତୁ ଜିଅନ୍ତା ଭଗବାନଙ୍କର ସେବା ନ କରୁଛୁ କାହିଁକି ?

“ଜିୟନ୍ତା ଭଗବାନ !” ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରେ ? ରବି ବାବୁ ହସିହସି କହନ୍ତି—ହଁ ରେ, ଏଇ ଯେଉଁ ହଜାର ହଜାର ଦରିଦ୍ର ନରନାରାୟଣ ଦେଖୁଛୁ ସମସ୍ତେ ପରା ଜିଅନ୍ତା ଭଗବାନ । ଏପରି ପିଲାଳିଆ ତାଜ୍ଜବ କଥା ମୁଁ କିଛି ବୁଝି ପାରେ ନାହିଁ, କିନ୍ତୁ ମୋର ଉପାସନା ମଧ୍ୟ ହୁଏ ନାହିଁ-

ବୁଢ଼ା ନୀରବ ହେଲା । ଦୂର ଆକାଶକୁ ନିଷ୍ପ୍ରଭ ପାଉଁଶିଆ ଆଖିରେ କିଛିକ୍ଷଣ ଚାହିଁ ରହିଲା । ତାପରେ ଧୀରେ ଧୀରେ କହିଲା—ସେ ଟୋକା ଦୁନିଆରୁ ଗଲା । ମୁଁ ନମାଜ୍ ପଢ଼ିବାକୁ ଫୁରସତ୍ ପାଇଲି । ଏକାବେଳେକେ ପୂର୍ଣ୍ଣ ସୁବିଧା । ଏ ଦୁନିଆରେ ଆଉ କେହି ମୋର ଉପାସନାରେ ବାଧା ଦେବାକୁ ନାହିଁ । ଏତେ ବର୍ଷ ପରେ ଠିକ୍ ଏଇ ଯାଗାରେ ଆଜି ଉପାସନା କରୁ କରୁ ହଠାତ୍ ତୁମକୁ ଦେଖି ପାରିଲି । ଭାବିଲି ତୁମେ ବୋଧ ହୁଏ ମୋର ନମାଜରେ ବାଧା ଦେବ । କିନ୍ତୁ ତୁମେ କୌଣସି ବାଧା ଦେଲ ନାହିଁ ।

ମନସ୍ତାତ୍ତ୍ୱିକ ଧୀରାଜ ବୃଦ୍ଧର ଅବଚେତନ ମନର ଗଭୀର ବେଦନା ଭଲ ଭାବରେ ବୁଝି ପାରିଲା । କଥାର ଗତି ଫେରାଇବା ପାଇଁ ହଠାତ୍ ପ୍ରଶ୍ନ କଲା—ମୋବାରକ ତୁମେ ଭୂତ ବିଶ୍ୱାସ କର ?

—ଜରୁର ହଜୁର ! ଭୂତ ନ ଥିଲେ ମଣିଷ ମଲାପରେ ଆଉ କଅଣ ହେବେ ?

ଅତି ବିଚିତ୍ର ଯୁକ୍ତି, ଧୀରାଜ ମନେ ମନେ ହସିଲା । ବୁଢ଼ାର ଯୁକ୍ତି ଅନୁସାରେ ମଣିଷକୁ ମଲାପରେ ନିଶ୍ଚୟ ଗୋଟାଏ କିଛି ହବାର କଥା । ଭୂତ ନ ଥିଲେ ମଣିଷ ଆଉ ସେ ସୁବିଧା କିପରି ପାଇବ ।

ଧୀରାଜ ପୁଣି ପଚାରିଲା—ମୋବାରକ ତୁମେ ତ ଏ ଘରେ ବହୁ ବର୍ଷ ଥିଲ । କେବେ ହେଲେ ଏଠାରେ ଭୂତ ଦେଖିଛ ।

—ନାଇଁ ହଜୁର, ଏଠାରେ ମୁଁ କିଛି ଦେଖି ନାହିଁ । ତେବେ ମୁଁ ଥରେ ଭୂତ ଦେଖିଛି, ମୁଁ ହଜ୍ କରି ଯିବା ବେଳେ । ମରୁଭୂମି ଭିତରେ । ନାଁ’ ତା ଥିଲା ହାଫିଜ୍ ମହମଦ । ହଜ ବାଟରେ ବହୁ ଦୁଃଖ କଷ୍ଟରେ ଆମେ ଦୁହେଁ ମରୁଭୂମି ପାର ହେଉଥିଲୁ । ଗରମ ସହି ନପାରି ହାଫିଜ୍ ବାଟରେ ମଲା । ତତଲା ବାଲି ଉପରେ ମୁଁ ତାର “ଗୋର” ଦେଲି । ହେଲେ ସେ ମୋ ସାଙ୍ଗ ଛାଡ଼ିଲା ନାହିଁ । ରାତିରେ ମରୁଭୂମି ଭିତରେ ଚାଲୁ ଚାଲୁ ତାରା ଆଲୁଅରେ ପରିଷ୍କାର ମୁଁ ଦେଖି ପାରୁଥିଲି ହାଫିଜ୍ ମିଆଁ ତା ଝୋଲାଟି କାନ୍ଧରେ ଝୁଲାଇ ମୋ ପାଖେ ପାଖେ ଚାଲିଛି । ଦିନ ବେଳେ ଆଉ କିଛି ଦେଖାଯାଏ ନାହିଁ । ରାତି ହେଲେ ପୁଣି ସେହିପରି ।

ଧୀରାଜ ପିଲାଙ୍କପରି ପଚାରିଲା— ତୁମକୁ ଡର ମାଡ଼ିଲା ନାହିଁ ମୋବାରକ୍ ?

ସାମାନ୍ୟ ହସି ମୋବାରକ୍ କହିଲା— ନାଇଁ ହଜୁର, ମୋତେ ଡର ମାଡ଼ିଲା ନାହିଁ । ମୋବାରକ୍ ଆଲି ଈଶ୍ଵରଙ୍କ ଛଡ଼ା ଆଉ କାହାକୁ ଡରେ ନାହିଁ । ତା ଛଡ଼ା ସେମାନେ କେବେ ହେଲେ ଜିଅନ୍ତା ଲୋକର ଅନିଷ୍ଟ କରନ୍ତି ନାହିଁ ।

ଧୀରାଜ ବାହୁକ୍ଷଣ ପର୍ଯ୍ୟନ୍ତ ମୋବାରକ୍ ସହିତ ଗଳ୍ପ କଲା । କିନ୍ତୁ ସେ ନିଜେ ଦେଖିଥିବା ବିଚିତ୍ର ଘଟଣାର କୌଣସି ଉତ୍ଥାପନ କଲାନାହିଁ । ତା ପରେ ହଠାତ୍ କହିଲା—ମୋବାରକ୍ ପୁଣି ତୁମେ ତୁମର ପୁରୁଣା ସ୍ଥାନକୁ ଫେରି ଯିବାକୁ ଚାହଁ ? ଇଚ୍ଛା କଲେ ତୁମେ ମୋ ସହିତ ରହିପାର । ଧୀରାଜର କଥା ଶୁଣି ମୋବାରକ୍ ନୀରବରେ କିଛି କ୍ଷଣ ଚିନ୍ତା କଲା । ତାପରେ କହିଲା—ମୁଁ ପରେ ଏହାର ଜବାବ ଦେବି ହଜୁର । ହେଲେ, ମୁଁ ଏବେ ଖୁବ୍ ବୁଢ଼ା ହୋଇଗଲିଣି । ଆଉ ତ କୌଣସି କାମ କରିପାରିବି ନାହିଁ ।

—ସେଥିପାଇଁ ଚିନ୍ତାନାହିଁ ମୋବାରକ୍ । ତୁମର କୌଣସି କାମ କରିବାର ପ୍ରୟୋଜନ ନାହିଁ । ଯେତେବେଳେ ଇଚ୍ଛା ହେବ ତୁମେ ଯାଇ ମୋ ନିକଟରେ ପହଞ୍ଚିବ ।

ଧୀରାଜ ଘରକୁ ଫେରିଲା । ନିଜ କୋଠରୀ ନିକଟରେ ପହଞ୍ଚି ଦେଖିଲା ଯେ ଲଳିତା ଘରୁ ବାହାରି ଚାଲି ଯାଉଛି । ତାର ସୁନ୍ଦର ମୁହଁଟି ଅପମାନାହତ । ଧୀରାଜକୁ ସାମନାରେ ଦେଖି ଲଳିତା ସାମାନ୍ୟ ଟିକିଏ ହସିବାକୁ ଚେଷ୍ଟାକଲା । କିନ୍ତୁ ସେ ହସ ମେଘୁଆ ଆକାଶରେ କ୍ଷଣିକ ସୂର୍ଯ୍ୟୋଦୟପରି କ୍ଷଣସ୍ଥାୟୀ ଓ ନିଷ୍‍ପ୍ରଭା ଲଳିତା ସେଠାରେ ନରହି ସିଧା ଚାଲିଗଲା ।

ଧୀରାଜ କିଛି ବୁଝି ପାରିଲା ନାହିଁ । ଘର ଭିତରକୁ ଯାଇ ଦେଖିଲା ଯେ ଖଣ୍ଡିଏ ଚୌକି ଉପରେ ଦେୱାନଜୀ ଗଦାଧର ଜେନା ଗମ୍ଭୀର ହୋଇ ବସିଛନ୍ତି । ପ୍ରାଚୀନ ଗଜଦନ୍ତ ନିର୍ମିତ ମୂର୍ତ୍ତିପରି ଶକ୍ତ ଓ ନିରସ । ସାପପରି ଦୁଇଟି ନିଷ୍ପଲକ ଆଖି । ସୂର୍ଯ୍ୟନାରାୟଣଙ୍କର ଚିତ୍ର ପଟଟିର ଠିକ୍ ସାମନାରେ ଖଣ୍ଡିଏ ଚୌକି ଉପରେ ଦେୱାନଜୀ ବସିଛନ୍ତି । ଚିତ୍ରପଟଟି ଯଦି ଖଣ୍ଡିଏ ଦର୍ପଣ ହୋଇଥାନ୍ତା ତେବେ ଦେୱାନଜୀଙ୍କର ପୂର୍ଣ୍ଣ ପ୍ରତିବିମ୍ବ ତା ଉପରେ ପଡ଼ିଥାନ୍ତା । ଠିକ୍ ସେଇ ରୂପ, ଯାହା ପୂର୍ବରାତିରେ ଚିତ୍ରପଟଟି ଉପରେ ଦେଖି ଧୀରାଜ ସଜ୍ଞା ହରାଇ ଥିଲା ।

ବୃଦ୍ଧ ଦେୱାନଙ୍କୁ ଯଥାବିଧି ସମ୍ମାନ ଦେଖାଇ ଧୀରାଜ ବସିଲା । ଦେୱାନ କହିଲେ—ଆପଣଙ୍କର ଚାହା ଓ ଜଳଖିଆ ଟେବୁଲ୍ ଉପରେ ରଖା ହୋଇଛି । ଆଗ ଖାଇ ନିଅନ୍ତୁ, ତା’ପରେ ମୁଁ କଥାବାର୍ତ୍ତା କରିବି । ଧୀରାଜ ଦେଖିଲା, ଅତି ଯତ୍ନ ସହକାରେ ତାର ଜଳଖିଆ ରଖା ହୋଇଛି । ବୁଝିଲା, ଲଳିତା ନିଶ୍ଚୟ ତାହା ଏଠାରେ ରଖି ଅପେକ୍ଷା କରି ବସିଥିଲା । ବୁଢ଼ା ଦେୱାନଜୀ ଆସିବାରୁ ସେ ଘରଛାଡ଼ି ଚାଲି ଯାଇଛି । ହୁଏତ ବୁଢ଼ା ଲଳିତା ଉପରେ କୌଣସି କାରଣରୁ ବିରକ୍ତ ହୋଇଛି ।

 

ଧୀରାଜ ଜଳଖିଆ ନ ଖାଇ କହିଲା—ନା, ନା ଜଳଖିଆ ଖାଇବାକୁ ମୋର ବର୍ତ୍ତମାନ ଇଚ୍ଛା ନାହିଁ । ଆପଣ କଣ କହିବାକୁ ଆସିଛନ୍ତି ଆଗ କହନ୍ତୁ ।

 

ଦେୱାନଜୀ କହିଲେ—ଉତ୍ତମ କଥା । ମୋର ମଧ୍ୟ କିଛି ଦରକାରୀ କାମ ଅଛି । ମୁଁ ଅଳ୍ପକ୍ଷଣରେ କଥା ଶେଷକରି ଚାଲି ଯିବାକୁ ଚାହେଁ । ମୁଁ ପଚାରୁଥିଲି କି ଆପଣ କ’ଣ ବର୍ତ୍ତମାନ ଏଠାରେ କିଛିଦିନ ରହିବାର ଠିକ୍ କରିଛନ୍ତି ?

 

ଦେୱାନଙ୍କର ଏପରି ପ୍ରଶ୍ନ ଶୁଣି ଧୀରାଜ ମନେ ମନେ ବିରକ୍ତ ହେଲା । ଦେୱାନଜୀ ବୃଦ୍ଧଲୋକ ଓ ଗଣ୍ୟମାନ୍ୟ ହେଲେ ମଧ୍ୟ ସେ ଧୀରାଜର ଅଧସ୍ତନ କର୍ମଚାରୀ । ସେ ଭାବିଥିଲା ଦେୱାନ ତା’ର ଭଲମନ୍ଦ ସୁବିଧା ଅସୁବିଧା ବୁଝିବାକୁ ଆସିଛନ୍ତି । କିନ୍ତୁ ତା ପରିବର୍ତ୍ତେରେ ସେ ଜାଣିବାକୁ ଚାହାନ୍ତି ଯେ ଧୀରାଜ ଏଠାରେ ରହିବ ନା ଶୀଘ୍ର ଚାଲିଯିବ ।

 

ଯାଯାବର ଧୀରାଜକୁ ଆଜି ପର୍ଯ୍ୟନ୍ତ କୌଣସି ବନ୍ଧନ ଗୋଟାଏ ସ୍ଥାନରେ ବାନ୍ଧିରଖି ପାରିନାହିଁ । ସେ ସମ୍ପତ୍ତିର କାଙ୍ଗାଳ ନୁହେଁ । ତା’ର ପୈତୃକ ଧନ ପ୍ରଚୁର ଅଛି । ଏଇ ପ୍ରାଚୀନ ପାଷାଣ ପୁରୀ ବା ଏଇ ଦୁର୍ଗମ ମଫସଲରେ ସାମାନ୍ୟ ଭୂସମ୍ପତ୍ତିର ଲୋଭରେ ସେ ଏଠାକୁ ଆସିନାହିଁ । କିନ୍ତୁ ତଥାପି, ସାମାନ୍ୟ କର୍ମଚାରୀର ଇଚ୍ଛାରେ ସେ ଏଠାରୁ ଚାଲିଯିବ ଏପରି ମଧ୍ୟ ନୁହେଁ । ଅନ୍ତରର ବିରକ୍ତି ମୁହଁରେ ପ୍ରକାଶ ନକରି ଧୀରାଜ କହିଲା—

 

––ଏ ପ୍ରଶ୍ନ ଅବାନ୍ତର ଦେୱାନଜୀ । ମୁଁ ଯେତେବେଳେ ଏ ସମ୍ପତ୍ତିର ମାଲିକ, ଏଠାରେ ରହିବା ମୋ ପକ୍ଷରେ ସମ୍ପୂର୍ଣ୍ଣ ସ୍ୱାଭାବିକ । ନୁହେଁ କି ?

 

ଦେୱାନ କହିଲେ—ସେ କଥା ଠିକ୍ । ମୋର ଏ କଥା ପଚାରିବାର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ । ଆପଣ ଏଠାକୁ ଆସିବା ପୂର୍ବରୁ ଓକିଲ ଗଙ୍ଗାଧର ବାବୁଙ୍କ ସଙ୍ଗେ ଦେଖା କରିଥିଲେ । ଏ ସମ୍ପତ୍ତିର ବର୍ତ୍ତମାନ ଆୟ କେତେ ତାହା ନିଶ୍ଚୟ ବୁଝିଛନ୍ତି । ସେଥିପାଇଁ ମୁଁ କହୁଥିଲି ଯେ କେବଳ ଏଇ ସମ୍ପତ୍ତିର ଆୟ ଉପରେ ନିର୍ଭର କଲେ ହୁଏତ ନିଅଣ୍ଟ ହୋଇ ପାରେ ।

 

ଧୀରାଜ ଜମିଦାରୀ ସିରସ୍ତାର ଏଇ କରିତ୍‍କର୍ମା ପୁରୁଷମାନଙ୍କୁ ଭଲକରି ଜାଣେ । ମନୁଷ୍ୟତ୍ୱର ସମ୍ମାନ ସେମାନେ ଦେବାକୁ ଜାଣନ୍ତି ନାହିଁ । କେବଳ ଧନ ନିକଟରେ ସେମାନେ ନତ ମସ୍ତକ । ଇଚ୍ଛା ନଥିଲେ ମଧ୍ୟ ଧୀରାଜ କହିଲା—ଦେଖନ୍ତୁ, ଏ ସମ୍ପତ୍ତି ଦାନସୂତ୍ରରେ ମୋ ହାତକୁ ଆସିଛି । ଆଜି ହୁଏତ ଏହାର ଆୟ କମ୍ କିନ୍ତୁ ବିଖ୍ୟାତ ଚୌଧୁରୀ ବଂଶର ଗୋଟାଏ ବିରାଟ ଐତିହ୍ୟ ଏହା ପଛରେ ଅଛି । ସୂର୍ଯ୍ୟନାରାୟଣ ଚୌଧୁରୀଙ୍କର ଦାନର ଅମର୍ଯ୍ୟାଦା ମୁଁ କଦାପି କରିବି ନାହିଁ । ଆପଣ ସମ୍ବାଦ ରଖିଛନ୍ତି କି ନା ମୁଁ ଜାଣେ ନାହିଁ; ମୁଁ ନିଜେ ମଧ୍ୟ ଗରୀବ ନୁହେଁ । ମୋର ପୈତୃକ ଗଚ୍ଛିତ ଅର୍ଥ ପ୍ରଚୁର ଅଛି, ଯଦି ପ୍ରୟୋଜନ ହୁଏ, ତେବେ ଲକ୍ଷାଧିକ ଟଙ୍କା ବ୍ୟୟକରି ମଧ୍ୟ ମୁଁ ଏଇ କଙ୍କାଳକୁ ବଞ୍ଚାଇବି । ଅବଶ୍ୟ ବର୍ତ୍ତମାନର ଏଇ ସାମାନ୍ୟ ଆୟର ସମ୍ପତ୍ତିରେ ଆପଣଙ୍କପରି ଜଣେ ସୁଯୋଗ୍ୟ ଦେୱାନଙ୍କୁ ଆପଣଙ୍କର ଯୋଗ୍ୟ ପାଉଣା ଦେଇ ବୋଧହୁଏ ରଖି ହେବ ନାହିଁ । ଆପଣଙ୍କୁ ହରାଇଲେ ଆପଣଙ୍କର ଅତି ମୂଲ୍ୟବାନ ଉପଦେଶରୁ ଅବଶ୍ୟ ମୁଁ ବଞ୍ଚିତ ହେବି । କିନ୍ତୁ ଯାହା ବିଧିଲିପି ତା’ଉପରେ କାହାର ହାତ ନାହିଁ । ଧିରାଜର କଥାଶୁଣି ଦେୱାନଜୀ ମନେ ମନେ ସତ୍ରସ୍ତ ହେଲେ । କଥା ଅତି ଭଦ୍ର ଓ ମାର୍ଜ୍ଜିତ ଅଥଚ ଅତିଶୟ ଅର୍ଥପୂର୍ଣ୍ଣ । ଦେୱାନ ମନେ ମନେ ବୁଝିଲେ ଯେ ଏ ଯୁବକ ନାଗବଚା, ଜମିଦାରୀ ସିରସ୍ତାର ଚଲାଖି ଏଠାରେ ଚଳିବ ନାହିଁ ।

 

ଦେୱାନ ଅତିଶୟ ଧୂର୍ତ୍ତ ବ୍ୟକ୍ତି । ଅତି ନିପୁଣ ଭାବରେ ସେ କଥାର ଗତି ବଦଳାଇ ଦେଲେ । କହିଲେ—ଆପଣଙ୍କ ବିଷୟରେ ସବୁ ମୁଁ ଜାଣେ । ସୂର୍ଯ୍ୟନାରାୟଣ ଚୌଧୁରୀ କେବେ ହେଲେ ଅପାତ୍ରରେ ଏ ଗୁରୁଭାର ଅର୍ପଣ କରି ଯାଇ ନାହାନ୍ତି । ଏହା ଅତି ଆନନ୍ଦର କଥା ଯେ ଆପଣ ଏଠାରେ ରହି ସବୁଆଡ଼ ସମ୍ଭାଳିବେ । ଆପଣ କ’ଣ ଆଜିଠାରୁ ଯାଇ ସିରସ୍ତାରେ ବସିବାକୁ ଚାହାଁନ୍ତି ? ତେବେ ମୁଁ କର୍ମଚାରୀମାନଙ୍କୁ କାଗଜପତ୍ର ସବୁ ପ୍ରସ୍ତୁତ ରଖିବାକୁ କହିବି ।

 

ଧୀରାଜ କହିଲା–ଆପଣ ବ୍ୟସ୍ତ ହେବେ ନାହିଁ । ମୁଁ ଆଉ କିଛିଦିନ ପରେ ସବୁ ଧୀରେ ଧୀରେ ବୁଝିବି ।

 

ଦେୱାନ ଉଠିଲେ । ଧୀରାଜ ମଧ୍ୟ ଚଉକିରୁ ଉଠି ତାଙ୍କୁ ସମ୍ମାନ ଦେଖାଇଲା । ଧୀରାଜର କ’ଣ ମନେ ହେଲା କେଜାଣି ସେ ହଠାତ୍ ପଚାରି ବସିଲା—ଆଚ୍ଛା, ଦେୱାନଜୀ, ସୂର୍ଯ୍ୟନାରାୟଣ ବାବୁ ନିଜେ ଆତ୍ମହତ୍ୟା କରିଥିଲେ ନା ?

 

ଏତେବର୍ଷ ପରେ ଧୀରାଜକୁ ହଠାତ୍ ଏ ପ୍ରଶ୍ନ ପଚାରିବାର ଶୁଣି ଦେୱାନଜୀ କିପରି ବିଚଳିତ ହୋଇ ଉଠିଲେ । ତା’ ପରେ ଧୀରେ ଧୀରେ କହିଲେ—ପୁଲିସ୍‍ ତଦନ୍ତରୁ ତ ସେଇପରି ଜଣାଯାଏ । ପୁତ୍ର ଶୋକରେ ଓ ନିଜର ସମ୍ପତ୍ତି ହରାଇ ସେ ବଡ଼ ବିଚଳିତ ହୋଇ ଉଠିଥିଲେ ।

 

––କିନ୍ତୁ ଆପଣଙ୍କର କ’ଣ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହ ହୁଏ ? ଧୀରାଜ ପଚାରିଲା ।

 

ଦେୱାନଜୀ ଭ୍ରୂକୁଞ୍ଚିତ କରି ଧୀରାଜ ଆଡ଼େ କେବଳ ଚାହିଁ ରହିଲେ । କୌଣସି ଉତ୍ତର ଦେଲେ ନାହିଁ ।

 

–ଚାରି–

 

ନିର୍ଜ୍ଜନ ଘର ଭିତରେ ଧୀରାଜ ବସି ଖଣ୍ଡିଏ ବହି ପଢ଼ିବାକୁ ଲାଗିଲା । ଚାକର ଆସି ଜଳଖିଆ ଓ ଥଣ୍ଡା ଚାହା ଟେବୁଲ ଉପରୁ ଉଠାଇ ନେଇଗଲା । ଧୀରାଜ ସ୍ପର୍ଶ କରିନାହିଁ ।

 

ଧୀରେ ଧୀରେ ସମୟ ଆଗେଇ ଚାଲିଲା । ମଧ୍ୟାହ୍ନ ଭୋଜନର ବେଳ ହେଲା । କିଛିକ୍ଷଣ ପରେ ବାହାରେ ପଦଶବ୍ଦ ଶୁଭିଲା । ଲଘୁ ଓ କୋମଳ ପଦକ୍ଷେପ । ନିଶ୍ଚୟ ଲଳିତା ଧୀରାଜ ପାଇଁ ଭାତ ନେଇ ଆସୁଛି । ଆଶାନ୍ଵିତ ହୋଇ ଧୀରାଜ ଅନାଇରହିଲା ।

 

ଘରର ପର୍ଦ୍ଦା ଉଠାଇ ହାତରେ ଭାତଥାଳି ନେଇ ଘରେ ପ୍ରବେଶ କଲେ ଖୁଡ଼ୀ ନିଜେ । ଲଳିତା ଆସିନାହିଁ । ଧୀରାଜକୁ କ୍ଷୁଧା ହେଉଥିଲା । ହାତ ଧୋଇ ଖାଇବାକୁ ବସିଲା । ଖୁଡ଼ୀ ନିକଟରେ ବସିଲେ । ଖାଉ ଖାଉ ହଠାତ୍ ଧୀରାଜ ପଚାରିଲା—ଲଳିତା ଆସିଲା ନାହିଁ କାହିଁକି, ଖୁଡ଼ୀ ? ତା’ର ଦେହ ଭଲ ଅଛି ତ ?

 

ଖୁଡ଼ୀ କହିଲେ—ହଁ ବାପ ତା’ ଦେହ ଭଲ ଅଛି, ସେ ଏକା ଏଠାକୁ ଆସିବାଟା ଦେୱାନଜୀ ପସନ୍ଦ କରୁ ନାହାନ୍ତି ।

 

ଖାଉ ଖାଉ ଖୁଡ଼ୀଙ୍କ କଥା ଶୁଣି ଧୀରାଜ ପଚାରିଲା—ଦେୱାନ ଲଳିତାର ଏଠାକୁ ଆସିବାଟା ପସନ୍ଦ କରୁ ନାହାନ୍ତି କାହିଁକି ?

 

କୁଣ୍ଠିତ ହୋଇ ଖୁଡ଼ୀ କହିଲେ—ବାପ, ଲଳିତାଟା ବଡ଼ ହତଭାଗିନୀ । ମୋ ଛଡ଼ା ତା’ର ଏ ଦୁନିଆରେ ଆଉ କେହି ସାହା ଭରସା ନାହିଁ । ମୋର କ’ଣ ସମ୍ବଳ ଅଛି ଯେ ଲଳିତା ପାଇଁ ଗୋଟିଏ ସତ୍‍ପାତ୍ର ଖୋଜି ତାକୁ ବାହା ଦେବି ! ମୁଁ ବାଲ୍ୟବିଧବା । ଏଇ ଘରେ ମୋର ଦିହକ କଟିଲା । ତା’ପରେ ଯେତେବେଳେ ବଡ଼ ଚୌଧୁରୀ ମଲେ ଏ ଘରୁ ମୋର ବାସ ଉଠିଲା । ଦିୱାନଜୀ ସମସ୍ତଙ୍କ ପରି ମୋତେ ମଧ୍ୟ ତଡ଼ି ଦେଲେ । ସେତେବେଳେ ଲଳିତାଟି ସାତ ଆଠ ବର୍ଷର ପିଲା । ପିଲାଟିକୁ ଧରି ବାଲେଶ୍ୱରରେ ଯାଇରହିଲି । ଲଳିତା ମଧ୍ୟ ଇସ୍କୁଲରେ ପଢ଼ିଲା । ହେଲେ ମୁଁ ମାଇପି ଲୋକ । ମୁଁ ବା କୋଉଠୁ ପାତ୍ରଟିଏ ଦେଖିବି । ହେଲେ ଭଗବାନ ବଡ଼ଲୋକ । ଦିନେ ଦେୱାନଜୀ ନିଜେ ମୋ ପାଖକୁ ଯାଇ କହିଲେ—ଲଳିତାକୁ ମୁଁ ବୋହୁ କରି ନେବି । ମୁଁ କହିଲି, ଇଏତ ତାର ପରମ ଭାଗ୍ୟ । ହେଲେ ମୋର କ’ଣ ସମ୍ବଳ ଅଛି ଯେ ଯୌତୁକ ଦେବି । ମୋ କଥା ଶୁଣି ଦେୱାନଜୀ କହିଲେ ତମକୁ କିଛି ଦେବାକୁ ହେବ ନାହିଁ । ମୁଁ ତୋଳା କନ୍ୟା କରି ଲଳିତାକୁ ଘରକୁ ନେବି । ସେଇ ଦିନଠୁ—ଆଜି କି ପ୍ରାୟ ଦି’ମାସ ହେବ, ଆମେ ଆସି ଏଠାରେ ରହିଛୁ । ଆସନ୍ତା ବାହାଘର ତିଥିରେ ଶୁଭକାମ ହେବ ବୋଲି ଦେୱାନଜୀ କହୁଛନ୍ତି ।

 

ଧୀରାଜ ଏବେ ସବୁ ବୁଝିଲା । ସକାଳେ କାହିଁକି ଏ ଘରୁ ବିମର୍ଷ ମନରେ ପଳାଇଗଲା ତାହା ମଧ୍ୟ ସେ ବୁଝିପାରିଲା । ଦେୱାନଜୀଙ୍କର ଭାବୀ ପୁତ୍ରବଧୂ ପରପୁରୁଷ ସହିତ ନ ମିଶୁ, ଏକଥା ସେ ଚାହିଁବା ସମ୍ପୂର୍ଣ୍ଣ ସ୍ୱାଭାବିକ । ଏ ଘରେ ଲଳିତାକୁ ଏକା ଦେଖି ଦେୱାନଜୀ ନିଶ୍ଚୟ ତାକୁ ଗାଳିମନ୍ଦ ଦେଇଥିବେ । ଆହା, ତା’ରି ପାଇଁ ସେ ବିଚାରୀ ଅପମାନିତ ହେଲା । ଧିରାଜର ମନଟା ହଠାତ୍ ଭାରାକ୍ରାନ୍ତ ହୋଇ ଉଠିଲା l

 

କିଛିକ୍ଷଣ ନୀରବ ରହି ଖୁଡ଼ୀ ପୁଣି କହିଲେ—ନଟବର ମଧ୍ୟ ଖୁବ୍‍ ଭଲ ପାତ୍ର । ଦେୱାନଜୀଙ୍କର ଗୋଟିଏ ବୋଲି ପୁଅ । ପାଠ ପଢ଼ିଛି । ସମ୍ପତ୍ତିବାଡ଼ି ଅନେକ ଅଛି ଆଉ କଣ ଲୋଡ଼ା ?

 

ଧୀରାଜ କହିଲା—ନା, ନା । ଖୁବ୍‍ ଭଲ ପାତ୍ର । ଶୀଘ୍ର ଶୁଭକର୍ମ ଶେଷ କରି ଦିଅନ୍ତୁ ।

 

ଖାଇସାରି ଧୀରାଜ ଯାଇ ପୁଣି ଇଜି ଚେୟାରରେ ବସିଲା । ଖୁଡ଼ୀ ଚାଲିଗଲେ । କେଜାଣି କାହିଁକି, ଧିରାଜର ଅନ୍ତରଟା ବଡ଼ ଖାଲି ଖାଲି ଲାଗିଲା । ଲଳିତା ବା ତାର କିଏ ? ମାତ୍ର କେତେକ ମୁହୂର୍ତ୍ତ ପାଇଁ ଜୀବନରେ ପ୍ରଥମ ଥର ତା ସହିତ ଏଠାରେ ସାକ୍ଷାତ ହୋଇଛି ! କିନ୍ତୁ ତାର ବିବାହ ଠିକ୍ ହୋଇଯାଇଛି । ସେ ନଟବରର ବାଗ୍‍ଦତ୍ତା । ଏ ସମ୍ବାଦପାଇ ଧୀରଜର ମନଟା ଯେ ହଠାତ୍ କାହିଁକି ଖରାପ ହୋଇ ଉଠିଲା, ସେ କଥା ସେ ବୁଝିପାରିଲା ନାହିଁ ।

 

ହଉ, ଲଳିତା ସୁଖରେ ରହୁ । ବହୁ ଚେଷ୍ଟାରେ ଲଳିତାର ଭାବନାକୁ ଧୀରାଜ ମନରୁ ପୋଛି ଦେଲା । କିନ୍ତୁ ଭାଗ୍ୟବାନ ନଟବରକୁ ଥରେ ଦେଖିବା ପାଇଁ ତାର ବଡ଼ ଇଚ୍ଛା ହେଲା ।

 

ପ୍ରବଳ ଇଚ୍ଛାଶକ୍ତି ବଳରେ ଧୀରାଜ ଲଳିତା କଥା ଛାଡ଼ି ଅନ୍ୟ ବିଷୟ ଭାବିବାକୁ ଲାଗିଲା । ଗତ ରାତ୍ରିରେ ଏଇ କୋଠରୀରେ ସେ ଯାହା ଦେଖିଲା ତା’ କଅଣ ପ୍ରକୃତରେ ଭୌତିକ ଘଟଣା ! କିମ୍ବା ତାର ଉତ୍ତପ୍ତ ମସ୍ତିଷ୍କର ବିକୃତି ମାତ୍ର ।

 

ଯଦି ତାହା ଭୌତିକ ଘଟଣା ହୁଏ, ତେବେ ଆଜି ରାତିରେ ମଧ୍ୟ ସେହିପରି ଘଟିବ । ଧୀରାଜ ନିର୍ଭୟରେ ଠିଆ ହୋଇ ଆଜି ସବୁ ଦେଖିବ । ଯଦି ଜରାଜୀର୍ଣ୍ଣ ମୋବାରକ୍ ଭୂତକୁ ଭୟ ନକରି ଭୟାବହ ମରୁଯାତ୍ରାରେ ରାତି ପରେ ରାତି ପ୍ରେତାତ୍ମା ସହିତ ବାଟଚାଲେ ତେବେ ବଳବାନ ଓ ଦୁଃସାହାସୀ ଧୀରାଜ ମଧ୍ୟ ଡରିବ ନାହିଁ । ଧୀରାଜ ନିର୍ଭୀକ । ସେ ମୃତ୍ୟୁକୁ ଭୟ କରେ ନାହିଁ ।

 

କ୍ରମେ କାନ୍ଥ ଘଡ଼ିରେ ତିନିଟା ବାଜିଲା । ବାହାରେ ଖରା କମି ଆସିଲା । ଘର ବାହାରେ କାହାର ପଦଶବ୍ଦ ଶୁଣାଗଲା । କିଏ ଜଣେ ଘରେ ପର୍ଦ୍ଦା ସାମାନ୍ୟ ଘୁଞ୍ଚାଇ ନାଟକୀୟ ଭାବରେ ପ୍ରଶ୍ନ କଲା—ଭିତରକୁ ଆସି ପାରେ କି ?

 

—ଆସନ୍ତୁ ! ଧୀରାଜ କହିଲା ।

 

ଘର ଭିତରେ ଯେଉଁ ଲୋକଟି ପ୍ରବେଶ କରି ଧୀରାଜକୁ ନମସ୍କାର କରି ଗୋଟିଏ ଚୌକିରେ ବସିଲା ତାର ବୟସ ପଚିଶଠାରୁ ତିରିଶ ଭିତରେ । ଆଖି ଓ ଗାଲ କୋଟର ଗତ । ଦନ୍ତ ପଂକ୍ତି ତାମ୍ବୁଳ ରସସିକ୍ତ । ଅସ୍ଥିସାର ଦେହରେ ମାଦକ ଦ୍ରବ୍ୟ ଓ ବ୍ୟଭିଚାରର ସୁସ୍ପଷ୍ଟ ଇଙ୍ଗିତ । ସାନ ସାନ ଦୁଇଟି ଧୂର୍ତ୍ତ ଆଖିରେ ଧୀରାଜକୁ ଚାହିଁ ଆଗନ୍ତୁକ କହିଲା—ମୋର ନାମ ଶ୍ରୀ ନଟବର ଜେନା-। ମୁଁ ଦେୱାନଜୀଙ୍କର ପୁଅ । ଆପଣଙ୍କ ସହିତ ଆଳାପ କରିବା ପାଇଁ ଥରେ ଆସିଲି । ଆଶା କରେ ଆପଣଙ୍କୁ ବିରକ୍ତ କରିନାହିଁ ।

 

ମାତ୍ର କେତେକ ଘଣ୍ଟା ପୂର୍ବେ ଯେଉଁ ଭାଗ୍ୟବାନ ନଟବରକୁ ଥରେ ଦେଖିବା ପାଇଁ ଧୀରାଜର ପ୍ରବଳ ବାସନା ହୋଇଥିଲା, ସେଇ ଲୋକର ଏପରି ବିଚିତ୍ର ରୂପ ଦେଖି ଧୀରାଜର ମନଟା ଅପ୍ରସନ୍ନ ହୋଇ ଉଠିଲା । ଏଇ ଜୀବନ୍ତ କଙ୍କାଳ ବେକରେ ଲଳିତା ପରି ଲାବଣ୍ୟମୟୀ ଯୁବତୀ ମାଳା ଦେବ ? କୁତ୍ସିତ ବ୍ୟାଧିଗ୍ରସ୍ତ ଏଇ ଲୋକଟାର ଆଉ ପରମାୟୁ ବା କେତେ ଦିନ ।

 

ସାମାନ୍ୟ ହସି ଧୀରାଜ କହିଲା—ଆପଣଙ୍କ ସହିତ ଆଳାପ କରି ଖୁବ୍ ଆନନ୍ଦିତ ହେଲି ନଟବର ବାବୁ ।

 

ତା’ପରେ କ’ଣ ଭାବି କେଜାଣି ଧୀରାଜ ହଠାତ୍ ପଚାରିଲା—ଆପଣ କ’ଣ କେବେ କେବେ ଅଭିନୟ କରନ୍ତି ନଟବର ବାବୁ ?

 

ଧୀରାଜର କଥା ଶୁଣି ନଟବର ହଠାତ୍ ଚୌକି ଛାଡ଼ି ଉଠି ପଡ଼ିଲା । ଆଶ୍ଚର୍ଯ୍ୟ ଦୃଷ୍ଟିରେ ଧୀରାଜ ଆଡ଼େ କିଛିକ୍ଷଣ ମିଟିମିଟି କରି ଚାହିଁ କହିଲା—ଏଁ ! ଆପଣ କଣ ସର୍ବଜ୍ଞ ! କିମ୍ବା ମୋ ବିଷୟରେ ଆଗରୁ ଆପଣ ସମ୍ବାଦ ସଂଗ୍ରହ କରିଛନ୍ତି !

 

ମୁରୁକି ହସି ଧୀରାଜ କହିଲା—ନା, ଆଗରୁ ଆପଣଙ୍କ ବିଷୟରେ ମୁଁ କିଛି ଜାଣି ନଥିଲି-। ଆପଣଙ୍କ ଚେହେରାରେ ଗୋଟାଏ ମହାନ ନାଟ୍ୟ ଶିଳ୍ପୀର ପ୍ରତିଭା ମୁଁ ପରିଷ୍କାର ଦେଖି ପାରିଲି । ସେଥିପାଇଁ ପଚାରିଲି ।

 

ନଟବର କିଛିକ୍ଷଣ ନିର୍ବାକ ହୋଇ ଠିଆ ହୋଇ ରହିଲା । ତା ପରେ ଧୀରାଜ ଆପତ୍ତି କରିବା ପୂର୍ବରୁ ହଠାତ୍ ନଇଁ ପଡ଼ି ଧୀରାଜର ପଦଧୂଳି ନେଇ ମୁଣ୍ଡରେ ଛୁଆଇଁ ଦେଲା । —ସାର୍, ଆପଣ ପ୍ରକୃତ ଗୁଣଗ୍ରାହୀ । ଆପଣ ହିଁ “ବାଜିତ୍‍ପୁର ଡ୍ରାମାଟିକ୍ କ୍ଲବ”ର ପ୍ରେସିଡ଼େଣ୍ଟ ହେବାର ଉପଯୁକ୍ତ । ମୁଁ ଅଭିନେତା । ମୁଁ କଳାକାର । ମୁଁ କେବଳ ଅଭିନୟ କରିଯିବି । ଆପଣ ଦୟାକରି ଏ ପ୍ରସ୍ତାବ ଗ୍ରହଣ କରନ୍ତୁ, ସାର୍ । ଆପଣଙ୍କୁ ମୋ ରାଣ—

 

ନଟବରର ବଚନ ଭଙ୍ଗୀରେ ଧୀରାଜ ହସି ପକାଇଲା । ତା ପରେ କହିଲା—ଆଚ୍ଛା, ସେ କଥା ପରେ ଦେଖାଯିବ । ବର୍ତ୍ତମାନ କହନ୍ତୁ, ଆପଣଙ୍କ କ୍ଲବରେ ଏବେ କେଉଁ ଡ୍ରାମା ପାଇଁ ପ୍ରସ୍ତୁତ କରୁଛନ୍ତି ।

 

—ବର୍ତ୍ତମାନ ଶରତବାବୁଙ୍କର “ଦେବଦାସ”ର ରିହର୍ସଲ ଚାଲିଛି । ମୁଁ ନିଜେ ବହିଟାକୁ ଡ୍ରାମାଟାଇଜ୍ କରିଛି । ଓଃ, ମାର୍ଭଲସ୍ ଲେଖା । ମୁଁ ନିଜେ ଦେବଦାସର ପାର୍ଟ କରୁଛି । ଆପଣ ଥରେ ଆଜି କ୍ଲବକୁ ଦୟାକରି ଚାଲନ୍ତୁ ସାର୍‍ । ରିହର୍ସଲ ଶୁଣିବେ । ଚନ୍ଦ୍ରମୁଖୀକୁ ଯେତେବେଳେ ଦେବଦାସ କହୁଛି—‘‘ଆଶା ନାହିଁ, ଭରସା ନାହିଁ, ଚାଲିଛି ଏକାକୀ । ଜୀବନ ସାରା ଗୋଟାଏ ବିରାଟ ଅଭିନୟ—ଗୋଟାଏ ଭୟାବହ ବିଭୀଷିକା...” ଗଦ୍‍ଗଦ କଣ୍ଠରେ ସାନ ସାନ ଆଖି ଦୁଇଟିକୁ ଉଦାସ କରି ନଟବର କହି ଯିବାକୁ ଲାଗିଲା l

 

ସେହିଠାରେ ନଟବର ଅଭିନୟ ଆରମ୍ଭ କରି ଦେଲା ଦେଖି ଧୀରାଜ ବହୁ ଯତ୍ନରେ ଆଲୋଚନାର ମୋଡ଼ ବୁଲାଇ ସେଥିରୁ ତାକୁ ନିରସ୍ତ କଲା । କିଛିକ୍ଷଣ ପରେ ସେହିପରି ନାଟକୀୟ ଭାବରେ ଗୋଟିଏ ନମସ୍କାର କରି ନଟବର ବିଦାୟ ନେଲା । ସେତେବେଳକୁ ବେଳ ବୁଡ଼ି ଆସିଥିଲା । ଧିରାଜ ଚାହା ଖାଇ ସମୁଦ୍ର କୂଳକୁ ବୁଲି ବାହାରିଲା ।

 

ଫକୀର ସହିତ ଆଜି ସାକ୍ଷାତ ହେଲାନାହିଁ । କାହିଁକି କେଜାଣି, ଏଇ ବୃଦ୍ଧ ମୁସଲମାନ ଏତେ ଅଳ୍ପକ୍ଷଣ ମଧ୍ୟରେ ଧୀରାଜ ଅନ୍ତରରେ ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରି ବସିଛି । ନିର୍ଜନ ସାଗର ବେଳାରେ ଏକା ବସି ଧୀରାଜ କେତେ କଥା ଭାବିବାକୁ ଲାଗିଲା । ରୂପ ବଦଳି ଯାଇ ସେଇ ପଟ୍ଟ ଭୂମିରେ ଆଉ ଗୋଟିଏ ରୂପ ଜାଗି ଉଠୁଛି । ଦେୱାନ ଗଦାଧର ଜେନାଙ୍କ ରୂପ । ସାପ ପରି ଦୁଇଟି ସାନ ସାନ ନିଷ୍ପଲକ ଆଖି । ଭାବ ସଂସ୍ପର୍ଶ ବିହୀନ ମୁଖ । ପ୍ରାଚୀନ ଗଜଦନ୍ତ ମୂର୍ତ୍ତି ପରି ଶକ୍ତି ଓ ନିରସ ।

 

ଦେୱାନଙ୍କର ସେ ସ୍ଥିର ଆଖି ଦୁଇଟିକୁ ଚାହିଁ ଚାହିଁ ଧୀରାଜ ଯେପରି ସମ୍ମୋହିତ ହେବାକୁ ଲାଗିଲା । ଧୀରେ ଧୀରେ ତାର ଅଙ୍ଗ ପ୍ରତ୍ୟଙ୍ଗ ଶିଥିଳ ହେବାକୁ ଲାଗିଲା । ଆସନ୍ନ ବିପଦ ବୁଝିପାରି ଧୀରାଜ ହଠାତ୍ ଚୌକିରୁ ଉଠି ଛିଡ଼ା ହୋଇଗଲା । ତା ପରେ ଦୁଆର ଖୋଲି ଭିତରୁ ବାହାରକୁ ବାହାରି ଆସିଲା ।

 

ଦୀର୍ଘ ବାରନ୍ଦା ସମ୍ପୂର୍ଣ୍ଣ ନିର୍ଜନ । ରହସ୍ୟମୟ ପ୍ରେତାୟିତ ରାତି । ନୀଳ ଜ୍ୟୋସ୍ନାର ମାୟାମୟ ପ୍ଳାବନ । କେଉଁ ଗୋଟାଏ ଗଛ କନ୍ଦିରୁ ରହି ରହି ଗୋଟିଏ ପେଚା ଡାକି ଉଠୁଛି । ସୁ ସୁ ହୋଇ ସମୁଦ୍ର ପବନ ବୋହୁଛି । କିଛକ୍ଷଣ ଛିଡ଼ା ହେବା ପରେ ଧୀରାଜ ଯେପରି କାହାର କ୍ରନ୍ଦନ ଶୁଣି ପାରିଲା । ଅତି ନିମ୍ନ ସ୍ୱରରେ କୌଣସି ନାରୀ ଯେପରି କାନ୍ଦୁଛି । ଧୀରାଜ କାନ ଡେରି ଶୁଣିବାକୁ ଲାଗିଲା । ପବନରେ ସ୍ପଷ୍ଟ କ୍ରନ୍ଦନର ସ୍ୱର ଭାସି ଆସୁଛି । ଚାରିଆଡ଼େ ଭଲକରି ଧୀରାଜ ଚାହିଁଲା । କିନ୍ତୁ କେଉଁଠାରୁ ସେ କ୍ରନ୍ଦନ ଧ୍ଵନି ଆସୁଛି ତାହା ସେ ବୁଝି ପାରିଲାନାହିଁ । ଅଦୂରରେ କେତେଗୁଡ଼ିଏ ଅତି ପୁରୁଣା ଗଙ୍ଗଶିଉଳି ଗଛ ସ୍ଥାନଟାକୁ ଅନ୍ଧାରିଆ କରିରଖିଛି । ତା’ରି ଭିତରେ ଗୋଟାଏ ପ୍ରାଚୀନ ଭଙ୍ଗା କୂଅ ଅଛି । ଧୀରାଜ ପୂର୍ବେ ସେ ସ୍ଥାନଟି ଦେଖିଛି । ତା’ର ମନେ ହେଲା, ସେଇ ଅନ୍ଧାର ଭିତରୁ ଯେପରି ଏଇ କ୍ରନ୍ଦନ ଭାସି ଆସୁଛି । କିନ୍ତୁ ବହୁ ଚେଷ୍ଟା କରି ମଧ୍ୟ ସେଠାରେ ଦୂରରୁ ସେ କାହାକୁ ଦେଖି ପାରିଲା ନାହିଁ ।

 

ପ୍ରାଚୀନ ଏଇ ପାଷାଣ ପୁରୀର ଆତ୍ମା ହୁଏତ କାନ୍ଦୁଛି । ଅର୍ଦ୍ଧ ରାତ୍ରିରେ ବିଶାଳ ଏଇ ନିର୍ଜନ ଅଟ୍ଟାଳିକାରେ କେତେ ଯେ ଅପାର୍ଥିବ ଘଟଣା ଘଟୁଛି, ତାର ସୀମା ନାହିଁ ।

 

ବହୁକ୍ଷଣ ସେହିଠାରେ ଧୀରାଜ ଛିଡ଼ା ହୋଇରହିଲା । ଆକାଶରେ ଶୁକ୍ର ତାରା ଜଳ ଜଳ ହୋଇ ଜଳୁଛି । ରାତି ଆଉ ବେଶି ନାହିଁ । ଧୀରାଜ ଘର ଭିତରକୁ ଆସି କିଛିକ୍ଷଣ ଶୋଇବାକୁ ଚେଷ୍ଟା କଲା । କିନ୍ତୁ ତାର ସ୍ନାୟୁମଣ୍ଡଳି ଭୀଷଣ ଭାବରେ ଉତ୍ତେଜିତ ହୋଇ ନିଦ ମୋଟେ ହେଲା ନାହିଁ । ତା’ର ଅଜଣାରେ ସେ ବରମ୍ବାର ସୂର୍ଯ୍ୟନାରାୟଣଙ୍କର ଚିତ୍ରପଟଟିକୁ ଚାହିଁ ଦେଖିଲା । ନା, ସେଥିରେ ଆଉ କୌଣସି ପରିବର୍ତ୍ତନ ନାହିଁ । ସୂର୍ଯ୍ୟନାରାୟଣଙ୍କର ନିର୍ଜୀବ ଓ ଉଦାର ପ୍ରତିରୂପଟି ଝୁଲୁଛି ।

 

ଏହା ଯେ ଭୌତିକ ଘଟଣା, ଏଥିରେ ଆଉ ଧୀରାଜର ସନ୍ଦେହ ରହିଲା ନାହିଁ । ଏଇ ପ୍ରାଚୀନ ପାଷାଣ ପୁରୀରେ ଯେ ବହୁରହସ୍ୟ ଲୁଚିରହିଛି ଏହା ସୁନିଶ୍ଚିତ । ଜୀବନର ପରପାରରେ ଯେ କି ରହସ୍ୟ ଲୁଚି ରହିଛି, ତାହା ପ୍ରେତତତ୍ତ୍ୱବିଦ୍‍ମାନେ କେତେ ଦୂର ବୁଝି ପାରିଛନ୍ତି କେଜାଣି ଧୀରାଜ ସେ ତତ୍ତ୍ଵ କିଛି ଜାଣେ ନାହିଁ । ମୋବାରକ୍ ପରି ସରଳ ବିଶ୍ୱାସୀ ଲୋକମାନଙ୍କ ପକ୍ଷରେ ହୁଏତ ଏହା ଅତି ସରଳ । କିନ୍ତୁ ଉଚ୍ଚଶିକ୍ଷିତ ଧୀରାଜ ତାକୁ ଏତେ ସହଜ ଭାବରେ ଗ୍ରହଣ କରି ପାରିବ ନାହିଁ ।

 

ଅଧ୍ୟାପକ ତ୍ରିବେଦୀଙ୍କ କଥା ତା’ର ମନେ ପଡ଼ିଲା । ଆଲିଗଡ଼ର ସ୍ଵନାମଧନ୍ୟ ପଣ୍ଡିତ । ଜୀବନ ସାରା ସେ ପ୍ରେତତତତ୍ତ୍ଵର ଗବେଷଣା କରିଛନ୍ତି । ସେ ଧୀରାଜକୁ ଅତିଶୟ ସ୍ନେହ ମଧ୍ୟ କରନ୍ତି । ଧୀରାଜ ଠିକ୍ କଲା ଯେ ସବୁ ବିଷୟ ପୃଙ୍ଖାନୁପୃଙ୍ଖ ବର୍ଣ୍ଣନା କରି ସେ ଅଧ୍ୟାପକ ତ୍ରିଦେବୀଙ୍କ ନିକଟକୁ ଖଣ୍ଡେ ପତ୍ର ଲେଖିବ । ତାଙ୍କୁ ଥରେ ଏଠାକୁ ଆସିବାକୁ ଅନୁରୋଧ କରିବ । ତା’ର ବିଶ୍ୱାସ ଯେ ବିଚିତ୍ର ଭୌତିକ କାଣ୍ଡର ଏପରି ଚାକ୍ଷୁଷ ପ୍ରମାଣର ସୁବିଧା ପାଇ ଅଧ୍ୟାପକ କଦାପି ସ୍ଥିର ହୋଇ ରହି ପାରିବେ ନାହିଁ । ସେ ନିଶ୍ଚୟ ଥରେ ଆସିବେ ।

 

କ୍ରମେ ରାତି ପାହି ଆସିଲା । ଥଣ୍ଡା ପବନ ବୋହିଲା । ଦାରୁଣ ମାନସିକ ଉତ୍ତେଜନା ଓ ରାତ୍ରି ଜାଗରଣର କ୍ଳାନ୍ତି ହେତୁ ଗଭୀର ନିଦ୍ରାରେ ଧୀରାଜ ବୁଡ଼ିଗଲା ।

 

–ପାଞ୍ଚ–

 

ଗୋଟିଏ ଅତି ମଧୁର ଅନୁଭୂତି । ପ୍ରେମିକର ଗୋଟିଏ ଦୀର୍ଘ ଚୁମ୍ବନ ପରି ଉଷ୍ଣ ଓ ରୋମାଞ୍ଚକର । କେଉଁ ଏକ ଜ୍ୟୋତ୍ସ୍ନାପ୍ଳାବିତ ଅଜଣା ଦେଶ ଚାରିଆଡ଼ ନିର୍ଜନ ଓ ଶବ୍ଦହୀନ । ସେଇ ନୀଳାଭ ଜ୍ୟୋସ୍ନା ତରଙ୍ଗ ଭେଦ କରି ଧୀରାଜ ମହାଶୂନ୍ୟରେ ଉଡ଼ି ଚାଲିଛି । ସର୍ବାଙ୍ଗରେ ତା’ର ଅପୂର୍ବ ପୁଲକ । ମହାଶୂନ୍ୟରେ ଟିକି ଟିକି ତରା ଗୁଡ଼ିକ ନୀରବରେ ମିଟିମିଟି ହସୁଛନ୍ତି ।

 

ହଠାତ୍ ଯେପରି ଶୂନ୍ୟଲୋକରେ କ’ଣ ଦୁର୍ଘଟଣା ଘଟିଲା । ବଜ୍ରପାତ ପରି ଭୀଷଣ ଶବ୍ଦ ହେଲା । କଳା ଓ ବିକଟାଳ ଗୋଟାଏ କି ଜୀବ ତା’ର ବିଶାଳ ଡେଣା ହଲାଇ ଶୂନ୍ୟଲୋକରୁ ଉଡ଼ି ଆସିଲା । ତାର ଡେଣା ଉହାଡ଼ରେ ଜହ୍ନ ଲୁଚିଗଲା । ଆକାଶ ଅନ୍ଧକାର ହୋଇଗଲା ।

 

ଧୀରାଜ ଚମକି ପଡ଼ିଲା । ତାର ନିଦ ଭାଙ୍ଗିଗଲା । ମୁଣ୍ଡ ଉପରେ ଗୋଟିଏ ଅତି କୋମଳ କରସ୍ପର୍ଶ ପାଇ ଆଖି ମେଲାଇ ଚାହିଁଲା । ଯାହା ଦେଖିଲା, ତାକୁ ସେ ସତ୍ୟ ବୋଲି ହଠାତ୍ ବିଶ୍ୱାସ କରି ପାରିଲା ନାହିଁ । ଭାବିଲା ସେ ସେପର୍ଯ୍ୟନ୍ତ ସ୍ୱପ୍ନ ଦେଖୁଛି । ଧଡ଼ ପଡ଼ ହୋଇ ଉଠିପଡ଼ି ସେ କାନ୍ଥଘଡ଼ିକି ଚାହିଁଲା । ନ’ଟା ବାଜିବାକୁ ବସିଲାଣି । ମୂର୍ତ୍ତିମତୀ ମମତା ପରି ଲଳିତା ତା ଖଟ ନିକଟରେ ଛିଡ଼ା ହୋଇଛି ।

 

—ଲଳିତା ! ତମେ !! ଆଶ୍ଚର୍ଯ୍ୟ ହୋଇ ଧୀରାଜ ପଚାରିଲା । ସେ ଶୁଣିଥିଲା ଯେ ଲଳିତାକୁ ତା ନିକଟକୁ ଆସିବା ପାଇଁ ବିଶେଷ ଭାବରେ ମନା କରା ହୋଇଛି । ତା ସତ୍ତ୍ୱେ ଲଳିତା ଯେ କେବଳ ଏକା ତା ଘରକୁ ପୁଣି ଆସିଛି ସେତିକି ନୁହେଁ, ତାକୁ ସ୍ପର୍ଶ କରି ତା ମୁଣ୍ଡରେ ହାତ ଦେଇଛି ।

 

—ହଁ ଧୀରାଜ ଭାଇ ମୁଁ । ତ୍ରିଲୋଚନ ଦୁଇଥର ଚାହା ନେଇ ଆସି ଆପଣଙ୍କୁ ଶୋଇଥିବାର ଦେଖି ଫେରିଗଲା । ଆପଣତ ଏତେବେଳ ପର୍ଯ୍ୟନ୍ତ କେବେହେଲେ ଶୁଅନ୍ତି ନାହିଁ । ମୋର ଭୟ ହେଲା । ଭାବିଲି ଆପଣଙ୍କର ଦେହ ଖରାପ ହୋଇ ନାହିଁ ତ !

 

ଲଳିତା ଗାଧୋଇ ସାରି ପ୍ରସାଧନ କରିଛି । ଖଣ୍ଡିଏ ନାସପାତିରଙ୍ଗର ଶାଢ଼ୀ ପିନ୍ଧିଛି । ସ୍ଵପ୍ନୋଥିତ ଧୀରାଜ ଆଖିକି ମନେହେଲା ଲଳିତା ଅପ୍‍ସରାପରି ଲବଣ୍ୟମୟୀ । ମନସ୍ତାତ୍ତ୍ୱିକ ଧୀରାଜ କିଛିକ୍ଷଣ ଲଳିତା ଆଡ଼େ ଏକଦୃଷ୍ଟିରେ ଚାହିଁ ରହିଲା । ତାର ମନେ ହେଲା ଯେପରି ଗୋଟିଏ ଦାରୁଣ କ୍ଳାନ୍ତି, ଗୋଟିଏ ବିଷାଦ ସେ ଉଚ୍ଛଳ ରୂପରାଶି ତଳେ ଲୁଚିରହିଛି । ଧୀରାଜକୁ ଏକଧ୍ୟାନରେ ଚାହିଁରହି ଥିବାର ଦେଖି ଲଳିତା ଲଜ୍ଜିତ ହେଲା । ସାମାନ୍ୟ ହସି କହିଲା— ଏପରି ଅନାଇ ରହିଛନ୍ତି କ’ଣ ଧୀରାଜ ଭାଇ । ଉଠି ମୁଁହ ହାତ ଧୁଅନ୍ତୁ । ମୁଁ ତ୍ରିଲୋଚନ ହାତରେ ଚାହା ପଠାଇ ଦେଉଛି ।

 

—ନା, ନା ଲଳିତା । ମୋର ବର୍ତ୍ତମାନ ଚାହାର ପ୍ରୟୋଜନ ନାହିଁ । ତମେ ଟିକିଏ ଏଠାରେ ବସ । ମୋତେ କୁହ, ତୁମେ କିପରି ଏଠାକୁ ଏକା ଆସିପାରିଲ । ତୁମକୁ କ’ଣ ଏଠାକୁ ଆସିବା ପାଇଁ ବିଶେଷ ଭାବରେ ମନା କରା ହୋଇ ନାହିଁ ?

 

ଲଳିତା ସାମାନ୍ୟ ହସି ଖଣ୍ଡିଏ ଚୌକିରେ ବସିଲା । ଶୀତ ଦିନର ସୂର୍ଯ୍ୟାସ୍ତ ପରି ନିଷ୍ପ୍ରଭ ଓ ପ୍ରାଣହୀନ ସେ ହସ ।

 

ତା ପରେ କିଛିକ୍ଷଣ ନୀରବ ରହି ଧୀରେ ଧୀରେ କହିଲା—ହଁ ଧୀରାଜ ଭାଇ, ମୋତେ ଏଠାକୁ ଆସିବାକୁ ମନା କରାହୋଇଛି । କିନ୍ତୁ ଖୁଡ଼ୀ ବର୍ତ୍ତମାନ ପୂଜାରେ ବ୍ୟସ୍ତ । ଆହୁରି ଘଣ୍ଟାଏ ପର୍ଯ୍ୟନ୍ତ ସେ ଉଠିବେ ନାହିଁ । ସେହି ସୁବିଧାରେ ମୁଁ ଏଠାକୁ ଚାଲି ଆସିଛି ।

 

ଯେଉଁ ପ୍ରଶ୍ନ ଧୀରାଜ ମନରେ ଏ ପର୍ଯ୍ୟନ୍ତ ଅମିମାଂସିତ ଥିଲା ଯାହାର ଉତ୍ତର କେବଳ ଲଳିତା ଛଡ଼ା ଅନ୍ୟକେହି ଦେଇପାରିବ ନାହିଁ; ସ୍ଥାନ କାଳ ବିଚାର ନକରି ହଠାତ୍ ଧୀରାଜ ତା ପଚାରି ଦେଲା—ଲଳିତା, ନଟବର ବାବୁଙ୍କ ସହିତ ବିବାହରେ ପ୍ରକୃତରେ କ’ଣ ତୁମର ଆପତ୍ତି ନାହିଁ ?

 

ଏ ପ୍ରଶ୍ନରେ ଯେପରି ଲଳିତା ଆହତ ହେଲା । ସପ୍ରତିଭ ଭାବରେ କହିଲା—କାହିଁକି ଆପତ୍ତି ଥିବ ଧୀରାଜ ଭାଇ ? କେଉଁଥିରେ ବା ସେ ମୋ ପାଇଁ ଅଯୋଗ୍ୟ ? ପାଠ ପଢ଼ିଛନ୍ତି । ଜଣେ ବିଖ୍ୟାତ୍ ଅଭିନେତା । ଧନ ସମ୍ପତ୍ତି ଅଛି । ଆଉ କ’ଣ ଲୋଡ଼ା ? ମୋର ବା କ’ଣ ଯୋଗ୍ୟତା ଅଛି ଯେ ତାଙ୍କଠାରୁ ଆହୁରି ଭଲପାତ୍ର ଆଶା କରିବି ? ଲଳିତାର କଣ୍ଠସ୍ୱର ହଠାତ୍ ଅଶ୍ରୁଭାରାକ୍ରାନ୍ତ ହୋଇ ଉଠିଲା ।

 

ଧୀରାଜ ନୀରବରେ ବସି ରହିଲା । “ତୁମର ଯେଉଁ ସମ୍ପଦ ଅଛି ଲଳିତା ଯେ କୌଣସି ସାମ୍ରାଜ୍ୟର ସମ୍ରାଟ ତୁମକୁ ଗଳାର ହାର କରିବା ପାଇଁ ଲାଳାୟିତ ହେବ । ତୁମପରି ରତ୍ନମାଳା କ’ଣ ନଟବର ପରି ମର୍କଟ ବେକରେ ଶୋଭା ପାଇବ ?”

 

ନା, ନା, ଧୀରାଜ ଏକଥା ମୁଁହ ଫିଟାଇ କହିନାହିଁ । ତାର ଅନ୍ତରର ଅବ୍ୟକ୍ତ ଭାଷାରେ ଏହା ପରିସ୍ଫୁଟ ହୋଇ ଉଠିଲା ।

 

କିଛି କ୍ଷଣ ତଳକୁ ମୁଣ୍ଡ ପୋତି ବସିରହି ଲଳିତା କହିଲା—ଧୀରାଜ ଭାଇ ମୁଁ ଶୁଣିଛି ତୁମର ବହୁତ ଧନ ଅଛି । ତୁମେ ଉଚ୍ଚ ଶିକ୍ଷିତ । ଇଚ୍ଛାକଲେ ଯେ କୌଣସି ବଡ଼ ସହରରେ ଅଶେଷ ବିଳାସ ଭିତରେ ତୁମେ ଜୀବନ ଯାପନ କରି ପାରିବ । ଏ ମଲା ଚୌଧୁରୀ ବଂଶର କଙ୍କାଳଟା ଉପରେ କାହିଁକି ତୁମେ ଲୋଭ କରି ଏଠାରେ ପଡ଼ିଛ ? ମୋର ଅନୁରୋଧ ଧୀରାଜ ଭାଇ ତୁମେ ଏଠାରୁ ଚାଲିଯାଅ ।

 

ଲଳିତାର କଥା ଶୁଣି ଧୀରାଜ ଆଶ୍ଚର୍ଯ୍ୟ ହୋଇଗଲା । ଲଳିତା ମଧ୍ୟ ଚାହେଁ ଯେ ସେ ଏଠାରୁ ଚାଲି ଯାଉ ! ଅଭିମାନଭରା କଣ୍ଠରେ ଧୀରାଜ କହିଲା—ମୋର ଏଠାରେ ରହିବା ଦ୍ୱାରା ଯଦି ତୁମେମାନେ ଦୁଃଖିତ ତେବେ ମୁଁ ଏଠାରୁ ଚାଲିଯିବି । ଆଉ କେବେହେଲେ ଏଠାକୁ ଫେରି ଆସିବି ନାହିଁ । ମୁଁ ଏବେ ସବୁ ବୁଝି ପାରୁଛି ଲଳିତା । ଦେୱାନଜୀ ଏଠାକାର ମାଲିକ ହେବାକୁ ଚାହାଁନ୍ତି । କାଳକ୍ରମେ ଦେୱାନଜୀଙ୍କ ପୁତ୍ରବଧୂ ରୂପେ ତୁମେ ଏଠାକାର ସର୍ବମୟୀ କର୍ତ୍ତୀ ହୋଇରହିବାକୁ ଚାହଁ । କିନ୍ତୁ ଦୁର୍ଭାଗ୍ୟ କ୍ରମେ ମୁଁ ଏ ସମ୍ପତ୍ତିର ମାଲିକ । ମୁଁ ଏଠାରେ ରହିଲେ ତୁମମାନଙ୍କର ଉଚ୍ଚାଭିଳାଷ ସାର୍ଥକ ହେବନାହିଁ । ଅତଏବ ମୋର ଏଠାରୁ ଚାଲିଯିବାଟା ତୁମ୍ଭମାନଙ୍କ ପକ୍ଷରେ ଅତି ମଙ୍ଗଳକର । ତୁମର ଆଜି ଏକା ମୋ ଘରକୁ ଆସିବାର ଅସଲ ଉଦ୍ଦେଶ୍ୟ ମୁଁ ଏବେ ବୁଝିପାରିଲି । ମୁଁ ତୁମକୁ ଭୁଲ ବୁଝିଥିଲି ଲଳିତା । ଅତି ସ୍ୱାର୍ଥପର....

 

—ଥାଉ ଧୀରାଜ ଭାଇ । ଆଉ ମୁଁ ସହି ପାରିବି ନାହିଁ । ଲଳିତା କାନ୍ଦି ପକାଇଲା । ଅଶ୍ରୁକ୍ଷୁବ୍‍ଧ କଣ୍ଠରେ କହିଲା—କେହି କାହାକୁ ବୁଝିପାରନ୍ତି ନାହିଁ ଧୀରାଜ ଭାଇ, ଏହାହିଁ ଦୁନିଆଁର ନିୟମ । ଏତିକି କହି ହଠାତ୍ ବାହାରେ କାହାକୁ ଦେଖି ଲଳିତା ଚମକି ପଡ଼ିଲା । ତା’ପରେ ଅପସୃୟମାନା ଝଟିକା ପରି ହଠାତ୍ ଘରୁ ବାହାରି ପଳାଇ ଗଲା । ଧୀରାଜ ଆଶ୍ଚର୍ଯ୍ୟ ହୋଇ ବାହାରକୁ ଚାହିଁ ଦେଖିଲା ଯେ ପର୍ଦ୍ଦା ପଛଆଡ଼େ ଦେୱାନ୍ ଗଦାଧର ଜେନା ସ୍ଥିର ହୋଇ ଛିଡ଼ା ହୋଇଛନ୍ତି । ସାନ ସାନ ଆଖି ଦିଓଟି ତାଙ୍କର ସାପପରି ନିଷ୍ପଲକ ଓ ଅନ୍ତର୍ଭେଦୀ । ଲଳିତାର ଗତିପଥକୁ ଦେୱାନ ଥରେ ସୁଦ୍ଧା ଚାହିଁଲେ ନାହିଁ । ତାଙ୍କର କୌଣସି ଭାବ ପରିବର୍ତ୍ତନ ହେଲାନାହିଁ-। ଲଳିତା ଚାଲିଯିବାପରେ ଦେୱାନ ଧୀରେ ଧୀରେ ପର୍ଦ୍ଦାଟେକି ଘରେ ପ୍ରବେଶ କଲେ-। ଧୀରାଜ ଭାବିଥିଲା ଯେ ବୃଦ୍ଧ ଦେୱାନ ବୋଧହୁଏ ତାର ଚରିତ୍ରରେ ଦୋଷାରୋପ କରି ତାକୁ କଟୁକ୍ତି କହିବେ । ସେପରି ଘଟିଲେ ଧୀରାଜ ଠିକ୍ କରିନେଲା ଯେ ସେ ମଧ୍ୟ ତାଙ୍କୁ ଠିକଣା ଉତ୍ତର ଦେବ । ପ୍ରୟୋଜନ ହେଲେ ଆଜି ସେ ବୃଦ୍ଧ ଦେୱାନଙ୍କୁ ବରଖାସ୍ତ କରି ନୂଆ କର୍ମଚାରୀ ନିଯୁକ୍ତ କରିବ । ସେ ଏଠାକାର ମାଲିକ, ଦେୱାନ ନୁହନ୍ତି ।

 

କିନ୍ତୁ ଆଶ୍ଚର୍ଯ୍ୟ କଥା, ଦେୱାନ ସେ ସବୁ କିଛି କହିଲେ ନାହିଁ । ସ୍ଵଭାବସିଦ୍ଧ ଗମ୍ଭୀର ଅଥଚ ନମ୍ରକଣ୍ଠରେ ଦେୱାନ ଜାଣିବାକୁ ଚାହିଁଲେ ଯେ ଧୀରାଜ ସିରସ୍ତାକୁ ଏହିକ୍ଷଣି ଯିବାକୁ ଚାହେ, ବା ଅନ୍ୟସମୟରେ ତାକୁ ସୁବିଧା ହେବ । ଅବଶ୍ୟ ତା’ର ଆଦେଶ ଅନୁସାରେ ଦେୱାନ ସବୁ କରିବେ ।

 

କେଜାଣି କାହିଁକି ଧୀରାଜ ହଠାତ୍ କହିଲା—ନା ଦେୱାନଜୀ ମୁଁ ଏଇକ୍ଷଣି ସିରସ୍ତାକୁ ଯିବି । ଆପଣ ଯା’ନ୍ତୁ । ମୁଁ ନିତ୍ୟକର୍ମ ସାରି ଯାଉଛି ।

 

ଗଭୀର ମନୋନିବେଶ କରି ସିରସ୍ତାରେ ଧୀରାଜ କାଗଜ ପତ୍ର ସବୁ ଦେଖିଲା । ଦେୱାନ ଭାବିଲେ ଯେ ଅନଭିଜ୍ଞ ଧୀରାଜ ଜମିଦାରୀ ସିରସ୍ତାର କଟୁଚକ୍ର ଭିତରେ ପଶି ପାରିବ ନାହିଁ । ଅଳ୍ପକ୍ଷଣ ପରେ ସେ ଜାଣିପାରିଲେ ଯେ ତାକୁ ଫାଙ୍କି ଦେବା ପ୍ରାୟ ଅସମ୍ଭବ ।

 

ଆଉ ଧୀରାଜ ନିକଟରେ ଦୁଇଟି ଜିନିଷ ପରିଷ୍କାର ହୋଇଗଲା । ପ୍ରଥମତଃ ସେ ବୁଝିପାରିଲା ଯେ ମୋବାରକର କଥା ଅତି ସତ୍ୟ । ସବୁ ଯାଇ ସୁଦ୍ଧା ଚୌଧୁରୀ ବଂଶର ଯାହା ଏ ପର୍ଯ୍ୟନ୍ତ ଅଛି ତାହା କମ୍ ନୁହେଁ । ଦ୍ଵିତୀୟତଃ ସେ ଜାଣି ପାରିଲା ଯେ ଦେୱାନ ଗଦାଧର ଜେନା ଗୋଟିଏ ଜୀବନ୍ତ ସଇତାନ । ହିସାବର ପେଞ୍ଚ ଭିତରଦେଇ ଘଣାରେ ଆଖୁ ପେଡ଼ିଲା ପରି ସେ ଏ ସମ୍ପତ୍ତିର ପ୍ରାୟ ସବୁରସ ଶୋଷଣ କରି ଖାଲି ଚୋପା ରଖିଛନ୍ତି ।

 

ଅଭୁକ୍ତ ଧୀରାଜ ପ୍ରାୟ ଅପରାହ୍ନ ବେଳକୁ ସିରସ୍ତା ଛାଡ଼ିଲା । ସେତେବେଳକୁ ଦେୱାନଜୀ ଭୟ ଓ ଦୁର୍ଭାବନାରେ ପ୍ରାୟ ଗଳଦ୍‍ଘର୍ମ । ଧୀରାଜ ସାମାନ୍ୟ ହସି କହିଲା—ହିସାବରେ ଅନ୍ୟାନ୍ୟ ଭୁଲ ଭ୍ରାନ୍ତି ନ ଧରିଲେ ମଧ୍ୟ, ସାତହଜାର ତିନିଶହ ଟଙ୍କାର ହିସାବ ଖାତାରେ ପଡ଼ି ନାହିଁ । ତାର ଗୋଟିଏ କିଛି ବ୍ୟବସ୍ଥା ଅବଶ୍ୟ କରିବାକୁ ହେବ । ଆପଣ ଖାତା ପତ୍ର ନେଇ ମୋ ସହିତ ପାଞ୍ଚଟା ବେଳେ ଦେଖା କରନ୍ତୁ ।

 

ଧୀରାଜ ନିଜ କୋଠରୀକୁ ଫେରି ଆସି ଦେଖିଲା ଯେ ତ୍ରିଲୋଚନ ବହୁକ୍ଷଣରୁ ଭାତ ନେଇ ଅପେକ୍ଷା କରିଛି । ଧୀରାଜ କ୍ଲାନ୍ତ ଓ କ୍ଷୁଧାର୍ତ୍ତ ହୋଇଥିଲା । ପରମ ତୃପ୍ତିରେ ଭୋଜନ ଶେଷ କରି ଚିଠି ଲେଖି ବସିଲା । ସୁଦୀର୍ଘ ପତ୍ରରେ ସବୁ ଘଟଣା ବର୍ଣ୍ଣନା କରି ଅଧ୍ୟାପକ ତ୍ରିବେଦୀଙ୍କୁ ଧୀରାଜ ସବୁ ଲେଖିଲା । ତା ପରେ ନିଜର ବାକ୍ସ ଖୋଲି ଚେକ୍‍ବହି ବାହାର କରି ଦୁଇଖଣ୍ଡ ଚେକ୍ ଲେଖି ରଖିଲା ।

 

ସବୁକାମ ଶେଷ କରି ନିର୍ଜନ ଘର ଭିତରେ ଖଣ୍ଡିଏ ଇଜିଚେୟାର ଉପରେ ଶୋଇ ଧୀରାଜ କେତେ କ’ଣ ଭାବିବାକୁ ଲାଗିଲା । ଜୀବନସାରା ସେ ପରିବ୍ରାଜକ । ଦୁର୍ଗମ ପଥ’ର ମୋହ ତା ପକ୍ଷରେ ଅଲଘଂନୀୟ । ସଂସାରୀ ହୋଇ ସୁଖରେ ରହିବା ପାଇଁ ତା’ର ସବୁ ସୁବିଧା ଓ ସୁଯୋଗ ଥିଲେ ମଧ୍ୟ ତା ସେ ଚାହିଁ ନାହିଁ । ସୂର୍ଯ୍ୟନାରାୟଣ ଚୌଧୁରୀ ଉଇଲ୍ କରି ଏଇ ପୁରୁଣାଘର ଓ ଯତ୍‍ସାମାନ୍ୟ ଭୂସମ୍ପତ୍ତି ତାକୁ ଦେଇ ଯାଇଛନ୍ତି, ଆଜି ପୁଙ୍ଖାନୁପୁଙ୍ଖ ଭାବରେ ସେ ସମ୍ପତ୍ତିର ହିସାବ ସେ ଦେଖିଛି । ତାହା ଯେତେ ବେଶୀ ହେଲେ ମଧ୍ୟ ଧୀରାଜର ପୈତୃକ ସମ୍ପତ୍ତି ତୁଳନାରେ ସେ କିଛି ନୁହେଁ । ତଥାପି କି ଲୋଭରେ ସେ ଏଠାରେ ପଡ଼ିଛି ? ଏଠାରେ ସେ ସମ୍ପୂର୍ଣ୍ଣ ଅବାଞ୍ଛିତ । ଲଳିତା ମଧ୍ୟ ଚାହେଁ ସେ ଏଠାରୁ ଚାଲିଯାଉ । ପ୍ରାଣହୀନ ଏଇ ଦୁର୍ଗମ ମଫସଲରେ ଖଣ୍ଡେ ପୁରୁଣା ଘର ତା’ ପକ୍ଷରେ କଦାପି ଲୋଭନୀୟ ନୁହେଁ । ତା ଛଡ଼ା ଏଇ ଭୟାବହ ଭୌତିକ ଘଟଣା...

 

ପ୍ରେତାତ୍ମା ବିଷୟରେ ସେ ଆଜି ପର୍ଯ୍ୟନ୍ତ କେତେ ମହା ପଣ୍ଡିତଙ୍କର କେତେ ସନ୍ଦର୍ଭ ଶୁଣିଛି । ସେ ପଣ୍ଡିତମାନଙ୍କ ଭିତରୁ ହୁଏତ ଅନେକେ ପ୍ରେତାତ୍ମାକୁ ଚାକ୍ଷୁଷ ଦେଖି ନାହାନ୍ତି । କିନ୍ତୁ ଘଟଣା କ୍ରମେ ତାର ଏଠାରେ ଯେଉଁ ବିଚିତ୍ର ଅଭିଜ୍ଞତା ହେଲା, ତାହା ଚିରକାଳ ମନେ ରହିବ ।

 

ସେ ଏଠାରୁ ଚାଲିଯିବ । ଏ ସମ୍ପତ୍ତି ଉପରୁ ସବୁ ଦାବୀ ଚିରଦିନ ପାଇଁ ଛାଡ଼ି ଚିରଦିନ ପାଇଁ ଏଠାରୁ ଚାଲିଯିବ । ଯେଉଁ ଲଳିତାକୁ ପ୍ରଥମ ଦର୍ଶନରୁ ସେ ଭଲପାଇଛି, ସେ ତାକୁ ଭଲ ନ ପାଉ ପଛେ, ଲୋଭୀ ବୋଲି ଘୃଣା ନ କରୁ । ସେ ଏଠାରେ ସର୍ବମୟୀ କର୍ତ୍ତୀ ହେଉ । ସୁଖରେ ଥାଉ । ଜୀବନର ଭାବୀ କାଳରେ କୌଣସି କର୍ମହୀନ ଅବକାଶ ମୁହୂର୍ତ୍ତରେ ଯଦି ତା’ର ଆଜିର କଥା ମନେ ପଡ଼େ, ତେବେ ଏଇ କଥା ଭାବି ତା’ର ଆନନ୍ଦ ହେବ ଯେ ଯାହାକୁ ସେ ଜୀବନରେ ପ୍ରଥମ ଭଲ ପାଇଥିଲା, ତାକୁ ସେ କିଞ୍ଚିତ୍ ସୁଖୀ କରି ପାରିଛି ।

 

କିନ୍ତୁ ଏ ଭୌତିକ ରହସ୍ୟ ଉଦ୍‍ଘାଟନ କରିବା ପୂର୍ବରୁ ସେ ଏଠାରୁ ଯିବ ନାହିଁ । ମୃତ୍ୟୁ ଭୟ ସେ କରେ ନାହିଁ । ଲୋକାନ୍ତରର ରହସ୍ୟ ସେ ନିଶ୍ଚୟ ଜାଣିବ ।

 

ସୂର୍ଯ୍ୟନାରାୟଣଙ୍କର ପ୍ରେତାତ୍ମା କାହିଁକି ତାକୁ ଭୟ ଦେଖାଉଛି, ସେ ମଧ୍ୟ କ’ଣ ତା’ର ଏଠାରେ ରହିବା ଚାହେ ନାହିଁ ? ସେ ତ ଏଠାକୁ ସ୍ୱେଚ୍ଛାରେ ଆସି ନାହିଁ ! ସେହି ସୂର୍ଯ୍ୟନାରାୟଣଙ୍କର ସ୍ଵେଚ୍ଛାକୃତ ଦାନ ଗ୍ରହଣ କରିବାକୁ ସେ ଆସିଛି । ବିଦେହୀଆତ୍ମା କ’ଣ ଅନ୍ତର୍ଯ୍ୟାମୀ ନୁହେଁ ! ତେବେ ତ ସେ ପରିଷ୍କାର ବୁଝି ପାରନ୍ତା ଯେ କୌଣସି ପ୍ରଲୋଭନରେ ସୁଦ୍ଧା ମୁଁ ଏଠାରେ ରହିବାକୁ ଚାହେ ନାହିଁ । ତେବେ ଆଉ ମୋ ଉପରେ ପ୍ରେତାତ୍ମାର ଆକ୍ରୋଶ କାହିଁକି ?

 

ଏହିପରି କେତେ କ’ଣ ଭାବୁ ଭାବୁ ବେଳ ଗଡ଼ି ଗଲା । ତ୍ରିଲୋଚନ ବୈକାଳିକ ଚାହା ନେଇ ଘରେ ପଶିଲା । ଧୀରାଜ ଚାହା ଖାଉ ଖାଉ ବାହାରେ ଆଉ କାହାର ପଦଶବ୍ଦ ଶୁଣି ପାରିଲା-। ନିଶ୍ଚୟ ଦେୱାନଜୀ ଖାତା ପତ୍ର ଧରି ଆସିଛନ୍ତି । ଧୀରାଜ ମନେ ମନେ ହସିଲା ।

 

ଦେୱାନଜୀ ସନ୍ତ୍ରସ୍ତ ହୋଇ ବାହାରେ ଛିଡ଼ା ହୋଇଥିଲେ । ତାଙ୍କ ପରି ଲୋକର ମଧ୍ୟ ଦୁଭାବନା ହୋଇଛି । ତହବିଲର ଟଙ୍କା ତୋସରଫ କରିବା ତାଙ୍କ ପକ୍ଷରେ ଏହା ନୂଆ ନୁହେଁ । ବିଗତ ଚାଳିଶ ବର୍ଷ ହେଲା ସେ ଏହିପରି କରୁଛନ୍ତି । ଚୌଧୁରୀ ବଂଶର ଜମିଦାରମାନେ ଦୁଦ୍ଦାନ୍ତ ହେଲେ ମଧ୍ୟ ସେମାନେ ଏତେ ପରିଶ୍ରମ କରି ହିସାବ ତନଖି କରୁ ନଥିଲେ । ଆଉ ଏ ଅନଭିଜ୍ଞ ଯୁବକ ଯାହାକୁ ଦେୱାନଜୀ କେବଳ ଗୋଟାଏ ଅପଗଣ୍ତ ବୋଲି ଭାବିଥିଲେ, ସେ ଯେ ଏପରି ଅନାୟାସରେ ତାଙ୍କର ସବୁ ଗଫଲତି ଧରି ନେବ ତାହା ସେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲେ । କିନ୍ତୁ ଏବେ ଉପାୟ ! ! ଦେୱାନଜୀ ଗୋଟିଏ ଦୀର୍ଘ ନିଶ୍ଵାସ ପକାଇଲେ । ହୁଏତ ଦେୱାନଜୀ ଭୁଲ କରିଥିଲେ । ଧୀରାଜକୁ ସମ୍ପୂର୍ଣ୍ଣ ଭୁଲ ବୁଝିଥିଲେ । ସେ ବ୍ୟବସାୟୀର ସନ୍ତାନ । ବ୍ୟବସାୟୀ ସୁଲଭ ବୁଦ୍ଧି ତା’ ରକ୍ତରେ ରହିଛି । କଡ଼ା କ୍ରାନ୍ତି ହିସାବ ବ୍ୟବସାୟୀର ବିଶେଷତ୍ଵ । ସେ ଜମିଦାରୋଚିତ ଉଦାର ଓ ବେପରୋୱା ହେବ କିପରି ! ସାଢ଼େ ସାତ ହଜାର ଟଙ୍କା, ସାମାନ୍ୟ ଅର୍ଥ ମଧ୍ୟ ନୁହେଁ । ତାଙ୍କ ବିରୁଦ୍ଧରେ ପ୍ରମାଣ ମଧ୍ୟ ଅଭାବନାହିଁ । ହଉ, ପ୍ରଭୁ ଲଙ୍ଗଳେଶ୍ଵର ଯାହା କରିବେ ।

 

ତ୍ରିଲୋଚନ ଘରୁ ଚାଲି ଯିବାପରେ ଦେୱାନଜୀ ଖାତାପତ୍ର ନେଇ ଘରେ ପଶିଲେ । ଧୀରାଜ ଦେୱାନଜୀଙ୍କୁ ଯଥାଚିତ ସମ୍ମାନ ଦେଖାଇ ବସାଇଲା । ତା’ପରେ ହସ ହସ ମୁହଁରେ କହିଲା—ଆପଣ ହିସାବ ଖାତାପତ୍ର ନେଇ ଆସିଛନ୍ତି ଦେଖି ଆନନ୍ଦିତ ହେଲି । ହିସାବରେ ଗଫଲତି ରହି ଯିବାଟା ଠିକ୍ ନୁହେଁ । ନୁହେଁ କି ?

 

ଦେୱାନଜୀ କୌଣସି ଉତ୍ତର ନ ଦେଇ ନୀରବରେ ଠିଆ ହୋଇରହିଲେ । ତାପରେ ଧୀରାଜ କହିଲା, ଆଜି ହିସାବ ପରୀକ୍ଷା କଲାବେଳେ ମୁଁ ଦେଖିଛି ଯେ ବିଗତ ଦଶ ବର୍ଷ ହେଲା ଆପଣଙ୍କ ବେତନ ବାବତରେ ମାସିକ ମାତ୍ର ଶହେ ଟଙ୍କା ପଡ଼ିଛି । ମୋ ବିଚାରରେ ଏହା ହାସ୍ୟାସ୍ପଦ । ଆପଣଙ୍କ ପରି ଅଭିଜ୍ଞ ଓ କରିତ୍ କର୍ମା କର୍ମଚାରୀ ମାସକୁ ମାତ୍ର ଶହେ ଟଙ୍କା ପାଇବା ଅନ୍ୟାୟ । ସୁତରାଂ ଏଇ ଦଶ ବର୍ଷ ଭିତରେ ଆପଣଙ୍କର ମାସିକ ବେତନ ମୁଁ ଦୁଇଶହ ଟଙ୍କା ଧରୁଛି । ତା’ ହେଲେ ଏଇ ଦଶବର୍ଷରେ ଆପଣଙ୍କର ଆହୁରି ବାରହଜାର ଟଙ୍କା ପ୍ରାପ୍ୟ । ସେଥିରୁ ସାତହଜାର ପାଞ୍ଚଶହ ଟଙ୍କା ତହବିଲରୁ ଆପଣ ନେଇଛନ୍ତି । ବାକି ଆପଣଙ୍କର ପ୍ରାପ୍ୟ ହେଉଛି ସାଢ଼େ ଚାରିହଜାର ଟଙ୍କା । ମୁଁ ଚେକ୍ କାଟିରଖିଛି । ଏଇ ନିଅନ୍ତୁ ।

 

ଏହା କହି ଖଣ୍ଡିଏ ଚେକ୍ ଦେୱାନଜୀଙ୍କ ହାତରେ ଧୀରାଜ ଦେଲା ।

 

ଦେୱାନଜୀ ନିର୍ବାକ୍ ହୋଇ ଏଇ ବିଚିତ୍ର—ସ୍ୱଭାବ ଯୁବକର କଥା ଶୁଣୁଥିଲେ । ସତକୁ ସତ ଏତେ ଗୁଡ଼ାଏ ଟଙ୍କାର ଚେକ୍ ଦେବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ଚେକ୍‍ଟି ଧରି ସେ ନିସ୍ପନ୍ଦଭାବରେ ଛିଡ଼ା ହୋଇ ଭାବିବାକୁ ଲାଗିଲେ ।

 

ବୃଦ୍ଧର ଅନ୍ତରର ସନ୍ଦେହ ଧୀରାଜ ଯେପରି ନିର୍ଭୁଲ ଭାବରେ ବୁଝିପାରିଲା । ହସି ହସି କହିଲା—ଏ ବିଷୟରେ କୌଣସି ସନ୍ଦେହ କରିବାର ଅବକାଶ ନାହିଁ ଦେୱାନଜୀ । ଆପଣ ବ୍ୟାଙ୍କରେ ଚେକ୍‍ଟି ଦାଖଲ କଲେ ବୁଝି ପାରିବେ ଯେ ଏଥିରେ କୌଣସି ଗଫଲତି ନାହିଁ । ହଁ, ଆଉ ଗୋଟିଏ କଥା; ଏହା କହି ଧୀରାଜ ଦ୍ୱିତୀୟ ଚେକ୍‍ଟି ଆଣି ଦେୱାନଜୀଙ୍କ ହାତରେ ଦେଇ କହିଲା—ନଟବର ବାବୁଙ୍କ “ଡ୍ରାମାଟିକ୍ କ୍ଲବ”କୁ ମୋର ଏଇ ପାଞ୍ଚଶହ ଟଙ୍କା ଦାନ । ତାଙ୍କୁ ଆପଣ ଦେଇ ଦେବେ ।ରସିଦର ପ୍ରୟୋଜନ ନାହିଁ ।

 

ଦେୱାନଜୀ ସ୍ତମ୍ଭିତ ହୋଇଗଲେ । ଥରିଲା ଗଳାରେ କହିଲେ—କିନ୍ତୁ, ଏତେ ଗୁଡ଼ାଏ ଟଙ୍କା… !

 

ହସି ହସି ଧୀରାଜ କହିଲା—ମୋର ଆହୁରି ଅନେକ ଟଙ୍କା ଅଛି ଦେୱାନଜୀ । ଆପଣ ଅକାରଣରେ କୁଣ୍ଠିତ ହେବେ ନାହିଁ । ହଁ, ଆଉ ଗୋଟିଏ କଥା ବସନ୍ତୁ ।

 

ବୃଦ୍ଧ ନୀରବରେ ଖଣ୍ଡିଏ ଚୌକିରେ ବସିରହିଲେ । ଏ’ ବିଚିତ୍ର ଯୁବକର କାର୍ଯ୍ୟ କଳାପ ତାଙ୍କୁ କିପରି ସ୍ତମ୍ଭିତ କରି ଦେଇଥିଲା । ଯାହାକୁ ସେ ଗୋଟାଏ ହୀନ ବ୍ୟବସାୟୀ ବୋଲି ଭାବିଥିଲେ, ତା’ରି ଭିତରେ ଏପରି ଗୋଟାଏ ଉଦାର ହୃଦୟ ଦେଖି ପାରି ସେ ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ତା ପରେ ଯେ ଧୀରାଜ କେଡ଼େ ସାଂଘାତିକ କଥା କହିବ ସେ କଥା ସେ କଳ୍ପନା କରି ପାରି ନ ଥିଲେ ।

 

ଧୀରାଜ କହିଲା—ଆପଣ ନିଜେ ମୋତେ ବୁଝାଇଛନ୍ତି ଯେ ବର୍ତ୍ତମାନର ଏ ସମ୍ପତ୍ତିର ଆୟ ଯତ୍‍ସାମାନ୍ୟ ମାତ୍ର । ସେ କଥା ମୁଁ ମଧ୍ୟ ଆଜି ବୁଝି ପାରିଛି । ଏପରି ସ୍ଥଳେ ଆପଣଙ୍କ ପରି ଜଣେ ଅଭିଜ୍ଞ କର୍ମଚାରୀଙ୍କୁ ଯଥୋଚିତ ବେତନ ଦେଇରଖି ପାରିବା ଅସମ୍ଭବ । ଏ କଥା ମଧ୍ୟ ନିଶ୍ଚୟ ଯେ ଆପଣ ନ ରହିଲେ ଆପଣଙ୍କର ଅତି ମୂଲ୍ୟବାନ ଉପଦେଶରୁ ମୋତେ ବଞ୍ଚିତ ହେବାକୁ ହେବ । କିନ୍ତୁ ଯାହା ମୋର ବିଧି ଲିପି ତା’ର ଅନ୍ୟଥା ବା ହେବ କିପରି ? ଅତଏବ ଆପଣ ଆଜିଠାରୁ ମାସକ ଭିତରେ ସବୁ କାଗଜ ପତ୍ର ଠିକ୍ କରିରଖନ୍ତୁ । ଏଇ ସମୟ ଭିତରେ ଅନ୍ୟ କୌଣସି କର୍ମଚାରୀ ମୁଁ ସଂଗ୍ରହ କରି ପାରିବି ।

 

ଦେୱାନଜୀ ସ୍ତମ୍ଭିତ ହୋଇଗଲେ । ଏଇ ସିରସ୍ତାରେ ତାଙ୍କର ଦୀର୍ଘ ଚାଳିଶ ବର୍ଷ କଟି ଯାଇଛି । ବିଗତ ଦଶବର୍ଷ ହେଲା ସେ ଏଠାରେ ସର୍ବେସର୍ବା ଥିଲେ । ସେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ ଯେ ସେ ଏଠାରେ ସାମାନ୍ୟ କର୍ମଚାରୀ ମାତ୍ର । ମୃତ୍ୟୁ ପୂର୍ବରୁ ତାଙ୍କୁ ଏଠାରୁ କେହି ତଡ଼ି ଦେଇ ପାରିବ, ଏହା ଥିଲା ତାଙ୍କର କଳ୍ପନାତୀତ ।

 

କିନ୍ତୁ ଧୀରାଜର କଥାରେ ମଧ୍ୟ କିଛି ଜଟିଳତା ନାହିଁ । ତାହା ମାର୍ଜିତ, ତୀକ୍ଷ୍ଣ ଓ ଅତି ସରଳ । ତାର ସହାସ୍ୟ ଉକ୍ତିରେ ଏପରି ଗୋଟିଏ ପ୍ରଚ୍ଛନ୍ନ ଆଦେଶ ଥିଲା ଯାହା ଅଲଙ୍ଘନୀୟ । ଯାହା ଏଇ ବଂଶର ଜମିଦାରମାନଙ୍କର ବିଶେଷତ୍ୱ । ବୃଦ୍ଧ ଦେୱାନଙ୍କର ସୁଦୀର୍ଘ ସ୍ମୃତିର ପ୍ରଚ୍ଛଦପଟରେ ଏଇ ବଂଶର ମହାରଥୀମାନଙ୍କର ରୂପ ଭାସି ଉଠିଲା । ଥରେ ଯେଉଁ ଆଦେଶ ମୁହଁରୁ ବାହାରେ ତାର ଆଉ ଅନ୍ୟଥା ହୁଏ ନାହିଁ ।

 

ଦେୱାନଜୀ ଭାବିଥିଲେ ଯେ ସେ ଚୌଧୁରୀ ବଂଶର ବିଲୋପ ହୋଇଛି । ସୂର୍ଯ୍ୟନାରାୟଣଙ୍କର ମୃତ୍ୟୁପରେ ସବୁ ଶେଷ ହୋଇ ଯାଇଛି । କିନ୍ତୁ ସେ ଆଜି ବୁଝି ପାରିଲେ ଯେ ସେ ବଂଶର ମୃତ୍ୟୁ ହୋଇ ନାହିଁ । ସେଇ ନୀଳରକ୍ତର କ୍ଷୀଣ ସ୍ରୋତ ନୂତନ ଗୋଟିଏ ପ୍ରବାହରେ ସଂଯୁକ୍ତ ହୋଇ ଆହୁରି ଉଦ୍ଦାମ ହୋଇ ଯାଇଛି ।

 

ଦେୱାନ ନତ ମସ୍ତକରେ ଧୀରାଜର ଆଦେଶ ମାନି ନେଇ ଧୀରେ ଧୀରେ ଘରୁ ବାହାରି ଗଲେ ।

 

–ଛଅ–

 

କେତୋଟି ଦିନ କଟି ଯାଇଛି । ରାତି ପରେ ରାତି ସେଇ ଏକାପରି ଭୌତିକ ଘଟଣା ଘଟି ଚାଲିଛି । ସେଇପରି କୁକୁରର କ୍ରୁଦ୍ଧ ଗର୍ଜନ । ଗୋଟିଏ ଦୀର୍ଘ କଳାଛାଇର ଘରସାରା ଭ୍ରମଣ । ସର୍ବୋପରି ଚିତ୍ରପଟଟିର ସେହିପରି ଭୟାଳ ରୂପ ।

 

ସବୁ ଘଟଣା ମଣିଷର ସ୍ନାୟୁତନ୍ତ୍ରୀରେ କ୍ରମେ ସହି ଯାଏ । ଯେଉଁ ଭୟାବହ ଭୌତିକ ଘଟଣା ଦେଖି ଧୀରାଜ ପ୍ରଥମ ରାତିରେ ସଂଜ୍ଞାହୀନ ହୋଇ ଯାଇଥିଲା, ସେଇ ଘଟଣା ତା ନିକଟରେ କ୍ରମେ ସାଧାରଣ ହୋଇ ଆସୁଛି । କେବେ କେବେ ଗଭୀର ରାତିରେ ଧୀରାଜ ଗୋଟିଏ ନାରୀର କ୍ରନ୍ଦନ ଧ୍ଵନି ଶୁଣି ପାରେ । ପ୍ରାଚୀନ ପ୍ରସ୍ତର ସ୍ତୁପ ଭିତରୁ ଯେପରି ସେ କରୁଣ କ୍ରନ୍ଦନ ଭାସି ଆସେ । ଏଇ ଅତି ପ୍ରାଚୀନପୁରୀର ଆତ୍ମା ଯେପରି ଗଭୀର ରାତିରେ କାନ୍ଦେ । ସେ କରୁଣ କ୍ରନ୍ଦନ ଯେଉଁପରି ଭୟାବହ ସେହିପରି ମର୍ମସ୍ପର୍ଶୀ ।

 

ଅଧ୍ୟାପକ ତ୍ରିବେଦୀ ନିଶ୍ଚୟ ଆସିବେ । ସେ ପ୍ରେତତତ୍ତ୍ଵଜ୍ଞ ମହାପଣ୍ଡିତ । ସେ ଆସିଲେ ଏ ବିଚିତ୍ର ରହସ୍ୟ ନିଶ୍ଚୟ ଉଦ୍‍ଘାଟନ କରି ପାରିବେ । ସେଇ ଆଶାରେ ଧୀରାଜ ଏଠାରେ ଅପେକ୍ଷା କରି ବସିଛି । ଏ ଭୌତିକ ଘଟଣା ଆଉ କାହାରି ନିକଟରେ ଉଲ୍ଲେଖ କରିନାହିଁ । ମୋବାରକ ନିକଟରେ ମଧ୍ୟ ନୁହେଁ ।

 

ସେ ଦିନ ଅପରାହ୍ନରେ ସମୁଦ୍ର କୂଳକୁ ବୁଲିଯାଇ ଧୀରାଜ ଦେଖିଲା ଯେ ମୋବାରକ ବାଲି ଉପରେ ଏକା ବସି ଆକାଶକୁ ଅନାଇ ରହିଛି । ଧୀରାଜ ଯାଇ ନିକଟରେ ବସିଲା । ତଥାପି ବୃଦ୍ଧର ଧ୍ୟାନଭଗ୍ନ ହେଲାନାହିଁ । ଜୀବନର ସାୟାହ୍ନରେ ପହଞ୍ଚି ନିଃସଙ୍ଗ ମାନବ କ’ଣ ଭାବେ, ମନସ୍ତାତ୍ତ୍ୱିକ ଧୀରାଜର ଜାଣିବାକୁ ବଡ଼ ଇଚ୍ଛା ହେଲା । ସୁଦୂର ଆକାଶ ତଳେ ଏ ବୃଦ୍ଧ ଧ୍ୟାନମଗ୍ନ ହୋଇ କ’ଣ ଦେଖୁଛି, ସେଇ ଜାଣେ । ଭଗବାନଙ୍କୁ ହୁଏତ ଧ୍ୟାନ କରୁଛି । ହୁଏତ କୌଣସି ଲୋକାନ୍ତରଗତ ପ୍ରିୟଜନର ଛାଇ ଆକାଶ ତଳେ ଦେଖିବାର ଚେଷ୍ଟା କରୁଛି ।

 

ବୃଦ୍ଧର ଧ୍ୟାନ ଭଙ୍ଗ କରି ଧୀରାଜ କହିଲା—ସଲାମ ହାଜୀ ସାହେବ ।

 

ଧୀରାଜକୁ ପାଖରେ ବସି ଥିବାର ଦେଖି ବୃଦ୍ଧର ପାଉଁସିଆ ନିଷ୍ପ୍ରଭ ଆଖି ଖୁସିରେ ଉଜ୍ଜ୍ୱଳ ହୋଇ ଉଠିଲା । ଧୀରାଜକୁ କୁଣ୍ଢାଇ ପକାଇ ମୋବାରକ କହିଲା—ମେରା ଛୋଟା ମାଲିକ୍-

 

ଅନ୍ୟାନ୍ୟ କେତେକଥା ପରେ ଧୀରାଜ କହିଲା—ମୋବାରକ, ତମ ପିଲା ବେଳର କଥା ସବୁ ମୋତେ କହ । ଶୁଣିବାକୁ ବଡ଼ ଇଚ୍ଛା ହେଉଛି । ତୁମେ କେବଠାରୁ ଆଉ କିପରି ଚୌଧୁରୀ ଉଆସରେ ରହିଲ, ମୋତେ କହ ।

 

ଧିରାଜର କଥା ଶୁଣି ମୋବାରକ କିଛିକ୍ଷଣ ନୀରବରେ ବସିରହିଲା । ବୋଧହୁଏ ଅତି ପୁରୁଣା କଥା ଗୁଡ଼ିକ ସଜାଡ଼ି କହିବ ବୋଲି ଥରେ ଭଲକରି ମନେ ପକାଇ ନେଲା । ତା’ପରେ ଧୀରେ ଧୀରେ କହିଲା—ହଜୁର ମୁଁ ଯେତେବେଳେ ପଚିଶ ବର୍ଷର ଜୋଆନ୍ ସେତେବେଳେ ମୁଁ ଥିଲି ଭୟଙ୍କର ଗୋଟାଏ ଡକାଏତ ଦଳର ସର୍ଦ୍ଦାର । ମୟୁରଭଞ୍ଜର ନିଘଞ୍ଚ ବଣ ଭିତରେ ଆମେ ଲୁଚିରହି ଡକାଇତି କରୁଥିଲୁ । ଗଡ଼ଜାତର ରାଜସର୍କାର ଆମର କୌଣସି ସନ୍ଧାନ ପାଇ ପାରୁ ନଥିଲେ । ସେ ଆଜିକି ପଇଁଚାଲିଶ ବର୍ଷ ତଳର କଥା । ସୁବର୍ଣ୍ଣରେଖା ନଈରେ ବଡ଼ ବଡ଼ ବୋଇତମ ନ ଯା’ ଆସ କରୁଥିଲା । ସୁବିଧା ଉଣ୍ଡି ସେଇ ସବୁ ବୋଇତ ଉପରେ ଆମ ଦଳ ଚଢ଼ାଉ କରୁଥିଲେ । ଧନ ଲୁଟି କରୁଥିଲେ ।

 

ଏତିକି କହି ମୋବାରକ ଚୁପ୍‍ ହେଲା । ଧିରାଜ ପିଲାଙ୍କପରି ପଚାରିଲା—ତମେ କେବେ ନରହତ୍ୟା କରିଛ ?

 

—ବହୁତ ହଜୁର ! ଏଇ ହାତରେ ଲାଠିମାରି କେତେ ମଣିଷର ଯେ ମୁଣ୍ଡ ଉଡ଼ାଇ ଦେଇଛି, ତାର ସୀମା ନାହିଁ । ଦଶ ଜନ୍ମରେ ମଧ୍ୟ ସେ ପାପ ଯିବନାହିଁ । ମୋବାରକର ନାଁ ଶୁଣିଲେ ପଚାଶ ମରଦ ଲାଠିସଡ଼କି ନେଇ ପଳାଇ ଯାଉଥିଲେ । ଦୁଇ ଦୁଇଟା ଭୟଙ୍କର ବାଘ ଜଙ୍ଗଲ ଭିତରେ ମୋର ଲାଠିରେ ମଲେ । ଶେଷରେ ବାଘଠାରୁ ମଧ୍ୟ ତେଜୀ ଆଉ ବଳିଆର ମରଦ ନିକଟରେ ମୋର ଲାଠି ନଇଁ ପଡ଼ିଲା । ସେଇ ଦିନଠାରୁ ମୁଁ ଡକାୟତ ଦଳର ସର୍ଦ୍ଦାରୀ ଛାଡ଼ି ସେଇ ମରଦର ଗୋଡ଼ ତଳେ ପଡ଼ିରହିଲି । ସେ ଆଜିକି ପ୍ରାୟ ପଇଁଚାଳିଶ ବର୍ଷ ତଳର କଥା ।

 

ମୋବାରକ ପୁଣି କିଛିକ୍ଷଣ ନୀରବ ରହିଲା । ଧୀରାଜ ପିଲାଙ୍କ ପରି ବ୍ୟସ୍ତ ହୋଇ କହିଲା—କ’ଣ କିପରି ହେଲା ସବୁ କହ ମୋବାରକ ।

 

—ଭୋଦୁଅ ମାସର ଭରା ନଈ ହଜୁର । ଆମ ଦଳର ଜଣେ ସମ୍ବାଦ ନେଇ ଆସିଲା ଯେ ଗୋଟାଏ ବଡ଼ ବୋଟରେ ଜଣେ ଧନୀ ଜମିଦାର ଅନେକ ଧନ ସମ୍ପତ୍ତି ନେଇ ଯାଉଛନ୍ତି । ସାଙ୍ଗେ ସାଙ୍ଗେ ମୁଁ ଦଳବଳ ନେଇ ଉଠିଲି । ଜହ୍ନ ରାତିରେ ଗୋଟିଏ ବଡ଼ “ବଜରା” ନଈ ମଝିରେ ଭାସି ଚାଲିଛି । ଆଖ ପାଖରେ କେହି କେଉଁଠି ନାହାନ୍ତି । ଆମର ଦୁଇଟି ଲମ୍ବା ନାହାରେ ପଚାଶଜଣ ମରଦ ‘ବଜରା’ ନିକଟରେ ପହଞ୍ଚିଲେ । ‘ବଜରା’ ଉପରେ ଦୁଇଜଣ ବରକନ୍ଦାଜ ବନ୍ଧୁକ ଧରି ପହରା ଦେଉଛନ୍ତି । ମନେ ମନେ ମୁଁ ହସିଲି । ମୋ ଦଳର ଲାଠି ଓ ସଡ଼କି ନିକଟରେ ଯେ ବନ୍ଧୁକ କିଛି ନୁହେଁ ଏକଥା ବହୁଥର ମୁଁ ଦେଖିଛି । ହଠାତ୍ ଆମ ଡଙ୍ଗାରୁ ଗୋଟିଏ ସଡ଼କି ଶୂନ୍ୟରେ ଉଡ଼ିଗଲା । ଦୁଇଜଣ ଯାକ ବରକନ୍ଦାଜ ଛୁଞ୍ଚିରେ ଫୁଲ ଗୁନ୍ଥିଲାପରି ଗୁନ୍ଥି ହୋଇ ସେଇଠାରେ ଟଳି ପଡ଼ିଲେ । ଭୀଷଣ ଗୋଳମାଳ ଉଠିଲା । ଜମିଦାରଙ୍କର ପାଇକ ବରକନ୍ଦାଜ ଓ ମୋ ଦଳର ଡକାୟତମାନଙ୍କ ଭିତରେ ଭୀଷଣ ଯୁଦ୍ଧ ଚାଲିଲା । ଗୋଟିକ ପରେ ଗୋଟିଏ ଜମିଦାରଙ୍କ ପାଇକ ଲାଠି ମାଡ଼ରେ ଟଳି ପଡ଼ିଲେ । ଆମେମାନେ ମାଲିକଙ୍କ କୋଠରୀ ଉପରେ ଚଢ଼ାଉକଲୁ । କାଠ ଦୁଆର ଉପରେ ଦୁମ ଦୁମ ଗୋଇଠା ମାରିଲୁ । ମୁଁ ହୁକୁମ ଦେଲି—ଶୀଘ୍ର ଦୁଆର ଖୋଲି ପଦାକୁ ବାହାର । ତା’ ନହେଲେ କାହାରି ଜାନ୍‍ ରହିବ ନାହିଁ ।

 

ଦୁଆର ଖୋଲିଗଲା । ଘରଭିତରୁ ଜମିଦାର ବାହାରି ଆସିଲେ । ତାଙ୍କ ଦୁଇ ହାତରେ ଦୁଇଟା ପିସ୍ତଲ ଆଉ ଆଖିରେ ଜଳନ୍ତା ନିଆଁ । ସେଦିନ ରାତିରେ ସଫା ଜହ୍ନ ଆଲୁଅରେ ମୁଁ ଯେଉଁ ରୂପ ଦେଖିଲି ହଜୁର, ତା ମୁଁ ଜୀବନରେ କେବେ ଦେଖିନଥିଲି । ମୋ ଆଡ଼େ ଚାହିଁ ଜମିଦାର କହିଲେ—ଓଃ ତମେ ଏ ଡକାୟତ ଦଳର ସର୍ଦ୍ଦାର । ଖାଲି ଲାଠି ଧରିଛ । ଆଚ୍ଛା ମୁଁ ଲାଠି ଆଣୁଛି ।

 

ଦୁଇଟି ଯାକ ପିସ୍ତଲ କୋଠରୀ ଭିତରକୁ କାହା ହାତକୁ ବଢ଼ାଇ ଦେଲେ । କୋଠରୀ ଭିତରେ ଦୁର୍ଗା ପ୍ରତିମା ପରି ଗୋଟିଏ ନାରୀ ପିସ୍ତଲ ଦୁଇଟି ନେଇ ଖଣ୍ଡିଏ ପାଚିଲା ବାଉଁଶର ଲାଠି ଜମିଦାରଙ୍କ ହାତକୁ ବଢ଼େଇ ଦେଲେ, ଲାଠିଟି ବାଗେଇ ଧରି ଜମିଦାର କହିଲେ—ଏଥର ଆଗେଇ ଆସ ସର୍ଦ୍ଦାର । ଦେଖେ, ତମ କବ୍‍ଜି ଆଉ ଲାଠିରେ କେତେ ଶକ୍ତି ।

 

ଏ ଡାକରାରେ ମୋର ମୁଣ୍ଡକୁ ରକ୍ତ ଚଢ଼ିଗଲା । ପ୍ରାଣମୂର୍ଚ୍ଛା କରି ମୁଁ ଲାଠି ଉଞ୍ଚାଇ ମାଡ଼ିଗଲି । ମୋର ଦଳର ମରଦମାନେ ବି ଲାଠିନେଇ ଘେରିଗଲେ । ହେଲେ ହଜୁର ପାଞ୍ଚମିନିଟରେ ସବୁ ସଫା । ଧନ୍ୟ ସେ ଲାଠିଆଳ—ଧନ୍ୟ ତାଙ୍କର ଗୁରୁ । ମୋ ଡାହାଣ ହାତ କବ୍‍ଜିରେ ଲୁହା ହାତୁଡ଼ି ପରି ସେ ଲାଠି ବାଜିଲା । ମୋ ଲାଠି ହାତରୁ ଖସି ନଈସୁଅରେ ଭାସିଗଲା-। ସେଦିନ ଯୁଦ୍ଧରେ ଜୀବନରେ ପ୍ରଥମଥରପାଇଁ ମୁଁ ହାରିଲି । ସେଇଦିନଠାରୁ ମୁଁ ସେ ପୁରୁଷସିଂହଙ୍କ ନିକଟରେ ଆଶ୍ରୟ ନେଲି । ସେ ହେଉଛନ୍ତି ଜମିଦାର ସ୍ଵର୍ଯ୍ୟନାରାୟଣ ଚୌଧୁରୀ । କିନ୍ତୁ ସେ ବି ଚାଲିଗଲେ । ମୁଁ ଏକା ଏ ଦୁନିଆରେ ପଡ଼ିଛି ।

 

ଏହାକହି କେଉଁ ଅଦୃଶ୍ୟ ବିଦେହୀ ଉଦ୍ଦେଶ୍ୟରେ ମୋବାରକ୍ ଗୋଟିଏ ନମସ୍କାର କଲା-

 

ଧୀରାଜ ପଚାରିଲା—ଆଚ୍ଛା ମୋବାରକ୍, ତୁମେ ସେଦିନ ମୋତେ କହୁଥିଲ ଯେ ସୂର୍ଯ୍ୟନାରାୟଣଙ୍କର ସବୁ ଯାଇ ମଧ୍ୟ ଆହୁରି ବହୁତ ଧନ ଥିଲା । ଏହା ତୁମେ କିପରି ଜାଣିଥିଲ ?

 

ମୋବାରକ୍ କହିଲା—ହଜୁର ମାଲିକଙ୍କ ଧନ ସଙ୍ଗେ ମୋର ଖୁବ୍ ବେଶି ସମ୍ପର୍କ ନଥିଲା-। ମୋର ସମ୍ପର୍କ ଥିଲା ତାଙ୍କର ମନ ସଙ୍ଗେ । ମରିବାର ମାତ୍ର ପାଞ୍ଚଦିନ ଆଗରୁ ମୋତେ ଦିନେ ମାଲିକ ହସି କହିଲେ—ମୋବାରକ୍, ସମସ୍ତେ କହୁଛନ୍ତି ଚୌଧୁରୀ ବଂଶର ସବୁ ଗଲା । ସୂର୍ଯ୍ୟନାରାୟଣ ଚୌଧୁରୀ ଗରିବ ହୋଇଗଲା । କିନ୍ତୁ ଏ କଥା କେହି ଜାଣନ୍ତି ନାହିଁ ଯେ ଚୌଧୁରୀ ବଂଶର ଉଭା ଯେତେ ପୋତା ତାଠାରୁ ବହୁତ ବେଶୀ ।

 

ସେଦିନ ସଞ୍ଜବେଳେ ହଠାତ୍ ଗୋଟିଏ ଧାରଣା ଧୀରାଜ ମନରେ ଉଦୟ ହେଲା । ଏ ବଂଶର କ’ଣ କେଉଁଠାରେ ଗୁପ୍ତଧନ ଲୁଚା ହୋଇରଖା ହୋଇଛି ? ତା’ନହେଲେ ସୂର୍ଯ୍ୟନାରାୟଣଙ୍କର ଉକ୍ତିର ମର୍ମ କଣ ! “ଏ ବଂଶର ସମ୍ପଦର ଉଭା ଯେତେ ପୋତା ତାଠାରୁ ବେଶୀ ।”

 

ଯୁଗ ଯୁଗଧରି ଏ ବଂଶର ଜମିଦାରମାନେ ସମ୍ପଦ ଲୁଣ୍ଠନ କରିଛନ୍ତି । ଏହାହିଁ ଜମିଦାର ପରିବାରର ଚିରନ୍ତନ ଇତିହାସ । କେତେ ଲୁହ—କେତେ ଲହୁର ପରିବର୍ତ୍ତରେ ଦରିଦ୍ର ପ୍ରଜା ଯେ ଜମିଦାରର ଅର୍ଥ କ୍ଷୁଧାର ଇନ୍ଧନ ଯୋଗାନ୍ତି ତାର ଇୟତ୍ତା ନାହିଁ । ବହୁ ପୁରୁଷର ଗଚ୍ଛିତ ଅର୍ଥ ଭଣ୍ଡାର କ’ଣ ଗୋଟିଏ ପୁରୁଷରେ ନିଃଶେଷ ହୋଇଯାଇ ପାରେ ! ଏ ବିଶାଳ ପାଷାଣପୁରୀର କେଉଁ ଅଜ୍ଞାତ ସ୍ଥାନରେ ଏ ବଂଶର ଗୁପ୍ତରତ୍ନ ଭଣ୍ଡାର ଥିବା ସମ୍ପୂର୍ଣ୍ଣ ଅସମ୍ଭବ ମଧ୍ୟ ନୁହେଁ ।

 

ସେଦିନ ଧୀରାଜର ରାତ୍ରି ଭୋଜନ ଶେଷ ହେବା ପରେ ଭୀଷଣ ଝଡ଼ ତୋଫାନ ସଙ୍ଗେସଙ୍ଗେ ପ୍ରବଳବର୍ଷା ଆରମ୍ଭ ହେଲା । କୋମଳ ଓ ପ୍ରଶାସ୍ତ ବିଛଣାରେ ଶୋଇରହି ଧୀରାଜ ଝରକା ବାଟେ ଏ ଅଦିନିଆ ଝଡ଼ର ତାଣ୍ଡବ ଦେଖିବାକୁ ଲାଗିଲା । ତାପରେ ଧୀରେ ଧୀରେ ଗଭୀର ନିଦ୍ରାରେ ବୁଡ଼ିଗଲା ।

 

ସେତେବେଳେକୁ ବୋଧହୁଏ ରାତ୍ରିର ଶେଷ ପ୍ରହର । ଗୋଟାଏ ଅସ୍ଵାଭାବିକ ଶବ୍ଦରେ ହଠାତ୍ ଧୀରାଜର ନିଦ ଭାଙ୍ଗିଗଲା । ଝଡ଼ବର୍ଷା ପୂର୍ଣ୍ଣ ବେଗରେ ଚାଲିଛି । ବାୟୁବିକ୍ଷବ୍‍ଧ ବଙ୍ଗୋପସାଗରର ଉତ୍ତାଳ ତରଙ୍ଗମାଳା ଭୀଷଣ ଗର୍ଜ୍ଜନ କରୁଛନ୍ତି । ସୁ ସୁ ହୋଇ ଭୀମବେଗରେ ଝଡ଼ ତୋଫାନ ଶେଷରାତ୍ରିର ଆକାଶରେ ତାଣ୍ଡବ ନର୍ତ୍ତନ କରୁଛି । ଗୋଟିଏ ପେଟ୍ରୋମାକ୍‍ସ ଲାଲଟ ଜଳୁଥିଲା, ତାହା ନିଭିଯାଇଛି । ଘର ମଝିରେ ଝୁଲୁଥିବା ଗୋଟିଏ ଝାଡ଼ ଲଣ୍ଠନ ସ୍ତିମିତ ଆଲୋକ ଘରଟିକୁ ପ୍ରାୟାନ୍ଧକାର କରିରଖିଛି । ସେଇ ଆଲୁଅରେ ଧୀରାଜ ଦେଖିପାରିଲା ଗୋଟିଏ ସ୍ପଷ୍ଟଛାୟା ମୂର୍ତ୍ତୀ ଘରସାରା ବୁଲୁଛି । ଏପରି ଦୁର୍ଯ୍ୟୋଗମୟ ରାତ୍ରିର ଶେଷ ପ୍ରହରରେ ହଠାତ୍ ଗଭୀର ନିଦରୁ ଉଠି ନିର୍ଜ୍ଜନ ଶୟନ କକ୍ଷରେ ଏପରି କେ ଭୟାବହ ଭୌତିକ ଦୃଶ୍ୟ ଦେଖିଲେ ଯେ କୌଣସି ଦୁଃସାହସୀ ମଣିଷ ଭୟରେ କମ୍ପି ଉଠିବ । ଧୀରାଜର ମଧ୍ୟ ସର୍ବାଙ୍ଗ ଶୀତେଇ ଉଠିଲା ।

 

ଆଉ କିଛିକ୍ଷଣ ପରେ ଯାହା ଘଟିଲା ତାହା ଯେପରି ଅଭୂତପୂର୍ବ । ସେହିପରି ପରମାଶ୍ଚର୍ଯ୍ୟ । ହଠାତ୍ ବିଛଣା ଉପରୁ ଧୀରଜ ଧୀରେ ଧୀରେ ଶୂନ୍ୟକୁ ଉଠି ଚାଲିଲା । ଅଦୃଶ୍ୟ ଗୋଟିଏ ବିଦେହୀ ପ୍ରେତ ସାନପିଲାଟି ପରି ତାଙ୍କୁ ଟେକି ଧରିଛି । କୌଣସି ମୂର୍ତ୍ତି ଦେଖା ନ ଗଲେ ମଧ୍ୟ, ସେ ଅଦୃଶ୍ୟ ପ୍ରେତାତ୍ମାର ଶୀତଳ ସ୍ପର୍ଶ ଧୀରାଜର ମେରୁଦଣ୍ଡକୁ ଯେପରି କ୍ରମେ ଅବଶ କରି ପକାଇଛି ।

 

ତା’ପରେ ଧୀରାଜର ଦେହ । ସେହି ପ୍ରଶସ୍ତ ଘରର ଶୂନ୍ୟ ଲୋକରେ କେତେଥର ଭାସି ବୁଲିଲା । ତା’ ପରେ ଆସି କବାଟ ନିକଟରେ ଧୀରାଜ ସ୍ଥିର ହେଇ ଶୂନ୍ୟରେ ରହିଲା । ମଜଭୂତ କାଠ କବାଟର ଶିକୁଳି ହଠାତ୍ ଖୋଲିଗଲା । ସୁ ସୁ ହୋଇ ଥଣ୍ଡା ପବନ ଘର ଭିତରକୁ ପଶି ଆସିଲା । ମୁକ୍ତ ଦୁଆର ବାଟେ ଧୀରାଜ ଶୂନ୍ୟରେ ଉଡ଼ିଯାଇ ହଠାତ ତାହାର ଅନ୍ଧକାର ବାରନ୍ଦାରେ ଛିଡ଼ା ହୋଇ ଗଲା । ହଠାତ୍ ତାର ପୂର୍ଣ୍ଣ ଚୈତନ୍ୟ ଫେରି ଆସିଲା । ଚକ୍ ଚକ୍ ହୋଇ ବିଜୁଳି ମାରୁଛି । ସେଇ କ୍ଷଣିକ ଆଲୋକରେ ଧୀରାଜ ଦେଖି ପାରିଲା ଯେ କିଏ ଗୋଟିଏ ଲୋକ ପାଖ ଘରର ତାଲା ବନ୍ଦ କରି ହଠାତ୍ ତରତର ହୋଇ ଚାଲିଗଲା । ଧୀରାଜ କିନ୍ତୁ ଲୋକଟିକୁ ଚିହ୍ନି ପାରିଲା ନାହିଁ । ସେ ମଣିଷ କିମ୍ବା ପ୍ରେତାତ୍ମା ତାହା ମଧ୍ୟ ଧୀରାଜ ନିଶ୍ଚୟ ଭାବରେ ସ୍ନାୟୁମଣ୍ଡଳ ତାର ଅବଶ ହୋଇ ଯାଇଥିଲା । ସେହିଠାରେ ସ୍ତମ୍ଭିତ ହୋଇ ସେ ଛିଡ଼ା ହୋଇରହିଲା ।

 

କ୍ରମେ ବର୍ଷା ବନ୍ଦ ହୋଇ ଆସିଲା ଆଖପାଖର ପଲ୍ଲୀକନ୍ଦରରୁ କେତେଗୁଡ଼ାଏ କୁକୁଡ଼ା ଡାକି ଉଠି ରାତ୍ରି ଶେଷ ଘୋଷଣା କଲେ । ପ୍ରତ୍ୟୁଷର ଧୂସର ଆଲୋକରେ ବଙ୍ଗୋପସାଗରର ଅନନ୍ତ ନୀଳିମା କ୍ରମେ ପ୍ରକଟ ହୋଇ ଉଠିଲା । ବଜ୍ରାହତ ମାନବ ପରି ବାହ୍ୟଜ୍ଞାନ ଶୂନ୍ୟ ହୋଇ ଧୀରାଜ ସେହିଠାରେ ଛିଡ଼ା ହୋଇରହିଲା ।

 

ହଠାତ୍ ଗୋଟିଏ କୋମଳ କରସ୍ପର୍ଶରେ ଧୀରାଜର ଚୈତନ୍ୟ ଫେରି ଆସିଲା । ଚମକି ଉଠି ସେ ତା ନିକଟରେ ଯାହାକୁ ଦେଖିଲା ତାକୁ ସେ ସ୍ଥାନରେ ଓ ସେ ସମୟରେ ସେ କଦାପି ଆଶା କରି ନଥିଲା ।

 

ଆଶ୍ଚର୍ଯ୍ୟ ହୋଇ ଧୀରାଜ କହିଲା—ତମେ !

 

–ସାତ–

 

—ହଁ ଧୀରାଜ ଭାଇ ମୁଁ । ତୁମେ କଣ ଅସୁସ୍ଥ ? ଉଦ୍‍ବିଗ୍ନ ହୋଇ ଲଳିତା ପଚାରିଲା । ଲଳିତାକୁ ପ୍ରକୃତ ଘଟଣା ନା କହି ଧୀରାଜ କହିଲା—ନା ଲଳିତା, ମୁଁ ବେଶ୍‍ ଭଲ ଅଛି । କିନ୍ତୁ ତୁମେ ଏତେବେଳେ ଏଠାକୁ ଆସିଲ କିପରି ?

 

ମୁଁ ଖୁଡ଼ୀଙ୍କ ପାଇଁ ଫୁଲ ତୋଳିବାକୁ ଆସିଥିଲି । ତୁମକୁ ଏପରି ଅବସ୍ଥାରେ ବହୁକ୍ଷଣ ହେଲା ଛିଡ଼ା ହୋଇଥିବାର ଦେଖି ମୋର ଭୟ ହେଲା ଯେ ହୁଏତ ତୁମେ ଅସୁସ୍ଥ । ସେଥିପାଇଁ ମୁଁ ଫୁଲତୋଳା ବନ୍ଦକରି ଏଠାକୁ ଚାଲି ଆସିଲି ।

 

କ’ଣ ଭାବି କେଜାଣି ଧୀରାଜ ହଠାତ୍ ପ୍ରଶ୍ନକଲା । ମୁଁ ଅସୁସ୍ଥ ହେଲେ ତୁମର ଯାଏ ଆସେ କଅଣ ? ତୁମର ଏତେ ଦୁର୍ଭାବନା କାହିଁକି ?

 

ସଜଫୁଲ ପରି ଲଳିତାର ସୁନ୍ଦର ମୁହଁଟି ଧୀରାଜ କଥାରେ ହଠାତ୍ ଝାଉଁଳି ପଡ଼ିଲା । କ୍ଷୁଦ୍ର ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ କହିଲା—ତୁମେ ତା ଜାଣିବ ବା କିପରି ଧୀରାଜଭାଇ ! ତୁମେ ଖେୟାଲୀ ବଡ଼ଲୋକ । ଦୁଇଦିନ ପାଇଁ ଏଠାକୁ ଆସିଛ । ପୁଣି ଯେ ତୁମେ ଏଠାରୁ ଚାଲିଯିବ ତାହା ସୁନିଶ୍ଚିତ । ଭବିଷ୍ୟତରେ କୌଣସି ଗୋଟିଏ ନିର୍ଜନ ଅବକାଶରେ ଯଦି କେଉଁଦିନ ଏ ଲଳିତା କଥା ତୁମର ମନେ ପଡ଼େ ତେବେ ସେତିକି ବେଳେ ଥରେ ଆହୁରି ତଳେଇ ଭାବିବାର ଚେଷ୍ଟା କରିବ ଯେ ତୁମେ ଅସୁସ୍ଥ ହେଲେ ଲଲିତାର ଉଦ୍‍ବିଗ୍ନ ହେବାର କିଛି କାରଣ ଥିଲା କି ନାହିଁ ।

 

ବର୍ଷାସ୍ନାତ ଆକାଶର ରଙ୍ଗ ବଦଳି ଚାଲିଛି । ପୂର୍ବଦିଗନ୍ତରେ ଆଲୋକର ଉଜ୍ଜ୍ଵଳ ଶିଖା କ୍ରମେ ଜଳି ଉଠୁଛି । ଦୁର୍ଯ୍ୟୋଗମୟ କାଳରାତ୍ରିର ସବୁ ଗ୍ଳାନି ଧୀରାଜ ମନରୁ କ୍ରମେ କ୍ରମେ ଉଭାଇଗଲା । ଦେବୀ ପ୍ରତିମାପରି ଲଳିତାର ରୂପରେ ଧୀରାଜ ଯେପରି ମୃଗ୍ଧ ହୋଇଗଲା । ଜୀବନରେ କେତେଗୁଡ଼ିଏ ମୁହୂର୍ତ୍ତ ଆସେ ଯେତେ ବେଳେ ଅନ୍ତରର ସବୁ ଅକୁହା କଥା ଆପେ ଆପେ କହିହୋଇଯାଏ । ଆଜି ଏଇ ବର୍ଷାସ୍ନାତ ପ୍ରକୃତିର ପଟ୍ଟଭୂମିରେ—ଏଇ ପ୍ରାଚୀନ ପ୍ରାସାଦର ନିର୍ଜନ କୋଣରେ ଧୀରାଜ ଶରୀର ଭିତରେ ଆଦିମ ମାନବ ଜାଗି ଉଠିଲା । ଲଳିତାର ଦୁଇଟି ହାତକୁ ନିଜ ହାତରେ ଧରି ଧୀରାଜ କହିଲା—ଲଳିତା, ମୁଁ ତୁମକୁ ବିବାହ କରିବି । ନଟବର କଦାପି ତୁମକୁ ମୋ ନିକଟରୁ ଛଡ଼ାଇ ନେଇ ପାରିବ ନାହିଁ । ମୁଁ ତୁମର....

 

ଧୀରାଜର ହାତମୁଠା ଭିତରୁ ଧୀରେ ଧୀରେ ନିଜର ଦୁଇଟି ହାତକୁ ମୁକ୍ତ କରି ବାଷ୍ପ ଗଦ୍‍ଗଦ୍‍ କଣ୍ଠରେ ଲଳିତା କହିଲା—ମୋ ବିଷୟରେ ତୁମେ କିଛି ଜାଣନାହିଁ ଧିରାଜଭାଇ, ମୁଁ ତୁମର ସମ୍ପୂର୍ଣ୍ଣ ଅଯୋଗ୍ୟା । ତୁମର ରୂପ, ଗୁଣ ଓ ବଂଶମାର୍ଯ୍ୟାଦା—ସବୁ ଅଛି । କିନ୍ତୁ ମୋର ଏଇ ସାମାନ୍ୟ ରୂପଛଡ଼ା ଆଉ କୌଣସି ପୁଞ୍ଜି ନାହିଁ । ମୋର ପିତୃ ପରିଚୟ କିଛିନାହିଁ ଧୀରାଜ ଭାଇ । ଯାହାଙ୍କୁ ମୁଁ ଖୁଡ଼ୀ ବୋଲି ଡାକେ ସେଇ ମୋର ପ୍ରକୃତ ମା । ଧନୀର ଲାଳସାରେ ମୋର ଜନ୍ମ—ଇତିହାସ କଳଙ୍କିତ ।

 

ଦାରୁଣ କୋହରେ ଲଳିତାର କଣ୍ଠରୋଧ ହେଲା । ଧୀରାଜ ଦୃଢ଼ ଅଥଚ କୋମଳ କଣ୍ଠରେ କହିଲା—ସବୁ କଥା କୁହ ମୋତେ ଲଳିତା । ମୁଁ ସବୁ ଶୁଣିବାକୁ ଚାହେଁ । କିଛିକ୍ଷଣ ପରେ ଆଖି ପୋଛି ଲଳିତା କହିଲା—ଦେୱାନଜୀଙ୍କ ନିକଟରେ କୁଆଡ଼େ ପ୍ରମାଣ ଅଛି । ଯେ ଜମିଦାର ସୂର୍ଯ୍ୟନାରାୟଣ ହେଉଛନ୍ତି ମୋର ପିତା । ମୋର ଖୁଡ଼ୀଙ୍କ ସହିତ ତାଙ୍କର ଗୁପ୍ତ ପରାମର୍ଶ ମୁଁ କେତେ ଥର ଶୁଣିଛି । ମୁଁ କୁଆଡ଼େ ଏ ସମ୍ପତ୍ତିର ନ୍ୟାୟସଙ୍ଗତ ମାଲିକ । ତମେ ନୁହଁ । ଦେୱାନଜୀ କଚେରୀରେ ମକଦମା କରି ଏକଥା ପ୍ରମାଣ କରି ପାରିବେ । ନଟବର ସହିତ ମୋର ବିବାହ ଦେଇ ନଟବରକୁ ଆଉ ମତେ ଏ ସମ୍ପତ୍ତିର ମାଲିକ କରିବେ । ଆଉ ଯଦି ମୁଁ ଏ ମକଦମାରେ ଓ ଏ ବିବାହରେ ରାଜି ନ ହୁଏ ତେବେ....

 

—ତେବେ କ’ ଣ ହେବ ? ଧୀରାଜ ପଚାରିଲା ।

 

—ମୋର ଜନ୍ମରହସ୍ୟ ପ୍ରଚାର କରି ମୋର ସର୍ବନାଶ କରିବେ । ମୁଁ ତମ ସଙ୍ଗେ ମକଦମା କରି କଚେରୀରେ ସାକ୍ଷ୍ୟଦେଇ ପାରିବିନାଇଁ ଧୀରାଜଭାଇ । ତୁମର ବହୁତ ଧନଅଛି । ଏ ସମାନ୍ୟ ସମ୍ପତ୍ତି ଉପରେ ତୁମର ଯେ ଲୋଭ ନାହିଁ, ଏକଥା ମୁଁ ଭଲଭାବରେ ଜାଣେ । ତୁମେ ଏଠାରୁ ଚାଲିଯାଅ ଧୀରାଜଭାଇ ।

 

କେତେ ଅଜଣା କଥା ଧୀରାଜ ଏଥର ଜାଣିପାରିଲା । ଲଳିତା ଯାହା କହିଲା ତା ସେ ଭଲଭାବେରେ ବୁଝିଲା । ଆଉ ବୁଝିଲା ତାର ତାର ସବୁ ଅକୁହା କଥା । ସମାନ୍ୟ ହସି କହିଲା—ସମସ୍ତଙ୍କ ପରି ସାଧାରଣ ଜୀବନଯାତ୍ରା ମୋର କାମ୍ୟ ନୁହେଁ ଲଳିତା ! ମୁଁ ଚାହେଁ ଜୀବନରେ ନୂଆ କଥା—ନୂଆ ଅଭିଜ୍ଞତା । ଜନ୍ମ ଗୋତ୍ର ଦେଖି, ଜାତକ ମିଳାଇ ମୁଁ ଜୀବନ ସଙ୍ଗିନୀ ଗ୍ରହଣ କରିବି ଏପରି ସାଧାରଣ ଅଭିଳାଷ ମୋର କଦାପି ନାହିଁ । ଦେୱାନଜୀ ଜଣେ ଅତି କରିତକର୍ମୀ ମାମଲାବାଜ୍ ବ୍ୟକ୍ତି—ଏଥିରେ ସନ୍ଦେହ ନାହିଁ । କିନ୍ତୁ ତାଙ୍କର ସୁଚିନ୍ତିତ ଯୋଜନାରେ ମଧ୍ୟ ଟିକିଏ ଭୁଲ୍‍ ରହିଯାଇଛି । ଏ ସମ୍ପତ୍ତିର ମାଲିକାନା ସ୍ଵତ୍ତ୍ୱ ତୁମକୁ ଦେବାପାଇଁ ସେ ଯେଉଁ ମକଦମା କରିବେ, ସେଥିରେ ତାଙ୍କୁ କଚେରୀରେ ପ୍ରମାଣ କରିବାକୁ ହେବ ଯେ ତୁମର ମାଆ ଜମିଦାର ସୂର୍ଯ୍ୟନାରାୟଣଙ୍କର ରକ୍ଷିତା ସ୍ତ୍ରୀ ଥିଲେ ଏବଂ ତାଙ୍କର ଔରସରୁ ତୁମର ଜନ୍ମ । ଅତଏବ ତୁମେ ଏ ସମ୍ପତ୍ତିର ପ୍ରକୃତ ମାଲିକ । ମୁଁ ନୁହେଁ । ସେତେବେଳେ ତୁମର ଜନ୍ମରହସ୍ୟ ବା ଗୋପନ ରହିବ କିପରି ? ଯେଉଁ ସମ୍ମାନ ହାନିର ତୁମେ ଭୟ କରୁଛ ତା କ’ଣ ସେତେବେଳେ ହେବ ନାହିଁ ?

 

ଲଳିତା ନୀରବରେ ଛିଡ଼ା ହୋଇରହିଲା ।

 

ଧୀରାଜ ପୁଣି କହିଲା—ଏହା ହିଁ ଯଦି ତୁମ ଜୀବନର ସମସ୍ୟା ହୁଏ, ତାର ସମାଧାନ ମୁଁ ଆହୁରି ଉତ୍ତମ ଭାବରେ କରି ପାରିବି ଲଳିତା । ଏ ସମ୍ପତ୍ତିକୁ ମୁଁ ବିନା ସର୍ତ୍ତରେ ତୁମ ନାମରେ...... ।

 

ଠିକ୍ ଏତିକିବେଳେ ତଳ ମହଲାରୁ ଖୁଡ଼ୀ ଲଳିତାକୁ ଡାକିଲେ । ଭୀତା କୁରଙ୍ଗୀ ପରି ଲଳିତା ସେଠାରୁ ପଳାଇ ଗଲା ଏକାବେଳକେ ତଳକୁ ।

 

ଧୀରାଜ ସେହିଠାରେ କିଛିକ୍ଷଣ ଛିଡ଼ା ହୋଇରହିଲା । ତା’ପରେ ଧୀରେ ଧୀରେ ଯାଇ ନିଜ ଘରେ ଇଜିଚେୟାର ଉପରେ ବସିଲା । ଅର୍ଦ୍ଧରାତ୍ରିର ଅନ୍ଧକାରରେ ଯେଉଁ କୋଠରୀ ଭିତରେ ଭୟାବହ ଭୌତିକ ଘଟଣା ଘଟୁଛି ଦିନବେଳେ ସେଇ ଘରଟି ଶାନ୍ତ ଶୀତଳ ଓ ଆରାମ ଦାୟକ । ସକାଳର ନିତ୍ୟକର୍ମ ଶେଷକରି ଧୀରାଜ ପୁଣି ଘର ଭିତରେ ଏକା ବସିରହିଲା । ଗତ ରାତ୍ରିର ଅଦ୍ଭୁତ ଭୌତିକ ଘଟଣା ସେ ମନେ ମନେ ଭାବିବାକୁ ଲାଗିଲା । ପ୍ରେତ ତତ୍ତ୍ୱବିଦ୍ ପଣ୍ଡିତମାନେ ଆଜୀବନ ଗବେଷଣା କରି ଲୋକାନ୍ତରର ରହସ୍ୟ କେତେଦୂର ଭେଦ କରି ପାରିଛନ୍ତି କେଜାଣି । ଏ କେତୋଟି ଦିନର ଘଟଣାରେ ଧୀରାଜ ପରିଷ୍କାର ବୁଝି ପାରିଛି ଯେ ମୃତ୍ୟୁରେ ମଣିଷର ପରିସମାପ୍ତି ନୁହେଁ । ମୃତ୍ୟୁପରେ ମଧ୍ୟ ଗୋଟାଏ ଶକ୍ତିଶାଳୀ ବାୟବୀୟ ସତ୍ତା ବଞ୍ଚିରହେ । ସେ ବିଦେହୀ ସତ୍ତାର ମଧ୍ୟ ମଣିଷ ପରି କ୍ରୋଧ, ଲୋଭ ଓ ଶକ୍ତିରହିଛି ।

 

ଗତ ରାତ୍ରିରେ ଉଜ୍ଜ୍ୱଳ ବିଜୁଳି ଆଲୁଅରେ ସେ ପରିଷ୍କାର ଦେଖି ପାରିଥିଲା ଯେ କେହି ଜଣେ ପାଖ ଘରର ତାଲା ବନ୍ଦ କରି ଚାଲିଗଲା । ବିଜୁଳି ଆଲୁଅ ଉଜ୍ଜ୍ୱଳ ହେଲେ ମଧ୍ୟ ଅତି କ୍ଷଣିକ-। ଧୀରାଜ ଲୋକଟିକୁ ଚିହ୍ନି ପାରିଲା ନାହିଁ । ସେ କ’ଣ ମଣିଷ ! ନା ପ୍ରେତାତ୍ମା !

 

ଧୀରାଜ ତକିଆ ତଳୁ ନିଜର ଚାବି ପେନ୍ଥାଟି ବାହାର କରି ପାଖ ଘର ନିକଟକୁ ଗଲା । କେତେଗୁଡ଼ିଏ ଚାବିପରୀକ୍ଷା କଲା ପରେ ଗୋଟିଏ ଚାବିରେ ପୁରାତନ ତାଲାଟି ଖୋଲିଗଲା । ଘର ଭିତରେ ପଶି ଧୀରାଜ ଦେଖିଲା ଯେ ପ୍ରଶସ୍ତ କୋଠରୀ ଭିତରେ କେତେଗୁଡ଼ାଏ ପୁରୁଣା ଆଲମାରୀ, ଟ୍ରଙ୍କ, ବାକ୍ସରହିଛି । ସବୁ ଗୁଡ଼ାକ ପ୍ରାୟ ଖୋଲା । ବହୁ ପ୍ରାଚୀନ ପୋଷାକ ପତ୍ର ସେ ଗୁଡ଼ିକରେ ଭର୍ତ୍ତିକରି ରଖାହୋଇଛି । କେତେକ ପୋକ କାଟି ନଷ୍ଟ କରି ଦେଲେଣି । ତଥାପି ଏ ପର୍ଯ୍ୟନ୍ତ ବହୁତ ପୋଷାକ ପରିଚ୍ଛଦ ଭଲ ଅଛି । କୀଟଦ୍ରଂଷ୍ଟ ପୁରାତନ ପୋଷାକ ପରିଚ୍ଛଦର ଗୋଟିଏ ନିଜସ୍ୱ ଗନ୍ଧ ଅଛି । ସେ ଗନ୍ଧରେ ଧୀରାଜର ମନ କେଉଁ ସୁଦୂର ପ୍ରସାରି ଅତୀତକୁ ଭାସିଗଲା । କେତେକାଳ ପୂର୍ବେ ଏ ବିଭବଶାଳୀ ଜମିଦାରବଂଶର ମାଲିକମାନେ ଏଇ ସବୁ ପୋଷାକ ପିନ୍ଧୁଥିଲେ । ସେମାନେ ସବୁ ନାହାନ୍ତି, କିନ୍ତୁ ଏ ଗୁଡ଼ିକ ଏ ପର୍ଯ୍ୟନ୍ତ ପଡ଼ିଛି କର୍ପୂର ହୀନ କନା ପରି ।

 

ଥାକ ଥାକ କରି ପୋଷାକ ବାହାର କରି ଧୀରାଜ ପରୀକ୍ଷା କଲା । ସବୁ ଗୁଡ଼ିକ ସାମନ୍ତ ଯୁଗର ପୋଷାକ । ମୂଲ୍ୟବାନ । ଏ କାଳରେ କିନ୍ତୁ ଏପରି ପୋଷାକ ସମ୍ପୂର୍ଣ୍ଣ ଅଚଳ । ଏଇ ପୋଷାକ ପିନ୍ଧାଇ ସୂର୍ଯ୍ୟନାରାୟଣଙ୍କର ତୈଳ ଚିତ୍ରଟି ଅଙ୍କା ହୋଇଛି । ସେ ଯୁଗର ଦରବାରୀ ପୋଷାକ ଏ ଯୁଗରେ ସମୂର୍ଣ୍ଣ ଅଚଳ । ସେଥିପାଇଁ ବୋଧହୁଏ ଦେୱାନଜୀଙ୍କର ମହାକ୍ଷୁଧା ଏଗୁଡ଼ିକକୁ ଗ୍ରାସ କରିନାହିଁ ।

 

ପ୍ରାୟାନ୍ଧକାର କୋଠରୀ ଭିତରେ ଚାରି ଆଡ଼କୁ ଚାହୁଁ ଚାହୁଁ ହଠାତ୍ ଚଟାଣ ଉପରେ ଗୋଟିଏ ଜିନିଷ ଦେଖି ଧୀରାଜ ଯେପରି ଆଶ୍ଚର୍ଯ୍ୟ ହୋଇଗଲା । ଜିନିଷଟିକୁ କିଛିକ୍ଷଣ ଏକଧ୍ୟାନରେ ଚାହିଁ ରହି ମନେ ମନେ କେତେ କଥା ଭାବିଲା । ତା’ପରେ ତା ଓଠରେ ଟିକିଏ ସାମାନ୍ୟ ହସ ଫୁଟି ଉଠିଲା । ତେବେ ଗତ ରାତ୍ରିରେ ଏଘରୁ ଯେଉଁ ମନୁଷ୍ୟ ମୂର୍ତ୍ତିକୁ ସେ ବାହାରି ଯିବାର ଦେଖିଥିଲା, ସେ ପ୍ରେତାତ୍ମା ନୁହେଁ । ତା’ରି ପରି ରକ୍ତମାଂସର ମଣିଷ ।

 

“ଧୀରାଜ ଦେଖିଲା, ହଳେ ହରିଣ ଚମଡ଼ାର ଚଟି ଘର ଚଟାଣ ଉପରେ ରହିଛି । ଏହା ତା’ର ଅତି ପରିଚିତ । ପରମ ସାଧୁ ପୁରୁଷ ଦେୱାନ ଗଦାଧର ଜେନାଙ୍କର ନିଜସ୍ୱ ସମ୍ପତ୍ତି । ତେବେ ଦେୱାନଜୀ ଗତ ରାତିରେ ଏଘରେ ପଶିଥିଲେ କାହିଁକି ? କଅଣ ସେ ଏଠାରେ ଖୋଜୁଥିଲେ ? ସେ ମଧ୍ୟ କଣ ସୂର୍ଯ୍ୟନାରାୟଣଙ୍କର ଗୁପ୍ତ ଧନ ଭଣ୍ଡାର ଆଜି ପର୍ଯ୍ୟନ୍ତ ଖୋଜି ବୁଲୁଛନ୍ତି ? ଚଟି ଦୁଇଟି ଖଣ୍ଡିଏ କାଗଜରେ ଗୁଡ଼ାଇ ଧୀରାଜ ନିଜ ଘରକୁ ନେଇ ଆସିଲା ।

 

ତ୍ରିଲୋଚନ ଚାହା ଓ ଜଳଖିଆ ନେଇ ଘରେ ପ୍ରବେଶ କଲା । ଦେୱାନଜୀଙ୍କୁ ଥରେ ଡାକିଦେବାପାଇଁ ତାକୁ ଆଦେଶ ଦେଇ ଧୀରାଜ ଚାହା ଖାଇ ବସିଲା ।

 

କିଛିକ୍ଷଣ ପରେ ଦେୱାନଜୀ ପର୍ଦ୍ଦା ପଛଆଡ଼େ ଉଦୟ ହେବାର ଜାଣିପାରି ଧୀରାଜ ତାଙ୍କୁ ଘର ଭିତରକୁ ପାଛୋଟି ଆଣିଲା । ଚୌକିରେ ବସାଇ କହିଲା—ଆପଣ ସବୁ ଦାୟିତ୍ୱ ବୁଝାଇ ଦେବା ପାଇଁ ପ୍ରସ୍ତୁତ ହୋଇ ପାରିଛନ୍ତି କି ? କାରଣ ଆପଣ ପ୍ରସ୍ତୁତ ହେବା ମାତ୍ରେ ମୋର ନୂଆ କର୍ମଚାରୀ ଏଠାକୁ ଆସି ଆପଣଙ୍କ ଠାରୁ ସବୁ ବୁଝିନେବ । ହଁ, ଆଉ ଗୋଟିଏ କଥା । ଆପଣଙ୍କର ବାସଗୃହଟି, ମଧ୍ୟ ଛାଡ଼ି ଦେବାକୁ ହେବ । କାରଣ ତା’ନହେଲେ ମୋର ନୂଆ କର୍ମଚାରୀକୁ ଏଠାରେ ରହିବାକୁ ଅସୁବିଧା ହେବ ।

 

ଧୀରାଜର କଥା ଶୁଣି ଦେୱାନଜୀଙ୍କ ଭାବ ସଂସ୍ପର୍ଶ ବିହୀନ ମୁହଁରେ ଗୋଟାଏ କ୍ରୋଧର ଛାଇ ଦେଖାଗଲା । କିନ୍ତୁ ବାହାରେ ତା ପ୍ରକାଶ ନକରି ଯଥା ସମ୍ଭବ ସଂଯତ ସ୍ୱରରେ କହିଲେ—ସେ ଦିନ ମୁଁ ଆପଣଙ୍କୁ ସବୁ କଥା କହି ପାରିନାହିଁ । ମୋ ପକ୍ଷରେ ବର୍ତ୍ତମାନ ଜମିଦାରୀର କାଗଜପତ୍ର ବୁଝାଇ ଦେବା ବା ଘର ଛାଡ଼ି ଦେବା କୌଣସିଟା ସମ୍ଭବ ନୁହେଁ ।

 

ଏକଥା କହି ଦେୱାନଜୀ ଭାବିଥିଲେ ବୋଧହୁଏ ଧୀରାଜ କ୍ରୋଧରେ ଫାଟି ପଡ଼ିବ । କିନ୍ତୁ ଦେୱାନଜୀଙ୍କ କଥା ଶୁଣି ସେ ଉଚ୍ଚଶବ୍ଦରେ ହସି ଉଠିଲା । ହସି ହସି କହିଲା—ଦେୱାନଜୀ ଆପଣଙ୍କୁ ମୁଁ ଯେତେ ଯୋଗ୍ୟ ଭାବିଥିଲି ଆପଣ ତାଠାରୁ ମଧ୍ୟ ଯୋଗ୍ୟତର ବ୍ୟକ୍ତି । ଆପଣ ଭଲଭାବରେ ଜାଣନ୍ତି ଯେ ଏ ବଂଶର ରକ୍ତଧାରାରେ ପରିର୍ତ୍ତନ ହୋଇଛି । ଦୀର୍ଘକାଳ ଧରି ଆପଣ ଏଠାରେ ଦେୱାନ । ଏ ବଂଶର କୌଣସି ଜମିଦାରର ମୁହଁ ଉପରେ ଆପଣ ଏକଥା କହିଥିଲେ ତାର କଅଣ ପରିଣାମ ହୁଅନ୍ତା ସେକଥା ଆପଣଙ୍କୁ ଭଲ ଭାବରେ ଜଣା । ସେପରି ଭୟ ମୋ ନିକଟରୁ ଅବଶ୍ୟ ଆପଣଙ୍କର ନାହିଁ । କିନ୍ତୁ ମୋ ଇଚ୍ଛା ବିରୁଦ୍ଧରେ ଆପଣ ମୋ ସମ୍ପତ୍ତିରେ ବାସ କରିବେ ଏପରି ସ୍ୱାଧୀନତା ମଧ୍ୟ ଆପଣଙ୍କର ନାହିଁ । ଆପଣ ବୃଦ୍ଧ ବ୍ୟକ୍ତି । ମୋର ପ୍ରଣମ୍ୟ । ମୁଁ ଆଶାକରେ ଆପଣଙ୍କର ସମ୍ମାନ ଆପଣ ନିଜ ହାତରେ ନଷ୍ଟ କରିବେ ନାହିଁ । ମୋ କଥା ଆପଣ ବୁଝି ପାରିଛନ୍ତି ତ ?

 

ଧୀରାଜ ଉକ୍ତିର ଦୃଢ଼ତା ଦେଖି ବୃଦ୍ଧ ଦେୱାନଜୀ ଭୀତ ହେଲେ । ଥଙ୍ଗେଇ ଥଙ୍ଗେଇ କହିଲେ–କିନ୍ତୁ ଏ ସମ୍ପତ୍ତିର ମାଲିକାନା ସ୍ୱତ୍ତ୍ୱ ଏ ପର୍ଯ୍ୟନ୍ତ—

 

ଦେୱାନଙ୍କୁ କଥା ଶେଷ କରିବାକୁ ନ ଦେଇ ଧୀରାଜ ହସି ହସି କହିଲା—ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଠିକ୍ ହୋଇ ନାହିଁ ? ନୁହେଁ କି ? କିନ୍ତୁ ଆପଣ ଭୁଲ କରିଛନ୍ତି ଦେୱାନଜୀ । ଯଦି ଏ ସମ୍ପତ୍ତିର ଅନ୍ୟ କେହି ଦାବିଦାର ଥାଏ ତେବେ ଅଦାଲତ ସେ କଥା ବିଚାର କରିବ । ଆପଣ ନୁହନ୍ତି-। ଆପଣଙ୍କର ସମୟ ଅତି ମୂଲ୍ୟବାନ । ମୁଁ ଆପଣଙ୍କୁ ଏଠାରେ ଅଟକାଇ ରଖିବି ନାହିଁ । ଆଚ୍ଛା ନମସ୍କାର ।

 

ଦେୱାନଜୀ କୌଣସି ଉତ୍ତର ନ ଦେଇ ଧୀରେ ଧୀରେ ବାହାରି ଯାଉଥିଲେ, ହଠାତ୍ ଧୀରାଜ ଡାକି କହିଲା ହଁ ଆଉ ଗୋଟିଏ କଥା ଦେୱାନଜୀ । ଆପଣଙ୍କର ଚଟି ହଳକ ପାଖ ଘର ଭିତରେ ରାତିରେ ଛାଡ଼ି ଚାଲି ଯାଇଥିଲେ । ମୁଁ ନେଇ ଆସି ଏଠାରେ ରଖିଛି; ନେଇଯାଆନ୍ତୁ । ଏହା କହି କାଗଜରେ ମୋଡ଼ା ହୋଇଥିବା ହରିଣ ଚମଡ଼ା ଚଟି ହଳକ ଧୀରାଜ ଦେୱାନଜୀଙ୍କ ସାମନାରେ ଧରିଲା । ପ୍ରାଚୀନ ଗଜଦନ୍ତ ନିର୍ମିତ ମୂର୍ତ୍ତି ପରି ଦେୱାନଜୀଙ୍କ ଶୁଷ୍କ ଓ ନିରସ ମୁହଁ ହଠାତ୍ ପାଣ୍ଡୁର ହୋଇ ଉଠିଲା । କିଛିକ୍ଷଣ ନୀରବରେ ଛିଡ଼ା ହୋଇରହି ସେ ଥରେ ଧୀରାଜ ମୁହଁକୁ ଚାହିଁଲେ । କୌଣସି ପରିବର୍ତ୍ତନ ନାହିଁ । ସେହିପରି ହସହସ ସରଳ ମୁହଁ । ଦେୱାନଜୀ ନିଶ୍ଚିତ ଭାବରେ ଜାଣିପାରିଲେ ଯେ ଗତ ରାତିରେ ସେ ପାଖଘର ତାଲା ଖୋଲି ପଶିଥିଲା ବେଳେ ଧୀରାଜ ଦେଖିଛି । ଦେୱାନଜୀ ଚାଲଯିବା ପରେ ଧୀରାଜ ମଧ୍ୟ ସେ ଘରେ ପଶି ଏଇ ଚଟିହଳକ ପାଇଛି । ଏପରି ଚୋର ପରି ରାତିରେ ଘରର ତାଲା ଖୋଲି ଦେୱାନଜୀ କାହିଁକି ପଶିଥିଲେ ତାହାର କୈଫିୟତ୍ ଯଦି ଧୀରାଜ ମାଗେ ତେବେ ସେ କଅଣ ଉତ୍ତର ଦେବେ, ହଠାତ୍ ଭାବି ପାରିଲେ ନାହିଁ । ଭୟ ଏବଂ ଲଜ୍ଜାରେ ମୁହଁ ତାଙ୍କର ବିବର୍ଣ୍ଣ ହୋଇଗଲା । କିନ୍ତୁ ଧୀରାଜ ଆଉ କୌଣସି ପ୍ରଶ୍ନ କଲାନାହିଁ ଦେଖି ସେ ଚଟି ଦୁଇଟି ଧୀରାଜ ହାତରୁ ଗ୍ରହଣ କରି ଧୀରେ ଧୀରେ ଘରୁ ନିଷ୍କ୍ରାନ୍ତ ହେଲେ ।

 

ଧୀରାଜ ପୁଣି ଯାଇ ଇଜି ଚେୟାର ଉପରେ ବସିଲା । ନିର୍ଜନ ଘରଟାରେ କେବଳ କାନ୍ଥ ଘଡ଼ିଟାର ଟିକ୍ ଟିକ୍ ଶବ୍ଦ ଛଡ଼ା ଆଉ କୌଣସି ଶବ୍ଦ ନାହିଁ । ଏଇ ପାଷାଣ ପୁରୀରେ କେତେ ଯେ ରହସ୍ୟ ପୁରି ରହିଛି ତାର ଠିକ୍‍ ନାହିଁ । ସୂର୍ଯ୍ୟନାରାୟଣଙ୍କର ଗୁପ୍ତ ଧନ ଭଣ୍ଡାର ବା ଏଇ ପ୍ରାଚୀନ ଭଗ୍ନ ପ୍ରାସାଦ—ଧୀରାଜର ପ୍ରକୃତରେ କାହାରି ଉପରେ ଲୋଭ ନାହିଁ । ତେବେ ଏଠାରେ ସେ କାହିଁକି ପଡ଼ିରହିଛି ? ଲଳିତା ହିଁ କ’ଣ ତାର ଅବଚେତନ ମନର ଆକର୍ଷଣ ? କିନ୍ତୁ ଲଳିତା ମଧ୍ୟ ଅନ୍ୟର ବାଗ୍‍ଦତ୍ତା । ଉଜ୍ଜ୍ୱଳ ବହ୍ନି ଶିଖା ପରି ରୂପସୀ ଲଳିତା । ସେ କ’ଣ ଶେଷକୁ ନଟବର ପରି ଗୋଟିଏ ମର୍କଟର ବେକରେ ମାଳା ଦେବ ? ଧୀରାଜ ତାକୁ ରକ୍ଷା କରି ପାରିବ ନାହିଁ ? କାହିଁକି ବା ଧୀରାଜ ସ୍ୱେଚ୍ଛାରେ ଏ ବନ୍ଧନ କାମନା କରୁଛି ।

 

Unknown

ବାହାରେ କାହାର ପଦଶବ୍ଦ ଓ ଖଣ୍ଡିକାଶ ଶୁଣାଗଲା । ତା ପରେ ପର୍ଦ୍ଦା ଟେକି ବଗପରି ଲମ୍ବ ବେକ ଭିତରକୁ ବଢ଼ାଇ ଦେଇ ନଟବର ନାଟକୀୟ ଭାବରେ କହିଲା—ଭିତରକୁ ଆସି ପରେ କି ସାର୍ ?

 

–ଆଠ–

 

ନଟବର ଘର ଭିତରେ ପଶି ହଠାତ୍ ଧୀରାଜର ଗୋଡ଼ତଳେ ଲମ୍ବ ହୋଇ ପଡ଼ି ତାର ପଦଧୂଳି ମୁଣ୍ଡରେ ଛୁଆଇଁ ଦେଲା । ବ୍ୟସ୍ତ ହୋଇ ଧୀରାଜ ତାକୁ ଉଠାଇ ଚୌକିରେ ବସାଇଲା । ଗଦ୍‍ଗଦ୍‍ କଣ୍ଠରେ ନଟବର କହିଲା–ଇଉ ଆର ଏ ଦେବତା ସାର୍, ଆପଣ ଜଣେ ଗଡ଼୍ । ହଁ । ଏକଥା କହି ନଟବର ଦୁଇ ହାତ ଯୋଡ଼ି ମୁଣ୍ଡ ବଙ୍କାଇ ଧିରାଜ ଆଡ଼େ ଚାହିଁ ରହିଲା । ତାର ମୁହଁର ଗନ୍ଧ ଓ ଆଖିର ରଙ୍ଗରୁ ଧୀରାଜ ଜାଣି ପାରିଲା ଯେ ସେ ମଦ ଖାଉଛି । ସେ ଯେ ମଦ୍ୟପ ଏକଥା ଆଜି ଧୀରାଜ ନୂଆ କରି ଜାଣି ପାରିଲା ।

ନଟବରର ଭଙ୍ଗି ଦେଖି ଧୀରାଜ ହସି ପକାଇଲା । କହିଲା ବର୍ତ୍ତମାନ ଆପଣଙ୍କର କେଉଁ ଡ୍ରାମା ଚାଲିଛି ନଟବର ବାବୁ ?

—ଯାହା ଚାଲିଛି ସାର, ସେ ସବୁ କେବଳ ଆପଣଙ୍କ ଦୟା । ବର୍ତ୍ତମାନ କର୍ଣ୍ଣାର୍ଜ୍ଜୁନର ରିହର୍ସଲ ଚାଲିଛି । ଆଃ କି ସୁନ୍ଦର ଲେଖା, କି ଭାବ, କି ଶୈଳୀ ! ତା ପରେ ହଠାତ୍ ଛିଡ଼ା ହୋଇ ଅଭିନୟ ଆରମ୍ଭ କରି ଦେଲା—

“ଜଗତର ଆଦି ଦିନଠାରୁ

ଯାହା ଶୁଣିନାହିଁ କେହି

ବ୍ୟାଘ୍ରୀ ଶିହରିବ

ରକ୍ତ ତୃଷା ଭୁଲିବ ରାକ୍ଷସୀ

ମାତା ଯଦି ହୁଏ ପୁତ୍ର ହନ୍ତା ।”

 

ଆଃ, କି ଶକ୍ତିଶାଳୀ ଭାଷା ସାର୍ । ଚମତ୍କାର । ମାର୍‍ଭଲସ୍ ।

 

—କର୍ଣ୍ଣର ପାର୍ଟ କିଏ ନେଇଛି ? ଆପଣ ବୋଧହୁଏ ? ଧୀରାଜ ପଚାରିଲା ।

 

ହଁ ସାର୍ । ସେଇଟା ହେଲା ମେନ୍ ପାର୍ଟ, ମୋ ଛଡ଼ା ତାକୁ ଅନ୍ୟ କେହି କରି ପାରିବେ ନାହିଁ ।

 

—ସେ କଥା ଠିକ୍ । ଆପଣଙ୍କ ଛଡ଼ା ଏପରି ପାର୍ଟ ଅନ୍ୟ କେହି ନିର୍ଦ୍ଦୋଷ ଭାବରେ କରି ପାରିବା ସମ୍ଭବ ନୁହେଁ ।”

 

ଧୀରାଜ ମନେ ମନେ ଅତିଶୟ କୌତୁକ ଅନୁଭବ କଲା । ଅସ୍ଥିସାର ନଟବରର ଯେଉଁ ରୂପ, ସେଥିରେ ସେ ମହାଭାରତ ଯୁଦ୍ଧର ଶ୍ରେଷ୍ଠ ବୀର କର୍ଣ୍ଣର ସଜ୍ଜାରେ ଯେ କିପରି ମାନିବ ସେ କଥା ଧୀରାଜ ମନେ ମନେ କଳ୍ପନା କରି ହସି ଉଠିଲା ।

 

ଧୀରାଜର ହସରେ ନଟବର କିନ୍ତୁ ଆଦୌ ଦୁଃଖିତ ବା ଲଜ୍ଜିତ ହେଲା ନାହିଁ । କହିଲା ଆପଣ ଦୟାକରି ଥରେ ଆଜି ସଞ୍ଜବେଳେ ବାଜିତପୁର ଡ୍ରାମାଟିକ କ୍ଲବକୁ ଯିବେ ସାର୍ । ଆପଣଙ୍କ ମହାନ ଦାନ ପାଇଁ ଆପଣଙ୍କୁ ଆଜି ସମସ୍ତେ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରିବାକୁ ଚାହାଁନ୍ତି । ମନା କରନ୍ତୁ ନାହିଁ ସାର୍ । ଦୟାକରି ମୋର ଅନୁରୋଧ ରକ୍ଷା କରନ୍ତୁ ।

 

ଧୀରାଜ ହସି କହିଲା—ଆଚ୍ଛା, ମୁଁ ଆଜି ସଞ୍ଜବେଳେ ଆପଣଙ୍କ କ୍ଳବକୁ ଯିବି ।

 

ନଟବର ଖୁସି ହୋଇ ପୁଣି ହଠାତ୍ ଧୀରାଜର ଗୋଡ଼ଧୂଳି ନେଉ ନେଉ ଆଣ୍ଠୁଭାଙ୍ଗି ତଳେ ଗଡ଼ି ପଡ଼ିଲା । ମଦ ନିଶାରେ ବୋଧହୁଏ ସେ ଭାରସାମ୍ୟରକ୍ଷା କରି ପାରିଲା ନାହିଁ । ଧୀରାଜ ବ୍ୟସ୍ତ ହୋଇ ତାକୁ ତଳୁ ଉଠାଇ ଠିଆ କଲା । ତାପରେ ନଟବର ପୁଣି ଥରେ ଧୀରାଜକୁ ନମସ୍କାର କରି ଘର ଭିତରୁ ଖୁସି ମନରେ ବାହାରିଗଲା ।

 

ଆହୁରି କେତୋଟି ଦିନ କଟି ଯାଇଛି । ସେହିପରି ଭୟାବହ ଭୌତିକ ଘଟଣା ସବୁଦିନ ରାତିରେ ଘଟେ । ଗଭୀର ଓ ନିର୍ଜ୍ଜନ ରାତିରେ ସେହିପରି ନିରବଚ୍ଛିନ୍ନ କ୍ରନ୍ଦନ ଧ୍ୱନି ଶୁଣାଯାଏ । ସେ ପ୍ରେତାୟିତ କ୍ରନ୍ଦନ ଧ୍ୱନି ଧୀରାଜର ମର୍ମ ସ୍ପର୍ଶକରେ । ହୁଏତ ଏ ପ୍ରାଚୀନ ପାଷାଣ ପୁରୀର ଆତ୍ମା ସବୁଦିନ ମଧ୍ୟରାତ୍ରିର ଅବକାଶରେ ଜଗି ଉଠେ । ହୁଏତ ବା ଆଉ କିଛି । କେତେ ସାମନ୍ତ ଯୁଗର ଇତିହାସ ସେ ପଢ଼ିଛି । କେତେ ଗଳ୍ପ ଶୁଣିଛି । କେତେ ସୁରା ଉଛୁଳା ରଜନୀ, କେତେ ନାରୀ ଧର୍ଷଣର ମର୍ମନ୍ତୁଦ ଇତିହାସ ଯେ ଏଇ ପ୍ରାଚୀନ ପାଷାଣ ପୁରୀର ପ୍ରତି ପରମାଣୁରେ ପୁରିରହିଛି, ତାର ଇୟତ୍ତା ନାହିଁ । ସେହିପରି କୌଣସି ହତଭାଗିନୀ ନାରୀର ବିଦେହୀ ଆତ୍ମା ଏଇ ପାଷାଣ କାରାରେ ହୁଏତ ଆଜି ପର୍ଯ୍ୟନ୍ତ ବୁଲୁଛି । ଗଭୀର ରାତ୍ରୀରେ ତା’ର କରୁଣ କ୍ରନ୍ଦନ ଶୁଣାଯାଏ ।

 

ଏଇ କେତେଦିନ ଭିତରେ ବହୁଥର ଧୀରାଜ ଏହି ଗାଁର ଆଖ ପାଖରେ ବୁଲୁଛି । ନଟବର ସହିତ ଆହୁରି ଘନିଷ୍ଠ ହୋଇ ମିଶିଛି । ସେ ଜାଣି ପାରିଛି ଯେ ନଟବର ସମ୍ପୂର୍ଣ୍ଣ ନଷ୍ଟ ଚରିତ୍ର ଓ ସୁରାସେବୀ ।

 

ମୋବାରକ ସହିତ ତାର ଦେଖାହୁଏ । ଏ ବିଚିତ୍ର ଓ ସ୍ୱେଚ୍ଛାକୃତ ଦୁର୍ଦ୍ଦଶାଗ୍ରସ୍ତ ଧୀରାଜର ଜୀବନରେ ମୋବାରକ ତାର ଏକମାତ୍ର ଅକୃତ୍ରିମ ସୁହୃଦ । ଅଧ୍ୟାପକ ତ୍ରିବେଦୀଙ୍କ ଠାରୁ ସେ ପତ୍ର ପାଇଛି ଯେ ଯେତେ ଶୀଘ୍ର ସମ୍ଭବ ସେ ଆସି ଏଠାରେ ପହୁଁଞ୍ଚିବେ । ତାଙ୍କର ବାଟକୁ ଚାହିଁ ଧୀରାଜ ଏଠାରେ ପଡ଼ିରହିଛି । ଏ ଅଦ୍ଭୂତ ଭୌତିକ ରହସ୍ୟ ଉଦ୍‍ଘାଟନ କରିବା ତା ତରୁଣ ମନର ଅନ୍ୟତମ ଅଭିଳାଷ । ନଚେତ୍ ଚୌଧୁରୀ ବଂଶର ଏ କଙ୍କାଳ ଉପରେ ତାର ବିନ୍ଦୁମାତ୍ର ଲୋଭ ନାହିଁ-

 

କାହିଁକି କେଜାଣି, ଧୀରାଜର ବଦ୍ଧମୂଳ ବିଶ୍ୱାସ ହୋଇଛି ଯେ ଏ ବିଶାଳ ଅଟ୍ଟାଳିକାର କୌଣସି ଗୁପ୍ତ ସ୍ଥାନରେ ଏ ବଂଶର ପ୍ରାଚୀନ ସମ୍ପଦ ଲୁଚା ହୋଇଛି । ଏଇ କେତେଦିନ ଭିତରେ ସେ ଏ ପ୍ରାସାଦର ବହୁସ୍ଥାନ ପରୀକ୍ଷା କରି ଦେଖିଛି । ଅସଂଖ୍ୟ କୋଠରୀ ତାଲା ବନ୍ଦ ହୋଇ ପଡ଼ିରହିଛି । ସେଇ ସବୁ ଘର ତନ୍ନ ତନ୍ନ କରି ଧୀରାଜ ଅନୁସନ୍ଧାନ କରିଛି । କିନ୍ତୁ କେଉଁଠାରେ ହେଲେ କୌଣସି ଗୁପ୍ତ ଗହ୍ଵର ବା ଧନ ଭଣ୍ଡାରର ସନ୍ଧାନ ସେ ଏ ପର୍ଯ୍ୟନ୍ତ ପାଇଁନାହିଁ ।

 

ନିର୍ଜ୍ଜନ ଦ୍ଵିପ୍ରହରରେ ଏକା ଖଣ୍ଡିଏ ଇଜି ଚେୟାର ଉପରେ ବସି ଧୀରାଜ କେତେ କଥା ଭାବୁଛି । କିଏ କହେ ଅତୀତ ଭାଷାହୀନ ? ଏଇ ବାପ୍ତା ଡକା ନିର୍ଜ୍ଜନ ଦ୍ଵିପ୍ରହରରେ ଅତୀତ ଧୀରାଜର କାନେ କାନେ କଥା କହେ । ସ୍ତବ୍ଧ ବିସ୍ମୟରେ ଧୀରାଜ କେବଳ ବସିରହେ । ଚଳଚ୍ଚିତ୍ର ପରି ତାର ମାନସ ପଟରେ ଏ ପ୍ରାଚୀନ ପୁରୀର ଇତିହାସ ଗୋଟିଏ ପରେ ଗୋଟିଏ ଭାସି ଉଠେ । ତାର ଅବଚେତନ ମନର କଳ୍ପନା ରୂପ ଧରେ ।

 

ଏ ବଂଶର ଗୌରବମୟ ଯୁଗର ଅବସାନ ହୋଇଛି । ବଂଶଧାରାର ହୋଇଛି ସମ୍ପୂର୍ଣ୍ଣ ବିଲୁପ୍ତି । ମୃତ୍ୟୁ ! ହଁ ଗୋଟାଏ ବଂଶର କାହିଁକି ସମ୍ପୂର୍ଣ୍ଣ ଜାତିର—ଗୋଟାଏ ସଭ୍ୟତାର ମଧ୍ୟ ମୃତ୍ୟୁ ହୁଏ । ଏ ସମ୍ପତ୍ତିର ମାଲିକ ଧୀରାଜ ହେଉ ବା ଲଳିତା ହେଉ, ମୃତ ଚୌଧୁରୀ ବଂଶ ଆଉ ବଞ୍ଚି ଉଠିବ ନାହିଁ ।

 

ହାତ ଘଡ଼ିକି ଚାହିଁ ଧୀରାଜ ଦେଖିଲା, ଦୁଇଟି ବାଜିଲାଣି । ଦୋମହଲାରେ ଯେଉଁ ନିଭୃତ କୋଣରେ ଗୋଟିଏ ସର୍ପିଳ ସିଡ଼ି ଛାତ ଉପରକୁ ଉଠିଯାଇଛି ସେଇ ସ୍ଥାନରେ କେତୋଟି କୋଠରୀ ତାଲା ବନ୍ଦ ହୋଇରହିଛି । ଏ ପର୍ଯ୍ୟନ୍ତ ସେ ଗୁଡ଼ିକ ଧିରାଜ ଅନୁସନ୍ଧାନ କରିନାହିଁ । ଧିରାଜ ଉଠି ପୁରଣା କଞ୍ଚି ପେନ୍ଥାଟି ନେଇ ସେଇ ଆଡ଼େ ଗଲା ।

 

ଦେୱାନଜୀଙ୍କ ଠାରୁ ବଡ଼ ପେନ୍ଥାଏ କଞ୍ଚି ସେ ଆଣି ନିଜ ପାଖରେ ରଖିଛି । ସିଡ଼ି ନିକଟକୁ ଆସି ସେ ଦେଖିଲା ଆଖ ପାଖ ହୋଇ ଦୁଇଟି କୋଠରୀ । ଦୁଇଟି ଅତି ପୁରାତନ ମରିଚାଧରା ତାଲା ଝୁଲୁଛି । କେତୋଟି ଚାବି ପରୀକ୍ଷା କରିବା ପରେ ଗୋଟିଏ କଞ୍ଚିରେ ଗୋଟିଏ ଘର ତାଲା ଫିଟିଗଲା । ଅନ୍ଧକାରମୟ କୋଠରୀ ଭିତରେ ଗୋଟିଏ ଶକ୍ତିଶାଳୀ ଟର୍ଚ୍ଚ ନେଇ ଧୀରାଜ ପରୀକ୍ଷା କରିବାକୁ ଲାଗିଲା । ନାନା ବାଜେ ଜିନିସ ଘରେ ଭର୍ତ୍ତି ହୋଇଛି । ରାଜମିସ୍ତ୍ରୀମାନଙ୍କର ଯନ୍ତ୍ରପାତି ଓ ସରଞ୍ଜାମ ସବୁଠାରୁ ବେଶୀ । ଧୀରାଜ ଯଥାରୀତି ଘରର କାନ୍ଥ ଗୁଡ଼ିକ ମଧ୍ୟ ପରୀକ୍ଷା କଲା । କିନ୍ତୁ କେଉଁଠାରେ ହେଲେ ଗୁପ୍ତ କକ୍ଷର ସନ୍ଧାନ ପାଇଲାନାହିଁ ।

 

ତା’ପରେ ପାଖ କୋଠରୀଟି ସେ ଖୋଲିବାକୁ ଚେଷ୍ଟା କଲା । କିନ୍ତୁ ଗୋଟି ଗୋଟିକରି ସବୁ କଞ୍ଚିଯାକ ଲଗାଇ ମଧ୍ୟ ତାଲାଟି ଖୋଲିଲା ନାହିଁ । ବିରକ୍ତି ହୋଇ ଧୀରାଜ ପାଖ ଘରୁ ରାଜମିସ୍ତ୍ରୀଙ୍କର ଯନ୍ତ୍ରପାତି ଭିତରୁ ଖଣ୍ଡେ ଲୁହା ଶାବଳ ଆଣି ବହୁ କଷ୍ଟରେ ପୁରୁଣା ତାଲାଟା ଭାଙ୍ଗି ଦେଲା । ନାତି ପ୍ରଶସ୍ତ ଅନ୍ଧାରୁଆ ଘରଟା ସମ୍ପୂର୍ଣ୍ଣ ଖାଲି । କେବଳ ଗୋଟିଏ ବୃହତ୍ କାଠ ଆଲମାରୀ ଗୋଟିଏ ପଟର କାନ୍ଥକୁ ଲାଗିରଖା ହୋଇଛି । ଆଲମାରୀ ଦେହରେ ମଧ୍ୟ ଗୋଟିଏ ତାଲା ଝୁଲୁଛି । ସେହିପରି ଭାବରେ ଧୀରାଜ ଏ ତାଲାଟା ମଧ୍ୟ ଭାଙ୍ଗିଦେଲା । ବିଶାଳ ଆଲମାରୀଠାରେ ଗୋଟାଏ ହେଲେ ଥାକ ନାହିଁ । ପ୍ରାଚ୍ଐତିହାସିକ ଗୋଟିଏ ଅତିକାୟ ଜନ୍ତୁର ମୁଖ ଗହ୍ୱର ପରି ଆଲମାରୀଟା ହାଁ କରି ଛିଡ଼ା ହେଲା । ଘରଟା ସମ୍ପୂର୍ଣ୍ଣ ଶୂନ୍ୟ । ଆଲମାରୀଟା ମଧ୍ୟ ଶୂନ୍ୟ । ତଥାପି ଏ ଦୁଇଟିକୁ ତାଲା ଦେଇ ବନ୍ଦ କରିରଖିବାର ଉଦ୍ଦେଶ୍ୟ କଣ ଧୀରାଜ ବୁଝି ପାରିଲା ନାହିଁ । ଟର୍ଚ୍ଚ ଆଲୁଅରେ ଆଲମାରୀଟି ପରୀକ୍ଷା କରୁ କରୁ ଭିତର ପଟ ପଟାରେ ଗୋଟିଏ ହୁକ୍ ଦେଖି ପାରିଲା । ହୁକ୍‍ଟାକୁ ଉଠାଇ ଧୀରାଜ ପଟାଟାକୁ ଠେଲିବାକୁ ଲାଗିଲା । ହଠାତ୍ କାନ୍ଥ ଭିତରକୁ ପଟାଟା କେତେ ଇଞ୍ଚ ପଶିଗଲା ।

 

ଉତ୍ତେଜନାରେ ଧୀରାଜର ଦେହ ରୋମାଞ୍ଚିତ ହୋଇ ଉଠିଲା । ଏହା ଯେ ଗୋଟିଏ ଗୁପ୍ତ କୋଠରୀ, ଏଥିରେ ସନ୍ଦେହ ନାହିଁ । ଏହାହିଁ ହୁଏତ ଚୌଧୁରୀ ବଂଶର ଗୁପ୍ତ ଧନ ଭଣ୍ଡାର । ଦେହର ସବୁ ଶକ୍ତି ଦେଇ ଧୀରାଜ ଦୁଆରକୁ ଠେଲିଲା । ଦୁଆରଟା ପ୍ରାୟ ଅଧା ଖୋଲିଗଲା । ଧୀରାଜ ତା’ ଭିତରେ ଆହୁରି ଗୋଟିଏ ସାନ କୋଠରୀ ଦେଖିବାକୁ ପାଇଲା । ଟର୍ଚ୍ଚ ଜଳାଇ ଧୀରାଜ ତା ଭିତରେ ପଶିଲା । ସମ୍ପୂର୍ଣ୍ଣ ଶୂନ୍ୟ ଗୋଟିଏ ସାନ କୋଠରୀ । ବହୁକାଳ ବନ୍ଦ ଥାଇ ଭିତରର ବାୟୁ ଦୂଷିତ ଓ ଦୁର୍ଗନ୍ଧ ହୋଇ ଯାଇଛି । ଘରଟି ସମ୍ପୂର୍ଣ୍ଣ ଖାଲି ଦେଖି ଧୀରାଜ ନିରାଶ ହେଲା । ଉଜ୍ଜ୍ୱଳ ଟର୍ଚ୍ଚ ଆଲୁଅରେ କାନ୍ଥ ଗୁଡ଼ିକ ଭଲ କରି ପରୀକ୍ଷା କରି ଦେଖିଲା । କେଉଁଠାରେ କିଛି ନାହିଁ ।

 

ତା’ପରେ ଘରର ଚଟାଣଟି ପରୀକ୍ଷା କରୁ କରୁ ଦେଖିଲା ଯେ ଗୋଟାଏ ପ୍ରକାଣ୍ଡ ଓ ଗୋଲାକାର ଲୁହା ପତ୍ର ଚଟାଣ ଉପରେ ସମାନ ହୋଇରଖା ହୋଇଛି । ଢାଙ୍କୁଣୀ ଉଠାଇବା ପାଇଁ ଯେପରି ହୁକ୍‍ ରହେ, ସେ ଲୁହାର ମଧ୍ୟ ଭାଗରେ ସେହିପରି ଅଛି । ବହୁ କଷ୍ଟରେ ଧୀରାଜ ସେ ଲୁହା ଢାଙ୍କୁଣୀଟି ଚଟାଣ ଉପରୁ ଉଠାଇ ଦେଲା । ଯେଉଁଠାରେ ଢାଙ୍କୁଣୀଟି ଥିଲା ସେଇଠାରେ ଗୋଟାଏ ଗହ୍ଵର ଦେଖାଗଲା । ଢାଙ୍କୁଣୀଟି ଉଠି ଯିବା ମାତ୍ରେ ଗହ୍ଵର ଭିତରୁ ହଠାତ୍ ଗୋଟାଏ ତୀବ୍ର ଓ ବିଷାକ୍ତ ବାଷ୍ପରେ ଧୀରାଜର ମୁଣ୍ଡ ବୁଲି ଗଲା, କିନ୍ତୁ ସେଠାରେ ଚେତନା ନ ହରାଇ ପ୍ରଚଣ୍ଡ ମାନସିକ ଶକ୍ତିରେ ଧୀରାଜ ବାହାରକୁ ପଳାଇ ଆସିଲା ।

 

ନିର୍ଜ୍ଜନ ଅପରାହ୍ନରେ ସୁ ସୁ ହୋଇ ସମୁଦ୍ର ପବନ ବୋହୁଛି । ବହୁକ୍ଷଣ ମୁକ୍ତ ପବନରେ ଠିଆହୋଇ ଧୀରାଜ ସୁସ୍ଥ ହେଲା । ସେ ଯେ ଏ ବଂଶର ଗୁପ୍ତ ଧନଭଣ୍ଡାର ଆବିଷ୍କାର କରିଛି, ଏଥିରେ ସନ୍ଦେହ ନାହିଁ । ମନରେ ପ୍ରଚଣ୍ଡ ଉତ୍ସାହ ଘେନି ଧୀରାଜ ପୁଣି ସେ ଅନ୍ଧକାର କୋଠରୀ ଭିତରେ ପ୍ରବେଶ କଲା । ସେତେବେଳେ ଘର ଭିତରେ ବାଷ୍ପର ତୀବ୍ରତା ଆଉ ବେଶୀ ନାହିଁ । ଗୋଟିଏ ହାତରେ ନାକ ଉପରେ ରୁମାଲ ଚାପି ଧରି ଆଉ ଗୋଟିଏ ହାତରେ ଶକ୍ତିଶାଳୀ ଟର୍ଚ୍ଚ ଜଳାଇ ଧୀରାଜ ଗହ୍ଵର ଭିତରକୁ ଚାହିଁଲା । ଗହ୍ଵରର ପ୍ରାୟ ତିରିଶ ଫୁଟ ତଳେ ଆଉ ଗୋଟିଏ କୋଠରୀ । ପ୍ରାୟ ପନ୍ଦର ଫୁଟ ଲମ୍ବ ଓ ବାର ଫୁଟ ଚଉଡ଼ାର ଗୋଟିଏ ଛିଦ୍ରହୀନ ପଥର ଘର । ଟର୍ଚ୍ଚ ଆଲୁଅରେ ସେ କୋଠରୀର ଚଟାଣ ଉପରେ କ’ଣ ଦେଖି ଧୀରାଜ ହଠାତ୍ ଚମକି ଉଠିଲା । ଭଲକରି ଆଲୁଅ ପକାଇ ସେ ସେଠାରେ ଯାହା ଦେଖିଲା, ସେଥିରେ ତାର ବାହ୍ୟଜ୍ଞାନ ଲୋପ ପାଇବା ପରି ହେଲା । ଚୌଧୁରୀ ବଂଶର ଗୁପ୍ତରତ୍ନଭଣ୍ଡାର ଆବିଷ୍କାର କରି ପାରିଛି ବୋଲି ଧୀରାଜ ମନେମନେ ଖୁବ୍‍ ଖୁସିହୋଇ ଉଠିଥିଲା ।

 

କିନ୍ତୁ ସେଠାରେ ସେ ଯାହା ଦେଖିଲା ତାହା ଅଜସ୍ର ନରକଙ୍କାଳ ଛଡ଼ା ଆଉ କିଛି ନୁହେଁ-। କେତେକାଳ ପୂର୍ବେ କେତେ ହତଭାଗ୍ୟ ଯେ ଏଇ ଗୁପ୍ତ କାରାଗାରରେ ଏପରି ଭୟାବହ ମୃତ୍ୟୁ ବରଣ କରିଛନ୍ତି, ଏଇ ଶ୍ଵେତ କଙ୍କାଳ ଗୁଡ଼ିକ ସେ କଥା ଆଜି କହି ପାରିବେ ନାହିଁ । କିଏ ଏମାନେ, କାହିଁକି ବା ଏମାନଙ୍କୁ ହତ୍ୟା କରା ହୋଇଛି, ଧୀରାଜର ସଭ୍ୟ ଓ ଶିକ୍ଷିତ ମନ ଧାରଣା କରି ପାରିଲା ନାହିଁ । ଚୌଧୁରୀ ଉଆସରେ ଯେ ଗୁପ୍ତ ନରହତ୍ୟା ହେଉଥିଲା, ଏଥିରେ କୌଣସି ସନ୍ଦେହ ନାହିଁ । ଏ ବଂଶର ଜମିଦାରମାନେ ନିଜେ ହୁଏତ ଥିଲେ ହତ୍ୟାକାରୀ । ତା’ ନ ହେଲେ ଏଇ ଘରର ଗୋଟିଏ ଗୁପ୍ତ ଗହ୍ୱରରେ ମୃତ ଦେହ ଗୁଡ଼ିକ ଲୁଚା ହୋଇ ନ ଥାନ୍ତା ।

 

ଗୋଟାଏ ରକ୍ତ ଲୋଲୁପ ନରହନ୍ତା ଜମିଦାର ବଂଶର ଉତ୍ତରାଧିକାରୀ ହୋଇ ସେ ଏଠାକୁ ଆସିଛି ମନେ କରି, ଲଜ୍ଜା ଓ ଘୃଣାରେ ତାର ଅନ୍ତର ଜର୍ଜ୍ଜରିତ ହୋଇ ଉଠିଲା । ପୁଣି ସେହିପରି ସବୁ ବନ୍ଦକରି ଦେଇ ଭାରାକ୍ରାନ୍ତ ଅନ୍ତରରେ ସେ ନିଜ କୋଠରୀ ନିକଟକୁ ଫେରି ଆସିଲା ।

 

ସେତେବେଳକୁ ଖରା ନଇଁ ଆସିଲାଣି । ସମୁଦ୍ର ବାଲିର ଦିଗ୍‍ବଳୟରେ ଧୀରାଜ ଗୋଟିଏ ମଣିଷ ରୂପ ଦେଖିଲା । ଏକ ଧ୍ୟାନରେ କିଛିକ୍ଷଣ ଚାହିଁ ରହି ଧୀରାଜ ତାକୁ ଚିହ୍ନି ପାରିଲା । ବୃଦ୍ଧ ମୋବାରକ କଳା ଆଲ୍‍ଖାଲା ପିନ୍ଧି ଯାଉଛି । କ’ଣ ମନେକରି କେଜାଣି ହଠାତ୍ ଧୀରାଜ ତଳକୁ ଦୌଡ଼ିଲା । ସମୁଦ୍ର କୂଳକୁ ଯାଇ ଚିତ୍କାର କରି ଡାକିଲା—ଫକୀର ସାହେବ—ଫକୀର ସାହେବ । ମୋବାରକ ଫେରି ଚାହିଁଲା । ଧୀରାଜକୁ ଦେଖିପାରି ବୃଦ୍ଧ ମୁହଁରେ ଖୁସିର ହସ ଖେଳିଗଲା । ଫେରିଆସି ଧୀରାଜ ପିଠିରେ ହାତରଖି ସ୍ମିତ ମୁଖରେ କହିଲା—ସବ୍ ଆଚ୍ଛା ତ ହଜୁର୍ ?

 

ଧୀରାଜ କହିଲା—ହଁ ମୋବାରକ, ସବୁ ଭଲ । ତମେ ଏଇଠାରେ ବସ ମୋବାରକ, କଥା ଅଛି । ତମର କୌଣସି ଜରୁରୀ କାମ ନାହିଁତ ?

 

ବାଲି ଉପରେ ଝୋଲାଟି ରଖି ବସୁ ବସୁ ମୋବାରକ୍ ଉଦାସ ହସ ହସି କହିଲା—ଜରୁରୀ କାମ ମୋର ବହୁ କାଳରୁ ସରି ଯାଇଛି ହଜୁର । ଏବେ ସବୁ ଫାଲ୍‍ତୁ କାମ ।

 

ବୃଦ୍ଧ ନିକଟରେ ଘନିଷ୍ଠ ହୋଇ ବସି ଧୀରାଜ କହିଲା—ମୋବାରକ, ତମେ ଏଇ ଚୌଧୁରୀ ଘରର ସବୁ ଅଂଶ ଭଲ ଭାବରେ ଦେଖିଛ ତ ?

 

—ନାହିଁ ହଜୁର । ମୁଁ ହେଉଛୁ ମୁସଲମାନ ସବୁ ସ୍ଥାନକୁ ଯିବା ମୋତେ ନିଷେଧ ଥିଲା ।

 

କିଛିକ୍ଷଣ ନୀରବ ରହି ଧୀରାଜ କହିଲା—ମୋବାରକ୍‍ ମୁଁ ତମକୁ ସିଧା ସଳଖ ଗୋଟିଏ କଥା କହିବି । ମୋର ବିଶ୍ଵାସ, ତମେ ତାହା ଜାଣ । ସେ ବିଷୟରେ ମୋତେ ଆଜି ସବୁ କହିବାକୁ ହେବ ।

 

ସାମାନ୍ୟ ହସି ମୋବାରକ୍ କହିଲା—ନିଶ୍ଚିତ କହିବ ହଜୁର । ମୋବାରକ୍ ମିଛୁଆ ନୁହେଁ ।

 

ଧୀରାଜ କହିଲା—ଆଜି ହଠାତ୍ ମୁଁ ଏ ଘରେ ଗୋଟିଏ ଗୁପ୍ତ ସ୍ଥାନର ସନ୍ଧାନ ପାଇଛି । ଘରର ଚଟାଣ ତଳେ ଗୋଟାଏ ଗହ୍ଵର । ତା’ର ପ୍ରାୟ ତିନିଫୁଟ ତଳେ ଗୋଟାଏ କୋଠରୀ । ସେଇ ଅନ୍ଧାରୁଆ କୋଠାରୀ ଭିତରେ ମୁଁ ବହୁତ ନର କଙ୍କାଳ ଦେଖି ପାରିଛି । ସେ ବିଷୟରେ ତମେ ଯାହା ଜାଣ, ମତେ ସବୁ କୁହ ମୋବାରକ୍ । ମୋର ଦୃଢ଼ ବିଶ୍ଵାସ ଯେ ତମେ ସେ କଥା ଜାଣ-

 

ଧୀରାଜର କଥା ଶୁଣି ମୋବାରକ୍ ବହୁକ୍ଷଣ ଗମ୍ଭୀର ହୋଇ ବସି ରହିଲା । ତା’ପରେ ଧୀରେ ଧୀରେ କହିଲା—ତମେ ତା’ହେଲେ ସେ ଗୁପ୍ତସ୍ଥାନ ଦେଖି ସାରିଛ ହୁଜୁର । ହଁ, ମୁଁ ସେ ବିଷୟରେ ସବୁ ଜାଣେ । ବର୍ତ୍ତମାନ୍ ବଞ୍ଚିଥିବା ଲୋକଙ୍କ ଭିତରେ କେବଳ ମୁଁ ସେ କଥା ଜାଣେ, ଆଉ ଏଇ ଦେୱାନଜୀ ଜାଣନ୍ତି । ମୁଁ ସେ ବିଷୟରେ ତମକୁ ସବୁ କହିବି । ଜରୁର୍‍ କହିବି ।

 

କିଛିକ୍ଷଣ ନୀରବ ରହି ମୋବାରକ୍ ଆରମ୍ଭ କଲା—କେବଳ ନରକଙ୍କାଳ ନୁହଁ । ଭଲକରି ଲକ୍ଷ୍ୟ କରିଥିଲେ ଦେଖିଥାନ୍ତ ଯେ ବହୁତ ବଡ଼ ବଡ଼ ବିଷଧର ସାପର କଙ୍କାଳ ସେଠି ପଡ଼ିରହିଛି । ସେ ସ୍ଥାନଟିର ନାମ ହେଉଛି ପାତାଳ ବୈକୁଣ୍ଠ ।

 

—ଏପରି କୁତ୍ସିତ ନର୍କର ନାମ ବୈକୁଣ୍ଠ କାହିଁକି ହେଲା ମୋବାରକ୍ ? ଧୀରାଜ ପ୍ରଶ୍ନକଲା ।

 

—ମୁଁ ଜାଣେ ନାହିଁ ହଜୁର । ମୁଁ ବେଶୀ ପଢ଼ାଶୁଣା କରିନାହିଁ । ତା’ଛଡ଼ା ହିନ୍ଦୁଶାସ୍ତ୍ର ବିଷୟରେ ମୁଁ ପ୍ରାୟ କିଛି ଜାଣେ ନା । ଏପରି ନାଁ କାହିଁକି ହେଲା ବା କେତେ ଶହ ବର୍ଷ ପୂର୍ବେ କିଏ ନାଁ ଦେଇଥିଲା, ସେ ସବୁ ମୁଁ କିଛି ଜାଣେ ନାହିଁ ।

 

ଏଠାରେ କ’ଣ ଗୁପ୍ତରେ ନରହତ୍ୟା କରାଯାଏ ? ଧୀରାଜ ପ୍ରଶ୍ନକଲା ।

 

—ନରହତ୍ୟା !! ହଁ ଅତି ଗୁପ୍ତରେ । ସେ କଥା ମୁଁ ଆଉ ଦେୱାନ ଛଡ଼ା ଆଉ କେହି ଜାଣନ୍ତି ନାହିଁ । କୌଣସି ବିଦ୍ରୋହୀ ବା ଦୁଷ୍ଟପ୍ରଜା ଯଦି ଶାସନ ବାହାରେ ଚାଲିଯାଏ ଓ ଅନ୍ୟ ପ୍ରଜାମାନଙ୍କୁ ଜମିଦାରଙ୍କ ବିରୁଦ୍ଧରେ ମେଳି କରେ, ତେବେ ତାକୁ ସେଇ ପାତାଳ ବୈକୁଣ୍ଠରେ ଫୋପାଡ଼ି ଦିଆହୁଏ । ସେଠାରେ କେତେ ଗୁଡ଼ାଏ ଅତି ବିଷାକ୍ତ ସାପ ଛଡ଼ା ହୋଇଥିଲେ । ସେଇମାନଙ୍କ ବିଷରେ ସେ ପ୍ରାଣ ହରାଏ । ତା’ପରେ ସେ ଦୁଷ୍ଟ ପ୍ରଜାର ସମ୍ବାଦ ଆଉ କେହି ପାଆନ୍ତି ନାହିଁ ।

 

ଏପରି ନିର୍ମମ ନରହତ୍ୟାର କାହାଣୀ ଶୁଣି ଧୀରାଜ ଆଶ୍ଚର୍ଯ୍ୟ ହୋଇଗଲା । ପୁଣି ପଚାରିଲା—ମୋବାରକ୍, ତମେ ନିଜେ ସେଠାରେ କେଉଁ ଜିଅନ୍ତା ମଣିଷକୁ ନିକ୍ଷେପ କରିଛ ?

 

କିଛିକ୍ଷଣ ଚିନ୍ତାକରି ମୋବାରକ୍ କହିଲା—ଜମିଦାର ସୂର୍ଯ୍ୟନାରାୟଣଙ୍କ ଜୀବନ କାଳରେ ମୋଟେ ଦୁଇଜଣ ଲୋକକୁ ସେଠାରେ ପକା ହୋଇଥିଲା । ଦେୱାନଜୀ ନିଜେ ସେମାନଙ୍କୁ ବୈକୁଣ୍ଠରେ ପକାଇଥିଲେ । ଜମିଦାର ସୂର୍ଯ୍ୟନାରାୟଣଙ୍କର ସେପରି କାମରେ ବିଶେଷ ମନ ନଥିଲା । ମୁଁ ଯେତେବେଳେ ପ୍ରଥମେ ଏ ଉଆସକୁ ଲାଠିଆଳ କାମରେ ଆସେ ସେତେବେଳେ ସୂର୍ଯ୍ୟନାରାୟଣଙ୍କ ପିତା ଜୀବିତ ଥିଲେ । ତାଙ୍କ ସମୟରେ ବହୁ ଲୋକକୁ ସେଠାରେ ମରା ହୋଇଛି । ବୁଢ଼ା ଜମିଦାର ନିଜେ ଆଉ ଏଇ ଦେୱାନଜୀ ସେତେବେଳେ ସେ ସବୁ କାମ କରୁଥିଲେ । ଜଣେ ପୁଲିସ ସବଇନସ୍‍ପେକଟରଙ୍କୁ ମଧ୍ୟ ସେଠାରେ ଗାଏଫ୍ କରା ହୋଇଥିଲା ।

 

—ଜଣେ ପୁଲିସ ଅଫିସରକୁ ! ଧୀରାଜ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

—ହଁ, ହଜୁର । ଜଣେ ବିହାରୀ ଥାନାବାବୁ ଜମିଦାରଙ୍କ ବିରୁଦ୍ଧରେ କ’ଣ ସବୁ ତଦନ୍ତ କରିଥିଲା । ସେ ଯଦି ବଞ୍ଚିରହେ ତେବେ ଜମିଦାରଙ୍କର ସମ୍ମାନ ହାନିର ଭୟଥିଲା । ଦିନେ ଗୋଟିଏ ବର୍ଷା ରାତିରେ ଦେୱାନଜୀ ତାକୁ କୌଶଳରେ ଏଠାକୁ ଡକାଇ ଆଣି ବୈକୁଣ୍ଠରେ ପକାଇ ଦେଇଥିଲେ । ତା’ପରେ କେତେ ଇନ୍‍କୁଆରୀ ହେଲା । କିନ୍ତୁ କୌଣସି ପତ୍ତା ମିଳିଲା ନାହିଁ ।

 

—ତମେ ନିଜେ ସେଠାରେ କୌଣସି ଜୀଅନ୍ତା ମଣିଷକୁ ପକାଇ ନାହଁ ମୋବାରକ୍ ?

 

—ନାଇଁ ହଜୁର ମୁଁ କାହାକୁ ପକାଇନାହିଁ । ଥରେ ଗୋଟିଏ ଲୋକକୁ ଜମିଦାର ସୂର୍ଯ୍ୟନାରାୟଣଙ୍କ ଆଦେଶରେ ମୁଁ ତା’ଭିତରେ ପକାଇବାକୁ ନେଇଥିଲି । କିନ୍ତୁ ଠିକ୍ ସେ ଗୁହା ଭିତରେ ପକାଇବା ପୂର୍ବରୁ ଜମିଦାର ନିଜେ ସେଠାରେ ପହଞ୍ଚି ତାକୁ ଛାଡ଼ି ଦେଲେ ।

 

ଧୀରାଜ କହିଲା—ତେବେ ତ ସେ ଗୁପ୍ତ ସ୍ଥାନଟି ସେ ଲୋକ ଦେଖି ଯାଇଥିବ ? ସେ ଯଦି ଅନ୍ୟସ୍ଥାନରେ ସେ କଥା ପ୍ରକାଶ କରନ୍ତା ତେବେ କ’ଣ ତୁମମାନଙ୍କର ବିପଦ ହୁଅନ୍ତା ନାହିଁ ?

 

ସାମାନ୍ୟ ହସି ମୋବାରକ୍ କହିଲା—ନାଁ, ସେପରି ଭୟ ନଥିଲା । ସେ ଗୁପ୍ତସ୍ଥାନଟି ସେ ଲୋକର ଅଜଣା ନଥିଲା । ସେ ହେଉଛି ଏଇ ଦେୱାନ ଗଦାଧର ଜେନା ।

 

ଧୀରାଜ ଆଶ୍ଚର୍ଯ୍ୟ ହୋଇଗଲା । ପଚାରିଲା, କି ଦୋଷରେ ଦେୱାନଜୀଙ୍କୁ ସେଠାରେ ପକାଇବା ପାଇଁ ସୂର୍ଯ୍ୟନାରାୟଣ ଚୌଧୁରୀ ଆଦେଶ ଦେଲେ ମୋବାରକ୍ ?

 

—ମୁଁ ଠିକ୍ ଜାଣେ ନାହିଁ ହଜୁର । ସୂର୍ଯ୍ୟନାରାୟଣଙ୍କର ମରିବାର ପ୍ରାୟ ପନ୍ଦରଦିନ ପୂର୍ବେ ଏ ଘଟଣା ଘଟିଥିଲା । ଦିନେ ଉପରଓଳି ଜମିଦାରଙ୍କ କୋଠରୀ ଭିତରେ ଦେୱାନଜୀ ଓ ଜମିଦାର କଥାଭାଷା ହେଉଥିଲେ । ମୁଁ ବାହାର ବାରଣ୍ଡାରେ ଥିଲି । ହଠାତ୍ ଜମିଦାର ରାଗିଯାଇ ମୋତେ ଡାକିଲେ । କହିଲେ—ମୋବାରକ, ଏ ବେହୁଦାକୁ ନେଇ ପାତାଳ ବୈକୁଣ୍ଠରେ ଛାଡ଼ିଦେ । ମୁଁ ବୁଢ଼ାକୁ ଦୁଇହାତରେ ଟେକିନେଇ ଚାଲିଗଲି । କିନ୍ତୁ ଠିକ୍ ଗାତ ଭିତରେ ଗଳାଇବା ପୂର୍ବରୁ ଜମିଦାର ନିଜେ ସେଠାରେ ପହଞ୍ଚି ତାକୁ କ୍ଷମା କରିଦେଲେ । ସେତେବେଳକୁ ଦେୱାନଜୀ ଭୟରେ ଅଚେତା ହୋଇ ଯାଇଥିଲେ ।

 

–ନଅ–

 

ଧୀରାଜକୁ ସବୁ ଯେପରି ବିଷାକ୍ତ ଲାଗୁଛି । ଏ ଘରର ବାୟୁସ୍ତରରେ ଯେପରି ଅତୀତର ଗ୍ଳାନି ଲାଗିରହିଛି । ସେଇ ଗୁପ୍ତ ଗହ୍ୱରରେ ନରକଙ୍କାଳର ସ୍ତୁପ ଦେଖିବା ଦିନଠାରୁ ଧୀରାଜର ଶିକ୍ଷିତ ଓ ଆଲୋକପ୍ରାପ୍ତ ମନ ଭାରାକ୍ରାନ୍ତ ହୋଇରହିଛି । ସାମନ୍ତ ଯୁଗର କୀର୍ତ୍ତିକଳାପ ଯଦି ଏହିପରି ନରରକ୍ତ ପଙ୍କିଳ ହୋଇଥାଏ, ତେବେ ସେ ଯୁଗର ଇତିହାସ ଗଣତନ୍ତ୍ର ଯୁଗର ପିଲାମାନେ ମଧ୍ୟ ପଢ଼ିବା ଉଚିତ୍‍ ନୁହେଁ । ଯାହା ପଢ଼ିଲେ ଜାତିର ପୂର୍ବପୁରୁଷମାନଙ୍କ ଉପରେ ଘୃଣାଛଡ଼ା ଆଉ କିଛି ହୁଏନାହିଁ, ତାହା ଏ ଯୁଗର ଛାତ୍ରମାନେ ପଢ଼ିବା ମଧ୍ୟ ଉଚିତ ନୁହେଁ ।

 

ଧୀରାଜ ଓକିଲ ଗଙ୍ଗାଧର ବାବୁଙ୍କଠାରୁ ଚିଠି ପାଇଛି ଯେ ଜଜ୍‍କୋଟରେ ଲଳିତା ଏ ସମ୍ପତ୍ତି ପାଇବାପାଇଁ ମକଦ୍ଦମା କରିଛି । ଦୀର୍ଘ ପତ୍ରରେ ଗଙ୍ଗାଧର ବାବୁ ସବୁ ଲେଖିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ଧୀରାଜର ଏଥିରେ ଚିନ୍ତିତ ହେବାର କିଛି ନାହିଁ । ଲଳିତା ଏ ସମ୍ପତ୍ତି ପାଇବା ପାଇଁ ଆଇନ ଚକ୍ଷୁରେ ଆଦୌ ହକ୍‍ଦାର ନୁହେଁ । ଗଙ୍ଗାଧର ବାବୁ ସେ ସବୁ ବୁଝିବେ । ଧୀରାଜ ଏ ସାମାନ୍ୟ କଥା ନେଇ ଚିନ୍ତା କାରିବାର କାରଣ ନାହିଁ ।

 

ଧୀରାଜ ଚିଠିଟି ପଢ଼ି ହସିଛି । ତା ପରେ ସେ ଖଣ୍ଡି ଟିକି ଟିକି କରି ଚିରି ସମୁଦ୍ର ପବନରେ ଉଡ଼ାଇ ଦେଇଛି । ଏ ମହାପାପର ଉତ୍ତରାଧିକାରୀ ହେବାକୁ ତାର ଆଦୌ ଇଚ୍ଛା ନାହିଁ । ଅଧ୍ୟାପକ ତ୍ରିବେଦୀ ଦିନେ ଦୁଇଦିନ ଭିତରେ ନିଶ୍ଚୟ ଆସି ପହଞ୍ଚିବେ । ଏ ଭୌତିକ ରହସ୍ୟର ସମାଧାନ ହେଲେ ସେ ଏଠାରୁ ଚାଲିଯିବ ।

 

ଖରାବେଳେ ନିର୍ଜନ ବରନ୍ଦା ଉପରେ ଧୀରାଜ ଛିଡ଼ା ହୋଇଥିଲା । ସମୁଦ୍ରର ତତଲା ବାଲି ଉପରେ ବହୁ ଲୋକ କେଉଁଆଡ଼େ ଚାଲିଛନ୍ତି । ମଣିଷର ନିରବଛିନ୍ନ ସ୍ରୋତ ।

 

ନିକଟରେ ବୋଧହୁଏ କୌଣସି ମେଳା ବା ଯାତ୍ରା ହେଉଛି । କ’ଣ ଭାବି ହଠାତ୍ ଧୀରାଜ ମଧ୍ୟ ତଳକୁ ଓହ୍ଲାଇ । ଆସିଲା । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ବହୁରକମର ଲୋକ ଚାଲିଛନ୍ତି-। ଧୀରାଜ ପଚାରି ବୁଝିଲା ଯେ ପାଖ ଗାଁରେ ଗୋଟାଏ ମେଳା ଏଇ ସମୟରେ ପ୍ରତିବର୍ଷ ହୁଏ-। ସେହିଠାକୁ ସମସ୍ତେ ଚାଲିଛନ୍ତି ।

 

ଧୀରାଜ ମଧ୍ୟ ସେଇ ଜନସ୍ରୋତର ପ୍ରବାହରେ ମେଳା ଆଡ଼େ ଚାଲିଲା । ବିସ୍ତୀର୍ଣ୍ଣ ସମୁଦ୍ର ବାଲିରେ ନାନାବିଧ ଦୋକାନ ବଜାର ସଜା ହୋଇଛି । ମଝିରେ ମଝିରେ ଲଙ୍କାଆମ୍ବର ବଣ ସ୍ଥାନଟିକୁ ଛାୟା ଶୀତଳ ଓ ମନୋରମ କରିଛି । ଧୁ ଧୁ ସମୁଦ୍ର ବାଲି ମଝିରେ ଗୋଟିଏ ଅତି ପ୍ରାଚୀନ ଶିବ ମନ୍ଦିର । ଏଇ ଦେବତାଙ୍କୁ କେନ୍ଦ୍ର କରି ପ୍ରତି ବର୍ଷ ଏଠାରେ ଗୋଟିଏ ମେଳା ହୁଏ । କେତେ କିଣା ବିକା ହୁଏ । କେତେ ଦୋକାନ ବଜାର ବସେ । ଲୋକ ସମାଗତ ହୁଅନ୍ତି । ତିନି ଦିନ କାଳ ମହା ସମାରୋହରେ ଭଙ୍ଗା ମନ୍ଦିର ଭିତରେ ଦେବତାଙ୍କର ପୂଜା ହୁଏ । ତା ପରେ ମେଳା ଭାଙ୍ଗି ଯାଏ । ବାକି ବର୍ଷସାରା ଶିବଲିଙ୍ଗ ଉପରେ ବେଲପତ୍ରଟିଏ ମଧ୍ୟ କେହି ଚଢ଼ାଏ ନାହିଁ ।

 

ମେଳା ଭିତରେ ବୁଲି ବୁଲି ଧୀରାଜ ଦେଖୁଥିଲା । ହଠାତ୍ ସେ ଦେଖି ପାରିଲା ମୋବାରକ ଦୋକାନ ଦୋକାନ ବୁଲି ଭିକ୍ଷା କରୁଛି । କିଛିକ୍ଷଣ ଛିଡ଼ାହୋଇ ଧୀରାଜ ଲକ୍ଷ୍ୟ କଲା । କଳା ଆଲଖାଲା ଉପରେ ଗୋଟିଏ ଝୋଲା ପକାଇ ବୁଦ୍ଧ ଦୋକାନମାନଙ୍କରୁ ଭିକ୍ଷା ସଂଗ୍ରହ କରୁଛି-। ଧୀରାଜର ବଡ଼ ଦୁଃଖ ହେଲା । ଯେଉଁ ଦୁର୍ଦ୍ଦାନ୍ତ ଲାଠିଆଳ ମୋବାରକ ନିଜ ବାହୁବଳରେ ଦିନେ ଅଜସ୍ର ଅର୍ଥ ଲୁଣ୍ଠନ କରିଥିଲା, ଯେ ଜମିଦାର ସୂର୍ଯ୍ୟନାରାୟଣ ଚୌଧୁରୀଙ୍କର ଥିଲା ଅତି ପ୍ରିୟ ଅନୁଚର, ତା’ର ବୃଦ୍ଧ ବୟସରେ ଏପରି ଦୁର୍ଦ୍ଦଶା ଦେଖି ଧୀରାଜର ଦୁଃଖ ହେଲା । ଏଠାକୁ ଆସିବା ଦିନୁ ଯେତେ ଲୋକଙ୍କ ସଂସ୍ପର୍ଶରେ ସେ ଏ ପର୍ଯ୍ୟନ୍ତ ଆସିଛି, ସେମାନଙ୍କ ଭିତରୁ କେବଳ ଏଇ ବୃଦ୍ଧ ମୁସଲମାନଙ୍କୁ ସେ ଶ୍ରଦ୍ଧା କରେ । ଆହୁରି କିଛି କ୍ଷଣ ସେଠାରେ ଛିଡ଼ା ହୋଇ ଧୀରାଜ ବୁଢ଼ାକୁ ଚାହିଁରହିଲା । ମୁହଁରେ ସେହିପରି ସୌମ୍ୟ ହସଟି ଲାଗିରହିଛି । ଝୋଲାଟି ସାମନାରେ ମେଳାର ଧରି ହସ ହସ ମୁହଁରେ ବୁଢ଼ା ଚାହିଁରହେ । କେହି ଦେଲା ତ ଭଲ, ନ ଦେଲେ ମଧ୍ୟ ତାର କୌଣସି ଅଭିଯୋଗ ନାହିଁ ।

 

ଏଇ ସମୟରେ ଆଉ ଗୋଟିଏ ଲୋକ ଉପରେ ହଠାତ୍ ଧୀରାଜର ଦୃଷ୍ଟି ପଡ଼ିଲା । ନୁଖୁରାବାଳ, ମଇଳା ଲୁଗାପଟା, କୋଟରଗତ ରକ୍ତାଭ ଆଖି । ଠିକ ଗୋଟିଏ ପାଗଳ ପରି ନଟବର ଚାଲିଛି । ତା’ର ଚେହେରା ଦେଖି ଧୀରାଜ ଆଶ୍ଚର୍ଯ୍ୟ ହୋଇଗଲା । ନଟବରଟା କ’ଣ ସତେ ପାଗଳ ହୋଇଗଲା !! କିମ୍ବା ଏହା ଅତ୍ୟଧିକ ସୁରାପାନର ପରିଣତି !! ନଟବର ଧୀରାଜର ସାମନା ଦେଇ ଟଳି ଟଳି ଚାଲିଗଲା । ଧୀରାଜକୁ ଚିହ୍ନି ପାରିଲା ନାହିଁ ।

 

ମୋବାରକକୁ ନିକଟରେ ଦେଖି ଧୀରାଜ ଚିତ୍କାର କରି ଡାକିଲା—ଫକୀର ସାହେବ ! ମୋବାରକ ବୁଲି ଚାହିଁଲା । ହଠାତ୍ ଏଠାରେ ଧୀରାଜକୁ ଦେଖି ସେ ଆନନ୍ଦରେ ଗଦ୍‍ଗଦ୍‍ ହୋଇ ଉଠିଲା । —ଆରେ, ମେରେ ରାଜକୁମାର ! ମେରେ ମାଲିକ୍ !

 

—ମୋବାରକ, ତମେ ଏଠାରେ କ’ଣ କରୁଛ ? ଧୀରାଜ ପଚାରିଲା !

 

—ଭିକ୍ଷା କରୁଛି ହଜୁର । ଏ ମେଳାକୁ ବହୁତ ଲୋକ ଆସନ୍ତି । ଦୋକାନ ବଜାର ବହୁତ ବସେ । ସମସ୍ତେ ଅତି ଉତ୍ତମ ଲୋକ । ମାଗିଲେ କେହି ମନା କରନ୍ତି ନାହିଁ । ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ଧୀରାଜ କହିଲା—ମୋବାରକ, ତମେ ଏ ବୟସରେ ଭିକ୍ଷା କରିବାର ଦେଖି ମୋର ବଡ଼ ଦୁଃଖ ହେଉଛି । ମୁଁ ତ ତୁମକୁ ବହୁ ଦିନରୁ ଅନୁରୋଧ କରିଛି ଯେ ତମେ ଆସି ମୋ ସଙ୍ଗେ ରୁହ । ତମେ ଆଜି ମୋ ନିକଟକୁ ଚାଲ ଫକୀର ସାହେବ । ମୁଁ ଯଦି ଏ ସ୍ଥାନ ଛାଡ଼ି ଚାଲିଯାଏ, ତେବେ ତୁମର ସବୁ ସଂସ୍ଥା କରି ଯିବି ।

 

ସାମାନ୍ୟ ହସି ମୋବାରକ କହିଲା—ନାଇଁ ମାଲିକ୍, ତମେ ଦୁଃଖ କର ନାହିଁ । ମୋ ନିଜ ପାଇଁ ମୁଁ କଦାପି ଭିକ୍ଷା କରେ ନାହିଁ । ମୋର ନିଜର ଯତ୍‍ସାମାନ୍ୟ ସମ୍ବଳ ଅଛି । ଅନ୍ୟ କେତୋଟି ହତଭାଗା ମୋର ଏଠାରେ ପୋଷ୍ୟ ଅଛନ୍ତି । ସେଇମାନଙ୍କ ପାଇଁ ମୁଁ ଭିକ୍ଷା କରେ । ତା’ଛଡ଼ା ମୁଁ ତ ବାରବୁଲା ଫକୀର ହଜୁର, ଭିକ ମାଗିବାରେ ମୋର ବା ଆଉ ଲଜ୍ଜ୍ୟା କ’ଣ ?

 

—ତମର ସେଇ ହତଭାଗା ପୋଷ୍ୟ ଗୁଡ଼ିକୁ ମୋତେ ଦେଖାଇବ ନାହିଁ ମୋବାରକ ?

 

—ଜରୁର ହଜୁର ! ସେଥିରେ ବା ମୋର ଆପତ୍ତି କଣ ଅଛି ?

 

ଗୋଟିଏ ଛାୟା ଶୀତଳ ଲଙ୍କାଆମ୍ବ ଗଛମୂଳେ ବସି ଧୀରାଜ କହିଲା—ମୋବାରକ୍, ତମ ଜୀବନର ଆଉକିଛି ଗଳ୍ପ ମୋତେ କହ । ତମେ କେତେ ବର୍ଷ ହେଲା ଆଉ ଲାଠି ଧରିନାହଁ । ଶେଷଥର କେଉଁଠି କିପରି ଲାଠି ଚଳାଇଥିଲ ସେହି ଗଳ୍ପ କହ ।

 

ଧୀରାଜର ପିଲାଳିଆ କଥା ଶୁଣି ମୋବାରକ୍ ହସିଲା । କିଛିକ୍ଷଣ ଆଖି ବୁଜି କ’ଣ ଚିନ୍ତାକଲା । ତା’ପରେ ବାଲି ଉପରୁ ପାଚିଲା ବାଉଁଶ ଠେଙ୍ଗାଟି ଉଠାଇ ନେଇ କିଛିକ୍ଷଣ ଦେଖିଲା । ଧୀରେ ଧୀରେ କହିଲା—ହଁ ହଜୁର ଏଇ ଠେଙ୍ଗା । ଶେଷ ଥର ମୁଁ ଏହାର ବ୍ୟବହାର କରିଥିଲି ମକ୍‍କା ଯିବା ବାଟରେ । ଆରବର ମରୁଭୂମି ଭିତରେ ।

 

ଆହୁରି କିଛିକ୍ଷଣ ମୋବାରକ ନୀରବରେ ବସି ରହିଲା । ତା’ପରେ କହିଲା—ଆମେ ପ୍ରାୟ ଚଉଦଜଣ ଲୋକ ମରୁଭୂମି ପାରି ହେଉଥିଲୁ । ସେ କଷ୍ଟ ମୁଁ ବୁଝାଇ କହି ପାରିବି ନାହିଁ । ଦିନବେଳେ ନିଆଁ ପରି ବାଲି ଗରମ ହୋଇଉଠେ । ସୁ ସୁ ହୋଇ ତତଲା ପବନ ଦେହରେ ନିଆଁ ହୁଳା ପରି ବାଜେ । ଦେହର ମାଂସ ଖଣ୍ଡ ଖଣ୍ଡ ହୋଇ ଫାଟି ରକ୍ତ ବାହାରେ । ମରୁଭୂମି ଭିତରେ ସାନ ସାନ ଝରଣା ଅଛି । ସେଇ ଝରଣା ପାଖରେ ଖଜୁରି ଗଛ, ଶିଜୁଗଛ, ଆଉ ଅଣାବଣା କଣ୍ଟାଗଛ କେତେକ ଥାଏ । ସେଇ ସ୍ଥାନରେ ଦିନବେଳେ ଆମେମାନେ ଲୁଗାର ତମ୍ବୁ ପକାଇରହୁ । ପୁଣି ସଞ୍ଜ ହେଲେ ବାଟ ଚାଲୁ ।

 

ଥରେ ରାତିରେ ଆମକୁ ଦଳେ ଡକାୟତ ଘେରିଲେ । ମରୁଭୂମି ଭିତରେ ବି ଡକାୟତ ଅଛନ୍ତି । ସେମାନେ ବାଘ ପରି ବଳବାନ ଆଉ ହିଂସ୍ର । ସେମାନେ ଯେଉଁ ଦଳ ଉପରେ ଚଢ଼ାଉ କରନ୍ତି, ସେମାନଙ୍କ ଭିତରୁ ଆଉ କାହାକୁ ବଞ୍ଚାଇ ରଖନ୍ତି ନାହିଁ । ସମସ୍ତଙ୍କୁ ଜୀବନରେ ମାରି ଦିଅନ୍ତି-। “ହଜ୍” ଯାତ୍ରୀମାନଙ୍କ ନିକଟରେ କ’ଣ ବା ଏପରି ସମ୍ବଳ ଥାଏ । ସେଇ ସାମାନ୍ୟ ଧନ ପାଇଁ ସେମାନେ ସମସ୍ତଙ୍କୁ ମାରି ପକାନ୍ତି । ସେମାନଙ୍କୁ କହନ୍ତି “ବେଦୁଇନ୍” ।

 

ଆମେ ଚଉଦଟି ଯାତ୍ରୀ ଧାଡ଼ିବାନ୍ଧି ରାତିରେ ମରୁଭୂମି ଭିତରେ ଚାଲିଛୁ । ଆକାଶର ତାରା ଆଲୁଅରେ ଚାରିଆଡ଼ ଉଜ୍ଜ୍ଵଳ । ଆଗରେ, ପଛରେ ବାଲିର ପାହାଡ଼ମାନ ଛିଡ଼ା ହୋଇଛି । ହଠାତ୍ ଗୋଟିଏ ବାଲି ପାହାଡ଼ର ଅନ୍ଧାରୁଆ ଭିତରୁ ଦଳେ ବେଦୁଇନ ଡକାୟତ ଆମକୁ ଘେରିଥିଲେ । ସମସ୍ତଙ୍କ ହାତରେ ଠେଙ୍ଗା, ଖଣ୍ଡା, ବରଚ୍ଛା । ଆମ ଦଳର ସମସ୍ତେ ଭୟରେ ଚିତ୍କାର କରିବାକୁ ଲାଗିଲେ । ମୁଁ ସେମାନଙ୍କୁ ସାହସ ଦେଇ କହିଲି ଭାଇମାନେ ଭୟକର ନାହିଁ । ଡକାୟତ ହେଲେ ବି ଏମାନେ ମଣିଷ । ସେମାନଙ୍କୁ ବୁଝାଇ କହିବା ଯେ ଆମେମାନେ ଗରିବ ଫକୀର । ତୀର୍ଥଯାତ୍ରାରେ ଯାଉଛୁ । ଆମକୁ ବାଟ ଛାଡ଼ିଦିଅ । ଡକାୟତମାନଙ୍କୁ ବହୁତ ଗୁହାରି କରି କହିଲି । ବହୁତ ନେହୁରା ହେଲି । ହେଲେ ସେମାନେ ଶୁଣିଲେ ନାହିଁ । ମୋ ଆଖି ଆଗରେ ଆମଦଳର ଜଣକୁ ମାରି ପକାଇଲେ ।

 

ମୁଁ ସେତେବେଳେ ଆଉ ସହି ପାରିଲି ନାହିଁ ହଜୁର । ମନେ ମନେ ଖୋଦାଙ୍କୁ ଡାକି କହିଲି—ମୋର ଆଉ ଦୋଷ ନାହିଁ ମେହେରବାନ୍ । ସେଇଦିନ ମୁଁ ଶେଷ ଲାଠି ଧରିଥିଲି ହଜୁର ।

 

—ସେ ଯୁଦ୍ଧର ଫଳ କ’ଣ ହେଲା ମୋବାରକ୍ ? ତମେ କ’ଣ ଜଖମ୍ ହେଲ ? ଧୀରାଜ ପଚାରିଲା ।

 

—ନାଇଁ ହଜୁର ମୁଁ ଜଖମ୍ ହୋଇନାହିଁ । ମୋତେ ଜଖମ୍ କରିବା ଭଳି ସେମାନଙ୍କର ଶିକ୍ଷା ନାହିଁ । ସେମାନଙ୍କର ବଳ ଅଛି, ସାହସ ଅଛି—ହେଲେ କୌଶଳ ନାହିଁ । ସମସ୍ତେ ପଳାଇଗଲେ । କେବଳ ଦୁଇଜଣ ସେଠାରେ ପଡ଼ିରହିଲେ, ସେମାନଙ୍କର ମୁଣ୍ତର ହାଡ଼ ଫାଟି ଯାଇଥିଲା ।

 

—ସେମାନଙ୍କୁ କ’ଣ ସେଇଠାରେ ରଖି ତୁମେମାନେ ଚାଲିଗଲ ? ଧୀରାଜ ପଚାରିଲା-। ସାମାନ୍ୟ ହସି ମୋବାରକ୍ କହିଲା–ନାଇଁ ହଜୁର, ମୁଁ ସେତେଦୂର ଜାନୋଆର ନୁହେଁ-। ଗୋରା ତକ୍‍ତକିଆ ଦୁଇଟା ନଓଯୋଆନ ବାଲି ଉପରେ ପଡ଼ିରହିଲେ । ଦୁଇଦିନକାଳ ସେମାନଙ୍କୁ ଚିକିତ୍ସା କରି ମୁଁ ଭଲ କଲି । ଶେଷକୁ ସେମାନେ ମୋତେ ନଛୋଡ଼ବନ୍ଧା-। ତମେ ଆମର ଓସ୍ତାଦ୍ । ଲାଠି ଶିଖାଇ ଦିଅ । ମୁଁ କହିଲି ନାଇଁ ଭାଇ, ଆଉ ଲାଠି ମୁଁ ଧରିବି ନାହିଁ-। ଏଇ ଶେଷ । ଏବେ ଏ ଲାଠି ମୋର ବୁଢ଼ା କାଳର ବାଟ ଚଲା ସାଥୀ ।

 

ନିର୍ବାକ୍ ହୋଇ ଧୀରାଜ କିଛିକ୍ଷଣ ସେଠାରେ ବସିରହିଲା । ଏଇ ନିରକ୍ଷର ଦୁର୍ଦ୍ଦାନ୍ତ ଲାଠିଆଳ ସହିତ ସେ ସୁସଭ୍ୟ ଦେୱାନଜୀଙ୍କୁ ମନେ ମନେ ତୁଳନା କରୁଥିଲା । ସର୍ବାଙ୍ଗରେ ପରମ ଧର୍ମପ୍ରାଣ ବୈଷ୍ଣବର ଛାପା ମାରି ବୃଦ୍ଧ ଦେଓ୍ଵାନର ଅନ୍ତରରେ ଯେଉଁ ନରହନ୍ତା ପିଶାଚ ରହିଛି, ଧୀରାଜ ତା’ ଖୁବ୍ ଭଲଭାବରେ ବୁଝିଥିଲା । ଆଉ ଏଇ ଦୁର୍ଦ୍ଦାନ୍ତ ଦସ୍ୟୁ ମୋବାରକ୍ । ଅନ୍ତର ଓ ବାହାର ତାର ସମ୍ପୂର୍ଣ୍ଣ ସରଳ । ଜୀବନସାରା ସେ ଶକ୍ତି ଚର୍ଚ୍ଚା କରିଛି । ନରରକ୍ତ ନେଇ ଖେଳିଛି । କିନ୍ତୁ ତଥାପି ସେ ବୀର । ସେ ସତ୍ୟାଗ୍ରହୀ । ପିଶାଚ ଦେୱାନାଜୀଙ୍କ ପରି ହତ୍ୟାକାରୀ ନୁହେଁ ।

 

ସେତେବେଳକୁ ଖରା ନଇଁ ଆସିଥିଲା । ଧୀରାଜ ଓ ମୋବାରକ୍ ଉଠିଲେ । ଭାରି ଝୁଲାଟି କାନ୍ଧରେ ଝୁଲାଇ ବୃଦ୍ଧ ମୋବରକ୍ ସମୁଦ୍ର ବାଲି ଉପର ଦେଇ ଚାଲିଲା । ଧୀରାଜ ମଧ୍ୟ ତା ସଙ୍ଗେ ଚାଲିଲା ।

 

ବାଜିତ୍‍ପୁର ଗାଁର ଉପକଣ୍ଠରେ ଗୋଟିଏ ପ୍ରାଚୀନ ଦରଭଙ୍ଗା ମସଜିଦ୍ । କରବୀ ଫୁଲ ଓ ଲଙ୍କାଆମ୍ବ ଗଛ ଭିତରେ ଏଇ ଛାୟା ଶୀତଳ ସ୍ଥାନଟି ଅତି ମନୋରମ । ତା’ର ଗୋଟିଏ ପଟକୁ ଦୁଇବଖରା ଭଙ୍ଗା ଚାଳଘର ରହିଛି । ଏଇଟି ଏ ମସଜିଦ୍‍ ପାନ୍ଥଶାଳା । କେବେ କେଉଁ ଧର୍ମାତ୍ମା ମୁସଲମାନ ଏଇ ପାନ୍ଥଶାଳାଟି ନିର୍ମାଣ କରି ଦେଇଥିଲେ । କାଳେକାଳେ କେତେ ପଥକ୍ଲାନ୍ତ ମୁସଲମାନ ଯାତ୍ରୀ ଓ ଫକୀର ଏଠାରେ ଆଶ୍ରୟ ନେଇଛନ୍ତି । ଏବେ ଏଠାରେ ମୋବାରକର କେତୋଟି ପୋଷ୍ୟ ଆଶ୍ରୟ ଗ୍ରହଣ କରିଛନ୍ତି । ଯେଉଁମାନଙ୍କ ପାଇଁ ଏ ବୃଦ୍ଧ ବୟସରେ ମଧ୍ୟ ମୋବାରକକୁ ଭିକ୍ଷା କରିବାକୁ ହେଉଛି ।

 

କେତୋଟି ଅନ୍ଧ ଓ ଖଞ୍ଜଙ୍କର ପରିବାର । ସମସ୍ତେ ମୁସଲମାନ ଭିକାରୀ । କେତୋଟି ସାନ ସାନ ପିଲା ମୋବାରକକୁ ଦେଖି ଖୁସିରେ ଘେରିଗଲେ । ସେମାନଙ୍କୁ ଦେଖି ବୃଦ୍ଧର ପାଉଁସିଆ ନିଷ୍ପ୍ରଭ ଆଖି ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା । ଝୋଲା ଭିତରୁ କେତେ ଗୁଡ଼ିଏ ଖେଳନା କାଢ଼ି ବୁଢ଼ା ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଦେଲା । ଦୁନିଆର ସବୁ ସୁଖ ଓ ଆଶାରୁ ବଞ୍ଚିତ ଏଇ ଅବାଞ୍ଛିତ ଶିଶୁ ଗୁଡ଼ିକ ଖେଳନା ପାଇ ଆନନ୍ଦରେ କଳରବ କରି ଉଠିଲେ ।

 

ତା’ ପରେ ଧୀରାଜ ଓ ମୋବାରକ ପାନ୍ଥଶାଳା ଭିତରକୁ ଗଲେ । ଅତ୍ୟନ୍ତ ଅପରିଚ୍ଛନ୍ନ ଘର ଭିତରେ କେତୋଟି ଅନ୍ଧ ଓ ଖଞ୍ଜ ରହିଛନ୍ତି । ଫକୀରଙ୍କୁ ସେମାନେ ପରମ ଭକ୍ତିରେ ସମ୍ମାନ ଦେଖାଇଲେ । ମୋବାରକ ସମସ୍ତଙ୍କର ଭଲମନ୍ଦ ପଚାରିଲା । ତା’ ପରେ ପ୍ରକାଣ୍ଡ ଝୁଲା ଭିତରୁ ସବୁ ଖାଦ୍ୟ ସାମଗ୍ରୀ ଓ ପଇସା ନିଃଶେଷ କରି ସେମାନଙ୍କ ନିକଟରେ ଢାଳିଦେଲା ।

 

ପୁରାଣରେ ଲେଖାଅଛି ଯେ ନରହନ୍ତା ଦସ୍ୟୁ ସର୍ଦ୍ଦାର ରତ୍ନାକର ଉତ୍ତର କାଳରେ ମହର୍ଷି ବାଲ୍ମିକ ହୋଇ ପାରିଥିଲେ । ଆଜି ଧୀରାଜ ଯାହା ଦେଖିଲା ତାହା ସେହିପରି ମର୍ମସ୍ପର୍ଶୀ ଓ ମହାନ୍-। ଧୀରାଜ ଧନ୍ୟ । ସେ ବର୍ତ୍ତମାନ ଏଠାକାର ଜମିଦାର । ଇଚ୍ଛା କଲେ ଅନାୟାସରେ ସେ ଏଇ ନିରାଶ୍ରୟ ଗୁଡ଼ିକର ଭରଣ ପୋଷଣର ଚିରସ୍ଥାୟୀ ବନ୍ଦୋବସ୍ତ କରି ଦେଇ ପାରନ୍ତା । କିନ୍ତୁ ଅର୍ଥବଳରେ ସେ ଏପରି ଗୋଟିଏ ମହାନ ହୃଦୟର ସହୃଦୟତାକୁ ଅସମ୍ମାନ କରିବାକୁ ଚାହିଁଲା ନାହିଁ ।

 

ସେଦିନ ସଞ୍ଜବେଳେ ଧୀରାଜ ନିଜ ଘରେ ବସିଥିଲା । ବର୍ଷାସିକ୍ତ ସ୍ନିଗ୍ଧ ଧରିତ୍ରୀ ପରି ଗ୍ଳାନିକ୍ଳାନ୍ତ ଅନ୍ତର ତା’ର ନିର୍ମଳ ହୋଇ ଯାଇଥିଲା । ଏ ଦୁନିଆରେ ଦେୱାନଜୀଙ୍କ ପରି ପିଶାଚ ଶତ ସହସ୍ର ଥିଲେ ମଧ୍ୟ କ୍ଷତି ନାହିଁ, ଯଦି ଏଠାରେ ମୋବାରକ ପରି ମହାପ୍ରାଣ ବ୍ୟକ୍ତି କେତୋଟି ମାତ୍ର ରହନ୍ତି ।

 

ତ୍ରିଲୋଚନ ଚାହା ଧରି ଘରେ ପ୍ରବେଶ କଲା । ଟ୍ରେ’ଟିକୁ ସାବଧାନରେ ଟେବୁଲ ଉପରେ ରଖି ପକେଟରୁ ଖଣ୍ଡିଏ ଟେଲିଗ୍ରାମ କାଢ଼ି ଧୀରାଜ ହାତରେ ଦେଲା । ଟେଲିଗ୍ରାମଟି ପଢ଼ି ଧୀରାଜର ଆଖି ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା । ଅଧ୍ୟାପକ ତ୍ରିବେଦୀ ଆସନ୍ତା କାଲି ଅପରାହ୍ନରେ ଏଠାରେ ପହଞ୍ଚିବେ । ଏଥର ଆଉ ବେଶୀଦିନ ଧୀରାଜକୁ ଏଠାରେ ପଡ଼ିରହିବାକୁ ହେବ ନାହିଁ । ଏହି ଭୟାବହ ଭୌତିକ ରହସ୍ୟର ସମାଧାନ ପରେ ସେ ଏଠାରୁ ଚିରଦିନ ପାଇଁ ଚାଲିଯିବ । ନର ରକ୍ତ ରଞ୍ଜିତ ଏ ଭୂସମ୍ପତ୍ତି ବା ସୂର୍ଯ୍ୟନାରାୟଣଙ୍କର ଗୁପ୍ତ ଧନରେ ତାର ବିନ୍ଦୁମାତ୍ର ଲୋଭ ନାହିଁ ।

 

ସେଦିନ ରାତ୍ରି ଭୋଜନ ଶେଷକରି ବିଛଣାରେ ଶୋଉ ଶୋଉ ଧୀରାଜ ଗଭୀର ନିଦ୍ରାରେ ନିମଗ୍ନ ହେଲା । ଏଠାକାର ଭୌତିକ ଘଟଣା ସେହିପରି ପ୍ରତି ରାତିରେ ଘଟେ । ସୂର୍ଯ୍ୟନାରାୟଣଙ୍କର ନିର୍ଜୀବ ଚିତ୍ରପଟଟି ହଠାତ୍ ସଜୀବ ହୋଇ ଉଠେ । ଘର ସାରା ଗୋଟିଏ ଦୀର୍ଘ ଛାୟା ମୂର୍ତ୍ତି ଚାଲେ । ବାହାରେ କୁକୁରର କ୍ରୃଧ ଗର୍ଜନ ଶୁଣାଯାଏ । ତା’ପରେ ସୂର୍ଯ୍ୟନାରାୟଣଙ୍କର ପ୍ରତିରୂପଟି ଧୀରେ ଧୀରେ ଉଭାଇ ଯାଇ ସେଇଠାରେ ଦେୱାନଜୀଙ୍କର ରୂପ ଫୁଟି ଉଠେ । ପ୍ରାଚୀନ ଗଜଦନ୍ତ ନିର୍ମିତ ମୂର୍ତ୍ତିପରି ଶୁଷ୍କ, କଠିନ ଓ ନିରସ ।

 

ପ୍ରତି ରାତିର ଏ ଦୃଶ୍ୟ ଧୀରାଜ ନିକଟରେ ପ୍ରାୟ ସ୍ଵାଭାବିକ ହୋଇ ଯାଇଥିଲା । ଆଉ ଏବେ ଭୟ ମଧ୍ୟ ବେଶୀ ହେଉ ନଥିଲା । ସେଦିନ ଗଭୀର ରାତିରେ ହଠାତ୍ ଧୀରାଜର ନିଦ ଭାଙ୍ଗିଗଲା । ଘର ଭିତରେ ଥିବା ପେଟ୍ରୋମାକ୍‍ସଟି ନିଭି ଯାଇ କେବଳ ଝାଡ଼ଲଣ୍ଠଣର ସ୍ତିମିତ ଆଲୋକରେ ଘରଟା ପ୍ରାୟ ଅନ୍ଧକାର ହୋଇରହିଛି । ହଠାତ୍ ଆଖି ମେଲାଇ ଧୀରାଜ ଦେଖି ପାରିଲା ଯେ ଘରର ଠିକ୍ ମଝିରେ ଗୋଟିଏ ଦୀର୍ଘ ମୂର୍ତ୍ତି ଛିଡ଼ା ହୋଇଛି । ମୂର୍ତ୍ତିଟି କେବଳ ଛାୟାମୟ ହେଲେ ମଧ୍ୟ ଧୀରାଜ ଯେପରି ଚିହ୍ନି ପାରିଲା । ଦେହର ଶୋଣିତ ପ୍ରବାହ ଯେପରି ତାର ବନ୍ଦ ହୋଇ ଯିବାର ଉପକ୍ରମ ହେଲା । ମେରୁଦଣ୍ଡ ବରଫ ପରି ଶୀତଳ ହୋଇ ଆସିଲା । ସେ ପରିଷ୍କାର ଦେଖି ପାରିଲା ଯେ ସୂର୍ଯ୍ୟନାରାୟଣ ଚୌଧୁରୀ ଠିଆ ହୋଇଛନ୍ତି ।

 

ବିଛଣାରୁ ଉଠିପଡ଼ି ବାହାରକୁ ପଳାଇବ ବୋଲି ଧୀରାଜ ଚେଷ୍ଟା କଲା । କିନ୍ତୁ ତାର ସର୍ବାଙ୍ଗ ଯେପରି ଅବଶ ହୋଇ ଯାଇଛି । ଧୀରେ ଧୀରେ ତାର ଚେତା ବୁଡ଼ିଗଲା । ତା ପରେ ସବୁ ଘଟଣା ଧୀରାଜର ଗୋଟିଏ ଅର୍ଦ୍ଧବିସ୍ମୃତ ସ୍ୱପ୍ନ ପରି ମନେ ହୁଏ । ଛାୟା ମୂର୍ତ୍ତି ଧୀରେ ଧୀରେ ଧୀରାଜର ବିଛଣା ନିକଟକୁ ଆଗେଇ ଆସିଲା । ତା ପରେ ଗୋଟିଏ ସାନ ପିଲା ପରି ତାକୁ ଦୁଇ ହାତରେ ଟେକିଧରି ଶୂନ୍ୟକୁ ଉଠିଗଲା । ମହା ଶୂନ୍ୟରେ–ମୁକ୍ତ ଆକାଶ–ତଳେ ଯେପରି ସେ ବହୁକ୍ଷଣ ଭାସି ଚାଲିଲା । ତା’ପରେ ତା’ର ସମ୍ପୂର୍ଣ୍ଣ ଚେତନା ଲୋପ ହୋଇଗଲା ।

 

ଧୀରେ ଧୀରେ ଧୀରାଜର ଚେତନାଶକ୍ତି ଫେରିଆସିଥିଲା । ଯେପରି ଗଭୀର ନିଦ ଧୀରେ ଧୀରେ ଭାଙ୍ଗେ ସେହିପରି ତା’ର ମନେ ହେଉଥିଲା । ଥଣ୍ଡା ପବନ ଦେହରେ ଲାଗିଲା । ତାପରେ କ୍ରମେ କ୍ରମେ ତା’ ଆଖିକୁ ମଧ୍ୟ ସବୁ ଦେଖାଗଲା । ସେ ଜାଣି ପାରିଲା ଯେ ଦୋମହଲା ତଳକୁ ଯେଉଁ ଅରମା ବଗିଚା ଅଛି ତା’ର ଭିତରେ ଖଣ୍ଡିଏ ପଥର ଉପରେ ସେ ବସିଛି । ଚାରିଆଡ଼ ନିର୍ଜନ । ନିଶା ଗର୍ଜ୍ଜୁଛି । ସୁ ସୁ ହୋଇ ନିରବଚ୍ଛିନ୍ନ ଭାବରେ ସମୁଦ୍ରର ଗର୍ଜ୍ଜନ ଭାସି ଆସୁଛି । ସବୁ ଘଟଣା ଧୀରେ ଧୀରେ ତାର ମନେ ପଡ଼ିଲା । ଏହା କ’ଣ ପ୍ରକୃତରେ ଭୌତିକ ଘଟଣା ନା ନିଦ ବାଉଳାରେ ଧୀରାଜ ଘର ଛାଡ଼ି ଏଠାକୁ ଚାଲି ଆସିଛି ? ଏପରି ଘଟଣା ଘଟିବାର ଧୀରାଜ କେତେଥର ଶୁଣିଛି । ସେ ଯାହା ଦେଖିଲା ତାହା କ’ଣ କେବଳ ସ୍ଵପ୍ନ ! ଆଉ ଯଦି ଏହା ଭୌତିକ ଘଟଣା ହୋଇଥାଏ, ତେବେ ଏହା ଯେ ଅତି ଭୟାବହ ଏଥିରେ ସନ୍ଦେହ ନାହିଁ ।

 

ଆକାଶରେ କୁଆଁ ତାରା ଜୁଳୁ ଜୁଳୁ କରୁଛି । ଆଉ ରାତି ନାହିଁ । କିନ୍ତୁ ଅନ୍ଧାର ଏ ପର୍ଯ୍ୟନ୍ତ ଯାଇ ନାହିଁ । ହଠାତ୍ କ’ଣ ଗୋଟିଏ ଶବ୍ଦରେ ଧୀରାଜର ଧ୍ୟାନ ଭଗ୍ନ ହେଲା । ଆଦୂରରେ କେତେ ଗୁଡ଼ାଏ ପୁରୁଣା ଗଙ୍ଗଶିଉଳି ଗଛ ମୂଳେ ସେଇ ପୁରୁଣା ଭଙ୍ଗା କୁଅଟା ।

 

ସେଇଠାରେ ଦୁଇଟି ଲୋକକୁ ଧୀରାଜ ଦେଖି ପାରିଲା । ପରିଷ୍କାର ଦେଖା ନ ଗଲେ ମଧ୍ୟ ଧୀରାଜର ମନେ ହେଲା ସେ ଯେପରି ତାଙ୍କୁ ଚିହ୍ନେ । ଗଛର ଆଢ଼ୁଆଳ ରଖି ଆଉ କିଛି ଦୂର ଆଗେଇ ଗଲା । ଏବେ ପରିଷ୍କାର ଭାବେ ଧୀରାଜ ଚିହ୍ନି ପାରିଲା । ଲଳିତା ଫୁଲ ତୋଳିବାକୁ ଆସିଛି । ତା’ ହାତରେ ଫୁଲଝୁଡ଼ି । ଆର ଜଣକ ନଟବର । ମୁଣ୍ଡରେ ସେହିପରି ନୁଖୁରା ବାଳ । ମଇଳା ଲୁଗା ଜାମା । ଠିକ୍ ଗୋଟିଏ ପାଗଳ ପରି ମନେ ହେଉଛି ।

 

ନଟବର ଲଳିତାର ପଣତ କାନିକୁ ଧରି ଟାଣୁଛି । ପ୍ରଚଣ୍ଡ ଘୃଣାରେ ଲଳିତା ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛି । କ୍ଷୁଧାର୍ତ୍ତ ପଶୁ ପରି ନଟବର ହଠାତ୍ ଆଗେଇ ଆସିଲା । ତାର କୋଟରଗତ ଆଖିରେ କାମନାର ବହ୍ନି । ଧୀରାଜର ସର୍ବାଙ୍ଗ କ୍ରୋଧରେ ଜଳି ଉଠିଲା । ତାର ଇଚ୍ଛା ହେଲା ବାଘ ପରି ପଶୁଟା ଉପରେ ସେ ଝାମ୍ପ ମାରିବ । ଠିକ୍ ଏତିକି ବେଳେ ଲଳିତା ନିଜେ ଆକ୍ରମଣ କଲା । ବ୍ୟାଘ୍ରିଣୀ ପରି ନଟବରକୁ ସେ ଯେପରି ବିଦାରି ପକାଇଲା । ଅସ୍ଫୁଟ ଚିତ୍କାର କରି ନଟବର ସେହିଠାରେ ଧରାଶାୟୀ ଦେଲା । ତାପରେ ଲଳିତା ହଠାତ୍ ନଟବର ଗୋଡ଼ରୁ ପଟେ ଚଟି କାଢ଼ି ନେଇ ପ୍ରଚଣ୍ଡ ଭାବରେ ପ୍ରହାର କରିବାକୁ ଲାଗିଲା । ଦାରୁଣ ଯନ୍ତ୍ରଣାରେ ନଟବର ଚିତ୍କାର କରିବାକୁ ଲାଗିଲା ।

 

କିଛିକ୍ଷଣ ଏହିପରି ନିର୍ମମ ପ୍ରହାର କରି ଅପସୟମାଣା ଝଟିକା ପରି ଲଳିତା ସେଠାରୁ ଚାଲିଗଲା । ଲାବଣ୍ୟମୟୀ ଲଳିତାର ଏ ରଣ ରଙ୍ଗିଣୀ ମୂର୍ତ୍ତୀ ଧୀରାଜକୁ ମୁଗ୍ଧ କଲା । ରାତ୍ରି ଶେଷର ଏଇ ଅସ୍ପଷ୍ଟ ଆଲୋକରେ ମହୀମମୟୀ ଲଳିତାକୁ ଧୀରାଜ ଯେପରି ପୁଣି ଥରେ ନୂଆକରି ଦେଖିଲା ।

 

–ଦଶ–

 

ପ୍ରଚଣ୍ତ ମଧ୍ୟାହ୍ନ ସୂର୍ଯ୍ୟତଳେ ପ୍ରକୃତି ମୃତ୍ୟୁ ମଳିନ । ଦିଗନ୍ତ ବିସ୍ତାରି ସମୁଦ୍ର ବାଲିରେ ମରୀଚିକା ନାଚି ବୁଲୁଛି । ଚୌଧୁରୀ ବଂଶର ବିଶାଳ ପାଷାଣ ପୁରୀ ସମ୍ପୂର୍ଣ୍ଣ ନୀରବ । ଅଟ୍ଟାଳିକାର କେଉଁ କନ୍ଦିରେ କେତୋଟା ଗୋଲା ପାରା ଘୁମୁରୁଛନ୍ତି । ସେ ନୀରବଚ୍ଛିନ୍ନ ଗମ୍ଭୀର ଶବ୍ଦ ଚତୁର୍ଦ୍ଦିଗର ନୀରବତାକୁ ଆହୁରି ଭୟାଳ କରୁଛି । ଧୀରାଜ ସେ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ କରି ନାହିଁ । ଉତ୍କଣ୍ଠ ହୋଇ ଅଧ୍ୟାପକ ତ୍ରିବେଦୀଙ୍କର ଆଗମନକୁ ଅନାଇ ରହିଛି ।

 

ମଝିରେ ମଝିରେ ତଳ ମହଲାରୁ ଗୋଟାଏ ପାଗଳର ପ୍ରଳାପ ପରି ତୀବ, ଚିତ୍କାର ଭାସି ଆସୁଛି । “ଖାଇଯା, ଖାଇଯା,ଗୋଟା ସୁଦ୍ଧା ଖାଇଯା ।”

 

ସେ ବିକୃତ କଣ୍ଠସ୍ୱର ଯେପରି ଧୀରାଜର ଚିହ୍ନା । କିନ୍ତୁ ଠିକ୍ ତାର ମନେ ପଡ଼ୁ ନାହିଁ । ଏଇ ସମୟରେ ଘରର ପର୍ଦ୍ଦା ଟେକି ତ୍ରିଲୋଚନ ପ୍ରବେଶ କଲା ।

 

—କ’ଣ ତ୍ରିଲୋଚନ ? ଧୀରାଜ ପ୍ରଶ୍ନ କଲା ।

 

—ଏଇନା ଖାଇବେ, ନା ଡେରି ଅଛି, ବୁଝିବା ପାଇଁ ଆସିଛି ।

 

ନାଁ, ମୁଁ ପରେ ଖାଇବି । ଯେଉଁ ଭଦ୍ରଲୋକଙ୍କ ଆଜି ଆସିବାର ଅଛି, ସେ ଆସିଲେ ମୁଁ ଖାଇବି । ଆଚ୍ଛା ତ୍ରିଲୋଚନ, ସବାରୀ ଆଉ ଲୋକ ତାଙ୍କୁ ଆଣିବା ପାଇଁ ଯାଇଛନ୍ତି ତ ?

 

—ହଁ ଜୁର, ସେମାନେ ସକାଳୁ ଯାଇଛନ୍ତି ।

 

ଏଇ ସମୟରେ ପୁଣି ସେହିପରି ତ୍ରୀବ୍ର ଚିତ୍କାର । “ଖାଇଯା–ଖାଇଯା–”

 

କିଏ ଏପରି ଚିତ୍କାର କରୁଛି ତ୍ରିଲୋଚନ ? ଧୀରାଜ ପଚାରିଲା ।

 

—ଆଜି ସକାଳୁ ନଟବର ବାବୁଙ୍କ ମୁଣ୍ଡ ଖରାପ ହୋଇ ଯାଇଛି ହଜୁର । ସେଇ ଏପରି ପାଟି କରୁଛନ୍ତି ।

 

ଧୀରାଜ ଆଶ୍ଚର୍ଯ୍ୟ ହୋଇଗଲା । ନଟବରଟା ଶେଷକୁ ପାଗଳ ହୋଇଗଲା । ଲଳିତା ଦ୍ଵାରା ଅପମାନିତ ହୋଇ କ’ଣ ତାର ହଠାତ୍ ଏପରି ମାନସିକ ବିକୃତ ହେଲା । କିନ୍ତୁ ଧୀରାଜର ମନେହେଲା ପାଗଳାମିର ସୂଚନା ତା’ ମସ୍ତିଷ୍କରେ ପୂର୍ବରୁ ଥିଲା । ମେଳାରେ ମଧ୍ୟ ସେ କିପରି ପାଗଳ ପରି ଦେଖା ଯାଉଥିଲା । ଧୀରାଜକୁ ଚିହ୍ନି ମଧ୍ୟ ଚିହ୍ନି ପାରିଲା ନାହିଁ । ହାୟରେ ହତଭାଗା । ଧୀରାଜ ଗୋଟିଏ ଦୀର୍ଘ ନିଶ୍ଵାସ ପକାଇଲା ।

 

ବାହାର ବାରନ୍ଦାରେ ଛିଡ଼ା ହୋଇ କିଛିକ୍ଷଣ ଧିରାଜ ସମୁଦ୍ରକୁ ଚାହିଁରହିଲା । ତା’ପରେ ପୁଣି ଆସି ଘରଭିତରେ ଇଜିଚେୟାର ଉପରେ ବସିଲା । ସୂର୍ଯ୍ୟନାରାୟଣ ଚୌଧୁରୀଙ୍କର ନିର୍ଜୀବ ଚିତ୍ରପଟଟି କାନ୍ଥରେ ଝୁଲୁଛି । ରାତିରେ ଯେଉଁ ଚିତ୍ରପଟଟି ଭୟାବହ ରୂପଧାରଣ କରେ, ଦିନର ଆଲୋକରେ ସେ ବିଭୀଷିକାର ଲେଶ ମାତ୍ର ସେଥିରେ ନାହିଁ । ନିର୍ଜୀବ— ଅତି ସାଧାରଣ ଗୋଟିଏ ଚିତ୍ରପଟ । ଧୀରାଜ ମନରେ ହଠାତ୍ ଗୋଟାଏ ପିଲାଳିଆ ଇଚ୍ଛା ଯାଚିଲା । ଆଉ ଅଳ୍ପ ଦିନ ପରେ ସେ ଏଠାରୁ ଚିର ବିଦାୟ ନେବ । ଏଠାରୁ ଯିବାବେଳେ ସେ ଏଇ ଚିତ୍ରପଟଟି ସଙ୍ଗରେ ନେଇ ଯିବ ।

 

ଯଦି ଏଇ ଚିତ୍ରପଟଟି ଭିତରେ କୌଣସି ଅପାର୍ଥିବ ଭୌତିକ ଶକ୍ତି ଥିବ ତେବେ ସମସ୍ତେ ତାହା ଦେଖିପାରବେ । ବନାରସରେ ତାର ପୈତୃକ ବାସ ଭବନର ଗୋଟିଏ କକ୍ଷରେ ସେ ଏହା ଟଙ୍ଗାଇ ରଖିବ । ଆଉ ଯଦି ସ୍ଥାନ ପରିବର୍ତ୍ତନ ଦ୍ଵାରା ଚିତ୍ରପଟଟିର ଭୌତିକ ଶକ୍ତି ଲୋପପାଏ ତେବେ ମଧ୍ୟ କ୍ଷତି ନାହିଁ । ଜୀବନରେ କିଛିଦିନ ପାଇଁ ଯେ ସେ ଚୌଧୁରୀବଂଶର ଉତ୍ତରାଧିକାରୀ ହୋଇ ଏଠାରେ ଥିଲା ଜୀବନର ଉତ୍ତର କାଳରେ ଏହି ସ୍ମୃତିଟି ବଞ୍ଚାଇରଖିବା ପାଇଁ ସେ ଚିତ୍ରପଟଟି ସଙ୍ଗରେ ନେବ ।

 

ଏଠାକାର ଏହି ଅଲୌକିକ ଭୌତିକ ଘଟଣା ଧୀରାଜକୁ ଆଶ୍ଚର୍ଯ୍ୟ କରିଛି ସତ, କିନ୍ତୁ ଏଠାରେ ଚରମ ମର୍ମପୀଡ଼ା ସେ ଅନ୍ୟ କାରଣରୁ ପାଇଛି । ସାମନ୍ତବାଦୀ ମହାପାପର ଯେଉଁ ଜଘନ୍ୟ ଦୃଶ୍ୟ ସେ “ପାତାଳ ବୈକୁଣ୍ଠ”ରେ ଦେଖିଲା ସେ ସ୍ମୃତି ସେ ଜୀବନରେ କେବେହେଲେ ଭୁଲିବ ନାହିଁ । ସୃଷ୍ଟିପାଳ ବିଷ୍ଣୁଙ୍କର ପବିତ୍ର ସିଂହାସନ ବିଷ୍ଣୁଲୋକର ଯେଉଁ ବୈକୁଣ୍ଠରେ ବୋଲି ହିନ୍ଦୁଶାସ୍ତ୍ରକାର ବର୍ଣ୍ଣନା କରିଛନ୍ତି, ଚୌଧୁରୀ ବଂଶର ଜମିଦାର ମାନେ ତାଙ୍କର ହାତ ଗଢ଼ା ଏହି କଦର୍ଯ୍ୟ ନର୍କକୁ ପୁଣି ସେହି ବୈକୁଣ୍ଠ ନାମ ଦେଇଛନ୍ତି । ହାୟରେ ଶକ୍ତି ମୋହାଚ୍ଛନ୍ନ କ୍ଷୁଦ୍ର ମାନବ !

 

ହଠାତ୍ ଧୀରାଜର ଚିନ୍ତା ସୂତ୍ର ଛିନ୍ନ ହେଲା । ବାହାର ବାରନ୍ଦାରେ କାହାର ପଦଶବ୍ଦ ଶୁଣାଗଲା । ଯୋତାର ଭାରି ପଦଶବ୍ଦ। ବ୍ୟସ୍ତ ହୋଇ ଧୀରାଜ ବାରନ୍ଦାକୁ ଦୌଡ଼ି ଆସିଲା । ଅଧ୍ୟାପକ ତ୍ରିବେଦୀ ଆସୁଛନ୍ତି । ପଛରେ ଜିନିଷ ପତ୍ର ନେଇ ତ୍ରିଲୋଚନ ଓ ଆଉ ଦୁଇଟି ଚାକର ଆସୁଛନ୍ତି । ଧୀରାଜ ଅଧ୍ୟାପକଙ୍କ ଗୋଡ଼ତଳେ ପ୍ରଣାମ କଲା । ହସ ହସ ମୁହଁରେ ପ୍ରୌଢ଼ ଅଧ୍ୟାପକ ଧୀରାଜକୁ କୁଣ୍ଢାଇ ପକାଇଲେ । ଗୋରା ତକତକିଆ ଦୀର୍ଘ ଦେହ ଘର୍ମାକ୍ତ । ଲୁଗାପଟା ଧୂଳି ଧୂସରିତ । ଧୀରାଜ ବ୍ୟସ୍ତ ହୋଇ ପଚାରିଲା—ସାର୍, ମୁଁ ଯେ ସବାରୀ ପଠାଇ ଥିଲି ! ଆପଣ କ’ଣ ସେଥିରେ ଆସି ନାହାନ୍ତି ?

 

ଅଧ୍ୟାପକ ହସି କହିଲେ—ନା ଧୀରାଜ, ମୁଁ ମଣିଷ କାନ୍ଧରେ ବସି ଆସିବାଟା ପସନ୍ଦ କରି ପାରିଲି ନାହିଁ । ତମେ ଯେତେ ଦୂର ଭାବୁଛ ମୋତେ ସେତେ କଷ୍ଟ ହୋଇନାହିଁ ।

 

ଧୀରାଜ ଲଜ୍ଜିତ ହେଲା । ଅଧ୍ୟାପକ ତ୍ରିବେଦୀ ଉତ୍ତରଭାରତୀୟ ନୈଷ୍ଠିକ ବ୍ରାହ୍ମଣ । ସେ ଅବିବାହିତ । ବିଦ୍ୟାଭ୍ୟାସ ଓ ଜନସେବା ତାଙ୍କର ଆଜୀବନ ସାଧନା । ସେ ଯେ ପ୍ରକୃତରେ ମଣିଷ କାନ୍ଧରେ ଚଢ଼ି ସବାରୀରେ ଆସିବେ ନାହିଁ, ଏକଥା ଧୀରାଜର ଜାଣିବା ଉଚିତ୍‍ ଥିଲା । ସେ ନିଜେ ଚାଲି ଚାଲି ଯାଇ ମହାମାନ୍ୟ ଅତିଥିଙ୍କୁ ପାଛୋଟି ଆଣିବା ଉଚିତ ଥିଲା ।

 

ଅଧ୍ୟାପକଙ୍କ ଗାଧୁଆ ଓ ନିତ୍ୟକର୍ମ ସରିବା ପରେ ଦୁଇଜଣଯାକ ଖାଇବାକୁ ବସିଲେ । ଖାଉ ଖାଉ ଧୀରାଜଠାରୁ ଗୋଟି ଗୋଟି କରି ଅଧ୍ୟାପକ ସବୁ ଶୁଣିଲେ । ପରିଶେଷରେ ଧୀରାଜ ପଚାରିଲା—ଆପଣ ଏହାକୁ କ’ଣ ମନେ କରୁଛନ୍ତି ସାର୍ ?

 

ଗମ୍ଭୀର ହୋଇ ତ୍ରିବେଦୀ କହିଲା—ଏହା ଯେ ଅତି ଅଲୌକିକ ଭୌତିକ ଘଟଣା ଏଥିରେ କୌଣସି ସନ୍ଦେହ ନାହିଁ । ଧୀର ସ୍ଥିର ଭାବରେ ଏ ରହସ୍ୟ ଭେଦ କରିବାକୁ ପଡ଼ିବ ।

 

କାଳ ବିଳମ୍ବ ନ କରି ଅଧ୍ୟାପକ ତ୍ରିବେଦୀ ରହସ୍ୟ ଭେଦ ଆରମ୍ଭ କଲେ । ଅତି ଶୃଙ୍ଖଳିତ ଭାବରେ ପ୍ରବୀଣ ଡିଟେକ୍ଟିଭ ପରି ସେ ସମସ୍ତଙ୍କର ଜମାନବନ୍ଦି ନେଲେ । ବୃଦ୍ଧ ମୋବାରକ୍ ସହିତ ବହୁକ୍ଷଣ ଆଳାପ କଲେ । ପ୍ରକାଣ୍ଡ ଅଟ୍ଟାଳିକାର ସବୁ ସ୍ଥାନ ବୁଲି ବୁଲି ପରୀକ୍ଷା କଲେ । ସୂର୍ଯ୍ୟନାରାୟଣଙ୍କର ଉଇଲଟି ବହୁକ୍ଷଣ ପରୀକ୍ଷା କରି ତା’ର ଭାଷା ଓ ତାରିଖ ପ୍ରଭୃତି ଦେଖିଲେ । ଧୀରାଜ ନୀରବରେ ସବୁ ଦେଖିବାକୁ ଲାଗିଲା । କୌଣସି ମନ୍ତବ୍ୟ କଲାନାହିଁ ।

 

ମୋବାରକ୍ ସହିତ ସମୁଦ୍ର କୂଳେ ବୁଲି ବୁଲି ସଞ୍ଜପରେ ଅଧ୍ୟାପକ ଘରକୁ ଫେରିଲେ । ଧୀରାଜ ଏକା ଅପେକ୍ଷାକରି ବସି ଥିଲା । ତରଳ କଣ୍ଠରେ ଅଧ୍ୟାପକ କହିଲେ—ଏ ସ୍ଥାନଟି ଅତିରମଣୀୟ ଧୀରାଜ । ସ୍ୱାସ୍ଥ୍ୟ ପକ୍ଷରେ ମଧ୍ୟ ସ୍ଥାନଟି ଅତି ଉପଯୋଗୀ । ଚାରିଆଡ଼େ ଧୁ ଧୁ ଖୋଲା । ନିକଟରେ ସମୁଦ୍ର । ଜନଗହଳି ନାହିଁ । ଅବକାଶ ଉପଭୋଗ କରିବା ପାଇ ସ୍ଥାନଟି ଅତି ଉତ୍ତମ । ମୁଁ ଭାବୁଛି ଆଉ କିଛିଦିନ ଛୁଟି ବଢ଼ାଇ ଏଇଠାରେ ରହିଯିବ ।

 

ତ୍ରିଲୋଚନ ଚାହା ଦେଇ ଗଲା । ଚାହା ଖାଉ ଖାଉ ଧୀରାଜ ପଚାରିଲା–ଏ ଭୌତିକ ରହସ୍ୟର କୌଣସି ସୂତ୍ର ପାଇଲେ ସାର୍‍ ?

 

ଧୀରାଜର ପ୍ରଶ୍ନ ଶୁଣି ଅଧ୍ୟାପକ ହଠାତ୍ ଗମ୍ଭୀର ହୋଇଗଲେ । କିଛିକ୍ଷଣ ମୌନରହି ଧୀରେ ଧୀରେ କହିଲେ—ଧୀରାଜ, ପ୍ରେତତତ୍ତ୍ଵ ସୃଷ୍ଟିର ଗୋଟିଏ ଅତି ଜଟିଳ ରହସ୍ୟ । ଦୀର୍ଘ ତିରିଶ ବର୍ଷ ଧରି ମୁଁ ପ୍ରେତତତ୍ତ୍ଵର ଗବେଷଣା କରୁଛି । ପୃଥିବୀର ବହୁ ମହାପଣ୍ଡିତ ଜୀବନସାରା ମୃତ୍ୟୁରହସ୍ୟ ଭେଦ କରିବାର ଚେଷ୍ଟା କରୁଛନ୍ତି । ତଥାପି ଏ ରହସ୍ୟର ସମାଧାନ ଏ ପର୍ଯ୍ୟନ୍ତ ହୋଇନାହିଁ ।

 

ସାର୍‍, ଆପଣ କ’ଣ ବିଶ୍ୱାସ କରନ୍ତି ଯେ ମୃତ୍ୟୁ ପରେ ବି ରହସ୍ୟ ଲୁଚିରହିଛି, ଦିନେ ମଣିଷ ତା’ ଜାଣି ପାରିବ ? ଧୀରାଜ ପଚାରିଲା ।

 

ହଁ, ମୁଁ ତା ବିଶ୍ୱାସ କରେ । କିନ୍ତୁ ଯେଉଁ ଦିନ ଜୀବନ ଆଉ ମୃତ୍ୟୁ ମଝିରେ ଆଉ କୌଣସି ରହସ୍ୟର ଯବନିକା ରହିବ ନାହିଁ, ସେଇଦିନ ବିଶ୍ୱରେ ମହାପ୍ରଳୟ ହେବ । ଚଳିତ ଶତାବ୍ଦୀର ସବୁ ବଡ଼ ବଡ଼ ଦାର୍ଶନିକମାନେ–ରବିନ୍ଦ୍ରନାଥ, ରାଧାକୃଷ୍ଣନ୍, ରସେଲ, ବର୍ଣ୍ଣାଡ଼ସ ସମସ୍ତଙ୍କର ମତ ଯେ ଯେଉଁ ଗତିରେ ମଣିଷ ମୃତ୍ୟୁ ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଛି ଯଦି ସେଇ ଗତି ରହେ ତେବେ ଏ ଶତାବ୍ଦୀର ଶେଷ ପାଦକୁ ମୃତ୍ୟୁ ଆଉ ମଣିଷ ନିକଟରେ ରହସ୍ୟ ହୋଇରହିବ ନାହିଁ । ଆଉ ସେଇଦିନ ହେବ ମଣିଷ ନିକଟରେ ବିଶସ୍ରଷ୍ଟାଙ୍କର ପରାଜୟ । ସେଇଦିନ ଏ ସୃଷ୍ଟିକୁ ଧ୍ଵଂସ କରି ବିଶ୍ୱକର୍ତ୍ତା ନୂଆ ସୃଷ୍ଟିର ତପସ୍ୟା କରିବେ । ଆଜିର ଏ ଯେଉଁ ଉଦ୍‍ଜାନ ବା ପରମାଣୁ ଶକ୍ତିର ଆବିଷ୍କାର ତାହା କେବଳ ଆଗାମୀ ବିଶ୍ୱଧ୍ୱଂସର ସୂଚନା ।

 

—ସାର, ମୃତ୍ୟୁ ପରେ କଅଣ ଆଉ କିଛି ବାକି ଥାଏ ? ପ୍ରେତଲୋକ କେଉଁଠାରେ ସାର୍ ?

 

ଏହିଠାରେ ଧୀରାଜ, ଠିକ୍ ସ୍ଵପ୍ନଲୋକ ପରି । ତୁମେ ଶୋଇ ପଡ଼ିଲେ କେତେ କଣ ସ୍ଵପ୍ନ ଦେଖ । କେତେ ନୂଆ ଦେଶ, ବଣ, ପାହାଡ଼ରେ ତୁମେ ବୁଲୁଛ । କିନ୍ତୁ ପ୍ରକୃତରେ କ’ଣ ସେ ସବୁ ସ୍ଥାନକୁ ଚାଲିଯାଅ । ସେ ବିଚିତ୍ର ସ୍ଵପ୍ନ ଲୋକ ଏହି ସ୍ଥାନରେ । ଆଉ ମୃତ୍ୟୁ ପରେ କିଛି ବାକିରହେ କି ନାହିଁ ପଚାରୁଛ ? ହଁ, ପ୍ରେତ ଯୋନିରେ ସମ୍ପୂର୍ଣ୍ଣ ବାୟବୀୟ ରୂପରେ ଆତ୍ମା ବଞ୍ଚିରହେ ।

 

କିନ୍ତୁ ସେ ବାୟବୀୟ ରୂପର କଣ କିଛି ଶକ୍ତି ଥାଏ ? ଧୀରଜ ପଚାରିଲା । ଧୀରାଜର ପ୍ରଶ୍ନ ଶୁଣି ଅଧ୍ୟାପକ କିଛିକ୍ଷଣ ନୀରବରେ ବସିରହିଲେ । ତା’ପରେ କହିଲେ—ଧୀରାଜ, ଏହା ଅତି ଜଟିଳ ଜିଜ୍ଞାସା । ତୁମେ ମନସ୍ତାତ୍ତ୍ଵିକ ଛାତ୍ର । ତୁମେ ହୁଏତ ମୋ କଥା ବୁଝିପାରିବ । ମଣିଷ ଦେହରେ ଯାହା ସ୍ଥୂଳ, ତା ମୃତ୍ୟ ସଙ୍ଗେ ଧ୍ଵଂସ ପାଏ । ଆଉ ଯାହା ସୂକ୍ଷ୍ମ, ତାହା ଆତ୍ମସଙ୍ଗେ ସେଇ ବାୟବୀୟରୂପରେ ବଞ୍ଚିରହେ । ଲୋଭ, କ୍ରୋଧ, ଦ୍ୱେଷ ପ୍ରଭୃତି ଯେଉଁଗୁଡ଼ିକ ମାନସିକ ସୂକ୍ଷ୍ମ ପ୍ରକୃତି, ସେ ଗୁଡ଼ିକ ସେହି ବାୟବୀୟ ରୂପ ଭିତରେ ବଞ୍ଚିରହେ । ପ୍ରେତର ସ୍ଥୂଳ ଦେହ ନାହିଁ । ସେ କଥା କହିପାରେ ନାହିଁ । ପ୍ରେତତାତ୍ତ୍ଵିକକୁ ପ୍ରେତର କାର୍ଯ୍ୟ କଳାପରୁ ତା’ର ଇଚ୍ଛା ବୁଝିବାକୁ ହେବ । ନିର୍ଭୁଲ ଭାବରେ ଇଚ୍ଛା ବୁଝିପାରି ତାରି ଅଭିଳାଷ ପୂରଣ କଲେ ବିଦେହୀ ଆତ୍ମାର ଊର୍ଦ୍ଧ୍ୱଗତି ହୁଏ । ସେ ଶାନ୍ତି ପାଏ ।

 

“ଖାଇଯା, ଖାଇଯା, ଗୋଟା ସୁଦ୍ଧା ଖାଇଯା ।” ସମୁଦ୍ର ପବନରେ ତଳ ବଗିଚା ଭିତରୁ ତୀବ୍ର ଚିତ୍କାର ଭାସି ଆସିଲା । ଅଧ୍ୟାପକ ଜିଜ୍ଞାସୁ ନୟନରେ ଧୀରାଜ ଆଡ଼େ ଚାହିଁଲେ ।

 

ସାମାନ୍ୟ ହସି ଧୀରାଜ କହିଲା—ଗୋଟାଏ ପାଗଳ ସାର୍ । ଏଇ ଦେୱାନ ଗଦାଧର ଜେନାଙ୍କର ଏକମାତ୍ର ପୁତ୍ର ନଟବର । ତାର ବିଶ୍ୱାସ ଥିଲା ଯେ ସେ ଜଣେ ଅତି ପ୍ରତିଭାବାନ୍ ଅଭିନେତା । ମଦ ଓ ଅନ୍ୟାନ୍ୟ ସହଜାତ ଦୁଷ୍କର୍ମରେ ସବୁବେଳେ ବୁଡ଼ିଥାଏ । ବୋଧହୁଏ ଯୌନବ୍ୟାଧି ଗ୍ରସ୍ଥ ମଧ୍ୟ । ମହାପାପୀ ପିତାର ସୁଯୋଗ୍ୟ ସନ୍ତାନ ।

 

ଏଇ ପାଗଳଟା ସଙ୍ଗେ ଦେୱାନଜୀ ଲଳିତାର ବିବାହ ଠିକ୍ କରିଛନ୍ତି ?

 

—ହଁ ସାର୍, କିନ୍ତୁ ପୂର୍ବେ ସେ ଏପରି ବଦ୍ଧ ପାଗଳ ନଥିଲା । ଧୀରାଜ କହିଲା ।

 

କିଛିକ୍ଷଣ ଚିନ୍ତାକରି ଅଧ୍ୟାପକ କହିଲେ—ଲଳିତାକୁ ମୁଁ ଆଜି ଦେଖିଛି । ତା ସହିତ ଆଳାପ ମଧ୍ୟ କରିଛି । ତା ପରି ରୂପସୀ ବିଦୁଷୀ କନ୍ୟାକୁ ଅର୍ଥ ଲୋଭରେ ଦେୱାନ ଗୋଟାଏ ପାଗଳ ସହିତ, ବାଧ୍ୟ କରି ବିବାହ ଦେବେ, ଏ ଦୁର୍ଘଟଣା ଘଟିବାକୁ ଦେବା ଉଚିତ ନୁହେଁ । ଏ ବିଷୟରେ ତୁମର ଏକ ମହାନ୍ ନୈତିକ କର୍ତ୍ତବ୍ୟ ରହିଛି ଧୀରାଜ ।

 

ଅଧ୍ୟାପକଙ୍କର ଶୋଇବା ବ୍ୟବସ୍ଥା ଧୀରାଜର ଘରେ ହୋଇଥିଲା । ରାତ୍ରିଭୋଜନ ଶେଷ କରି ଅଧ୍ୟାପକ ବହୁକ୍ଷଣ ଅଧ୍ୟୟନ କରିବାକୁ ଲାଗିଲେ । ଆଜି ଆଉ ଧୀରାଜର କୌଣସି ଭୀତି ନାହିଁ । ପରମ ନିଶ୍ଚିନ୍ତ ହୋଇ ସେ ନିଦ୍ରାଗଲା ।

 

ସେହି ଗଭୀର ରାତିରେ ତ୍ରିବେଦୀଙ୍କ ହାତରେ ମୃଦୁ ଠେଲାରେ ଧୀରାଜାର ନିଦ ଭାଙ୍ଗିଗଲା । ସେହିପରି ଭୌତିକ କାଣ୍ଡ ଚାଲିଛି । ଅଧ୍ୟାପକ ସ୍ତବ୍ଧ ବିସ୍ମୟରେ ପଲଙ୍କ ନିକଟରେ ଖଣ୍ଡିଏ ଚୌକିରେ ବସିଛନ୍ତି । ପେଟ୍ରୋମାକ୍ସର ଉଜ୍ଜ୍ୱଳ ଆଲୁଅରେ ଘରଟି ଆଲୋକିତ । ତା’ରି ଭିତରେ ଗୋଟାଏ ଦୀର୍ଘ ଛାୟାମୂର୍ତ୍ତି ଘର ସାରା ବୁଲୁଛି । ଅଧ୍ୟାପକ ନିର୍ବାକ ହୋଇ ଏଇ ଆଲୌକିକ ଦୃଶ୍ୟ ଦେଖୁଛନ୍ତି ।

 

ହାଠାତ୍ ବାହାରେ କେତେଟା କୁକୁରର କ୍ରୁଦ୍ଧ ଗର୍ଜ୍ଜନ ଶୁଣାଗଲା । ଗଭୀର ରାତିର ନିରବତାରେ ସେ ତୀବ୍ର ଗର୍ଜନ ଅତି ଭୟାବହ ମନେହେଲା । ଅଧ୍ୟାପକ ଗଭୀର ଧ୍ୟାନଦେଇ ସବୁ ଦେଖିବାକୁ ଲାଗିଲେ ।

 

ଆଜି ଧୀରାଜ ସଂପୂର୍ଣ୍ଣ ନିର୍ଭୟ । ବାପ କୋଳରେ ଚଢ଼ି ଶିଶୁ ସନ୍ତାନ ଯେପରି ନିର୍ଭୟରେ ଷଣ୍ଢ ଲଢ଼େଇ ବା ସାପଖେଳା ଦେଖି କୌତୁକ ଉପଭୋଗ କରେ, ଧୀରାଜ ସେହିପରି ଅଧ୍ୟାପକ ତ୍ରିବେଦୀଙ୍କ ଉପସ୍ଥିତିରେ ନିଜକୁ ସମ୍ପୂର୍ଣ୍ଣ ନିରାପଦ ମନେ କରୁଛି ।

 

ହଠାତ୍ ଧୀରାଜ ଦେଖିଲା ଯେ ସୂର୍ଯ୍ୟନାରାୟଣଙ୍କର ଚିତ୍ରପଟଟି ଉପରେ ସେହିପରି ଭୌତିକ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ଜୀବ ଚିତ୍ରପଟଟି ସଜୀବ ହୋଇ ଉଠିଛି । ପ୍ରଶାନ୍ତ ଦୁଇଟି ଆଖି କ୍ରୋଧରେ ଅଗ୍ନିମୟ ହୋଇ ଉଠିଛି । ଏହିକ୍ଷଣି ଯେପରି ଚିତ୍ରପଟଟି ପୂର୍ଣ୍ଣ ସଜୀବ ହୋଇ ତଳକୁ ଡେଇଁ ପଡ଼ିବ । ଅଧ୍ୟାପକ ପରମ ବିସ୍ମୟରେ ଏଇ ଅଦ୍ଭୂତପୂର୍ବ ଅଲୌକିକ ଦୃଶ୍ୟ ଦେଖିବାକୁ ଲାଗିଲେ ।

 

ତା’ପରେ ସେହିପରି ଅଦ୍ଭୁତ ପରିବର୍ତ୍ତନ ଘଟିଲା । ଚିତ୍ରପଟଟିର ଦୃଶ୍ୟ ଧୀରେ ଧୀରେ ବଦଳିଗଲା । ସୂର୍ଯ୍ୟନାରାୟଣଙ୍କର ରୂପଟି ଧୀରେ ଧୀରେ ମିଳାଇ ଗଲା । ଆଉ ସେଇସ୍ଥାନରେ ଜାଗି ଉଠିଲା ଦେୱାନଜୀଙ୍କ ପ୍ରତିରୂପ । ସାପପରି ନିଷ୍ପଲକ ଦୁଇଟି ଆଖି । ଯାବତୀୟ ପାର୍ଥିବ ମହାପାପର ଗୋଟିଏ ପୁଞ୍ଜିଭୂତ ଅବତାର ।

 

ଘରର ମଜବୁତ୍ କାଠ କବାଟ ଭିତର ପଟୁ ଶିକୁଳିରେ ବନ୍ଦ ହୋଇଥିଲା । ଅତି ସୁଦୃଢ଼ ଲୁହା ଶିକୁଳି । ହଠାତ୍ ଧୀରାଜ ପାଟି କରି ଉଠିଲା—ଦେଖନ୍ତୁ ଦେଖନ୍ତୁ ସାର୍ । ଅଧ୍ୟାପକ ପରମ ବିସ୍ମୟରେ ଦେଖିଲେ ମଜବୁତ୍ କାଠ କବାଟ ଦୁଇଟାକୁ କିଏ ଯେପରି ଖୋଲୁଛି । ଧୀରେ ଧୀରେ ଶିକୁଳିଟା କୁହୁଣ୍ଡା ଉପରୁ ଖସି ଯାଉଛି । ହଠାତ୍ ଝଣ୍ କରି ଶିକୁଳିଟା ଖସିଗଲା—ଆଉ ସଙ୍ଗେ ସଙ୍ଗେ କବାଟ ଦୁଇଟା ମେଲା ହୋଇଗଲା । ସୁ ସୁ ହୋଇ ପ୍ରଚଣ୍ଡ ବେଗରେ ସମୁଦ୍ରର ଉଦ୍ଦାମ ପବନ ଘର ଭିତରକୁ ପଶି ଆସିଲା । ପେଟ୍ରୋମାକ୍‍ସ ଲାଇଟ୍‍ଟା ଥରେ ଦୁଇ ଥର ଦପ୍ ଦପ୍ ହୋଇ ନିଭିଗଲା । ଝାଡ଼ ଲଣ୍ଠଣର କେତୋଟି ମାତ୍ର ନିର୍ବାଣୋନ୍ମୁଖୀ ବତୀର ସ୍ତିମିତ ଆଲୋକରେ ପ୍ରଚଣ୍ଡ ଘରଟା ଅନ୍ଧକାରମୟ ହୋଇଗଲା । ସେ ପ୍ରାୟାନ୍ଧକାର ଘର ଭିତରେ ଧୀରାଜ ଓ ଅଧ୍ୟାପକ ପରିଷ୍କାର ଦେଖି ପାରିଲେ ଯେ ଗୋଟିଏ ଛାୟାମୟ ଦୀର୍ଘମୂର୍ତ୍ତି ଘର ଭିତରେ ବୁଲୁଛି । ସେ ଭୟାଳ ପରିବେଶରେ ଧୀରାଜର ସବୁ ସାହାସ ପୁଣି ହଜିଗଲା । ସର୍ବାଙ୍ଗ ଶୀତେଇ ଉଠିଲା । କ’ଣ ମନେ କରି କେଜାଣି ହଠାତ୍ ଅନ୍ଧକାର ଭିତରେ ହାତ ବଢ଼େଇ ସେ ଅଧ୍ୟାପକ ତ୍ରିବେଦୀଙ୍କ ହାତକୁ ଦୃଢ଼ ମୁଷ୍ଟିରେ ଧରିଲା । ତା’ପରେ ତାଙ୍କୁ ଟାଣି ଟାଣି ନେଇ ଘରଭିତରୁ ପଦାକୁ ପଳାଇଲା ।

 

ପାଷାଣପୁରୀର ଦୀର୍ଘଶ୍ୱାସ ପରି ବାହାରେ ସୁ ସୁ ହୋଇ ଉଦ୍ଦାମ ସାଗର ବାତ୍ୟା ବୋହୁଛି । ଚାରିଆଡ଼ ଭୟାବହ ଭାବରେ ନିର୍ଜନ । ନିଶା ଗର୍ଜ୍ଜୁଛି । କେଉଁ ଗଛ କନ୍ଦିରୁ ରହି ରହି ଗୋଟାଏ କାଳ ପେଚା ବୋବାଉଛି । ଠିକ୍ ସେତିକି ବେଳେ ବିକୃତ କଣ୍ଠରେ କେଉଁଠାରୁ ପାଗଳ ନଟବର ଚିତ୍କାର କରି ଉଠିଲା–ଖା, ଖା, ଖାଇଯା । ଗୋଟା ସୁଦ୍ଧା ଖାଇଯା ।

 

ଉପର ବାରନ୍ଦାରେ ସ୍ତମ୍ଭିତ ହୋଇ ଦୁଇଜଣ ଯାକ ବହୁକ୍ଷଣ ଛିଡ଼ା ହୋଇରହିଲେ । ଶେଷ କୃଷ୍ଣପକ୍ଷର କ୍ଷୀଣ ଚନ୍ଦ୍ର ଆକାଶରେ ଉଠିଲା । ନିଷ୍‍ପ୍ରଭ ଚନ୍ଦ୍ର ଆଲୁଅରେ ଦିଗନ୍ତ ବିସ୍ତାରୀ ସାଗର ସୈକତ ଏକ ମାୟାମୟ ସ୍ୱପ୍ନାଲୋକ ପରି ମନେ ହେଲା । ଠିକ୍ ସେତିକି—ବେଳେ ପୁଣି ସେ କରୁଣ କ୍ରନ୍ଦନ ଶୁଣାଗଲା । କେଉଁ ଅଜ୍ଞାତ ନାରୀ କଣ୍ଠର ମର୍ମସ୍ପର୍ଶୀ ରୋଦନଧ୍ଵନି । ଏଇ ପ୍ରାଚୀନ ପାଷାଣ ଇମାରତ୍‍ର ଆତ୍ମା ଯେପରି ବିଳାପ କରୁଛି । ଚନ୍ଦ୍ରାଲୋକ ସଙ୍ଗେ ସେ କରୁଣ ବିଳାପଧ୍ୱନି ଯେପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ।

 

ଅଧ୍ୟାପକ ଉତ୍‍କର୍ଣ୍ଣ ହୋଇ ସେ ପ୍ରେତାୟିତ ବିଳାପଧ୍ୱନି ଶୁଣିବାକୁ ଲାଗିଲେ । କିନ୍ତୁ ସମୁଦ୍ର ପବନର ପ୍ରଚଣ୍ଡ ଘୂର୍ଣ୍ଣିରେ ସେ କ୍ରନ୍ଦନର ଉତ୍ପତ୍ତି ସ୍ଥଳ ଜାଣି ପାରିଲେ ନାହିଁ ।

 

ବହୁକ୍ଷଣ ନିର୍ବାକ ରହିବା ପରେ ଅଧ୍ୟାପକ ପ୍ରଥମ କଥା କହିଲେ—ଧୀରାଜ, ପ୍ରକୃତରେ ଏହା ଅତି ବିସ୍ମୟକର ଭୌତିକ ଘଟଣା । ଏ କ୍ରନ୍ଦନ କ’ଣ ତମେ ପ୍ରତି ରାତିରେ ଶୁଣ ?

 

—ହଁ ସାର୍, ପ୍ରାୟ ପ୍ରତି ରାତିରେ ମୁଁ ଏ କ୍ରନ୍ଦନ ଶୁଣେ । ଏହାରି ବିଶେଷତ୍ଵ ହେଉଛି, କେବଳ ଜ୍ୟୋତ୍ସ୍ନା ରାତିରେ ଏ କାନ୍ଦଣା ଶୁଣାଯାଏ ।

 

ଉଭୟେ ନିର୍ବାକ ହୋଇରହିବା ଦ୍ଵାରା ଯେଉଁ କଠିନ ସ୍ତବ୍‍ଧତା କଠିନ ପାଷାଣ ପରି ଦାରୁଣ ଚାପରେ ସେମାନଙ୍କର କଣ୍ଠରୋଧ କରିଦେଇଥିଲା, କଥାବାର୍ତ୍ତା କରିବାଦ୍ୱାରା ତାହା ଯେପରି ତରଳ ହୋଇଗଲା । ଦୁଇଖଣ୍ଡି ଚୌକି ନେଇ ଉଭୟେ ବାରନ୍ଦା ଉପରେ ବସିଲେ । ସୁଦୀର୍ଘ ବାରନ୍ଦା ଉପରେ କେତେ ପୁଞ୍ଜିଭୂତ ଛାୟା ଅନ୍ଧକାରର ଅବକାଶରେ ଯେପରି ଅସଂଖ୍ୟ ପ୍ରେତାତ୍ମା ଏଇ ପ୍ରାଚୀନ ପୁରୀର ଅନ୍ଦି କନ୍ଦିରେ ବୁଲୁଛନ୍ତି । ହୁଏତ ଶତାବ୍ଦୀ ଶତାବ୍ଦୀ ଧରି ଯେଉଁ ଅସଂଖ୍ୟ ହତଭାଗାଙ୍କୁ ଏଇ ଘରର “ପାତାଳ ବୈକୁଣ୍ଠ”ରେ ହତ୍ୟାକରା ହୋଇଛି, ସେଇମାନଙ୍କର ପ୍ରେତାତ୍ମା ଚୌଧୁରୀ ବଂଶର ନୂଆ ଉତ୍ତରାଧିକାରୀ ଧୀରାଜକୁ ଦେଖିବାକୁ ଆସିଛନ୍ତି ।

 

ଅଧ୍ୟାପକ କହିଲେ—ଧୀରାଜ ତମେ କ’ଣ ପ୍ରକୃତରେ ବିଶ୍ୱାସ କର ଯେ ଚୌଧୁରୀ ବଂଶର ଗୁପ୍ତଧନ ଭଣ୍ଡାର ଏଇ ଘରେ କେଉଁଠାରେ ଅଛି ?

 

କିଛିକ୍ଷଣ ଚିନ୍ତାକରି ଧୀରାଜ କହିଲା ହଁ ସାର୍, ମୁଁ ସେହିପରି ବିଶ୍ୱାସ କରେ । କିନ୍ତୁ ଆପଣ ଏଠାକୁ ଆସିବା ପୂର୍ବରୁ ମୁଁ ଏଇ ପ୍ରକାଣ୍ଡ ଇମାରତ୍‍ର ପ୍ରତି ଅଂଶ ଖୁବ୍‍ ଭଲଭାବରେ ପରୀକ୍ଷା କରି ଦେଖିଛି । କିନ୍ତୁ କିଛି ସନ୍ଧାନ ପାଇନାହିଁ । ଏହିପରି ସନ୍ଧାନ କରୁ କରୁ ମୁଁ ଏ ବଂଶର ପାତାଳ ବୈକୁଣ୍ଠ ନାମକ ନର୍କକୁ ଆବିଷ୍କାର କରିଥିଲି ।

 

ବହୁକ୍ଷଣ ନୀରବ ରହି ଅଧ୍ୟାପକ ସ୍ୱର୍ଗତୋକ୍ତି କଲାପରି କହିଲେ—ତା ଯଦି ନ ହୁଏ ତେବେ ସୂର୍ଯ୍ୟନାରାୟଣଙ୍କର ପ୍ରେତାତ୍ମାର ଉଦ୍ଦେଶ୍ୟ କ’ଣ । ମୃତ୍ୟୁ ପୂର୍ବରୁ କେଉଁ ଇଚ୍ଛା ତାଙ୍କର ଅପୂର୍ଣ୍ଣ ରହିଛି ? ସେ ଇଚ୍ଛା ପୂର୍ଣ୍ଣ ନକରି କାହିଁକି ବା ସେ ମଲେ ! ତେବେ କ’ଣ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନୁହେଁ ! ଅନିଚ୍ଛା ସତ୍ତ୍ୱେ ତାଙ୍କୁ ମରିବାକୁ ହୋଇଛି !

 

ଅଧ୍ୟାପକ ତ୍ରିବେଦୀ ମହାପଣ୍ଡିତ । ତାଙ୍କର ସ୍ୱାଧୀନ ଚିନ୍ତାରେ ବାଧା ନ ଦେଇ ଧୀରାଜ ନୀରବ ରହିଲା ।

 

କ୍ରମେ ପୂର୍ବେ ଦିଗନ୍ତରେ ସିନ୍ଦୁରା ଫାଟି ଆସିଲା । ଭୟାବହ ରାତ୍ରିର ଅବସାନ ହେଲା । ଉଭୟେ ପୁଣି ଶୋଇବା ଘରକୁ ଫେରି ଆସିଲେ । ସୂର୍ଯ୍ୟନାରାୟଣଙ୍କର ନିର୍ଜୀବ ଚିତ୍ରପଟଟି ସେହିପରି ଝୁଲୁଛି । ରାତ୍ରିର ଭୟାବହତା ସେଥିରେ ଲେଶମାତ୍ର ନାହିଁ । ଘରଟି ପରିଷ୍କାର, ପ୍ରଶସ୍ତ ଓ ଆରାମ ଦାୟକ । ଖଟ ଉପରେ ସେହିପରି କୋମଳ ଓ ଶୁଭ୍ର ବିଛଣା ପଡ଼ିଛି । ଧୀରାଜ ବିଛଣା ଉପରେ ଶୋଇ ପଡ଼ିଲା । ଦାରୁଣ ସ୍ନାୟବିକ ଅବସାଦରେ ଅଳ୍ପକ୍ଷଣ ଭିତରେ ଗଭୀର ନିଦରେ ବୁଡ଼ିଗଲା ।

 

–ଏଗାର–

 

କେତୋଟି ଦିନ ପରର କଥା । ଏ ବିଶାଳ ଅଟ୍ଟାଳିକାର ପ୍ରତି ଇଞ୍ଚ ଅଧ୍ୟାପକ ତ୍ରିବେଦୀ ଅନୁସନ୍ଧାନ କରି ଦେଖିଛନ୍ତି । କିନ୍ତୁ କେଉଁ ସ୍ଥାନରେ ଗୁପ୍ତ ଧନର ସନ୍ଧାନ ପାଇ ନାହାନ୍ତି । ଦିନଯାକ କେତେ କଣ ସେ ଲେଖନ୍ତି । କେତେ ବହି ପଢ଼ନ୍ତି । ସମୁଦ୍ର କୂଳକୁ ଓ ଆଖ ପାଖ ଗାଁକୁ ବୁଲି ଯାନ୍ତି-। ଦେୱାନଜୀଙ୍କ ସହିତ ଏକାଧିକ ଥର ଦେଖାକରି କେତେ ଆଳାପ କରିଛନ୍ତି । ସେ ମଧ୍ୟ ଧୀରାଜ ସହିତ ସମ୍ପୂର୍ଣ୍ଣ ଏକମତ ହୋଇଛନ୍ତି ଯେ ଦେୱାନଜୀ ଗୋଟିଏ ନରଦେହଧାରୀ ପିଶାଚ ।

 

ଗୋଟିଏ ମାତ୍ର ଲୋକ ଅଧ୍ୟାପକଙ୍କୁ ମୁଗ୍ଧ କରିଛି । ସେ ବୃଦ୍ଧ ମୋବାରକ୍ ? ମହାପଣ୍ଡିତ ପୌଢ଼ ଅଧ୍ୟାପକ ମଧ୍ୟ ମୋବାରକ୍ ନିକଟରେ ନିଜକୁ ପିଲା ବୋଲି ମନେ କରନ୍ତି । ଏ ଦୁର୍ଦ୍ଦାନ୍ତ ଡକାୟତର ପ୍ରଥମ ଜୀବନ କାହାଣୀ ଶୁଣିବା ପାଇଁ ଅଧ୍ୟାପକ ଖୁବ୍ ଭଲ ପାଆନ୍ତି ।

 

ସେଦିନ ମଧ୍ୟାହ୍ନ ଭୋଜନ ପରେ ଅଧ୍ୟାପକ ତ୍ରିବେଦୀ ଧୀରାଜକୁ ପାଖରେ ବସାଇ ଗଳ୍ପ କରୁଥିଲେ । ଧୀରାଜ ପଚାରିଲା—ଏ ଭୌତିକ ରହସ୍ୟର କୌଣସି ସମାଧାନ ହୋଇ ପାରିଲା ସାର୍ ?

 

ଗଭୀର କଣ୍ଠରେ ଧୀରାଜକୁ ଅଧ୍ୟାପକ କହିଲେ—ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାଧାନ ହୋଇ ପାରିନାହିଁ ଧିରାଜ । କିନ୍ତୁ ମୋର ମନେ ହୁଏ ସୂର୍ଯ୍ୟନାରାୟଣ ବାବୁ ଆତ୍ମହତ୍ୟା କରିନାହାନ୍ତି । ମୋବାରକ୍‍ର ମଧ୍ୟ ତାହାହିଁ ଦୃଢ଼ ବିଶ୍ୱାସ ।

 

—ତେବେ ତାଙ୍କର ମୃତ୍ୟୁ କିପରି ହୋଇଛି ବୋଲି ଆପଣଙ୍କର ବିଶ୍ୱାସ ସାର୍ ?

 

ଅଧ୍ୟାପକ କହିଲେ––ତାଙ୍କୁ ତାଙ୍କରି ରିଭଲଭରରେ ହତ୍ୟା କରା ହୋଇଛି । ପ୍ରଥମେ ତାଙ୍କର କୁକୁର ଦୁଇଟାକୁ ହତ୍ୟାକରି ପରେ ତାଙ୍କୁ ହତ୍ୟାକରା ହୋଇଛି ।

 

––କିନ୍ତୁ ସାର୍, ତାଙ୍କର ମୃତ୍ୟୁପରେ ତ ପୁଲିସ ଏ ବିଷୟରେ ତଦନ୍ତ କରିଥିଲେ ?

 

ସାମାନ୍ୟ ହସି ଅଧ୍ୟାପକ କହିଲେ—ପୁଲିସ୍‍ ତଦନ୍ତରୁ ଜଣା ଗଲାନାହିଁ ବୋଲି ଯେ ଏଇଟି ହତ୍ୟାକାଣ୍ଡ ନୁହେଁ ଏକଥା ଭାବିବା ଠିକ୍ ନୁହେଁ । ଏସବୁ କ୍ଷେତ୍ରରେ ସାଧାରଣତଃ ପୁଲିସ କେତେଗୁଡ଼ିଏ ସ୍ଥୂଳ ପ୍ରମାଣ ଉପରେ ନିର୍ଭର କରନ୍ତି । ସେ ସବୁ ପ୍ରମାଣ ମଧ୍ୟ ଏ କ୍ଷେତ୍ରରେ ଯଥେଷ୍ଟ ଥିଲା । ଏତେବଡ଼ ବିଶାଳ ଜମିଦାରୀ ଧୀରେ ଧୀରେ ଉଭାଇ ଯିବାକୁ ଲାଗିଲା ।ଏକମାତ୍ର ପୁତ୍ରର ଫାଶୀ ହେଲା । ଶତ ଚେଷ୍ଟା କରି ସୁଦ୍ଧା ତାକୁ ବଞ୍ଚାଇ ପାରିଲେ ନାହିଁ । ଏଗୁଡ଼ିକ ତାଙ୍କ ଆତ୍ମହତ୍ୟା କରିବା ପକ୍ଷରେ ଯଥେଷ୍ଟ କାରଣ ନୁହେଁ କି ? ମୃତ୍ୟୁପୂର୍ବରୁ ତାଙ୍କର ଦୁଇଟି ପ୍ରିୟ କୁକୁରକୁ ହତ୍ୟାକରି ଲୋକାନ୍ତରର ଅଜ୍ଞାତ ପଥରେ ସେମାନଙ୍କୁ ସଙ୍ଗରେ ପାଇବାକୁ ଆଶା କରିବା ମଧ୍ୟ ଅତି ସାଧାରଣ ମନସ୍ତତ୍ତ୍ଵ । ଏଇସବୁ ପ୍ରମାଣ ଉପରେ ନିର୍ଭର କରି ଏ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ରିପୋଟ୍ ଦେବା ପୁଲିସ ପକ୍ଷରେ ସମ୍ପୂର୍ଣ୍ଣ ସ୍ଵାଭାବିକ ।

 

—ତେବେ ଆପଣ ଏହାକୁ ହତ୍ୟା ବୋଲି ବା ସନ୍ଦେହ କରୁଛନ୍ତି କାହିଁକି ? ଧୀରାଜ ପଚାରିଲା ।

 

ଅଧ୍ୟାପକ କହିଲେ—ସନ୍ଦେହ ନୁହେଁ ଧୀରାଜ, ଏହା ପ୍ରାୟ ପ୍ରମାଣିତ ସତ୍ୟ । ତେବେ ଏଗୁଡ଼ିକ ପ୍ରେତତାତ୍ତ୍ଵିକ ପ୍ରମାଣ । ଦେଶର ଆଇନ ଚକ୍ଷୁରେ ଏହାର ବିଶେଷ ମୂଲ୍ୟ ନାହିଁ ।

 

କିଛିକ୍ଷଣ ନୀରବରହି ଏକ ପ୍ରକାର ସ୍ଵଗତୋକ୍ତି ପରି ଅଧ୍ୟାପକ କହି ଚାଲିଲେ—ଆତ୍ମାର ବାୟବୀୟ ରୂପ କୌଣସି ସ୍ଥୂଳ ମିଡ଼ିୟମ ଭିତର ଦେଇ ନିଜର ଇଚ୍ଛା ପ୍ରକାଶ କରିପାରେ । ସେପରି ମିଡ଼ିୟମ ଭିତର ଦେଇ ଆତ୍ମପ୍ରକାଶ କରିବା ଦ୍ୱାରା ଆତ୍ମାର ଯଥେଷ୍ଟ କଷ୍ଟ ହୁଏ । ଅକାରଣରେ ବିଦ୍ରୋହୀ ଆତ୍ମା କଦାପି ଏପରି କଷ୍ଟ ସ୍ଵୀକାର କରେ ନାହିଁ । ମୁଁ ଯେତେଦୂର ବୁଝିଛି ସୂର୍ଯ୍ୟନାରାୟଣଙ୍କର ପ୍ରେତାତ୍ମା ଆମମାନଙ୍କୁ ନିର୍ଦ୍ଦେଶ ଦେଉଛି—ମୋର ହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ଦିଅ । ଆମକୁ ସେ ଇଚ୍ଛା ପୂରଣ କରିବାକୁ ପଡ଼ିବ । ନଚେତ୍ ଆତ୍ମାର ସଦ୍‍ଗତି ହେବ ନାହିଁ ।

 

—ପ୍ରେତାତ୍ମା କ’ଣ ସେପରି ଶାସ୍ତି ନିଜେ ଦେଇପାରେ ନାହିଁ ସାର୍ ?

 

—ନାଁ, ସେପରି ଶକ୍ତି ବାୟବୀୟ ଆତ୍ମା ପାଏନାହିଁ । ସେ ଲାଭକରେ ପ୍ରଚଣ୍ତ ଇଚ୍ଛା ଶକ୍ତି-। ସେଇ ଶକ୍ତି ବଳରେ ସେ ନିଜର ଇଚ୍ଛା ପ୍ରକାଶ କରେ ।

 

—କିନ୍ତୁ କିଏ ସେ ତାଙ୍କର ହତ୍ୟାକାରୀ ? ଧୀରାଜ ପଚାରିଲା ।

 

ଅଧ୍ୟାପକ ହସି କହିଲେ—ପ୍ରେତାତ୍ମା ଯଦି କଥା କହି ପାରନ୍ତା, ତେବେ ସେ କଥା କେବଳ ଆମ ପାଖରେ ନୁହଁ, ପୁଲିସ୍ ପାଖରେ ମଧ୍ୟ ସେ ତାହା ପ୍ରକାଶ କରନ୍ତା । କିନ୍ତୁ ସେପରି ସୁବିଧା ଆମର ନାହିଁ । ଅବଶ୍ୟ ମୋର ବଦ୍ଧମୂଳ ସନ୍ଦେହ ଯେ ଦେୱାନ ଗଦାଧର ଜେନା ହେଉଛନ୍ତି ହତ୍ୟାକାରୀ ।

 

—କିନ୍ତୁ ଦେୱାନ ସୂର୍ଯ୍ୟନାରାୟଣ ବାବୁଙ୍କୁ ହତ୍ୟା କରିବେ କାହିଁକି ? କି ଲାଭ ଆଶାରେ ? ଧୀରାଜ ପଚାରିଲା ।

 

—ସେ କଥା ମଧ୍ୟ ମୁଁ ଜାଣେ ନାହିଁ । କୌଶଳରେ ସେଇ ଦେୱାନଙ୍କ ମୁହଁରୁ ତା ଆମକୁ ଶୁଣିବାକୁ ହେବ । ହୁଏତ କୌଣସି ଲାଭର ଆଶା ଥିଲା ତାହା ସେଇ ଦେୱାନ ଛଡ଼ା ଅନ୍ୟ କେହି ଜାଣନ୍ତି ନାହିଁ । କିମ୍ବା ହୁଏତ ଏହା ସମ୍ପୂର୍ଣ୍ଣ ଆକ୍ରୋଶ । ମୋବାରକର କଥା ବୋଧହୁଏ ତୁମର ମନେ ଅଛି । ମୃତ୍ୟୁର ମାତ୍ର ପନ୍ଦର ଦିନ ପୂର୍ବରୁ ଦେୱାନଙ୍କୁ ପାତାଳ ବୈକୁଣ୍ଠରେ ପକାଇ ହତ୍ୟା କରିବା ପାଇଁ ସୂର୍ଯ୍ୟନାରାୟଣ ଆଦେଶ ଦେଇଥିଲେ । ଅବଶ୍ୟ ଶେଷ ମୁହୂର୍ତ୍ତରେ ସେ ତାଙ୍କୁ କ୍ଷମା କରିଥିଲେ । ହୁଏତ ପ୍ରତିହିଂସା ପରାୟଣ ଦେୱାନ ସେ କଥା ଭୁଲିପାରି ନାହାନ୍ତି । ସେଇ କ୍ରୋଧରେ ସୂର୍ଯ୍ୟନାରାୟଙ୍କୁ ସେ ହତ୍ୟା କରିଛନ୍ତି । ଆମକୁ ତାହା ସଠିକ୍ ଭାବରେ ଜାଣିବାକୁ ହେବ-

 

—କିନ୍ତୁ କିପରି ଆପଣ ସେ ଗୁପ୍ତକଥା ଜାଣିବେ ବୋଲି ଆଶା କରୁଛନ୍ତି ସାର୍ ?

 

କୌତୁକ ହସ ହସି ଅଧ୍ୟାପକ କହିଲେ—ସେଥିପାଇଁ ଆମକୁ ଗୋଟିଏ କୌଶଳ ଅବଲମ୍ବନ କରିବାକୁ ହେବ । ସେ କଥା ମଧ୍ୟ ତୁମ ସହିତ ଯଥା ସମୟରେ ମୁଁ ଆଲୋଚନା କରିବି-। ଏବେ ଚାଲ, ଆଉ ଥରେ ଦେୱାନଜୀଙ୍କ ସଙ୍ଗେ ଆଳାପ କରି ଆସିବା ।

 

ଅଧ୍ୟାପକଙ୍କ ସହିତ ଧୀରାଜକୁ ହଠାତ୍ ନିଜ ବାସଭବନରେ ଦେଖି ଦେୱାନଜୀ ସସମ୍ମାନରେ ସେମାନଙ୍କୁ ବସାଇଲେ । ତ୍ରିବେଦୀ ଦେୱାନଙ୍କ ସହିତ ୟା ଭିତରେ କେତେଥର ଆଳାପ କରି ଯାଇଛନ୍ତି । କିନ୍ତୁ ଧୀରାଜ ତାଙ୍କୁ କେତେ ଦିନରୁ ଦେଖି ନଥିଲା । ସେ ଦେଖିଲା ଯେ ଏଇ କେତେଦିନ ଭିତରେ ଦେୱାନଙ୍କ ଚେହେରାରେ ବହୁ ପରିବର୍ତ୍ତନ ହୋଇ ଯାଇଛି । ଚକ୍ଷୁ କୋଟରଗତା ଗୋଟାଏ ଦାରୁଣ ଦୁର୍ଭାବନାର ଝଞ୍ଜା ଯେପରି ଏଇ କେତେଦିନ ଭିତରେ ତାଙ୍କ ଉପର ଦେଇ ବୋହି ଯାଇଛି । ଜୀବନରେ ଆସନ୍ନ ସୂର୍ଯ୍ୟାସ୍ତର ମ୍ଳାନ ଆଭା ଯେପରି ତାଙ୍କ ଉପରେ ପଡ଼ିଲାଣି ।

 

ଧୀରାଜ ଆସନ ଗ୍ରହଣ କରି କହିଲା—ଦେୱାନଜୀ, ଅପଣଙ୍କର ମନେ ଥିବ, ମୁଁ ଆପଣଙ୍କୁ କହିଥିଲି ଯେ ଏଇ ସାମାନ୍ୟ ସମ୍ପତ୍ତିର ଆୟ ଉପରେ ନିର୍ଭର କରି ମୁଁ ଆପଣଙ୍କ ପରି ଜଣେ ଉଚ୍ଚ ବେତନର କର୍ମଚାରୀଙ୍କୁ ରଖି ପାରିବି ନାହିଁ । କିନ୍ତୁ ବର୍ତ୍ତମାନ ମୁଁ ମତ ପରିବର୍ତ୍ତନ କରିଛି-। ଆପଣଙ୍କ ପରି ଜଣେ ଅଭିଜ୍ଞ ବ୍ୟକ୍ତି ନ ହେଲେ ମୋର ବର୍ତ୍ତମାନ କାର୍ଯ୍ୟ ଚଳିବ ନାହିଁ ।

 

ହାତ ଯୋଡ଼ି କରୁଣ କଣ୍ଠରେ ବୃଦ୍ଧ ଦେୱାନ କହିଲେ—ମୋତେ କ୍ଷମା କରନ୍ତୁ ଧୀରାଜବାବୁ । ଆଉ କୌଣସି ଦାୟିତ୍ୱ ବହନ କରିବାର କ୍ଷମତା ମୋର ନାହିଁ । ମୋର ସବୁ ଶକ୍ତି ଲୋପ ପାଇଛି ।

 

ଏଇ ସମୟରେ କେଉଁଠାରୁ ପାଗଳ ନଟବର ଚିତ୍କାର କରି ଉଠିଲା—‘‘ଖା, ଖା, ଖାଇଯା, ଖାଇଯା… ।”

 

ଦେୱାନଜୀଙ୍କର ସାପପରି ନିଷ୍ପଲକ ଆଖି ଦୁଇଟି ହଠାତ୍ ଅଶ୍ରୁ ସକଳ ହୋଇ ଉଠିଲା । ଘର ଭିତରେ ସମସ୍ତେ କିଛି ସମୟ ନୀରବରେ ବସିରହିଲେ । ତା’ପରେ ଅଧ୍ୟାପକ ତ୍ରିବେଦୀ ଆରମ୍ଭ କଲେ–ଦେୱାନଜୀ, ନଟବରର ଯଥୋଚିତ ଚିକିତ୍ସା ହେଉଛି ତ ?

 

ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ଦେୱାନ କହିଲେ—କେତେ ଆଉ ଚିକିତ୍ସା କରାଇବି ବାବୁ ? ପାଗଳାମି ତା’ର ମଜ୍ଜାଗତ ଥିଲା । କେତେ ଟଙ୍କା ଖର୍ଚ୍ଚ କରି କେତେ ବଡ଼ ବଡ଼ ଡାକ୍ତରଙ୍କ ଦ୍ୱାରା ତାର ଚିକିତ୍ସା କରାଇଛି । କିଛିଦିନ ଭଲରହେ । ସଙ୍ଗ ଦୋଷରେ ପଡ଼ି ନିଶା ପାଣି ଖାଏ । ପୁଣି ସମାନ୍ୟ ପାଗଳାମି ଆରମ୍ଭ ହୁଏ । ଅବଶେଷରେ ସେ ଏବେ ବଦ୍ଧ ପାଗଳ ହୋଇ ଯାଇଛି । ଜମିଦାରୀ ସିରସ୍ତାରେ ରହି ଜୀବନ ସାରା ବହୁ ପାପ କରିଛି । ସେଇ ପାପର ପରିଣାମ ମୁଁ ବର୍ତ୍ତମାନ ଭୋଗ କରୁଛି ବାବୁ ।

 

ଦେୱାନଜୀ ହଠାତ୍ କାନ୍ଦି ପକାଇଲେ ।

 

ଅଧ୍ୟାପକ ତ୍ରିବେଦୀ ମହାପଣ୍ଡିତ ଓ ଅତି ଶକ୍ତିଶାଳୀ ବକ୍ତା । ଦୀର୍ଘକାଳ ଧରି ସେ ଦେୱାନଜୀଙ୍କୁ ସଂସାରର ଅସାରତା ଓ କର୍ମଫଳ ବିଷୟରେ ବୁଝାଇଲେ । ଏ ସଂସାରରେ କେହି କାହାର ନୁହଁନ୍ତି । ସବୁ ଅସାର ସବୁ ମାୟା । ମୋହମୁଦ୍‍ଗରରୁ, ବେଦରୁ, ଭଗବତ୍ ଗୀତରୁ ଶ୍ଳୋକମାନ ଉଦ୍ଧାର କରି ଅଧ୍ୟାପକ ଦେୱାନଜୀଙ୍କୁ ବୁଝାଇଲେ । ସେ ଉଦାର କଣ୍ଠସ୍ଵରରେ ଭାବର ଯେଉଁ ଗଭୀର ଉଚ୍ଛ୍ଵାସ……ଦେୱାନଜୀ ଓ ଧୀରାଜ ସ୍ତବ୍ଧ ହୋଇ ଅଧ୍ୟାପକଙ୍କ ମୁହଁକୁ କେବଳ ଅନାଇ ରହିଲେ ।

 

ବହୁକ୍ଷଣ ପରେ ଦେୱାନଙ୍କ ବାସ ଭବନ ଛାଡ଼ି ଉଭୟେ ବାହାରକୁ ଆସିଲେ । ସେତେବେଳକୁ ଖରା ନଇଁ ଯାଇଥିଲା । ଘର ଭିତରକୁ ନ ଯାଇ ଉଭୟେ ସମୁଦ୍ର କୂଳ ଆଡ଼େ ଚାଲିଲେ । ଯାଉଁ ଯାଉଁ ଧୀରାଜ କହିଲା ମହା ପାପିଷ୍ଠ ଦେୱାନକୁ ଆପଣ ଏତେ ପରିଶ୍ରମ କରି ଯେଉଁ ସଦୁପଦେଶ ଦେଲେ ତାହା କେବଳ ବେଣା ବଣରେ ମୁକ୍ତା ଫୋପାଡ଼ିଲା ପରି ନିରର୍ଥକ ସାର୍ ।

 

ରହସ୍ୟମୟ ହସି ହସି ଅଧ୍ୟାପକ କହିଲେ ନାଇଁ ଧୀରାଜ । ତାହା ସମ୍ପୂର୍ଣ ନିରର୍ଥକ ନୁହେଁ । ତା’ର ମଧ୍ୟ ପ୍ରୟୋଜନ ଅଛି । ତମେ ପରେ ବୁଝି ପାରିବ ।

 

ଝାଉଁ ବଣର ଛାଇରେ ମୋବାରକ୍‍ର ଝୋଲା ଓ ଲାଠିରହି ଥିବାର ଦେଖି ଧୀରାଜ ଚିହ୍ନି ପାରିଲା । —ସାର, ଏ ତ ମୋବାରକ୍‍ର ! ସେ ବୋଧହୁଏ ନିକଟରେ କେଉଁଠି ଅଛି ।

 

ନିକଟରେ ଅବଶ୍ୟ ସେମାନେ ତାକୁ ଆବିଷ୍କାର କଲେ । କିନ୍ତୁ ବଡ଼ ଅଦ୍ଭୁତ ଅବସ୍ଥାରେ । ମୋବାରକ୍ ଘୋଡ଼ା ହୋଇଛି, ଆଉ ତା’ ପିଠି ଉପରେ ଦୁଇଟା ସାନ ପିଲା ବସି ଲମ୍ବା ଦାଢ଼ିକୁ ଲଗାମ କରି ହଟ୍ ହଟ୍ କରି ଚଳାଉଛନ୍ତି । ବୃଦ୍ଧ ମୋବାରକ୍ ଗୁରୁଣ୍ଡି ଗୁରୁଣ୍ଡି ବାଲି ଉପରେ ଚାଲୁଛି । ମଝିରେ ମଝିରେ ଘୋଡ଼ାପରି ହ୍ରେସାରବ କରି ଉଠୁଛି ।

 

ଧୀରାଜ ଓ ତ୍ରିବେଦୀଙ୍କୁ ନିକଟରେ ଦେଖି ମୋବାରକ୍ ଲଜ୍ଜିତ ହେଲା । ପିଲା ଦୁଇଟାକୁ ଦୁମ୍ ଦାମ୍ କରି ତଳେ ପକାଇ ଦେଇ ହଠାତ୍ ପ୍ରଚଣ୍ଡ କ୍ରୋଧରେ ଫାଟି ପଡ଼ିଲା । ବେହୁଦା, ବେତମିଜ୍ କାହାକେ, ଭାଗୋ ସବ୍ ହିଁୟାସେ ।

 

ଦୁଇଟି ଭଦ୍ରଲୋକ ଆଗନ୍ତୁକଙ୍କୁ ଦେଖି ପିଲା ଦୁଇଟି ଭୟରେ ପଳାଇଲେ । ଅଧ୍ୟାପକ ଭଲ ଭାବରେ ବୁଝି ପାରିଲେ ଯେ ମୋବାରକର ଏହା କେବଳ ବାହ୍ୟିକ କ୍ରୋଧମାତ୍ର । ତା’ର ଅନ୍ତରରେ ଯେଉଁ ସ୍ନେହର ଫଲଗୁ ଧାରା ବୋହୁଛି, ଏ ଶିଶୁମାନେ ଭଲ ଭାବରେ ତା’ର ସନ୍ଧାନ ପାଇଛନ୍ତି ।

 

ସେହିଠାରେ ବାଲି ଉପରେ ବସିଯାଇ ଅଧ୍ୟାପକ ତ୍ରିବେଦୀ କହିଲେ—ଏହିଠାରେ ବସ ଫକୀର ସାହେବ । ତମ ଜୀବନର ଗୋଟିଏ ଗଳ୍ପ କହ । ଆମେ ଶୁଣିବୁ ।

 

ପ୍ରଶାନ୍ତ ହସ ହସି ବୃଦ୍ଧ କହିଲା—କି ଗଳ୍ପ ମୁଁ କହିବି ହଜୁର ! ମୁଁ ତ ଗୋଟାଏ ଡକାୟତ ଥିଲି । ଆପଣଙ୍କୁ କହିଲା ଭଳି ଗଳ୍ପ ମୁଁ କ’ଣ ପାଇବି ?

 

—ସେଇ ଡକାଇତିର ଗୋଟିଏ ଗଳ୍ପ କହ । ପିଲାଙ୍କ ପରି ଅଧ୍ୟାପକ କହିଲେ । କିଛିକ୍ଷଣ ନୀରବ ରହି ବୃଦ୍ଧ ବୋଧହୁଏ ଅତୀତ ସ୍ମୃତିର ରୁଦ୍ଧଦ୍ୱାର ଖୋଲିବାକୁ ଚେଷ୍ଟାକଲା । ତାପରେ ଧୀରେ ଧୀରେ କହିଲା—ସେ ଆଜିକି ବହୁ ବର୍ଷ ତଳର କଥା ହଜୁର । ଥରେ ରାତିରେ ଖବର ମିଳିଲା ଯେ ସୁବର୍ଣ୍ଣରେଖା ନଈରେ ଗୋଟାଏ ବଡ଼ ଡଙ୍ଗାରେ ଦୁଇଟି ବରକନ୍ୟା ଆଉ କେତେକ ବରଯାତ୍ରୀ ଯାଉଛନ୍ତି । ବହୁତ ସୁନାରୂପା ବି ଯୌତୁକ ନେଇ ଯାଉଛନ୍ତି । ସାଙ୍ଗେ ସାଙ୍ଗେ ଆମେ ଚାଲିଲୁ । ନାମ ମାତ୍ର ଲଢ଼େଇ ହେଲା । ମୋ ଲୋକଙ୍କ ଲାଠିରେ ବରଯାତ୍ରୀମାନେ ଜଖମ ହୋଇ ପଡ଼ିଲେ । ବର ଆଉ କନ୍ୟା ଛପର ଭିତରେ ଥିଲେ । ସବୁ ବାକ୍ସ ଟ୍ରଙ୍କ ଭାଙ୍ଗି ସୁନା ରୂପା ଆମେ ନେଇଗଲୁ । ମୋ ଦଳର ସମସ୍ତଙ୍କୁ କଡ଼ା ହୁକୁମ ଥିଲା ଯେ ସ୍ତ୍ରୀ ଲୋକ ହେଉଛି ମା । ମା ଦେହରେ କଦାପି ହାତ ଦେବ ନାହିଁ ।

 

ସବୁ ଲୁଟିକରି ଆମ ନିଜ ଡଙ୍ଗାକୁ ଆମେମାନେ ଚାଲି ଆସିଲୁ । ଗଣି ଦେଖିଲି ଯେ ଆମ ଭିତରୁ ଜଣେ କମ ହେଉଛି ଆଶ୍ଚର୍ଯ୍ୟ ହେଲି । ପୁଣି ବଡ଼ ଡଙ୍ଗା ଉପରକୁ ଯାଇ ସବୁ ଖୋଜିଲି-। ସେ ନାହିଁ । ବର କନ୍ୟାର ଛପର ଭିତରକୁ କାହାରି ପଶିବାର ଆଦେଶ ନ ଥିଲା । କନ୍ୟା ଦେହରେ ଯେଉଁ ଅଳଙ୍କାର ଥିବ, ତାହା ଥାଉ, ମା ଅଙ୍ଗରେ ହାତ ଦେଇ ତ ସେ ସବୁ ଉତାରି ପାରିବା ନାହିଁ । କିନ୍ତୁ ଆମ ଦଳର ଗୋଟାଏ ଲୋକ ଗଲା କେଉଁଆଡ଼େ ?

 

ବର କନ୍ୟାର ଛପର ଭିତରୁ ଗୋଟାଏ ବିକଳ କାନ୍ଦଣା ଶୁଣି ପାରିଲି । ମୋର ସନ୍ଦେହ ହେଲା । ଛପରର ଦୁଆର ଟେକି ହଠାତ ଭିତରକୁ ପଶିଗଲି । ଯା’ ସନ୍ଦେହ କରିଥିଲି ସେଇଆ । ଲୋଭି କୁକୁରଟା ମୋ ହୁକୁମ ନ ମାନି ତା ଭିତରେ ପଶିଛି । ମିଟି ମିଟି ହୋଇ ଗୋଟିଏ ଲଣ୍ଠନ ଜଳୁଛି । ବରଟି ଭୟରେ ଗୋଟିଏ କୋଣକୁ ବସିଛି । ଆଉ ମୋ ଦଳର କୁକୁରଟା କନ୍ୟାଟିର ଲୁଗା ଧରି ଗୋଟାଏ ହାତରେ ଟାଣୁଛି—ଆଉ ଗୋଟାଏ ହାତରେ ଗୋଟାଏ ଚକ ଚକିଆ ବଡ଼ ଛୁରୀ ଝିଅଟିକୁ ଉଞ୍ଚାଇଛି । ରାଗରେ ମୋର ମୁଣ୍ଡ ବୁଲିଗଲା । କୁକୁରଟା ପିଠିରେ ଗୋଟାଏ ବଡ଼ ଛୁରୀ ବସାଇ ଦେଲି । ସେ ରକ୍ତ ଦେଖି ଝିଅଟି ସେଇଠି ବେଚେତା ହୋଇଗଲା । ମୁଁ ମୁର୍ଦ୍ଦାରଟାକୁ ଟେକି ନଈ ସୁଅରେ ପକାଇ ଦେଇ ନିଜ ଡଙ୍ଗାକୁ ଫେରିଗଲି ।

 

କିନ୍ତୁ ସେଇ ରାତିରେ ମୋ ଦଳର ଆଉ ତିନି ଜଣଙ୍କୁ ସାବାଡ଼ କରିବାକୁ ପଡ଼ିଥିଲା । ଗେଟ୍ଟା ସିଂକୁ ମୁଁ ହତ୍ୟାକଲି ବୋଲି ମୋ ଦଳରେ ଗୋଟାଏ ବିଦ୍ରୋହ ଦେଖା ଦେଇଥିଲା । ବରକନ୍ୟାର ଛପର ଭିତରେ ଯେ ପଶିଥିଲା ତାର ନା’ ଥିଲା ଗେଟ୍ଟା ସିଂ । ବାକି ତିନୋଟି ମୁର୍ଦ୍ଦାରକୁ ବି ସେଇ ପରି ନଈ ପାଣିରେ ଭସାଇ ଦେଲି । ଆଉ ସେ ଦିନ ଲୁଟିରେ ଯେତେ ସୁନା, ରୂପା ମିଳିଥିଲା, ସେ ସବୁ ମଧ୍ୟ ଭସାଇ ଦେଲି ।

 

ବିସ୍ମୟ ବିସ୍ଫାରିତ ନେତ୍ରରେ ଧୀରାଜ ଓ ଅଧ୍ୟାପକ ତ୍ରିବେଦୀ ଏଇ ନର ହତ୍ୟାର କାହାଣୀ ଶୁଣୁଥିଲେ । କିନ୍ତୁ ସେ ହତ୍ୟା ଭିତରେ ଯେପରି ଗୋଟିଏ ବୀରତ୍ଵ ଥିଲା । ଉଦାର ହୃଦୟର ମହିମା ଥିଲା । ପାତାଳ ବୈକୁଣ୍ଠରେ ଗୁପ୍ତ ହତ୍ୟାପରି କୁତ୍ସିତ ଭୀରୁତା ନଥିଲା ।

 

ସେ ଦିନ ରାତ୍ରି ଭୋଜନ ପୂର୍ବରୁ ହଠାତ୍ ପୁଣି ବର୍ଷା ଝଡ଼ ଆରମ୍ଭ ହେଲା । ଶୁ ଶୁ ହୋଇ ଝଡ଼ ଗର୍ଜନ କରିବାକୁ ଲାଗିଲା । ପ୍ରବଳ ବର୍ଷା ହେବାକୁ ଲାଗିଲା ବୀଚି ବିକ୍ଷୁବ୍‍ଧ ବଙ୍ଗୋପସାଗର ମହା ପ୍ରଳୟଙ୍କରୀ ରୂପ ଧାରଣ କଲା ।

 

ଖାଉ ଖାଉ ଧୀରାଜ ଓ ଅଧ୍ୟାପକଙ୍କ ଭିତରେ ସବୁ କଥାବାର୍ତ୍ତା ହେଲା । ବହୁ ପରାମର୍ଶ ହେଲା ।

 

ଗଭୀର ରାତି । ଅବିରାମ ବେଗରେ ଝଡ଼ ବର୍ଷା ଚାଲିଛି । ଦେୱାନ ଗଦାଧର ଜେନା ନିଜ ଶୟନ କକ୍ଷରେ ଗୋଟିଏ ପଲଙ୍କ ଉପରେ ଶୋଇଛନ୍ତି । ମିଟିମିଟି ହୋଇ ଗୋଟିଏ ଲଣ୍ଠନ ଜଳୁଛି ।

 

ଗଭୀର ନିଦରେ ବୃଦ୍ଧର ମୁଖ ମଣ୍ଡଳ ମଝିରେ ମଝିରେ କିପରି ବିକୃତ ହୋଇ ଉଠୁଛି, ବୋଧ ହୁଏ କୌଣସି ଦୁଃସ୍ଵପ୍ନର ପ୍ରଭାବ ।

 

କ’ଣ ଗୋଟିଏ ଶବ୍ଦରେ ଦେୱାନଜୀଙ୍କ ନିଦ ଭାଙ୍ଗିଗଲା । ଧୀରେ ଧୀରେ ଆଖି ମେଲାଇ ସେ ଚାହିଁଲେ । ହଠାତ୍ କ’ଣ ଦେଖି ସେ ଭୟରେ ଚିତ୍କାର କରି ଉଠି ପୁଣି ଆଖି ବନ୍ଦ କରିଦେଲେ । ପୁଣି ଆଖି ଖୋଲିଲେ । ଏଥର ମଧ୍ୟ ସେଇ ମୂର୍ତ୍ତି । ସର୍ବାଙ୍ଗ ତାଙ୍କର ଅବସ ହୋଇଯିବା ପରି ହେଲା । ହୃଦଯନ୍ତ୍ର ବିକଳ ହୋଇଗଲା ପରି ହେଲା । ସେ ଦେଖିଲେ ମୃତ ଜମିଦାର ସୂର୍ଯ୍ୟନାରାୟଣ ଚୌଧୁରୀ ଘର ମଝିରେ ଛିଡ଼ା ହୋଇଛନ୍ତି । ଆଖିରୁ ଯେପରି ତାଙ୍କର ନିଆଁ ବାହାରୁଛି ।

 

ଗମ୍ଭୀର କଣ୍ଠରେ ସୂର୍ଯ୍ୟନାରାୟଣ କହିଲେ—ଉଠିବସ ଦେୱାନ । ମୋ ପ୍ରଶ୍ନର ସବୁ ସତ ଜବାବ ଦେ । ନାହିଁ ତ ତତେ ଆଜି ପାତାଳ ବୈକୁଣ୍ଠରେ ପକାଇ ଦେବି ।

 

ଗୋଟିଏ ଲୁଗା ପୁଟୁଳା ପରି ମୋଡ଼ି ମାଡ଼ି ହୋଇ ଖଟର ଗୋଟିଏ କୋଣକୁ ଦେୱାନ ଉଠି ବସିଲେ । ସୂର୍ଯ୍ୟନାରାୟଣ ପୁଣି ପ୍ରଶ୍ନ କଲେ—ଏବେ ସତ କହ ଦେୱାନ, କାହିଁକି ତୁ ମୋତେ ହତ୍ୟା କରିଥିଲୁ ।

 

ହଜୁର, ହଜୁର । ଭିତି ବିହ୍ୱଳ କଣ୍ଠରେ ଦେୱାନ କହିଲେ—ହଜୁର, ମୋତେ କ୍ଷମା କରନ୍ତୁ, ମାଫ୍ କରନ୍ତୁ । ମୁଁ ଜାଣିଥିଲି ଯେ ଏ ବଂଶର ବହୁତ ଗଚ୍ଛିତ ଗୁପ୍ତ ଧନ ଅଛି । ସେହି ଲୋଭରେ ମୁଁ ଏହି କଥା କରିଥିଲି ।

 

ସେ ସମ୍ପତ୍ତି ପାଇଛୁ ? ପ୍ରେତାତ୍ମା ପ୍ରଶ୍ନ କଲା । ନାଇଁ ହଜୁର, ମୁଁ ପାଇଁ ନାହିଁ । ବହୁତ ଖୋଜିଛି । ହେଲେ ସେ ଧନ ମୁଁ ପାଇଁନାହିଁ । ମୁଁ ମିଛ କହୁନାହିଁ ହଜୁର । ବିଶ୍ୱାସ କରନ୍ତୁ ।

 

ତୁ ମହାପାପୀ, ନିମକହାରାମ୍ । ତତେ ମୁଁ ଆଜି ପାତାଳ ବୈକୁଣ୍ଠରେ ପକାଇଦେବି । ଏହା କହି ପ୍ରେତାତ୍ମା କେତେକ ପାହୁଣ୍ଡ ଆଗେଇ ଗଲା । ଏ ଦୃଶ୍ୟ ଦେଖି ସାଙ୍ଗେ ସାଙ୍ଗେ ଦେୱାନର ଚେତା ବୁଡ଼ିଗଲା ।

 

ସେତେବେଳ ପର୍ଯ୍ୟନ୍ତ ରାତି ପାଇ ନାହିଁ । ନିଜର ଶୋଇବା ଘରକୁ ଫେରି ଆସି ଚପଳ ହସରେ ଧୀରାଜ ଏକାବେଳକେ ଲୋଟିଗଲା । ଅଧ୍ୟାପକ ତ୍ରିବେଦୀ ମଧ୍ୟ ଫେରି ଆସିଥିଲେ । ଯଥା ସମ୍ଭବ ଗାମ୍ଭୀର୍ଯ୍ୟରକ୍ଷା କରି ଅଧ୍ୟାପକ କହିଲେ—

 

ପ୍ରଥମେ ସୂର୍ଯ୍ୟନାରାୟଣଙ୍କର ରାଜ ପୋଷାକଟି ଦେହରୁ ବାହାର କର ଧୀରାଜ । ପରେ ହସିବ ।

 

ପୁଣି ସେହିପରି ହସି ହସି ଧୀରାଜ କହିଲା ଦେୱାନର ମୁହଁର ଅବସ୍ଥା ଦେଖି ମୁଁ ପ୍ରାୟ ହସି ପକାଇଥିଲି ସାର୍ ।

 

କ୍ରମେ ରାତି ପାହି ଆସିଲା । ପୋଷାକ ବଦଳାଇ ଧୀରାଜ ବିଛଣାରେ ଗଡ଼ିଗଲା । ଆଉ ଅବିଳମ୍ବେ ଗଭୀର ନିଦରେ ବୁଡ଼ିଗଲା ।

 

–ବାର–

 

ଧୀରାଜର ନିଦ୍ରାଭଙ୍ଗ ହେବା ବେଳକୁ ବହୁତ ବେଳ ହୋଇଗଲାଣି, ଗତରାତିର ଝଡ଼ ବର୍ଷା ଆଉ ଲେଶମାତ୍ର ନାହିଁ । ଉଜ୍ଜ୍ୱଳ ସୂର୍ଯ୍ୟ କିରଣରେ ଚାରିଆଡ଼େ ଝଲମଲ କରୁଛି । ଅଧ୍ୟାପକ ତ୍ରିବେଦୀ କେତେବେଳୁ ନିତ୍ୟକର୍ମ ସାରି ବାହାରକୁ ଚାଲିଗଲେଣି । ଟେବୁଲ ଉପରେ ଖାଲି କପ୍ ପ୍ଲେଟ ପଡ଼ିରହିଛି । ଅଧ୍ୟାପକ ଚାହା ଖାଇଯାଇଛନ୍ତି ।

 

ଧୀରାଜ ଉଠି ଖଟ ଉପରେ ବସିଲା । ଏବେ ଏ ସ୍ଥାନରୁ ସେ ଚାଲିଯିବ । ଆଉ କେବେହେଲେ ଏଠାକୁ ଫେରିବ ନାହିଁ । ସୂର୍ଯ୍ୟନାରାୟଙ୍କର ହତ୍ୟା ରହସ୍ୟ ଭେଦ କରା ହୋଇଛି । ଆଉ ଏଠାରେ କୌଣସି କାମ ନାହିଁ ।

 

ଶେଷ ବେଳରେ ଏ ଘର ଦୁଆର, ଖଟ ପଲଙ୍କ ସବୁ କିପରି ପରମ ଆତ୍ମୀୟପରି ମନେ ହେଲା । ଯେପରି ବହୁକାଳରୁ ଏମାନଙ୍କ ସହିତ ତାର ପରିଚୟ । ଏବେ ଏମାନଙ୍କଠାରୁ ସେ ଚିର ବିଦାୟ ନେବ । ସୂର୍ଯ୍ୟନାରାୟଣଙ୍କର ନିର୍ଜୀବ ଚିତ୍ରପଟଟି ସେହିପରି କାନ୍ଥରେ ମରା ହୋଇଛି । ଗଲାବେଳେ ଏ ଚିତ୍ରପଟଟି ଖୋଲି ସେ ସାଙ୍ଗରେ ନେଇ ଯିବ ।

 

କାନ୍ଥ ନିକଟରେ ଖଣ୍ଡିଏ ଟେବୁଲରଖି ତା ଉପରେ ଧୀରାଜ ଖଣ୍ଡିଏ ଚୌକିରଖିଲା । ଚୌକି ଉପରେ ଛିଡ଼ାହୋଇ ଚିତ୍ରପଟଟିକୁ କାଢ଼ିବାର ଚେଷ୍ଟା କଲା । କିନ୍ତୁ ସମ୍ଭବ ହେଲା ନାହିଁ । ବିଶାଳ ତୈଳଚିତ୍ରଟି ଲୁହା ପେଚ ଦ୍ୱାରା କାନ୍ଥରେ ରିପିଟ୍ ହୋଇଛି । ବିନା ଯନ୍ତ୍ର ସାହାଯ୍ୟରେ ଚିତ୍ରପଟଟି ଖୋଲିବା ଅସମ୍ଭବ ।

 

ବାରନ୍ଦା ଶେଷକୁ ସିଡ଼ି ନିକଟରେ ଯେଉଁ ଖଣ୍ଡିଏ ଘର ଅଛି ସେଇ ଘର ଭିତରେ ଧୀରାଜ ବହୁ ବଢ଼େଇ ଓ ରାଜମିସ୍ତ୍ରୀଙ୍କର ସାଜ ସରଞ୍ଜାମ ଦେଖିଥିଲା । ମନେ ମନେ ଠିକ୍ କଲା ଯେ ସେଇ ଘରୁ କିଛି ଯନ୍ତ୍ର ଆଣି ସେ ଚିତ୍ରପଟଟି ଖୋଲିବ ।

 

ଘର ଭିତରେ ତ୍ରିଲୋଚନ ପ୍ରବେଶ କଲା । —ହଜୁର, ଚାହା ଆଣିବି ? ତ୍ରିଲୋଚନକୁ ଚାହା ଆଣିବାକୁ କହି ଧୀରାଜ ଅନ୍ୟାନ୍ୟ ନିତ୍ୟକର୍ମ ଶେଷକଲା । ତ୍ରିଲୋଚନ ଟ୍ରେ’ରେ ଗରମ ଚାହା ଓ ଜଳଖିଆ ଧରି ପ୍ରବେଶ କଲା । ଚାହା ଖାଉ ଖାଉ ଧୀରାଜ କହିଲା–ତ୍ରିଲୋଚନ, ମୁଁ ଦିନେ ଦୁଇଦିନ ଭିତରେ ଏଠାରୁ ଚାଲିଯିବି ।

 

—ପୁଣି କେତେ ଦିନ ପରେ ଫେରିବେ ହଜୁର ? ତ୍ରିଲୋଚନ ପଚାରିଲା ।

 

ସାମାନ୍ୟ ହସି ଧୀରାଜ କହିଲା—ଆଉ ମୁଁ କେବେହେଲେ ଏଠାକୁ ଫେରିବି ନାହିଁ । ଏ କେତେକ ଦିନ ତୁମମାନଙ୍କୁ ଅନେକ କଷ୍ଟ ଦେଲି । ତୋ ଲଳିତା ଦେଈଙ୍କୁ ମଧ୍ୟ କହିଦେବୁ । କେହି ଆଉ ପଛରେ ଗାଳି ଦେବ ନାହିଁ ।

 

ଏଇ ସୌମ୍ୟ ଦର୍ଶନ ଯୁବକକୁ ତ୍ରିଲୋଚନ ମନେ ମନେ ଅତି ଶ୍ରଦ୍ଧା କରୁଥିଲା । ସେ ଏଠାରୁ ଚିରଦିନ ପାଇଁ ଚାଲି ଯାଉଛନ୍ତି ଶୁଣି ତ୍ରିଲୋଚନ ଆଖି ଦିଓଟି ଛଳଛଳ ହୋଇ ଉଠିଲା ।

 

ସେତେବେଳକୁ ଖରା ପ୍ରଖର ହୋଇଥିଲା । ଘର୍ମାକ୍ତ କଳେବରରେ ଅଧ୍ୟାପକ ତ୍ରିବେଦୀ ଆସି ଘରେ ପ୍ରବେଶ କଲେ ।

 

ଧୀରାଜ, ପ୍ରକୃତରେ ଏ ସ୍ଥାନଟି ଅତିରମଣୀୟ । ସ୍ୱାସ୍ଥ୍ୟ ପକ୍ଷରେ ମଧ୍ୟ ଅତି ଉପଯୋଗୀ-। ଏ ସ୍ଥାନଟି ଛାଡ଼ି ଯିବାକୁ ମୋର ମାୟା ହେଉଛି ।

 

—ଏବେ କ’ଣ ଏ ସ୍ଥାନ ଛାଡ଼ି ଆମେ ଚାଲି ଯାଇପାରୁ ? ଏଠାକାର ଭୌତିକରହସ୍ୟ କ’ଣ ସମ୍ପୂର୍ଣ୍ଣ ଭାବରେ ସମାଧାନ ହୋଇଗଲା ସାର୍ ? ଧୀରାଜ ପଚାରିଲା ।

 

ଗମ୍ଭୀର ହୋଇ ଅଧ୍ୟାପକ କହିଲେ—ସୂର୍ଯ୍ୟନାରାୟଣନଙ୍କର ମୃତ୍ୟୁରହସ୍ୟ ଅବଶ୍ୟ ସମାଧାନ ହୋଇଛି । ହତ୍ୟାକାରୀ ନିଜ ମୁହଁରେ ସ୍ଵୀକାର କରିଛି । ଅବଶ୍ୟ ଆଇନ ଦରବାରରେ ଦେୱାନ ଦଣ୍ଡନୀୟ ହେବ ନାହିଁ । କିନ୍ତୁ ମୁଁ ନିଶ୍ଚୟ କରି ଜାଣେ ଯେ ଏ ଘଟଣା ପରେ ବୃଦ୍ଧ ମୁହୂର୍ତ୍ତେ ମାତ୍ର ଶାନ୍ତି ପାଇବ ନାହିଁ । ଦିନରାତି ତାର ଦୋଷୀ ଅନ୍ତର ଅଦୃଶ୍ୟ ଅଶରିରୀର ଭୟରେ କମ୍ପୁଥିବ-। ସେ ମାନସିକ ଯନ୍ତ୍ରଣା ଫାଶୀ ଅପେକ୍ଷା ବି କଷ୍ଟଦାୟକ । କିନ୍ତୁ ତଥାପି ପ୍ରେତାତ୍ମାର ଇଚ୍ଛା ପୂର୍ଣ୍ଣ ହୋଇ ନାହିଁ ।

 

—ଆଉ କେଉଁ ଇଚ୍ଛା ତା’ର ଅପୂର୍ଣ୍ଣରହିଛି ସାର୍ ? ଧୀରାଜ ପଚାରିଲା ।

 

ଦେୱାନଙ୍କ ପରି, ତୁମ ପରି ଓ ମୋବାରକ୍ ପରି ମୁଁ ମଧ୍ୟ ବିଶ୍ୱାସ କରେ ଯେ ଏହି ପାଷାଣପୁରୀର କେଉଁ ସ୍ଥାନରେ ଏ ବଂଶର ଗୁପ୍ତ ସମ୍ପଦ ଲୁଚାହୋଇ ରଖା ହୋଇଛି । ସେ ସ୍ଥାନଟି ବୋଧହୁଏ ସୂର୍ଯ୍ୟନାରାୟଣଙ୍କ ଛଡ଼ା ଆଉ କେହି ଜାଣି ନଥିଲେ । ସେଇ ଧନରାଶି ସତ୍‍ପାତ୍ରରେ ଅର୍ପିତ ନ ହେଲେ ପ୍ରେତାତ୍ମାର ମୁକ୍ତି ନାହିଁ । ଆଜି ସକାଳେ ମଧ୍ୟ ପ୍ରେତାତ୍ମାର ଅବସ୍ଥିତି ମୁଁ ଅନୁଭବ କରିଥିଲି ।

 

କିଛିକ୍ଷଣ ନୀରବରହି ପୁଣି ଅଧ୍ୟାପକ କହିଲେ କିନ୍ତୁ ଆଉ ଏଠାରେ ବେଶୀ ଦିନରହିବା ମୋ ପକ୍ଷରେ ସମ୍ଭବ ନୁହେଁ । ମୁଁ କାଲି ଏଠାରୁ ଚାଲି ଯିବାକୁ ଚାହେଁ ।

 

ମଧ୍ୟାହ୍ନ ଭୋଜନ ପରେ କିଛିକ୍ଷଣ ବିଶ୍ରାମ ନେଇ ଅଧ୍ୟାପକ ପୁଣି ବୁଲି ବାହାରିଲେ । ଦିବା ନିଦ୍ରା ତାଙ୍କର ଅଭ୍ୟାସ ବିରୁଦ୍ଧ । କାଲି ସେ ଏଠାରୁ ଚାଲି ଯିବେ । ଆଜି ପୁଣି ଥରେ ମୋବାରକ୍ ସହିତ ଗଳ୍ପକରି ଆସିବେ । ଏଇ କେତୋଟି ଦିନ ଭିତରେ ବୃଦ୍ଧ ମୋବାରକ୍ ଅଧ୍ୟାପକଙ୍କ ହୃଦୟରେ ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରି ପାରିଛି ।

 

ଅଧ୍ୟାପକ ଚାଲିଗଲେ । ଉଦୁଉଦିଆ ନିଛାଟିଆ ଖରାବେଳେ, ଧୀରାଜ ଏକା ଘର ଭିତରେ ବସିରହିଲା । ଏଇ କେତେ ଦିନର କେତେ ସ୍ମୃତି ତାର ମନରେ ଉଦୟ ହେଲା । ଏଇ ଭୟାବହ ଭୌତିକ ଘଟଣାବଳୀର ଆଢ଼ୁଆଳରେ ଯେଉଁ ପ୍ରେମର କଳିକା ଧୀରେ ଧୀରେ ପାଖୁଡ଼ା ମେଲାଇ ଗୋଟିଏ ସୁରଭିତ ଶତଦଳ ହୋଇରହିଛି ସେଇ ଅବଚେତନ ମନର ପ୍ରକ୍ରିୟା ଧୀରାଜ ଏ ପର୍ଯ୍ୟନ୍ତ ସମ୍ୟକ୍ ଅନୁଭବ କରିପାରି ନଥିଲା । ଏବେ ଏହି ଭୟାବହ ବିଭୀଷିକାର ଅବସ୍ଥାନ ପରେ ଧୀରାଜ ଜାଣିପାରିଲା ଯେ ତା ଅଜ୍ଞାତରେ ଲଳିତା ତା ହୃଦୟକୁ ସମ୍ପୂର୍ଣ୍ଣ ଅଧିକାର କରି ବସିଛି ।

 

ନିର୍ଜନ ଘର ଭିତରେ ଇଜି ଚେୟାର ଉପରେ ବସି ଧୀରାଜ କେତେ କ’ଣ ଭାବୁଛି । ହଠାତ୍ ପୁଣି ତାର ନଜର ପଡ଼ିଲା ସୂର୍ଯ୍ୟନାରାୟଣଙ୍କ ଚିତ୍ରପଟଟି ଉପରେ । ଡ୍ର’ ଭିତରୁ ଚାବି ପେନ୍ଥାଟି ନେଇ ସେ ଶିଡ଼ି ନିକଟର ପୂର୍ବୋକ୍ତ ଘରଟି ଖୋଲିଲା । ବଢ଼େଇ ଓ ରାଜମିସ୍ତ୍ରୀର ସାଜ ସରଞ୍ଜାମ ଭର୍ତ୍ତି ହୋଇଛି । କେତୋଟି ପେଞ୍ଚକସ ଓ ଅନ୍ୟାନ୍ୟ ସରଞ୍ଜାମ ନେଇ ଧୀରାଜ ପୁଣି ନିଜ ଶୋଇବା ଘରକୁ ଫେରିଲା ।

 

ଗୋଟିଏ ଟେବୁଲ ଉପରେ ଗୋଟାଏ ଚୌକିରଖି ଧୀରାଜ ତା ଉପରେ ଚଢ଼ି ଠିଆ ହେଲା । ଗୋଟି ଗୋଟି କରି ବହୁ କଷ୍ଟରେ ପ୍ରକାଣ୍ଡ ଛବିଟାର ଚାରିପଟୁ ମଜବୁତ ପେଞ୍ଚ ଗୁଡ଼ିକ ଫିଟାଇଲା ତା’ ପରେ ଦୁଇହାତରେ ସବୁ ଶକ୍ତିଦେଇ ସାବଧାନରେ ଛବିଟିକୁ ଟାଣିଲା । ଭାରି ଛବିଟା ଧୀରେ ଧୀରେ ବାହାରି ଆସିଲା । ଛବିଟି ତଳେ କାନ୍ଥ ଉପରେ ସେ ଯାହା ଦେଖିଲା । ସେଥିରେ ସେ ହଠାତ୍ ଚମକି ପଡ଼ିଲା । ହୃଦ୍‍ସ୍ପନ୍ଦନ ତାର ଦୃତତର ହେଲା । ଗୋଟାଏ ପ୍ରଚଣ୍ଡ ଉତ୍ତେଜନାରେ ତାର ସର୍ବାଙ୍ଗ ଥରିବାକୁ ଲାଗିଲା । ସେ ଦେଖିଲା ଯେ ବିଶାଳ ଫଟଟାର ଠିକ୍ ତଳେ ଗୋଟାଏ ଲୁହା ସିନ୍ଦୁକ କାନ୍ଥ ଭିତରେ ପୋତା ହୋଇରଖା ହୋଇଛି । ଓଜନଦାର ଚିତ୍ରପଟଟି ସାବଧାନରେ ତଳେ ଥୋଇ ପୁଣି ସେ ଚୌକି ଉପରେ ଚଢ଼ିଲା । ଲୁହା ସିନ୍ଦୁକର ସାମନା କବାଟରେ ଗୋଟିଏ କ୍ଷୁଦ୍ର ହାଣ୍ଡଲ ଅଛି ହାଣ୍ଡଲଟି ଧରି ଧୀରାଜ ଟାଣିଲା । ବହୁକାଳର ଜଙ୍ଗଧରା କବାଟ ଗୋଟାଏ ବିକୃତ ଶବ୍ଦ କରି ଖୋଲିଗଲା । ସିନ୍ଦୁକ ଭିତରେ ଥିବା ଗୁପ୍ତ ସମ୍ପଦର ପରିମାଣ ଦେଖି ବିସ୍ମୟରେ ଧୀରାଜର ଆଖି ବୁଜି ହୋଇଗଲା । ସିନ୍ଦୁକଟିରେ ସୁନା ମୋହର ଭର୍ତ୍ତି ହୋଇଛି । ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷାଧିକ ଟଙ୍କା ହେବ ।

 

ମୋହର ଗୁଡ଼ିକ ଆଣି ଧୀରାଜ ଲୁଚାଇରଖିଲା । କିଛିକ୍ଷଣ ପରେ ଅଧ୍ୟାପକ ତ୍ରିବେଦୀ ଘରକୁ ଫେରିଲେ । ଧୀରାଜ ଏକାବେଳକେ ଆନନ୍ଦରେ ଚିତ୍କାର କରି ଉଠିଲା । —ସାର୍, ମୁଁ ପାଇଛି ! ଚୌଧୁରୀ ବଂଶର ଗୁପ୍ତଧନ ମୁଁ ପାଇଛି ।

 

ସବୁ ଶୁଣି ଅଧ୍ୟାପକ ଆନନ୍ଦିତ ହେଲେ । କହିଲେ—ଏଥର ପ୍ରେତାତ୍ମାର ସଦ୍‍ଗତି ହେବ । ସୂର୍ଯ୍ୟନାରାୟଣଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହୋଇଛି । ଆଇନ୍ ଅନୁସାରେ ଏ ବିପୁଳ ଅର୍ଥ ବର୍ତ୍ତମାନ ତୁମର । କିନ୍ତୁ ମୋର ଉପଦେଶ, ଏ ଅର୍ଥ ତୁମେ ସତ୍ ମାର୍ଗରେ ବ୍ୟୟକର । ଯେଉଁମାନଙ୍କର ଲୁହ ଲହୁରେ ଏ ସମ୍ପଦର ମୂଳଦୁଆ ସେଇମାନଙ୍କର ହିତ ପାଇଁ ଏ ଅର୍ଥ ବ୍ୟୟ ହେବା ଉଚିତ୍‍ ।

 

ଅଧ୍ୟାପକ କହିଥିଲେ— ଏଥର ଦେୱାନ ଯେଉଁ ମାନସିକ ଯନ୍ତ୍ରଣା ପାଇବ ତାହା ଫାଶୀ ଖୁଣ୍ଟର କ୍ଷଣିକ ଯନ୍ତ୍ରଣା ଠାରୁ ଉତ୍କଟତର ଓ ଦୀର୍ଘସ୍ଥାୟୀ, କିନ୍ତୁ ସେ ୟନ୍ତ୍ରଣା ଆଉ ଦୀର୍ଘସ୍ଥାୟୀ ହେଲା ନାହିଁ । ସେଇଦିନ ସୂର୍ଯ୍ୟାସ୍ତ ବେଳେ ସବୁ ଶେଷ ହୋଇଗଲା ।

 

ଦେୱାନ ଗଦାଧର ଜେନା ନିଜ ଘରେ ବେକରେ ଦଉଡ଼ା ଦେଇ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ଦୀର୍ଘ ଚିଠିରେ ଜୀବନର ସବୁ ମହାପାପ ବର୍ଣ୍ଣନା କରି ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଜୀବନର ଦୁର୍ବହ ଭାର ଆଉ ସହି ନ ପାରି ସେ ସ୍ଵେଚ୍ଛାରେ ଆତ୍ମହତ୍ୟା କରୁଛନ୍ତି ।

 

ବହୁ ଲୋକ ରୁଣ୍ଡ ହେଲେ । ଅଧ୍ୟାପକ ତ୍ରିବେଦୀ ଓ ଧୀରାଜ ମଧ୍ୟ ଗଲେ । ଦେୱାନଜୀଙ୍କର ପ୍ରାଣହୀନ ନିସ୍ପନ୍ଦ ଦେହକୁ ବହୁକ୍ଷଣ ଚାହିଁ ଚାହିଁ ଧୀରାଜ ଗୋଟିଏ ଦୀର୍ଘ ନିଶ୍ଵାସ ପକାଇଲା ।

 

ବେଦଜ୍ଞ ମହାପଣ୍ଡିତ ଅଧ୍ୟାପକ ତ୍ରିବେଦୀ ନିଜେ ଶବଯାତ୍ରାରେ ଶ୍ମଶାନକୁ ଚାଲିଲେ । ବହୁ କଷ୍ଟରେ ପାଗଳ ନଟବରକୁ ମୁଖାଗ୍ନି ଦେବା ପାଇଁ ଧରି ନେଇଗଲେ । ବୃଦ୍ଧ ମୋବାରକ ମଧ୍ୟ ଅଶ୍ରୁସିକ୍ତ ଆଖିରେ ଶବାନୁଗମନ କଲା । ଧୀରାଜ ଏକା ସମୁଦ୍ରକୂଳକୁ ବୁଲିଗଲା ।

 

ନିର୍ଜନ ସମୁଦ୍ର ବେଳାରେ ଏକା ବସି ବସି ରାତି ପ୍ରାୟ ନ’ଟା ବେଳେ ଧୀରାଜ ଘରକୁ ଫେରୁଥିଲା । ଆକାଶରେ ଜହ୍ନ ନାହିଁ । ନିର୍ମଳ ନୀଳ ଆକାଶରେ ଅସଂଖ୍ୟ ତାରକା ଜୁଳୁ ଜୁଳୁ କରୁଛନ୍ତି । ସେଇ ନିଷ୍ପ୍ରଭ ଆଲୁଅରେ ବନଭୂମି ସ୍ଵପ୍ନମୟ ପରି ମନେ ହେଉଛି । ଅରମା ବଣ ଦେଇ ଆସୁ ଆସୁ କିଏ ଡାକିଲା—ଧୀରାଜ ଭାଇ !

 

ଧୀରାଜ ଚାହିଁ ଦେଖିଲା—ଦୀର୍ଘ ବହ୍ନିଶିଖା ପରି ରୂପସୀ ଲଳିତା ସେଇ ଘନ ଗଙ୍ଗଶିଉଳୀ ଗଛ ମୂଳ ଭଙ୍ଗା କୂଅ ନିକଟରେ ଛିଡ଼ା ହୋଇଛି ।

 

ଲଳିତା !! ଧୀରାଜ ତା’ର ଗୋଟିଏ ହାତକୁ ଧରି ଛାତି ଉପରକୁ ଟାଣି ଆଣିଲା । କୋମଳ ଓ ପ୍ରକାଣ୍ତ ଗୋଟିଏ ଫୁଲ ପେନ୍ଥା ପରି ଲଳିତା ଧୀରାଜର ଛାତି ଉପରେ ମୁହଁ ଲୁଚାଇଲା-। ଠିକ୍ ସେତିକି ବେଳେ ପାଗଳ ନଟବର ଦୂର ସମୁଦ୍ର ବେଳାରେ ଚିତ୍କାର କରି ଉଠିଲା–ଖା, ଖା, ଖାଇଯା । ଗୋଟା ସୁଦ୍ଧା ଖାଇଯା ।

 

ଘର ଭିତରକୁ ପଶି ଆସି ଲଳିତା ଓ ଧୀରାଜ ଦେଖିଲେ ଯେ ବୃଦ୍ଧ ମୋବାରକ ଓ ଅଧ୍ୟାପକ ତ୍ରିବେଦୀ ଦୁଇଟି ଚୌକିରେ ବସି ଗଳ୍ପ କରୁଛନ୍ତି । ଉଭୟେ ଅଧ୍ୟାପକଙ୍କୁ ଓ ମୋବାରକକୁ ପ୍ରଣାମ କଲେ । ଅଧ୍ୟାପକ ଖୁସି ମନରେ ସେମାନଙ୍କୁ ଆଶୀର୍ବାଦ କଲେ । ମୋବାରକ୍ ଏକାବେଳେ ଆନନ୍ଦରେ ନାଚି ଉଠିଲା ।

 

ଧୀରାଜ କହିଲା ସାର୍, ଆପଣଙ୍କୁ ଆଉ ଦୁଇଟି ଦିନ ଅଧିକାରହିବାକୁ ହେବ । ଆମେମାନେ ଏଠାରୁ ଚାଲିଯିବା ପୂର୍ବରୁ ଏ ସମସ୍ତ ସମ୍ପତି ଓ ଏଇ ବିପୁଳ ଗୁପ୍ତ ଧନର ଗୋଟାଏ ସୁବ୍ୟବସ୍ଥା କରିବାକୁ ହେବ । ଏଇ ପ୍ରାଚୀନ ପାଷାଣ ପୁରୀର ନାମ ହେବ “ଲଳିତା ସେବା ସଦନ-।” ଅନ୍ଧ, ଖଞ୍ଜ, ଦୁଃଖୀ, ତପୀ ଏଠାରେ ଆଶ୍ରୟ ପାଇବେ । ଗୋଟାଏ ଟ୍ରଷ୍ଟ ବୋର୍ଡ଼ ହାତରେ ଏ ସମସ୍ତ ସମ୍ପତି ରହିବ । ଦାନ ପତ୍ରରେ ନିର୍ଦ୍ଦେଶ ରହିବ ଯେ ମୋବାରକ ବଞ୍ଚିଥିବା ପର୍ଯନ୍ତ ଏଇ ସେବା ସଦନର ସର୍ବାଧିକାରୀ ହୋଇରହିବ ।

 

ଅଧ୍ୟାପକ ପୁଣି ଥରେ ମୁକ୍ତ କଣ୍ଠରେ ଧୀରାଜ ଓ ଲଳିତାଙ୍କୁ ଆଶୀର୍ବାଦ କଲେ !

 

ବିଜୟ ଦଶମୀ–୧୯୭୦

Image